୨୦୨୨ର ଅଭୁଲା ଅଧ୍ୟାୟ: କେବେ ଖୁସି ଆଣିଛି ତ ଆଉ କେବେ ଦୁଃଖ...

ବର୍ଷ ୨୦୨୨ରେ ରାଜ୍ୟ, ଦେଶ ଓ ଦୁନିଆରେ ଏମିତି ଅନେକ ଘଟଣା ଘଟିଛି ଯାହା ଅଭୁଲା ହୋଇ ରହିବ। ଏହି ବର୍ଷରେ କିଛି ଭଲ ଘଟଣା ଘଟିଥିବା ବେଳେ ଆଉ କିଛି ଏମିତି ଘଟଣା ଘଟିଛି ଯାହା ଦେଶରେ ହଇଚଇ ସୃଷ୍ଟି କରିଛି। ଜାତୀୟ ସ୍ତରରେ ମଧ୍ୟ ଏମିତି ଅନେକ ଘଟଣା ଘଟିଛି ଯାହା ୨୦୨୨ରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିଲା।

2022 Flash Back

ବର୍ଷ ୨୦୨୨ରେ ରାଜ୍ୟ, ଦେଶ ଓ ଦୁନିଆରେ ଏମିତି ଅନେକ ଘଟଣା ଘଟିଛି ଯାହା ଅଭୁଲା ହୋଇ ରହିବ। ଏହି ବର୍ଷରେ କିଛି ଭଲ ଘଟଣା ଘଟିଥିବା ବେଳେ ଆଉ କିଛି ଏମିତି ଘଟଣା ଘଟିଛି ଯାହା ଦେଶରେ ହଇଚଇ ସୃଷ୍ଟି କରିଛି। ଜାତୀୟ ସ୍ତରରେ ମଧ୍ୟ ଏମିତି ଅନେକ ଘଟଣା ଘଟିଛି ଯାହା ୨୦୨୨ରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିଲା। ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଦେଶର ରାଷ୍ଟ୍ରପତି ହେବାଠୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି, ଲିଭ୍‌-ଇନ୍‌ ପାର୍ଟନରଙ୍କୁ ହତ୍ୟା ପରେ ୩୫ ଖଣ୍ଡ କରିବା, ୪୦୦ ଫୁଟ୍ ଗଭୀର ବୋର୍‌ୱେଲ୍‌ରୁ ୮ ବର୍ଷର ବାଳକ ଉଦ୍ଧାର ପରେ ମୃତ ଘୋଷଣା ଇତ୍ୟାଦି ୨୦୨୨ର ଏକ ପ୍ରକାର ଚର୍ଚ୍ଚିତ ଖବର। ଖାଲି ଏତିକି ନୁହେଁ ଏଇ ବର୍ଷରେ ଡିଜିଟାଲ୍‌ କରେନ୍ସିର ଉଦ୍‌ଘାଟନ ହୋଇଥିବା ବେଳେ ଏକ ଗରିମାମୟ ପରିବେଶରେ INS ବିକ୍ରାନ୍ତ(INS Vikrant)କୁ ଭାରତୀୟ ନୌସେନାରେ ସାମିଲ କରାଯାଇଛି। 

ଜାଣନ୍ତୁ, ୨୦୨୨ର ବଡ଼ ଖବର....

ଓଡ଼ିଆ ଝିଅ ହେଲେ ରାଷ୍ଟ୍ରପତି:

(President Draupadi Murmu)

୨୦୨୨ରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ବିଜୟ ମୁକୁଟ ପିନ୍ଧିଥିଲେ। ନିର୍ବାଚନ ଜିତି ସେ ଭାରତର ପଞ୍ଚଦଶ ରାଷ୍ଚ୍ରପତି ହୋଇଛନ୍ତି। ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ, ମିଳିତ ବିପକ୍ଷ ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କୁ ପରାସ୍ତ କରି ଦେଶର ସର୍ବୋଚ୍ଚ ସ୍ଥାନ ଗ୍ରହଣ କରିଛନ୍ତି । ଏହା କେବଳ ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ ନୁହେଁ ବରଂ ସାରା ଭାରତ ବର୍ଷ ପାଇଁ ଏହା ଗର୍ବର ବିଷୟ। ପ୍ରଥମ ଥର ଲାଗି ଜଣେ ଆଦିବାସୀ ମହିଳା ଭାବେ ଦ୍ରୌପଦୀ ମୁର୍ମୁ ଦେଶର ରାଷ୍ଟ୍ରପତି ହୋଇଛନ୍ତି। କ୍ଲାସ୍‌ ମନିଟରରୁ ଦେଶର ସୁପ୍ରିମ କମାଣ୍ଡର୍‌ ହୋଇଥିବା ଦ୍ରୌପଦୀ ମୁର୍ମୁଙ୍କ ଏହି ଯାତ୍ରା ଏତେ ସହଜ ନଥିଲା।ସେ ଜୀବନସାରା ଅନେକ ଦୁଃଖ ଭୋଗିଥିଲେ ମଧ୍ୟ ସେ ସବୁକୁ ସାମ୍ନାକରି ଏଠାରେ ପହଞ୍ଚିଛନ୍ତି। ଦ୍ରୌପଦୀ ମୁର୍ମୁ ୧୯୫୮ ମସିହା ଜୁନ୍ ୨୦ରେ ଓଡିଶାର ମୟୂରଭଞ୍ଜ ଜିଲ୍ଲାର ଏକ ସାନ୍ତାଳୀ ଆଦିବାସୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଦ୍ରୌପଦୀ ମୁର୍ମୁ ଶ୍ୟାମ ଚରଣ ମୁର୍ମୁଙ୍କୁ ବିବାହ କରିଥିଲେ। ତାଙ୍କର ଦୁଇ ପୁଅ ଏବଂ ଗୋଟିଏ ଝିଅ ଜନ୍ମ ନେଇଥିଲେ। ପରେ ତାଙ୍କ ଦୁଇ ପୁଅଙ୍କର ମୃତ୍ୟୁ ହୋଇଥିଲା ଏବଂ ତାଙ୍କ ସ୍ୱାମୀ ମଧ୍ୟ ସବୁଦିନ ପାଇଁ ତାଙ୍କ ହାତ ଛାଡି ଚାଲିଯାଇଥିଲେ। ଏହା ତାଙ୍କ ଜୀବନରେ ସବୁଠାରୁ ଯନ୍ତ୍ରଣାଦାୟକ ପରିସ୍ଥିତି ଥିଲା। ସେ କିନ୍ତୁ ହାର ମାନିନଥିଲେ ଏବଂ ସମାଜ ପାଇଁ କିଛି କରିବା ନେଇ ରାଜନୀତିରେ ପ୍ରବେଶ କରିଥିଲେ।

ସମୁଦ୍ରର ମହାବଳୀ INS ବିକ୍ରାନ୍ତ:

(INS Vikrant)

୨୦୨୨, ସେପ୍ଟେମ୍ବରରେ ଏକ ଗରିମାମୟ ପରିବେଶରେ INS ବିକ୍ରାନ୍ତ(INS Vikrant)କୁ ଭାରତୀୟ ନୌସେନାରେ ସାମିଲ କରାଯାଇଥିଲା। ଏହି ଅବସରରେ କେରଳର କୋଚି ସିପ୍‌ୟାର୍ଡରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ INS ବିକ୍ରାନ୍ତକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମର୍ପିତ କରିଥିଲେ। ବିକ୍ରାନ୍ତ ସାମିଲ ଫଳରେ ଭାରତୀୟ ନୌସେନାର ଶକ୍ତି ଦୃଢ଼ ହେବାସହ ନୌସେନାର ଉଭୟ ଆକ୍ରମଣାତ୍ମକ ଓ ରକ୍ଷାତ୍ମକ କ୍ଷମତା ବୃଦ୍ଧି ହୋଇଛି। ଆଇଏନ୍ଏସ୍ ବିକ୍ରାନ୍ତ ହେଉଛି ସ୍ୱଦେଶୀ ଜ୍ଞାନକୌଶଳରେ ଦେଶରେ ନିର୍ମିତ ସବୁଠୁ ବଡ ଯୁଦ୍ଧ ପୋତ।  INS ବିକ୍ରାନ୍ତର ଓଜନ ୪୫ ହଜାର ଟନ୍‌। ଏହାର ଘଣ୍ଟା ପ୍ରତି ବେଗ ୫୨ କି.ମି.।ଯୁଦ୍ଧ ପୋତରେ ସମସ୍ତ ସେବା ଓ ସୁବିଧା ସହ ଏକ ଅତ୍ୟାଧୁନିକ ମେଡିକାଲ ମଧ୍ୟ ରହିଛି। ଯେଉଁଥିରେ ଆଇସିୟୁ ଏବଂ ଜରୁରୀକାଳୀନ ଅପରେସନ ଥିଏଟର ସହ ସିଟି ସ୍କାନ, ଏକ୍ସରେ ଓ ଅଲଟ୍ରାସାଉଣ୍ଡ ବ୍ୟବସ୍ଥା ରହିଛି।

୭୦ ବର୍ଷ ପରେ ଭାରତକୁ ଫେରିଲା ଚିତା: 

(Cheetahs)

ସ୍ୱତନ୍ତ୍ର ଚାଟାର୍ଡ କାର୍ଗୋ ବିମାନରେ ନାମିବ୍ୟାରୁ ୮ ଚିତା ବାଘ ସେପ୍ଟେମ୍ବର ୧୭ରେ ଭାରତରେ ପହଞ୍ଚିଥିଲା। ସ୍ୱତନ୍ତ୍ର ବିମାନଟି ମଧ୍ୟପ୍ରଦେଶର ଗ୍ୱାଲିୟର ସ୍ଥିତ ଭାରତୀୟ ବାୟୁ ସେନା ଷ୍ଟେସନରେ ଳ୍ୟାଣ୍ଡ୍‌ କରିଥିଲା। ଏହାସହ ଦୀର୍ଘ ୭୦ ବର୍ଷ ପରେ ଭାରତରେ ଚିତା ବାଘ ଦେଖିବାକୁ ମିଳିଥିଲା। ଗ୍ୱାଲିୟରରେ ସ୍ୱତନ୍ତ୍ର ବିମାନରେ ଚିତା ବାଘ ପହଞ୍ଚିବା ପରେ ହେଲିକପ୍ଟର ଯୋଗେ ଅଣାଯାଇ କୁନୋ ଜାତୀୟ ଉଦ୍ୟାନରେ ଛଡ଼ା ଯାଇଥିଲା। ନିଜ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋଦି ଚିତା ଗୁଡ଼ିକୁ ଛାଡ଼ିଥିଲେ। ପ୍ରୋଟୋକୋଲ୍ ଅନୁସାରେ, ନାମିବ୍ୟାରେ ମାସେ ହେଲା ଏନ୍‌କ୍ଲୋଜର୍‌ ଭିତରେ ୮ଟି ଯାକ ଚିତାକୁ ରଖାଯାଇ, ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖାଯାଇଥିଲା।  ସେମାନଙ୍କୁ ଟିକା ଦିଆଯିବା ସହ ବେକରେ ରେଡିଓ କଲାର୍ ଲଗାଯାଇଥିଲା। ଚିତା ବାଘ ଗୁଡ଼ିକ ବିମାନ ଯାତ୍ରା ବେଳେ ବାନ୍ତି କରିବା ଯୋଗୁ ସ୍ୱାସ୍ଥ୍ୟ ବିଗିଡ଼ିବାର ଭୟ ଥିବାରୁ ସେମାନଙ୍କୁ ଖାଲି ପେଟରେ ଭାରତ ଅଣାଯାଇଥିଲା।

