• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tapan Kumar Swain

କେଉଁଠି ପିଆଜ ଦର ବଢ଼ିଲେ ଅସନ୍ତୋଷ ତ ପୁଣି କେଉଁଠି ପିଆଜ ଦର କମିଲେ ଅସନ୍ତୋଷ । ଦର ବଢ଼ିଲେ ଖାଉଟିଙ୍କ ହୋହାଲ୍ଲା, ଦର କମିଲେ ଚାଷୀଙ୍କ ହୋହାଲ୍ଲା । ଏବେ ପିଆଜ ଦର କମିଯିବାରୁ ଜଣେ ମନ୍ତ୍ରୀଙ୍କୁ ହଟହଟ୍ଟା ହେବାକୁ ପଡିଛି । ମଞ୍ଚ ଉପରେ ଭରାସଭାରେ ଉତକ୍ଷିପ୍ତ ଚାଷୀ ମନ୍ତ୍ରୀଙ୍କ ବେକରେ ପକାଇଛନ୍ତି ପିଆଜ ମାଳ । ମହାରାଷ୍ଟ୍ରରେ ମନ୍ତ୍ରୀ ନିତେଶ ରାଣେଙ୍କୁ ଚାଷୀ ପିନ୍ଧାଇଛନ୍ତି ପିଆଜ ମାଳ । ହଠାତ୍ ପିଆଜ ଦର କମିଯିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷର ଏହା ପ୍ରତିଫଳନ ବୋଲି ସାରା ମହାରାଷ୍ଟ୍ରରେ ଚର୍ଚ୍ଚା ।

ମହାରାଷ୍ଟ୍ରର ମତ୍ସ୍ୟ ସଂପଦ ମନ୍ତ୍ରୀଙ୍କୁ ପିଆଜ ଦର କମିଥିବା କାରଣରୁ ଅପ୍ରୀତିକର ପରିସ୍ଥିତିର ସାମନା କରିବାକୁ ପଡିଛି । ମହାରାଷ୍ଟ୍ରର ଚିରାଇ ଗାଁରେ ଏକ ଧାର୍ମିକ ଉତ୍ସବରେ ଯୋଗଦେବାକୁ ମନ୍ତ୍ରୀ ଯାଇଥିବା ବେଳେ ଏହି ଘଟଣା ଘଟିଛି । ସନ୍ଥ ନିଭୃତିନାଥଙ୍କ ପାଦୁକା ଦର୍ଶନ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିଲେ ମନ୍ତ୍ରୀ । ହଠାତ୍ ପିଆଜ ଚାଷୀଜଣକ ମଞ୍ଚ ଉପରକୁ ଯାଇ ମନ୍ତ୍ରୀଙ୍କୁ ଫୁଲମାଳ ପିନ୍ଧାଇବା ବାହାନାରେ ପିଆଜ ମାଳ ପିନ୍ଧାଇ ଦେଇଥିଲେ । ଏହା ପରେ ଚାଷୀଜଣକ ମାଇକ୍ ପାଖକୁ ଯାଇ କିଛି କହିବାକୁ ଚାହୁଁଥିଲେ, ତାଙ୍କୁ ଅଟକାଇଥିଲା ପୋଲିସ୍ । ଏହି ଚାଷୀଙ୍କୁ ପୋଲିସ୍ ଅଟକ ରଖିଛି ।

ଅଧିକ ପଢନ୍ତୁ: ଦାଉ ସାଧିଲା ଅଦିନିଆ ବର୍ଷା, ଉଜୁଡ଼ା ଫସଲ ଦେଖି ଅଧା ଓଡ଼ିଶାର ଚାଷୀ ଆଖିରେ ଲୁହ

ମହାରାଷ୍ଟ୍ରରେ ପିଆଜ ଦର କମିଯାଇଛି । ଗତ ୧୦ ଦିନ ଭିତରେ ପିଆଜ ଦର କ୍ୱିଣ୍ଟାଲ ପିଛା ୨ ହଜାର ଟଙ୍କା କମିଛି । ଏହି କାରଣରୁ ଚାଷୀମାନେ ହତାଶ ହୋଇପଡିଛନ୍ତି । ଚାଷୀଙ୍କ ଅଭିଯୋଗ, ପିଆଜ ଉପରେ ୨୦ ପ୍ରତିଶତ ରପ୍ତାନି ଟିକସ ଲାଗୁ ହୋଇଥିବାରୁ ଦରରେ ସ୍ଥିରତା ଆସିପାରୁନାହିଁ । ପିଆଜ ଦର କମୁଥିବାରୁ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଗତ ଗୁରୁବାର ଦିନ ଏହା ଉପରୁ ରପ୍ତାନି ଟିକସ ହଟାଇବାକୁ କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ସରକାର ନିକଟରେ ଦାବି କରିଥିଲେ । କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଏକ ଚିଠି ଲେଖି ଅଜିତ ଦାବି କରିଛନ୍ତି ଯେ, ଅଧିକ ପିଆଜ ଉତ୍ପାଦିତ ହେଉଥିବା ନାସିକ ଜିଲ୍ଲାରେ ଚାଷୀମାନଙ୍କ ଅବସ୍ଥା ଖରାପ ହେବାକୁ ଯାଉଛି । ବଜାରକୁ ନୂଆ ପିଆଜ ଆସିଗଲାଣି । ଏ ବର୍ଷ ଭଲ ଅମଳ ବି ହୋଇଛି । ତେଣୁ ଚାଷୀମାନେ କମ୍ ଦରରେ ପିଆଜ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ।

ଏବେ ପିଆଜ ଦର କ୍ୱିଣ୍ଟାଲ ପିଛା ୨୪୦୦ ଟଙ୍କା ଥିବାର ସେ ଦର୍ଶାଇଥିଲେ । ଭଲ ଅମଳ ହୋଇଥିବାରୁ ପିଆଜର ଅଭାବୀ ବିକ୍ରି ଆରମ୍ଭ ହୋଇଗଲାଣି । ଚାଷୀମାନେ ସର୍ବନିମ୍ନ ସହାୟକ ମୂଲ୍ୟ ମଧ୍ୟ ପାଇ ପାରୁନାହାନ୍ତି । ଅଦିନିଆ ବର୍ଷାରେ ବି ଚାଷୀମାନେ କ୍ଷତି ସହିଛନ୍ତି । ନାଗପୁରରେ ଅନୁଷ୍ଠିତ ବିଧାନସଭା ଅଧିବେଶନରେ ମଧ୍ୟ ଅଜିତ ଚାଷୀଙ୍କ ସମସ୍ୟା କଥା ଉଠାଇଥିଲେ । ପିଆଜ ଉପରେ ଲାଗୁ କରାଯାଇଥିବା ରପ୍ତାନି ଟିକସ ମହାରାଷ୍ଟ୍ରରେ ଏବେ ଏକ ରାଜନୈତିକ ପ୍ରସଙ୍ଗ ହେବାକୁ ଯାଇଛି । 

ଅଧିକ ପଢନ୍ତୁ: ଧାନ ମଣ୍ଡିରେ ରାଜା....ଜମୁଛି ପ୍ୟାକ୍ସ ପଲିଟିକ୍ସ...

OTV is now on Whatsapp

Join and get latest news update delivered to you via whatsapp

Join Now