• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଶାନ୍ତ ପଡ଼ୁଛି ଅଗ୍ନିପଥ ବିରୋଧୀ ନିଆଁ । ପ୍ରତିରକ୍ଷା ମନ୍ତ୍ରାଳୟ ଓ ସେନା ପକ୍ଷରୁ ଏହି ଯୋଜନାକୁ ନେଇ ଯେତେ ଯେତେ ତଥ୍ୟ ଅନାବୃତ ହେଉଛି, ସେତେ ସେତେ ଦୂରଉଛି ଭ୍ରାନ୍ତିର କୁହେଳିକା । ତଥାପି ଦେଶର ଯୁବବର୍ଗଙ୍କ ଆଗରେ ଏହି ସ୍କିମ୍ ସଂପର୍କିତ ଅଧିକରୁ ଅଧିକ ତଥ୍ୟ ରଖିବାକୁ ଚେଷ୍ଟା ଜାରି ରଖିଛନ୍ତି କେନ୍ଦ୍ର ସରକାର । ଆଜି ମଧ୍ୟ ସେନା ବ୍ୟାପାର ବିଭାଗ ଅତିରିକ୍ତ ସଚିବ ଲେଫ୍ଟେନାଣ୍ଟ ଜେନେରାଲ୍ ଅନୀଲ ପୁରୀ ଏବଂ ୩ ସେନାର ବରିଷ୍ଠ ଅଧିକାରୀ ସାମ୍ବାଦିକ ସମ୍ମିଳନୀ କରି କିଛି ଚର୍ଚ୍ଚିତ ସଂଶୟ ଦୂର କରିବାକୁ ପ୍ରୟାସ କରିଛନ୍ତି । ସେମାନେ କହିଛନ୍ତି, ଅଗ୍ନିପଥ ସ୍କିମ୍‌କୁ ତରବରିଆ କି ଆଖିବୁଜି ପ୍ରବର୍ତ୍ତନ କରାଯାଇ ନାହିଁ । ୨ ବର୍ଷ ହେଲା ଅନେକ କମିଟିର ମତାମତ ଓ ବିଦେଶୀ ଢାଞ୍ଚାକୁ ପରୀକ୍ଷା କରି ଏହାକୁ ପ୍ରସ୍ତୁତ କରାଯାଇଛି ।

୩ ସେନାମୁଖ୍ୟ ଓ ସିଡିଏସ୍ ବିପିନ ରାଓ୍ୱତ ଲଗାତାର ଏନେଇ ବିମର୍ଶ କରୁଥିଲେ । ନିଯୁକ୍ତି ପ୍ରକ୍ରିୟା ବଦଳିବ ନାହିଁ । ରେଜିମେଣ୍ଟାଲ୍ ପ୍ରୋସେସ୍ ବି ଅପରିବର୍ତ୍ତିତ ରହିବ । ଆମକୁ ବେଷ୍ଟ ଦରକାର । ତେଣୁ ପୂରା ପ୍ରକ୍ରିୟା ସ୍ୱଚ୍ଛ ରହିବ ବୋଲି ସେ କହିଛନ୍ତି । ଏଥିସହ ପୁଣି ଥରେ ହିଂସାକାରୀଙ୍କୁ ଚେତାଇବା ସହ କେବଳ ନିଯୁକ୍ତି ବେଳେ ନୁହେଁ, ଅଗ୍ନିବୀର ଭାବେ ଯୋଗଦେବା ପରେ ମଧ୍ୟ କୌଣସି ପ୍ରାର୍ଥୀ ବିଶୃଙ୍ଖଳା କଲେ, ସେନାରୁ ବାହାର କରିଦିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି ।

ତେଣେ ତିନି ସେନାର ବରିଷ୍ଠ ଅଧିକାରୀ ମାନେ ମଧ୍ୟ ନିଯୁକ୍ତି ପ୍ରକ୍ରିୟା ଓ ସମୟସୂଚୀ ସଂପର୍କରେ ସୂଚନା ଦେଇଛନ୍ତି । ସ୍ଥଳସେନା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇସାରିଥିବା ବେଳେ, ଜୁଲାଇ ୧ରୁ ରାଲି ଆରମ୍ଭ ହେବ । ବାୟୁସେନାରେ ୨୪ ଜୁନ୍‌ରୁ ଜୁଲାଇ ୫ ଯାଏଁ ରେଜିଷ୍ଟ୍ରେସନ୍ ଏବଂ ୨୪ ଜୁଲାଇରୁ ୩୧ ଜୁଲାଇ ଯାଏଁ ୨୫୦ଟି ସେଣ୍ଟରରେ ଅନଲାଇନ ପରୀକ୍ଷା ହେବ । ନୌସେନାରେ ଜୁଲାଇ ୧ରୁ ଅନଲାଇନ ରେଜିଷ୍ଟ୍ରେସନ୍, ଜୁଲାଇ ୯ରେ ନୋଟିଫିକେସନ୍ ଏବଂ ୧୫ରୁ ୩୦ ଜୁଲାଇ ଆପ୍ଲିକେସନ୍ ଓ୍ୱିଣ୍ଡୋ ଖୋଲିବ । ଏଥିସହ ଡିଜି ସିପିଂଙ୍କ ସହ ଚୁକ୍ତି ଅନୁସାରେ, ନୌସେନାରେ ୪ ବର୍ଷ ଚାକିରୀ ପରେ ଅଗ୍ନିବୀରମାନେ ସିଧାସଳଖ ମର୍ଚ୍ଚାଣ୍ଟ ନେଭିରେ ଯୋଗ ଦେଇପାରିବେ ବୋଲି କୁହାଯାଇଛି ।

