ଏମିତି ବି ମୃତ୍ୟୁ ଆସେ । ସାଙ୍ଗସାଥୀଙ୍କ ସହ ଖୁସି ମିଜାଜରେ ଥିଲା ବେଳେ ଜଣେ ଛାତ୍ରଙ୍କୁ ମୃତ୍ୟୁ ଡାକିନେଲା । ଏମିତି ଏକ ଘଟଣା ଘଟିଛି ସିକନ୍ଦରାବାଦରେ । ଏହି ଘଟଣାକୁ ନେଇ ସ୍ତବ୍ଧ ହୋଇଯାଇଛନ୍ତି ସ୍କୁଲ ଓ ମୃତକଙ୍କ ସାଙ୍ଗସାଥୀ । ତେଲଙ୍ଗାନା ସିକନ୍ଦରାବାଦର ଏକ ନାମକରା ସ୍କୁଲରେ ଷଷ୍ଠ ଶ୍ରେଣୀରେ ପଢୁଥିଲେ ବିରେନ୍ ଜୈନ ନାମକ ଜଣେ ଛାତ୍ର । ତାଙ୍କ ବୟସ ୧୧ ବର୍ଷ । ଗତ ସୋମବାର ଦିନ ବିରେନ୍ ସବୁ ଦିନ ପରି କ୍ଲାସରେ ପାଠ ପଢିଲେ । ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ହୋମୱାର୍କ ବି ଦେଖାଇଲେ । ବିଭିନ୍ନ ପ୍ରଶ୍ନର ଉତ୍ତର ବି ଦେଲେ । ଖେଳଛୁଟି ହେଲା । ମଧ୍ୟାହ୍ନ ବିରତିରେ ଛାତ୍ରଛାତ୍ରୀମାନେ ଘରୁ ଆଣିଥିବା ଟିଫିନବକ୍ସ ଧରି ଖାଇବାକୁ ଗଲେ । ବିରେନ ବି ଆଣିଥିବା ଟିଫିନ୍ ବକ୍ସ ଧରି ଖାଇବାକୁ ଗଲେ । ଟିଫିନରେ ପୁରି ଥିଲା । ଖୁସିରେ ଏକାଥରକେ ୩ଟି ପୁରି ପାଟିରେ ପୂରାଇବାକୁ ଚେଷ୍ଟା କଲେ ବିରେନ୍ । ଅନ୍ୟ ସାଙ୍ଗମାନେ ବି ପାଖରେ ଥିଲେ । ହେଲେ ତାଙ୍କ ତଣ୍ଟିରେ ଲାଗିଥିଲା ପୁରି । ସେଇଠି ସେ ତଳେ ପଡିଯାଇଥିଲେ ।
ଡାକ୍ତରଖାନାରେ ମୃତ ଘୋଷଣା
Also Read
ତାଙ୍କୁ ତୁରନ୍ତ ନିକଟସ୍ଥ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ଦେଖି ପ୍ରାଥମିକ ଚିକିତ୍ସା କରି ସିକନ୍ଦରାବାଦର ଏକ ବଡ ଘରୋଇ ହସ୍ପିଟାଲକୁ ରେଫର୍ କରିଥିଲେ । ଏହି ବଡ ହସ୍ପିଟାଲରେ ପହଞ୍ଚିଲା ବେଳକୁ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସ୍କୁଲ ତରଫରୁ ବିରେନଙ୍କ ବାପା ଗୌତମଙ୍କୁ ଫୋନ୍ କରାଯାଇଥିଲା । ସେ ଆସି ପହଞ୍ଚିଥିଲେ । କିନ୍ତୁ ସେତେବେଳକୁ ତାଙ୍କ ପୁଅ ଆଉ ଜୀବିତ ନଥିଲା । ତାଙ୍କ ପରିବାର ଲୋକ ଓ ବନ୍ଧୁବାନ୍ଧବମାନେ ଆସି ମେଡିକାଲରେ ପହଞ୍ଚିଥିଲେ । ଏହି ଘଟଣାରେ ସମସ୍ତେ ମର୍ମାହତ ହୋଇପଡିଛନ୍ତି ।
ଅଧିକ ପଢନ୍ତୁ: ପୁଣି ବାତ୍ୟା!! ବଙ୍ଗୋପସାଗରରେ ଆଗକୁ ବଢୁଛି ଗଭୀର ଅବପାତ
ଥାନାରେ ବାପା ଦେଲେ ଏତଲା
ସ୍କୁଲ ତରଫରୁ ଗୌତମଙ୍କୁ କୁହାଯାଇଛି ଯେ, ଅଧିକ ପୁରି ଏକସଙ୍ଗେ ଖାଇବାରୁ ପୁଅର ଶ୍ୱାସରୁଦ୍ଧ ହୋଇଯାଇଥିଲା । ଗୌତମ ଏହି କଥାକୁ ସ୍ୱୀକାର କରିଛନ୍ତି । କିନ୍ତୁ ପ୍ରକୃତ ସତ୍ୟ କଣ, ସେ ନେଇ ତଦନ୍ତ କରାଯିବାକୁ ସେ ଥାନାରେ ଏତଲା ଦେଇଛନ୍ତି । ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି । ତଦନ୍ତରୁ ଜଣାପଡିବ, କେଉଁ କାରଣ ପାଇଁ ମୃତ୍ୟୁ ହେଲା ବିରେନଙ୍କର । ସେ ଅନ୍ୟ କେଉଁ ରୋଗରେ ପୀଡିତ ନା ପୁରି ଖାଇବା ହିଁ କାରଣ । ତା ସହ ତଦନ୍ତ ହେବ କେମିତି ତଳକୁ ପଡିଥିଲେ ବିରେନ୍ । ସେ ସମୟରେ ସେଠାରେ କେଉଁମାନେ ଥିଲେ । କେମିତି ହୋଇଥିଲା ଡାକ୍ତରଖାନାକୁ ନେବାର ବ୍ୟବସ୍ଥା ।
ଜଣେ ପିଲା ପାଇଁ ସ୍କୁଲରେ ପାଠପଢା ଯେତିକି ଜରୁରୀ, ତାର ଆଚାର ବ୍ୟବହାର ଓ ଚାଲିଚଳଣରେ ମଧ୍ୟ ସଂଯମତା ସେତିକି ଜରୁରୀ । ଏହା ଉଭୟ ପରିବାର ଓ ସ୍କୁଲରୁ ଜଣେ ପିଲା ଶିକ୍ଷାଲାଭ କରିଥାଏ । ଗୋଟିଏ ମାଟିପିଣ୍ଡୁଳା ଭାବି ପିଲାଙ୍କୁ ଗଢିବା ଉଚିତ ବୋଲି କହିଛନ୍ତି ଜଣେ ମନୋବିଜ୍ଞାନୀ ।