Advertisment

Controversy Over Secret Cremation of Woman's Body: ଶ୍ମଶାନରେ ଶବ ଦାହ ଝମେଲା, ମୃତ ଶାଶୁଙ୍କୁ ଆଣି ବୋହୁ ସଂସ୍କାର କଲା ବେଳେ ଅଟକାଇଲା ପୋଲିସ୍

ଭୁବନେଶ୍ବର ସତ୍ୟନଗର ମଶାଣିରେ ଢେର ସମୟ ଧରି ଚାଲିଥିଲା ଏ ପାଲା । ବଡ଼ କଥା ହେଲା- ଅନ୍ତିମ ସଂସ୍କାର ଅଧାରୁ ଯାହାଙ୍କ ଦରପୋଡ଼ା ଶବକୁ ପୋଲିସ୍ ଜବତ କରିଛି- ସେ ହେଲେ ବ୍ରହ୍ମଗିରିର ପୂର୍ବତନ ବିଧାୟକ ଅଜୟ ଜେନାଙ୍କ ପତ୍ନୀ ଅଶ୍ରୁକଣା ପ୍ରଧାନ, ବୟସ ୭୬ ।

author-image
Santosh Kumar Sahoo
undefined

ଅଧା ରହିଗଲା ଶବଦାହ

ସତ୍ୟନଗର ଶ୍ମଶାନରୁ ବୃଦ୍ଧାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ । ମୃତ୍ୟୁ ବାର୍ଦ୍ଧକ୍ୟଜନିତ ନା ଅସ୍ବାଭାବିକ, ଜାଣିବାକୁ ପୋଷ୍ଟମର୍ଟମ ପାଇଁ ପଠାଇଲା ଖାରବେଳନଗର ପୋଲିସ୍ । ମୃତା ମହିଳା ଜଣକ, ବ୍ରହ୍ମଗିରିର ପୂର୍ବତନ ବିଧାୟକ ଅଜୟ ଜେନାଙ୍କ ପତ୍ନ । କାହାକୁ ଖବର ନ ଦେଇ ତାଙ୍କ ବିଧବା ବୋହୁ ଶବ ଦାହ କରାଉଥିବା ସଂପର୍କୀୟ ଅଭିଯୋଗ କରୁଛନ୍ତି । ହେଲେ ବୋହୁ କହିଛନ୍ତି-ଯେଉଁମାନେ ଏ ଅଭିଯୋଗ ଆଣୁଛନ୍ତି, ସେମାନେ ତାଙ୍କୁ ସବୁବେଳେ ସଂପତ୍ତି ବିବାଦରେ ଛନ୍ଦି ଆସିଛନ୍ତି ।

Advertisment

ଭୁବନେଶ୍ବର ସତ୍ୟନଗର ମଶାଣିରେ ଢେର ସମୟ ଧରି ଚାଲିଥିଲା ଏ ପାଲା । ବଡ଼ କଥା ହେଲା- ଅନ୍ତିମ ସଂସ୍କାର ଅଧାରୁ ଯାହାଙ୍କ ଦରପୋଡ଼ା ଶବକୁ ପୋଲିସ୍ ଜବତ କରିଛି- ସେ ହେଲେ ବ୍ରହ୍ମଗିରିର ପୂର୍ବତନ ବିଧାୟକ ଅଜୟ ଜେନାଙ୍କ ପତ୍ନୀ ଅଶ୍ରୁକଣା ପ୍ରଧାନ, ବୟସ ୭୬ । ଖାରବେଳ ନଗର ଆଇଆଇସିଙ୍କ ସୂଚନା ଅନୁସାରେ- ମୃତା ଅଶ୍ରୁକଣାଙ୍କ କିଛି ସଂପର୍କୀୟ ଆଜି ହଠାତ୍ ମଧ୍ୟାହ୍ନରେ ଥାନାରେ ପହଞ୍ଚିଥିଲେ ଓ ବିନା ପୋଷ୍ଟମର୍ଟମରେ ଓ କାହାରିକୁ ଖବର ନଦେଇ ଅଶ୍ରୁକଣାଙ୍କ ମୃତଦେହକୁ ତାଙ୍କ ବୋହୂ ସତ୍ୟନଗର ଶ୍ମଶାନକୁ ନେଇ ଦାହ କରୁଥିବା କହିଥିଲେ । ପୋଲିସ ସତ୍ୟନଗର ଶ୍ମଶାନରେ ପହଞ୍ଚି ଶବଦାହକୁ ଅଧାରୁ ବନ୍ଦ କରିଥିଲା । ଫୋରେନସିକ ଟିମ୍ ସହାୟତରେ ମୃତଦେହର ପଞ୍ଚନାମା କରି କ୍ୟାପିଟାଲ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା ।