କେବଳ ପ୍ରତିରକ୍ଷା ମନ୍ତ୍ରାଳୟ, ସିଏପିଏଫ୍, ଆସାମ ରାଇଫଲ୍ ଓ ବିଭିନ୍ନ ରାଜ୍ୟର ପୋଲିସରେ ନୁହେଁ, କର୍ପୋରେଟ୍ ସେକ୍ଟରରେ ବି ଅଗ୍ନିବୀରଙ୍କୁ ମିଳିବ ପ୍ରାଥମିକତା । ସେନାରେ ୪ ବର୍ଷ ଚାକିରୀ ପରେ ଶୃଙ୍ଖଳିତ, କୁଶଳୀ ଓ ଉତ୍ସାହୀ ଯୁବକ ଯୁବତୀଙ୍କୁ ନିଜ ଶିଳ୍ପସଂସ୍ଥାରେ ନିଯୁକ୍ତି ଦେବାକୁ ଆଗ୍ରହ ଦେଖାଇଛନ୍ତି ବହୁ ବିଶିଷ୍ଟ ଶିଳ୍ପପତି । ଅପରେସନ୍‌ରୁ ଆରମ୍ଭ କରି ଆଡ୍‌ମିନିଷ୍ଟ୍ରେସନ୍ ଓ ସପ୍ଲାଏ ଚେନ୍‌ରେ ସେମାନଙ୍କ ପାଇଁ ବିପୁଳ ସୁଯୋଗ ରହିଛି ବୋଲି ମହିନ୍ଦ୍ରା ଗ୍ରୁପ୍ ଚେୟାର୍ ମ୍ୟାନ୍ ଆନନ୍ଦ ମହିନ୍ଦ୍ରା ଟୁଇଟ୍ କରିଥିବା ବେଳେ, ଆର୍‌ପିଜି ଏଣ୍ଟରପ୍ରାଇଜେସ୍ ଚେୟାରମ୍ୟାନ ହର୍ଷ ଗୋଏଙ୍କା ମଧ୍ୟ ଅଗ୍ନିବୀରଙ୍କୁ ସ୍ୱାଗତ କରୁଛି ବୋଲି ଲେଖିଛନ୍ତି ।

ସେହିଭଳି ଇମ୍ଫା ପକ୍ଷରୁ ମଧ୍ୟ ଅଗ୍ନିବୀରଙ୍କୁ ନିଯୁକ୍ତିରେ ଅଗ୍ରାଧିକାର ଦିଆଯିବ ବୋଲି ଟୁଇଟ୍ ଯୋଗେ ଘୋଷଣା କରିଛନ୍ତି ବିଶିଷ୍ଟ ଶିଳ୍ପପତି ତଥା ଇମ୍ଫାର ଏମ୍‌ଡି ଶୁଭ୍ରକାନ୍ତ ପଣ୍ଡା । ଏଥିସହ ବାୟୋକନ୍ ଲିମିଟେଡ୍, ଆପୋଲୋ ହସ୍ପିଟାଲ୍ସ ଗ୍ରୁପ୍ ଓ ଟିଭିଏସ୍ ମୋଟୋର୍ କଂପାନୀ ପକ୍ଷରୁ ମଧ୍ୟ ଏହି ସ୍କିମକୁ ପ୍ରଶଂସା କରାଯାଇଛି ।

ତେଣେ ଅଗ୍ନିପଥ ସ୍କିମ ବିରୋଧରେ ସୁପ୍ରିମକୋର୍ଟରେ ୩ଟି ପିଟିସନ୍ ଫାଇଲ୍ ହୋଇଛି । ଅନ୍ୟପକ୍ଷରେ କୋର୍ଟ କୌଣସି ନିଷ୍ପତ୍ତି ଶୁଣାଇବା ପୂର୍ବରୁ ଆମକୁ ପକ୍ଷ ରଖିବାର ସୁଯୋଗ ଦିଆଯାଉ ବୋଲି ଦାବି କରି କ୍ୟାଭେଟ୍ ପିଟିସନ୍ ଫାଇଲ କରିଛନ୍ତି କେନ୍ଦ୍ର ସରକାର ।