• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tapan Kumar Swain

ବାଜା ବଜାଇ ରୋଷଣୀରେ ଆସିଲା ବର । ବରଯାତ୍ରୀଙ୍କ ନାଚଗୀତ ଭିତରେ ପହଞ୍ଚିଲା ବିବାହ ମଣ୍ଡପରେ । ବର ଯାଇ ବସିଲା । ବରଯାତ୍ରୀ ଭୋଜି ଖାଉଥିଲେ । କିନ୍ତୁ ଅଧାରେ ସରିଗଲା ଭୋଜି । ସେତେବେଳକୁ କିଛି ବରଯାତ୍ରୀ ଖାଇବା ପ୍ଲେଟ ବି ଧରିନଥିଲେ । ଖାଇବା ସରିଗଲା ପରେ ଆରମ୍ଭ ହୋଇଗଲା ପାଟିତୁଣ୍ଡ। ବର ଘର ଓ କନ୍ୟା ଘର ଲୋକଙ୍କ ମଧ୍ୟରେ ବଚସା ହେଲା । ପରିସ୍ଥିତି ଏମିତି ହେଲା ଯେ, ବର ଘର ଲୋକ ଘରକୁ ଫେରିଗଲେ । ବର ବି ସେମାନଙ୍କ ସହ ଘରକୁ ଫେରିଗଲା । ବାହାଘର ବନ୍ଦ ହୋଇଗଲା । କନ୍ୟା ପକ୍ଷର କିଛି ଲୋକ ବି କାନ୍ଦିବା ଆରମ୍ଭ କରିଦେଲେ । କେବଳ ଖାଇବା ସରିଗଲା ବୋଲି ଭାଙ୍ଗିଗଲା ବାହାଘର । ହସଖୁସି ଭିତରେ ଖେଳିଗଲା ନିରାଶା । 

କନ୍ୟା କିନ୍ତୁ ଚାହୁଁନଥିଲା ବାହାଘର ଭାଙ୍ଗିଯାଉ ବୋଲି । ସେ ସାହସ ସଞ୍ଚୟ କରି ପୋଲିସକୁ ୧୦୦ ନମ୍ୱରରେ ଡାଏଲ୍ କଲା । ସବୁ କଥା ପୋଲିସକୁ କହିଲା । ପୋଲିସକୁ ବି ଅନୁରୋଧ କଲା, କୌଣସି ପ୍ରକାରେ ଏ ବାହାଘର କରେଇଦିଅ । ବାଷ୍ପରୁଦ୍ଧ କଣ୍ଠରେ କନ୍ୟାର ଏଇ କଥାରେ ପ୍ରଭାବିତ ହୋଇଥିଲା ପୋଲିସ୍ । ବର ଘରେ ଯାଇ ପହଞ୍ଚିବା ପରେ ବରଘରେ ପହଞ୍ଚିଗଲା ପୋଲିସ୍ । ସିଧା ବରକୁ ପୋଲିସ୍ ଭ୍ୟାନରେ ନେଇ ଆସିଲା ଥାନାକୁ । ବରକୁ କାଉନସେଲିଂ କରାଗଲା । କିଛି ସମୟ ପରେ ବର ବୁଝିଗଲା ଓ ବାହା ହେବାକୁ ରାଜି ହେଲା । ସେତେବେଳକୁ କନ୍ୟା ଆସି ଥାନାରେ ପହଞ୍ଚି ସାରିଥିଲା । ଉଭୟ ବିବାହ ପାଇଁ ରାଜିଥିବା ପୋଲିସକୁ କହିଲେ । କିନ୍ତୁ ବାହାଘର ଥାନାରେ ହେବ ବୋଲି ସର୍ତ୍ତ ରଖିଲେ ।

ଅଧିକ ପଢ଼ନ୍ତୁ : କ୍ଲାସରୁମରେ ବରଣମାଳା ପକାଇ ଛାତ୍ରଙ୍କୁ ବିବାହ କଲେ ପ୍ରଫେସର, ଭିଡିଓ ଭାଇରାଲ୍ 

ଏହା ପରେ ପୋଲିସ କର୍ମଚାରୀ ଫୁଲମାଳ କିଣିଲେ । ବ୍ରାହ୍ଣଣ ଡାକିଲେ । ମନ୍ତ୍ର ପଢାହେଲା । ଥାନାରେ ହେଲା ବାହାଘର । ବର ଓ କନ୍ୟା ପରସ୍ପରକୁ ବରଣମାଳା ପିନ୍ଧାଇଲେ । ରୀତିନୀତି ଅନୁସାରେ ହେଲା ବାହାଘର । ଥାନା ଅଧିକାରୀ ଓ ଅନ୍ୟ ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ ବିବାହ ଅନୁଷ୍ଠିତ ହେଲା । ବାହାଘର ପରେ ପୋଲିସ୍ ବରକନ୍ୟାଙ୍କୁ ନେଇ ବରଘରେ ଛାଡିଲା । ବର ଘର ଲୋକ ଓ ଗାଁ ଲୋକଙ୍କୁ ପୋଲିସ ବୁଝାଇଲା ଯେ, ପୂର୍ବରୁ ଯାହା ଘଟିଛି ସବୁ ଭୁଲିଯାଅ । ସମସ୍ତେ ବରକନ୍ୟାଙ୍କୁ ଆଶୀର୍ବାଦ କର । ସେମାନେ ସେମାନଙ୍କ ସଂସାର ଗଢନ୍ତୁ । କାହା ମନରେ କିଛି ଅସୂୟାଭାବ ନରହୁ । ଗାଁ ଲୋକ ରାଜି ହେଲେ । ନୂଆ ବୋହୂକୁ ସ୍ୱାଗତ କଲେ । ଭାଙ୍ଗି ଯାଇଥିବା ବାହାଘର ପୋଲିସ ହସ୍ତକ୍ଷେପ ପରେ ପୁଣି ହୋଇଥିବାରୁ ସବୁଠି ପୋଲିସକୁ ମିଳୁଛି ପ୍ରଶଂସା । ଏହି ଘଟଣା ଗୁଜରାଟର ସୁରଟରେ ଗତ ରବିବାର ଦିନ ଘଟିଛି ।

ଅଧିକ ପଢ଼ନ୍ତୁ : ବିବାହର ବର୍ଷକ ମଧ୍ୟରେ ହୋଇପାରିବନି ବିଚ୍ଛେଦ, ରାୟ ଦେଲେ ହାଇକୋର୍ଟ

OTV is now on Whatsapp

Join and get latest news update delivered to you via whatsapp

Join Now