ତେବେ ଏଠି ପ୍ରଶ୍ନ- ଜଣେ ପୂର୍ବତନ ବିଧାୟକଙ୍କ ପତ୍ନୀ ଓ ଜଣେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ- ଅଶ୍ରୁକଣା ପ୍ରଧାନଙ୍କ ମୃତଦେହ ସଂସ୍କାରକୁ ନେଇ କାହିଁକି ସୃଷ୍ଟି ହେଲା ଝମେଲା ? ତାଙ୍କ ମୃତ୍ୟୁ ବାର୍ଦ୍ଧକ୍ୟ ଜନିତ ନା ଅସ୍ବାଭାବିକ ? ଏସବୁ ନାନା ସନ୍ଦେହ ଭିତରେ ମୃତ ଅଶ୍ରୁକଣାଙ୍କ ଭାଇ ଓ ଭଉଣୀ କିନ୍ତୁ ସିଧାସଳଖ ଅଶ୍ରୁକଣାଙ୍କ ବୋହୁ ଉପାସନା ଷଡ଼ଙ୍ଗୀଙ୍କ ଆଡକୁ ଅଙ୍ଗୁଳି ଉଠାଇଛନ୍ତି । ଏମିତିକି ଉପାସନା, ଶାଶୁ ଅଶ୍ରୁକଣାଙ୍କୁ ବିଭିନ୍ନ ସମୟରେ ନିର୍ଯାତନା ଦେଉଥିବା ଓ ତାଙ୍କ ସହ ବନ୍ଧୁ ବାନ୍ଧବଙ୍କୁ ମିଳାମିଶା କରିବାକୁ ଦେଉନଥିବା ଅଭିଯୋଗ କରିଛନ୍ତି । ତା ସହ ଆଜି ଶାଶୁଙ୍କ ମୃତ୍ୟୁ ପରେ ମଧ୍ୟ କୌଣସି ସମ୍ପର୍କୀୟଙ୍କୁ ନ ଜଣାଇ ଶବ ସଂସ୍କାର କରିବାକୁ ଆଣିଥିବାରୁ ସନ୍ଦେହ ସୃଷ୍ଟି ହୋଇଛି ।

Advertisment

ତେଣେ ଅଶ୍ରୁକଣାଙ୍କ ବୋହୁ ଉପାସନା ଷଡ଼ଙ୍ଗୀ କହିଛନ୍ତି-ଦୀର୍ଘଦିନ ଧରି ଅସୁସ୍ଥ ଥିବା ତାଙ୍କ ବୃଦ୍ଧ ଶାଶୁ ଆଜି ସକାଳେ ଆଉ ହଲଚଲ୍ ନ ହେବାରୁ ନିକଟସ୍ଥ ଏକ କ୍ଲିନିକରେ ଡାକ୍ତରଙ୍କୁ ଦେଖାଇଥିଲେ । ହେଲେ ଶାଶୁଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିବାରୁ, ସେ ସିଧା ସତ୍ୟନଗର ଶ୍ମଶାନକୁ ସଂସ୍କାର ପାଇଁ ନେଇଥିଲେ। ଡାକ୍ତର ଦେଇଥିବା କାଗଜପତ୍ର ଦେଖାଇ ସଂସ୍କାର କରୁଥିବାବେଳେ ଏହାକୁ ପୋଲିସ୍‌ ଅଧାରୁ ଅଟକାଇଥିଲା । ତେବେ ଯେଉଁମାନେ ତାଙ୍କ ନାଁରେ ଅଭିଯୋଗ ଆଣୁଛନ୍ତି- ସେମାନେ କେବେ ବି ଅସୁବିଧା ସମୟରେ ତାଙ୍କୁ ସାହାଯ୍ୟ କରିନାହାନ୍ତି ବରଂ ସବୁବେଳେ ସଂପତ୍ତି ବିବାଦରେ ଛନ୍ଦି ଅସୁବିଧାରେ ପକାଇ ଆସିଛନ୍ତି। ହେଲେ ଆଜି ଶାଶୁଙ୍କ ମୃତ୍ୟୁ ହୋଇଥିବା ସମ୍ପର୍କରେ ସେ ଦୁଇଜଣ ସଂପର୍କୀୟ ଦେଢଶୂରଙ୍କୁ ଜଣାଇଥିବା କହିଛନ୍ତି ବୋହୁ ଉପାସନା।

ବଞ୍ଚିଥିଲା ବେଳେ ଅଜଣା ଥିଲେ, ହେଲେ ମୃତ୍ୟୁପରେ ସତ୍ୟନଗର ଶ୍ମଶାନରେ ଶବଦାହ ବିବାଦକୁ ନେଇ ଚର୍ଚ୍ଚାକୁ ଆସିଲେ ଅଶ୍ରୁକଣା ପ୍ରଧାନ। ତାଙ୍କ ସ୍ବାମୀ ତଥା ବ୍ରହ୍ମଗିଗିର ପୂର୍ବତନ ବିଧାୟକ ଅଜୟ ଜେନାଙ୍କର ବର୍ଷକ ତଳେ ପରଲୋକ ଘଟିଥିବାବେଳେ ୭ବର୍ଷ ତଳୁ ଆରପାରିକୁ ଚାଲି ଯାଇଛନ୍ତି ଏକମାତ୍ର ପୁଅ ଅମୃତ ଜେନା। ତେବେ ସଂପତ୍ତି ବିବାଦ ହେଉ କି ପାରିବାରିବକ ବିଭେଦ, ମଲା ପରେ ବି ଜୁଇ ମଝିରୁ ତାଙ୍କ ଦରପୋଡ଼ା ମୃତଦେହକୁ କଢ଼ା ଯାଇ ବ୍ୟବଚ୍ଛେଦ ପାଇଁ ପଠାଯିବା, ସଭ୍ୟ ସମାଜକୁ ବ୍ୟଥିତ କରିଛି ।

Bhubaneswar Cremation
Advertisment
Advertisment