ପିଲାଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଆସିଥିଲା ଅଣ୍ଡା । କିନ୍ତୁ ଏହି ଅଣ୍ଡାକୁ ଚୋରି କରୁଥିଲେ ସ୍କୁଲର ପ୍ରିନ୍ସପାଲ୍ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବିହାରର ହାଜିପୁର ଜିଲ୍ଲାର ଲାଲଗଞ୍ଜ ବ୍ଲକ ଅନ୍ତର୍ଗତ ରିଖରର ଏକ ସରକାରୀ ବିଦ୍ୟାଳୟରେ । ଏହି ସ୍କୁଲର ପ୍ରିନ୍ସପାଲ୍ ମଧ୍ୟାହ୍ନ ଭୋଜନରୁ ଅଣ୍ଡା ଚୋରି କରି ଧରାପଡିଛନ୍ତି । ତେବେ ଏହି ଅଣ୍ଡା ଚୋରି କରୁଥିବା ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି କି ସରକାରୀ ସ୍କୁଲର ପ୍ରିନ୍ସପାଲ୍ ସୁରେଶ ସାହାଣୀଙ୍କ ପିଲାମାନଙ୍କୁ ବଣ୍ଟନ ହେବାକୁ ଥିବା ଅଣ୍ଡାକୁ ଏକ ବ୍ୟାଗରେ ଭର୍ତ୍ତି କରି ନେଇ ଯାଉଛନ୍ତି ।
Also Read
ଅଧିକ ପଢ଼ନ୍ତୁ: ଧାରା ୩୭୦ ଉଚ୍ଛେଦ ପରେ ଘାଟିରେ ସୁଧୁରିଛି ସ୍ଥିତି; ଗ୍ରାଉଣ୍ଡ ରିଅଲିଟି ଚେକ୍ କଲା OTV...
ଏହି ଭିଡିଓଟି ଡିସେମ୍ବର ୧୨ର ବୋଲି କୁହାଯାଉଛି । ଯେଉଁଥିରେ ବିଦ୍ୟାଳୟର ପ୍ରିନ୍ସପାଲ୍ ପିଲାମାନଙ୍କ ପାଇଁ ଆଣିଥିବା ଅଣ୍ଡାକୁ ତାଙ୍କ ବ୍ୟାଗରେ ରଖି ଘରକୁ ନେଉଥିବାର ନଜର ଆସିଛନ୍ତି । ଭିଡିଓ ଭାଇରାଲ ହେବା ପରେ ଶିକ୍ଷା ବିଭାଗ ପକ୍ଷରୁ ଏକ ତଦନ୍ତ କରାଯାଇଥିଲା । ଯେଉଁଥିରେ ଅଣ୍ଡା ଚୋରି ଅଭିଯୋଗ ସତ୍ୟ ବୋଲି ଜଣାପଡ଼ିଛି ।
ତଦନ୍ତ ପରେ ଶିକ୍ଷା ବିଭାଗ ଅଭିଯୁକ୍ତ ପ୍ରିନ୍ସପାଲ୍ଙ୍କ ବିରୋଧରେ ଏକ ଚିଠି ଜାରି କରି ବିଭାଗ ତଥା ସରକାରଙ୍କ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରୁଥିବା ଅଭିଯୋଗ କରିଛି । ଏହି ମାମଲାରେ FIR ଦାୟର କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଭିଡିଓ ଭାଇରାଲ ହେବା ପରେ ଜିଲ୍ଲା ଶିକ୍ଷା ଅଧିକାରୀ ଏହି ପ୍ରସଙ୍ଗରେ ଅଣ୍ଡା ଚୋର ହେଡ୍ ମାଷ୍ଟରଙ୍କଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି । ସେପଟେ ଏହି ଭିଡିଓ ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଭିଭାବକମାନେ ବିଦ୍ୟାଳୟରେ ହୋହଲ୍ଲା କରିଥିଲେ ଏବଂ ଏହି ମାମଲାକୁ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟକୁ ନେଇଥିଲେ । ସୂଚନା ଅନୁସାରେ ମଧ୍ୟାହ୍ନ ଭୋଜନ ଯୋଜନା ଅଧୀନରେ ପିଲାମାନଙ୍କୁ ପୁଷ୍ଟିକର ଏବଂ ପ୍ରୋଟିନ୍ ପାଇଁ ଅଣ୍ଡା ଦିଆଯାଇଥାଏ ।
ତେବେ ଅଣ୍ଡା ଚୋରିକୁ ନେଇ ପ୍ରିନ୍ସପାଲ୍ ସୁରେଶ ସାହଣୀ ଏହି ଅଭିଯୋଗକୁ ଅସ୍ୱୀକାର କରି କହିଛନ୍ତି ଯେ ସେ ଅଣ୍ଡାକୁ ନିଜ ପାଖରେ ରଖି ନାହାଁନ୍ତି ବରଂ ରୋଷେୟାକୁ ଦେଇଛନ୍ତି । ସେପଟେ ଅଣ୍ଡା ଅଫିସରେ ରଖାଯାଇଛି ବୋଲି ରୋଷେୟା ସ୍ପଷ୍ଟ କରିଛନ୍ତି । ଅନ୍ୟପକ୍ଷରେ ଶିକ୍ଷା ବିଭାଗ ବର୍ତ୍ତମାନ ଏହି ପ୍ରସଙ୍ଗରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଛି।