Chhatishgarh Encounter: ଛତିଶଗଡ ଏନକାଉଣ୍ଟର ବଡ଼ ସଫଳତା, ବର୍ଷକରେ ନକ୍ସଲମୁକ୍ତ ହେବ ଭାରତ: ଅମିତ ଶାହ

ଛତିଶଗଡ଼ ନକ୍ସଲ ଏନକାଉଣ୍ଟରକୁ ବଡ଼ ସଫଳତା କହିଲେ ଅମିତ ଶାହ । ୨୦୨୬ ମାର୍ଚ୍ଚ ସୁଦ୍ଧା ନକ୍ସଲମୁକ୍ତ ଭାରତ ପାଇଁ ନେଇଥିବା ସଂକଳ୍ପକୁ ଦୋହରାଇଲେ ।

ଛତିଶଗଡ ମାଓ ଅପରେସନରେ ଅମିତ ଶାହଙ୍କ ପ୍ରତିକ୍ରିୟା

ଛତିଶଗଡ ଏନକାଉଣ୍ଟରକୁ ବଡ ସଫଳତା କହିଲେ ଗୃହମନ୍ତ୍ରୀ ଅମିତ ଶାହ । ନକ୍ସଲମୁକ୍ତ ଭାରତ ଗଠନରେ ଯବାନକୁ ବଡ ସଫଳତା ମିଳିଛି । ୨୦୨୬ ମାର୍ଚ୍ଚ ୩୧ ପୂର୍ବରୁ ଭାରତ ନକ୍ସଲମୁକ୍ତ ହେବ । ଦେଶରୁ ନିଶ୍ଚିତ ଭାବେ ନକ୍ସଲବାଦର ମୂଳୋତ୍ପାଟନ କରିବୁ ବୋଲି କହିଛନ୍ତି ଶାହ । ଏଥିସହ ମାଓ ଅପରେସନରେ ସହିଦ୍ ଦୁଇ ଯବାନଙ୍କ ପରିବାର ପ୍ରତି ସେ ଗଭୀର ସମବେଦନା ଜଣାଇଛନ୍ତି ।

ଛତିଶଗଡରେ ବଡ ଧରଣର ମାଓ ଅପରେସନ ପରେ ଅମିତ୍ ଶାହ ଟ୍ୱିଟ୍ କରିଛନ୍ତି, ନକ୍ସଲମୁକ୍ତ ଭାରତ ଦିଗରେ ଏହା ଏକ ବଡ ସଫଳତା । ଏହି ଅପରେସନରେ ୩୧ ନକ୍ସଲଙ୍କ ମୃତ୍ୟୁ ଘଟିଛି । ବିପୁଳ ପରିମାଣର ବିସ୍ଫୋରକ ମିଳିଛି ।  ମାନବତା ବିରୋଧୀ ନକ୍ସଲ ଲଢ଼େଇରେ ଆମେ ୨ ଯବାନଙ୍କୁ ହରାଇଛୁ । ଦେଶ ଏହି ବୀରମାନଙ୍କ ପ୍ରତି ସର୍ବଦା ଋଣୀ ରହିବ । ସହିଦ ଯବାନଙ୍କ ପରିବାରକୁ ମୁଁ ସମବେଦନା ଜଣାଉଛି । ୨୦୨୬ ମାର୍ଚ୍ଚ ୩୧ ପୂର୍ବରୁ ନିଶ୍ଚିତରେ ଦେଶକୁ ନକ୍ସଲମୁକ୍ତ କରିବୁ । ଯାହାଦ୍ୱାରା ଦେଶର କୌଣସି ନାଗରିକଙ୍କୁ ନକ୍ସଲବାଦ ଯୋଗୁଁ କେବି ବି ଜୀବନ ହରାଇବାକୁ ପଡିବନି ବୋଲି କହିଛନ୍ତି ଅମିତ ଶାହ ।

ଅଧିକ ପଢ଼ନ୍ତୁ: ଛତିଶଗଡରେ ବଡ଼ ଏନକାଉଣ୍ଟର, ୩୧ ମାଓବାଦୀ ସଫା, ୨ ଯବାନ ସହିଦ

ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ମଧ୍ୟ ଏହି ସଫଳ ମାଓ ଅପରେସନ ପାଇଁ ଯବାନଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି ଏବଂ ସହିଦ୍ ଯବାନଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ସେ କହିଛନ୍ତି, ଆମର ଡବଲ ଇଞ୍ଜିନ ସରକାର ଗତ ୧୩ ମାସରେ ରାଜ୍ୟରେ ୨୮୨ ନକ୍ସଲଙ୍କୁ ମାରି ସାରିଲାଣି । ୧୦୩୩ ନକ୍ସଲ ଗିରଫ ହୋଇଛନ୍ତି ଏବଂ ୯୨୫ ଜଣ ଆତ୍ମସମର୍ପଣ କରିଛନ୍ତି । ପିଏମ୍ ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ନେତୃତ୍ୱରେ ଆମ ରାଜ୍ୟ ନିଶ୍ଚୟ ନକ୍ସଲମୁକ୍ତ ହେବ ।  

ଅଧିକ ପଢ଼ନ୍ତୁ: ମାଓବାଦୀଙ୍କ ଲଙ୍କାକାଣ୍ଡ; ସରପଞ୍ଚ ପ୍ରାର୍ଥୀଙ୍କୁ ହାଣି ଫିଙ୍ଗି ଦେଲେ


ଆଜି ସକାଳେ ଛତିଶଗଡ଼ ବିଜାପୁର ନ୍ୟାସନାଲ ପାର୍କ ଅଞ୍ଚଳରେ ଏନ୍‌କାଉଣ୍ଟର୍ ହୋଇଥିଲା ।  ଏଥିରେ ୩୧ ମାଓବାଦୀ ନିପାତ ହୋଇଛନ୍ତି । ଆହୁରି ମାଓବାଦୀ ଲୁଚିଥିବା ସନ୍ଦେହ କରାଯାଉଥିବାରୁ ସର୍ଚ୍ଚ ଅପରେସନ୍ ଜାରି ରହିଛି ।  ଏନକାଉଣ୍ଟରରେ ୪ ଜଣ ଯବାନ ଗୁରୁତର ଆହତ ହୋଇଥିଲେ । ସମସ୍ତଙ୍କୁ ହସ୍ପିଟାଲ ନିଆଯାଇ ଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ୨ ଜଣ ଯବାନ ସହିଦ୍ ହୋଇଯାଇଥିଲେ । ଅନ୍ୟ ୨ ଯବାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ।