• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କଳା, ସଂସ୍କୃତି, ସାହିତ୍ୟ ଓ କୃଷି ଏସବୁ କ୍ଷେତ୍ର ଲାଗି ଏ ବର୍ଷ ୪ ଓଡ଼ିଆଙ୍କୁ ସମ୍ମାନଜନକ ପଦ୍ମ ପୁରସ୍କାର । ଓଡ଼ିଶାର ସମ୍ବଲପୁର ରୁ ସୃଷ୍ଟି ହୋଇ ଦେଶ ଓ ବିଦେଶରେ ଆଜି ବି ଲୋକପ୍ରିୟତା ସାଉଁଟୁଥିବା ସେହି କାଳଜୟୀ ସଙ୍ଗୀତ ରଙ୍ଗବତୀ ପାଇଁ ଚଳିତ ବର୍ଷ ପଦ୍ମ ସମ୍ମାନ ପାଇଛନ୍ତି ଗାୟିକା କ୍ରୀଷ୍ଣା ପଟେଲ । ପୂର୍ବରୁ ଏହି ସମାନ ଗୀତ ପାଇଁ ଗାୟକ ଜିତେନ୍ଦ୍ରୀୟ ହରିପାଲ ଓ ଗୀତିକାର ମିତ୍ରଭାନୁ ଗୌନ୍ତିଆ ମଧ୍ୟ ପଦ୍ମ ସମ୍ମାନରେ ସମ୍ମାନୀତ ହୋଇଥିଲେ । ପ୍ରାୟ ୫୦୦ରୁ ଅଧିକ ଗୀତ ପାଇଁ କଣ୍ଠ ଦାନ କରିଥିବା କ୍ରୀଷ୍ଣାଙ୍କୁ ୬୫ ବର୍ଷ ବୟସରେ ଏ ସମ୍ମାନଜନକ ପୁରସ୍କାର ମିଳିବାକୁ ଯାଉଛି ।

ଓଡ଼ିଶା ରେ କାଠ କଣ୍ଡେଇ ଭଳି ବିଲୁପ୍ତ ସାଂସ୍କୃତିକ ନୃତ୍ୟକୁ ଆଜି ବି ଜନମାନସରେ ବଞ୍ଚାଇ ରଖିବା ଏବଂ ଏହା ପାଇଁ ଜୀବନ ବ୍ୟାପୀ ସାଧାନା ଲାଗି ଏ ବର୍ଷ ପଦ୍ମ ପୁରସ୍କାର ପାଇବେ କେନ୍ଦୁଝର ର ମାଗୁଣି ଚରଣ କୁଅଁର । ୮୫ ବର୍ଷ ବୟସରେ ଆଜି ବି ଚଳଚଞ୍ଚଳ ମାଗୁଣୀଙ୍କ ହାତ । କାଠି କଣ୍ଡେଇକୁ ନେଇ ୪୫ରୁ ଅଧିକ ବିଷୟବସ୍ତୁ ଉପରେ ଚମତ୍କାର ନୃତ୍ୟ ପରିକଳ୍ପନା କରିପାରୁଥିବା ମାଗୁଣୀ ଏ କଳାକୁ ରାଜ୍ୟର କୋଣ ଅନୁକୋଣରେ ପହାଞ୍ଚାଇ ପାରିଛନ୍ତି । ବିଳମ୍ବରେ ହେଲେ ବି ପଦ୍ମ ଭଳି ସମ୍ମାନଜନ ପୁରସ୍କାର ପାଇ ସେ ବେଶ୍ ଆନନ୍ଦିତ ।

ନିରବଚ୍ଛିନ୍ନ ଉଦ୍ୟମ ଓ ଅବିଶ୍ରାନ୍ତ ପରିଶ୍ରମ କରି ନିଜର ଦେଢ଼ ଏକର ବାଡ଼ିରେ ଅଢେଇ ହଜାରରୁ ଅଧିକ ଔଷଧୀୟ ବୃକ୍ଷ ଉତ୍ତାରିଥିବା କଳାହାଣ୍ଡି ଜିଲ୍ଲା ର ଚର୍ଚ୍ଚିତ ଚେହେରା ପଟ୍ଟାୟତ ସାହୁ । ଜୁନାଗଡ଼ ବ୍ଲକ୍ ନାନ୍ଦୋଲ ଗାଁର ଏହି ବୟୋବୃଦ୍ଧ ବ୍ୟକ୍ତି ଆଜିକୁ ୩୫ ବର୍ଷ ଧରି ଦେଶର ବିଭିନ୍ନ ସ୍ଥାନରୁ ଔଷଧୀୟ ବୃକ୍ଷ ସଂଗ୍ରହ କରି ନିଜ ବାଡ଼ିରେ ଯତ୍ନ ସହକାରେ ଏସବୁକୁ ବଞ୍ଚାଇ ରଖିଛନ୍ତି । ଔଷଧୀୟ ବୃକ୍ଷର ଉପକାରିତା ଓ ଏହାର ବ୍ୟବହାର ଉପରେ ଲୋକଙ୍କୁ ସଚେତନ କରି ଆସୁଛନ୍ତି ପଟାୟତ । ତାଙ୍କର ଏହି ମହତ କାମ ଲାଗି କିଛି ଦିନ ତଳେ ପ୍ରଧାନମନ୍ତ୍ରୀଙ୍କ ମନ କି ବାତ୍ କାର୍ଯ୍ୟକ୍ରମରେ ସ୍ଥାନ ପାଇଥିଲେ ପଟ୍ଟାୟତ ସାହୁ ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଉପରେ ଦୀର୍ଘ ୫ ଦଶନ୍ଧି ଧରି ଲେଖନୀ ଚାଳନା ଓ ଗବେଷଣା କରି ଆସୁଥିବା ରାଜ୍ୟର ଅନ୍ୟତମ ବାଗ୍ମୀ ସାହିତ୍ୟିକ ଓ ଭାଷାବିତ ଢେଙ୍କାନାଳ ର ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ପାଇବେ ସମ୍ମାନଜନକ ପଦ୍ମଶ୍ରୀ । ଜଣେ ସ୍ତମ୍ଭକାର, ଜ୍ୟୋତିର୍ବିଜ୍ଞାନୀ ଏବଂ ଦେଦାନ୍ତ ପ୍ରବକ୍ତା ଭାବେ ମଧ୍ୟ ଅଗାଧ ପାଣ୍ଡିତ୍ୟ ରଖିଥିବା ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ୩୭ଟି ପୁସ୍ତକର ରଚୟିତା । ତାଙ୍କ ଲିଖିତ ଅନେକ ବିଷୟବସ୍ତୁ ପିଲାଙ୍କ ପାଠ୍ୟପୁସ୍ତକରେ ସ୍ଥାନ ପାଇଛି । ଶ୍ରୀଜଗନ୍ନାଥଙ୍କ ଉପରେ ସହଜ, ସରଳ ଓ ବୋଧଗମ୍ୟ ରଚନା ପାଇଁ ସେ ଦେଶ ବିଦେଶରେ ପରିଚିତ ।

ଚଳିତ ବର୍ଷ ମୋଟ ୧୦୬ ଜଣଙ୍କ ନାଁରେ ପଦ୍ମ ପୁରସ୍କାର ଘୋଷଣା ହୋଇଛି । ତା ଭିତରୁ ୬ ଜଣ ପଦ୍ମ ବିଭୂଷଣ, ୯ ଜଣ ପଦ୍ମ ଭୂଷଣ ଓ ୯୧ ଜଣ ପଦ୍ମଶ୍ରୀ ସମ୍ମାନ ପାଇବେ ।