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି:

(PM Modi's Security Breach)

ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ପ୍ରସଙ୍ଗକୁ ନେଇ ଦେଶବ୍ୟାପୀ ରାଜନୈତିକ ଝଡ଼ ସୃଷ୍ଟି ହୋଇଥିଲା। ବିଜେପି, ପଞ୍ଜାବ ସରକାର ଓ କଂଗ୍ରେସକୁ ଟାର୍ଗେଟ କରିଥିବା ବେଳେ ଏହା ଡ୍ରାମା ବୋଲି ପାଲଟା ଆକ୍ରମଣ କରିଥିଲା କଂଗ୍ରେସ। ପ୍ରଧାନମନ୍ତ୍ରୀ ମୋଦି ଭାରତ-ପାକିସ୍ତାନ ସୀମା ହୁସେନିଓ୍ୱାଲାରେ ଥିବା ଜାତୀୟ ସହିଦ୍ ମେମୋରିଆଲକୁ ଯାଉଥିବା ବେଳେ ଏକ ଓଭରବ୍ରିଜ୍ ଉପରେ ତାଙ୍କ କାର୍‌କୁ ୧୫ରୁ ୨୦ ମିନିଟ୍‌ ଅଟକିବାକୁ ପଡିଥିଲା। ଚାଷୀଙ୍କ ଆନ୍ଦୋଳନକୁ ନେଇ ରାସ୍ତା ଜାମ୍ ଥିବାରୁ ପ୍ରଧାନମନ୍ତ୍ରୀଙ୍କ କାରକେଡ୍ ଆଗକୁ ବଢି ପାରିନଥିଲା। ଫଳରେ ପ୍ରଧାନମନ୍ତ୍ରୀ ତାଙ୍କ ଫିରୋଜପୁର କାର୍ଯ୍ୟକ୍ରମକୁ ବାତିଲ କରି ନୂଆଦିଲ୍ଲୀ ଫେରି ଯାଇଥିଲେ। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ବଡ଼ ଧରଣର ତ୍ରୁଟି ପରେ ତାଙ୍କର ଦୀର୍ଘ ଜୀବନ କାମନା କରି ବିଜେପି ପକ୍ଷରୁ ଦେଶବ୍ୟାପୀ ପୂଜାର୍ଚ୍ଚନା କରାଯାଇଥିଲା। 

ଲିଭ୍‌-ଇନ୍‌ ପାର୍ଟନରଙ୍କୁ ହତ୍ୟା ପରେ ୩୫ ଖଣ୍ଡ...

(Shraddha Walkar murder case)

୨୦୨୨ରେ ଏହା ଥିଲା ଅନ୍ୟ ଏକ ଚର୍ଚ୍ଚିତ ଖବର। ଲିଭ୍‌-ଇନ୍‌ ପାର୍ଟନରଙ୍କୁ ହତ୍ୟା ପରେ ୩୫ ଖଣ୍ଡ କରିବା ଓ ଖଣ୍ଡ ଶରୀରକୁ ଫ୍ରିଜ୍‌ରେ ରଖିବା ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା। ମୁମ୍ବାଇର ଶ୍ରଦ୍ଧା ୱାକର୍‌, ଅଫତାବ୍‌ ସହ ଦିଲ୍ଲୀର ମେହରୁଲିରେ ଏକ ଫ୍ଲାଟ୍‌ରେ ଲିଭ୍‌-ଇନ୍‌ରେ ରହୁଥିଲେ। ଅଭିଯୋଗ ହୋଇଛି ଯେ, ମେ’ ୧୮ରେ ଅପତାବ୍‌, ଶ୍ରଦ୍ଧାଙ୍କ ତଣ୍ଟି ଚିପି ହତ୍ୟା କରିଥିଲା। ଏହାପରେ ସେ ମୃତଦେହକୁ ୩୫ ଖଣ୍ଡ କରିଥିଲା। ଖଣ୍ଡ ଶରୀର ରଖିବା ପାଇଁ ସେ ଏକ ଫ୍ରିଜ୍ ମଧ୍ୟ କିଣିଥିଲା। ପ୍ରତିଦିନ ରାତିରେ ଖଣ୍ଡ ଶରୀର ଗୁଡ଼ିକୁ ମେହରୁଲି ସ୍ଥିତ ଜଙ୍ଗଲକୁ ଫିଙ୍ଗିବା ପାଇଁ ସେ ନେଉଥିଲା। ୨୦ ଦିନ ପର୍ଯ୍ୟନ୍ତ ସେ ଏପରି କାମ କରୁଥିଲା। ଶ୍ରଦ୍ଧା ବିବାହ ପାଇଁ ଚାପ ପକାଉଥିଲେ ବୋଲି ଅଫତାବ୍‌ କହିଛି। 

ଅଗ୍ନିପଥ ସ୍କିମକୁ ବିରୋଧ:

(Agneepath Protest)

ସେନା ଦ୍ୱାରା ୪ବର୍ଷ ପାଇଁ ଯୁବକମାନଙ୍କୁ ଅଗ୍ନିବୀର ଭାବରେ ନିଯୁକ୍ତ କରୁଥିବା ଅଗ୍ନିପଥ ସ୍କିମକୁ ଜୋରଦାର ବିରୋଧ କରାଯାଇଥିଲା। । ‘ଅଗ୍ନିପଥ’ ଯୋଜନାରେ ନିଯୁକ୍ତିର ସର୍ବାଧିକ ବୟସ ସୀମା ୨୧ରୁ ୨୩କୁ ବୃଦ୍ଧି କରାଯାଇ ଥିଲେ ମଧ୍ୟ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଥିଲା। କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ବିରୋଧ କରି ଦେଶର ବିଭିନ୍ନ ସ୍ଥାନରେ ଆନ୍ଦୋଳନକାରୀମାନେ ବିକ୍ଷୋଭ ପ୍ରଦର୍ଶନ ସହ ଟ୍ରେନ୍‌ରେ ନିଆଁ ଲଗାଇ ଦେଇଥିଲେ। ଅଗ୍ନିପଥ ନିଯୁକ୍ତି ଯୋଜନାକୁ ଓଡ଼ିଶାରେ ମଧ୍ୟ ବିରୋଧ କରାଯାଇଥିଲା। ୨ ବର୍ଷ ହେଲା ଅନେକ କମିଟିର ମତାମତ ଓ ବିଦେଶୀ ଢାଞ୍ଚାକୁ ପରୀକ୍ଷା କରି ଏହାକୁ ପ୍ରସ୍ତୁତ କରାଯାଇଥିଲା। 

ଭାଙ୍ଗିଲା ବହୁ ଚର୍ଚ୍ଚିତ ଟ୍ୱିନ୍‌ ଟାୱାର:

(Twin Tower Demolition)

ନୋଏଡାର ସେକ୍ଟର ୯୩-ଏ ସ୍ଥିତ ଟ୍ୱିନ୍ ଟାୱାର ଆଖି ପିଛୁଳାକେ ମାଟିରେ ମିଶି ଯାଇଥିଲା। ଦେଶରେ ପ୍ରଥମ ଥର ପାଇଁ ଏତେ ଉଚ୍ଚ କୋଠା ଭଙ୍ଗା ଯାଇଥିଲା। ମାତ୍ର ୯ ସେକେଣ୍ଡରେ ଧରାଶାୟୀ ହୋଇଥିଲା ଦୁଇ ସୁଉଚ୍ଚ ଟାୱାର। ‌ ଟ୍ୱିନ୍‌ ଟାଓ୍ୱାର୍ ଧ୍ୱଂସ ବେଳେ ସେଥିରେ ୧୦ଟି ବ୍ଲାକ୍‌ ବକ୍ସ ଲାଗିଥିଲା। ଜଣେ ଓଡ଼ିଆ ବୈଜ୍ଞାନିକ ଏହାକୁ ତିଆରି କରିଥିଲେ। ତାଙ୍କ ନାଁ ଏମ୍.ଏମ୍. ଦଳବେହେରା। ଟ୍ୱିନ୍‌ ଟାଓ୍ୱାର୍ ଧ୍ୱଂସସ୍ତୁପରେ ପରିଣତ ହେବା ବେଳେ ସେଠାରେ କ’ଣ ଘଟୁଛି ତାହା ଜାଣିବା ପାଇଁ ଏବଂ ବିଜ୍ଞାନ ଭିତ୍ତିକ ତଥ୍ୟ ସଂଗ୍ରହ ଉଦ୍ଦେଶ୍ୟରେ ୧୦ଟି ବ୍ଲାକ୍‌ ବକ୍ସ ଖଞ୍ଜା ଯାଇଥିଲା। 

ଜୀବନ ଯୁଦ୍ଧରେ ହାରିଗଲେ ତନ୍ମୟ: 

(Chattisgarh Boy Tanmay Dead)

ଜୀବନ ଯୁଦ୍ଧରେ ହାରିଗଲେ ତନ୍ମୟ। ୪୦୦ ଫୁଟ୍ ଗଭୀର ବୋର୍‌ୱେଲ୍‌ରେ ଫସିଥିବା ୮ ବର୍ଷର ବାଳକ ତନ୍ମୟ ସାହୁଙ୍କୁ ଉଦ୍ଧାର କରାଯାଇଥିଲା। ୭୦ ଘଣ୍ଟାରୁ ଅଧିକ ସମୟ ଧରି ରେସ୍କ୍ୟୁ ଅଭିଯାନ ପରେ ତନ୍ମୟ ଉଦ୍ଧାର ହୋଇଥିଲେ। ହେଲେ ଦୁଃଖଦ ଘଟଣା, ଚିକିତ୍ସା ପାଇଁ ତାଙ୍କୁ ବେତୁଲ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମଧ୍ୟପ୍ରଦେଶରେ ଏହି ଅଭାବନୀୟ ଘଟଣା ଘଟିଥିଲା। ସୂଚନା ଅନୁସାରେ, ଡିସେମ୍ବର ୬ରେ ବେତୁଲ ଜିଲ୍ଲା ମାଣ୍ଡଭି ଗାଁରେ ଖେଳୁଥିବା ବେଳେ ଖୋଲାଥିବା ବୋର୍‌ୱେଲ୍‌ର ଗାତ ଭିତରେ ଗଳି ପଡ଼ିଥିଲେ ତନ୍ମୟ। ବୋର୍‌ୱେଲ୍‌ ଭିତରେ ୫୫ ଫୁଟ୍ ଗଭୀରରେ ତନ୍ମୟ ଅଟକି ରହିଥିଲେ। ପରେ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ। NDRF ଓ SDRF ଟିମ୍ ଦିନରାତି ରେସ୍କ୍ୟୁ ଅପରେସନରେ ଲାଗିଥିଲେ।

ଝୁଲା ପୋଲ ଟ୍ରାଜେଡି: 

(Morbi Bridge Collapsed In Gujarat)

୨୦୨୨ରେ ଏହା ଥିଲା ଏକ ଦୁଃଖଦ ଖବର। ଗୁଜରାଟର ମୋର୍ବିରେ ମାଛୁ ନଦୀ ଉପରେ ଥିବା ଝୁଲା ପୋଲ ଭୁଶୁଡ଼ିବା ଯୋଗୁ ୧୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଅଧିକାଂଶ ଆହତ ହୋଇଥିଲେ। ଏକ ପ୍ରାଇଭେଟ୍‌ କମ୍ପାନୀ ୭ ମାସ ପର୍ଯ୍ୟନ୍ତ ବ୍ରିଟିଶ ଅମଳର ଏହି ଝୁଲା ପୋଲର ମରାମତି କାର୍ଯ୍ୟ କରିଥିଲା। ମରାମତି କାର୍ଯ୍ୟ ଶେଷ ହେବା ପରେ ୪ ଦିନ ପୂର୍ବେ ସର୍ବସାଧାରଣଙ୍କ ପାଇଁ ଝୁଲା ପୋଲ ଖୋଲା ଯାଇଥିଲା। ଏହାପରେ ଏହି ଅଭାବନୀୟ ଘଟଣା ଘଟିଥିଲା। ଏହି ଘଟଣାରେ ୯ ଜଣଙ୍କୁ ଗିରଫ କରାଯାଇଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ଝୁଲାପୋଲ ରକ୍ଷଣାବେକ୍ଷଣ ସଂସ୍ଥାର କର୍ମଚାରୀ। କାର୍ଯ୍ୟରେ ଅବହେଳା ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଥିଲା। 

ଡିଜିଟାଲ୍‌ ଟଙ୍କାର ଶୁଭାରମ୍ଭ...

(Digital Currency)

୨୦୨୨, ଡିସେମ୍ବର ୧ରୁ ଡିଜିଟାଲ ଟଙ୍କା(Digital Rupee)ର ପ୍ରଚଳନ ଆରମ୍ଭ ହୋଇଛି। RBI ପକ୍ଷରୁ ଏହି ଡିଜିଟାଲ ଟଙ୍କା ଲଞ୍ଚ୍ କରାଯାଇଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ୪ଟି ସ୍ଥାନରେ ପରୀକ୍ଷା ମୂଳକ ଭାବେ ଏହି ଡିଜିଟାଲ ଟଙ୍କାର ବ୍ୟବହାର ଆରମ୍ଭ ହୋଇଛି। ଏପରିକି ଆପଣଙ୍କ ମୋବାଇଲ୍‌ରେ ଇଣ୍ଟରନେଟ୍‌ ନଥିଲେ ମଧ୍ୟ E-Rupee କାର୍ଯ୍ୟକ୍ଷମ କରିବ । ସେହିପରି ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ର୍ନିଦ୍ଦିଷ୍ଟ ଲୋକ ଓ ବ୍ୟବସାୟୀ ଏହାର ଫାଇଦା ଉଠାଇ ପାରିବେ ବୋଲି RBI ପକ୍ଷରୁ ସୂଚନା ଦିଆଯାଇଥିଲା। 

ରାଜୀବ ଗାନ୍ଧି ହତ୍ୟାକାରୀଙ୍କୁ ମୁକ୍ତ: 

(Rajiv Gandhi Assassination Case)

ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ସ୍ୱର୍ଗତ ରାଜୀବ ଗାନ୍ଧିଙ୍କ ହତ୍ୟା ମାମଲାରେ ସମସ୍ତ ୬ ଜଣ ଦୋଷୀଙ୍କୁ ସୁପ୍ରିମକୋର୍ଟ ମୁକ୍ତ କରିବାର ଦିନକ ପରେ ନଳିନୀ ଶ୍ରୀହରନଙ୍କ ସମେତ ୫ଜଣ ଜେଲରୁ ମୁକୁଳିଥିଲେ। ୩୧ ବର୍ଷ ଜେଲରେ ସଜା କାଟିବା ପରେ ଜେଲରୁ ମୁକୁଳିଥିଲେ ଏମାନେ। ନଳିନୀଙ୍କ ସମେତ ତାଙ୍କ ସ୍ୱାମୀ ମୁରୁଗାନ, ସାନ୍ଥନ, ରବର୍ଟ ପାୟସ, ଆରପି ରବିଚନ୍ଦ୍ରନ ଜେଲ୍‌ରୁ ବାହାରି ଥିଲେ। ସେପଟେ ରାଜୀବ ଗାନ୍ଧି ହତ୍ୟାକାରୀଙ୍କୁ ମୁକ୍ତ କରିବା ନିଷ୍ପତ୍ତିର ପୁନଃ ସମୀକ୍ଷା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା କେନ୍ଦ୍ର। ନିଷ୍ପତ୍ତିର ପୁନଃ ସମୀକ୍ଷା ପାଇଁ କେନ୍ଦ୍ର ସରକାର ଉଚ୍ଚତମ ନ୍ୟାୟଳୟରେ ଆବେଦନ କରିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ହତ୍ୟା ମାମଲାରେ ସର୍ବୋଚ୍ଚ କୋର୍ଟ କେନ୍ଦ୍ରର ପକ୍ଷ ମଧ୍ୟ ଶୁଣିବା ଉଚିତ୍‌ ବୋଲି ଆବେଦନରେ ଦର୍ଶାଯାଇଥିଲା। 

ତଓ୍ୱାଙ୍ଗରେ ଭାରତ-ଚୀନ୍ ସୈନ୍ୟ ମୁହାଁମୁହିଁ:

(Indian, Chinese troops clash along LAC in Tawang)

ଅରୁଣାଚଳ ପ୍ରଦେଶ ତଓ୍ୱାଙ୍ଗରେ ଭାରତ-ଚୀନ୍ ସୈନ୍ୟ ମୁହାଁମୁହିଁ ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା। ଏଲ୍ଏସିରେ ଭାରତ-ଚୀନ ସେନା ମୁହାଁମୁହିଁ ନେଇ ସଂସଦରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବିବୃତି ରଖିଥିଲେ। ଗତ ୯ରେ ଚୀନ ସେନା ବେଆଇନ ଭାବେ ଅନୁପ୍ରବେଶ ଉଦ୍ୟମ କରିଥିଲେ। ଲାଇନ୍ ଅଫ୍ ଆକ୍‌ଚୁଆଲ କଣ୍ଟ୍ରୋଲ ପରିବର୍ତ୍ତନ ଉଦ୍ଦେଶ୍ୟରେ ଆସିଥିଲେ । LACରେ ଥିବା ସ୍ଥିତାବସ୍ଥାକୁ ଏକତରଫା ବଦଳାଇବାକୁ ଚେଷ୍ଟା କରିଥିଲେ ଓ ଆମ ସେନା ଚୀନର ଏଭଳି କାର୍ଯ୍ୟକୁ ଦୃଢ଼ତାର ସହ ମୁକାବିଲା କରିଥିଲେ ବୋଲି ରାଜନାଥ ସିଂ ଏହା କହିଥିଲେ।

୮୦ ଫୁଟ୍ ଗଭୀର ବୋର୍‌ୱେଲ୍‌ ଭିତରୁ ୧୦ ବର୍ଷର ବାଳକ ଉଦ୍ଧାର...

(Chattisgarh Boy Rahul Rescued)

ସାରା ଦେଶରେ ଚହଳ ପକାଇ ଦେଇଥିଲା ଛତିଶଗଡ଼ର ବୋରୱେଲ୍ ଟ୍ରାଜେଡି।  ଶତାଧିକ ଘଣ୍ଟାର ଅପରେସନ୍ ପରେ ଗୁରୁତର ଅବସ୍ଥାରେ ୮୦ ଫୁଟ୍ ଗଭୀର ପରିତ୍ୟକ୍ତ ବୋରୱେଲ୍ ଭିତରୁ ଉଦ୍ଧାର ହୋଇଥିଲା ଜାଞ୍ଜଗିରି ଚାମ୍ପାର ୧୦ ବର୍ଷୀୟ ବାଳକ ରାହୁଲ। ବୋର୍‌ୱେଲ୍‌ରେ ଫସିଥିବା ରାହୁଲକୁ ଉଦ୍ଧାର ପାଇଁ ୧୦୪ ଘଣ୍ଟାର ଅପରେସନ ଭିତରେ ଲୁଚିଥିଲା ଲୋମଟାଙ୍କୁରା କାହାଣୀ। ଅପରେସନର ଶେଷ ପର୍ଯ୍ୟାୟରେ ନିଆଯାଇଥିଲା ଦେଶୀ ଯୁଗାଡ଼ର ସାହାଯ୍ୟ।