• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଧ୍ୱଂସ ହେଲା ଟ୍ୱିନ୍‌ ଟାୱାର । ଆଖି ପିଛୁଳାକେ ମିଶିଗଲା ମାଟିରେ । ୮୦୦ କୋଟି ଟଙ୍କାର ସମ୍ପତ୍ତି ମାଟିରେ ମିଶିଗଲା । ଅପରାହ୍ନ ପ୍ରାୟ ସାଢ଼େ ୨ଟାରେ ନୋଏଡାର ସେକ୍ଟର ୯୩-ଏ ସ୍ଥିତ ଟ୍ୱିନ୍ ଟାୱାରକୁ ଧ୍ୱଂସ କରିଛି ପ୍ରଶାସନ । ଦେଶରେ ପ୍ରଥମ ଥର ପାଇଁ ଏତେ ଉଚ୍ଚ କୋଠା ଭଙ୍ଗାଯାଇଛି । ଏହି ଦୁଇ ଟାଓ୍ୱାରର ୪୦ ମହଲା ବିଶିଷ୍ଟ କରିବାକୁ ଯୋଜନା କରାଯାଇଥିଲା । ତେବେ ଦୁଇ ଟାଓ୍ୱାର ବର୍ତ୍ତମାନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନଥିଲା । ଆପେକ୍ସ ଟାଓ୍ୱାର ୩୨ ମହଲା ନିର୍ମିତ ହୋଇଥିବା ବେଳେ ସିଆନ ଟାଓ୍ୱାର ୨୯ ମହଲା ନିର୍ମିତ ହୋଇଛି । ତେବେ କୋର୍ଟ ମାମଲାରୁ ଏହି ଟାଓ୍ୱାରର ନିର୍ମାଣ କାମ ସମ୍ପୂର୍ଣ୍ଣ ହୋଇପାରିନଥିଲା । ଏହି ଦୁଇ ବିଲ୍ଡିଂରେ ୯ଶହରୁ ଅଧିକ ଫ୍ଲାଟ ରହିଥିଲା । ଏଥିମଧ୍ୟରୁ ଦୁଇ ତୃତୀୟାଂଶ ଫ୍ଲାଟ୍ ବୁକ୍ କରିସାରିଥିଲେ ଗ୍ରାହକ । ଏହି ସମସ୍ତ ଗ୍ରାହକଙ୍କୁ ସେମାନଙ୍କ ମୂଳ ଟଙ୍କା ସୁଧ ସମେତ ଫେରସ୍ତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

 

ନୋଏଡ଼ାର ଏହି ଟ୍ୱିନ୍‌ ଟାଓ୍ୱାର ଧ୍ୱଂସ ହେବା ପରେ ସୃଷ୍ଟି ହୋଇଥିବା ଧୂଳିକଣା ଓ ପ୍ରଦୂଷଣ ମାପିବା ଲାଗି ସବୁତନ୍ତ୍ର ଯନ୍ତ୍ର ଲଗାଯାଇଛି । ଟ୍ୱିନ ଟାଓ୍ୱାର ଆଖପାଖ ଅଞ୍ଚଳରେ ଏହି ଯନ୍ତ୍ରକୁ ଖଞ୍ଜା ଯାଇଛି । ଟାଓ୍ୱାର ଧ୍ୱଂସ ହେବା ପରେ କେତେ ମାତ୍ରାରେ ଧୂଳିକଣା ସୃଷ୍ଟି ହେଉଛି, ତାହା ଏହି ଯନ୍ତ୍ର ମାଧ୍ୟମରେ ମପାଯାଇଛି । ଦୁଇ କୋଠାକୁ ଧ୍ୱଂସ କରିବା ଲାଗି ପ୍ରାୟ ୩୭୦୦ କିଲୋଗ୍ରାମ ଓଜନର ବିସ୍ଫୋରକ ଖଞ୍ଜାଯାଇଛି । ଇଂପଲସନ ଟେକ୍ନୋଲୋଜି ମାଧ୍ୟମରେ କୋଠା ଦୁଇଟି ମାତ୍ର ୯ ସେକେଣ୍ଡରେ ମାଟିରେ ମିଶିଯାଇଥିଲା ।

ଆପେକ୍ସ ଟାଓ୍ୱାରର ଲମ୍ବ ୧୦୩ ମିଟର ଥିବାବେଳେ ସିଆନ ଟାଓ୍ୱାର ଲମ୍ବ ୯୭ ମିଟର ରହିଥିଲା । ଏଡିଫାଇସ୍ ଇଂଜିନିୟରିଂ ଦକ୍ଷିଣ ଆଫ୍ରିକା ବିଶେଷକ୍ଷଙ୍କ ସହାୟତାରେ ଏହି ବିଲଡିଂକୁ ଭଙ୍ଗାଯାଇଛି । ୩ ବର୍ଷ ପୂର୍ବରୁ ଦକ୍ଷିଣ ଆଫ୍ରିକାର ଏହି ବିଶେଷଜ୍ଞମାନେ ସେଠାରେ ଏକ ବ୍ୟାଙ୍କର ବିଲ୍ଡିଂକୁ ଭାଂଗିଥିଲେ । ସେହି ବିଲ୍ଡିଂର ଲମ୍ବ ଥିଲା ୧୦୮ ମିଟର । ପୂର୍ବରୁ କେରଳରେ ଥିବା ଏକ ୬୮ ମିଟର ବିଶିଷ୍ଟ କୋଠା ଭଂଗା ଯାଇଥିଲା । ୨୦୨୦ ମସିହାରେ ଏହି ବିଲ୍ଡିଂ ଭଂଗାଯାଇଥିଲା । ସେହି ବର୍ଷ ୟୁଏଇର ବୁଧାବିରେ ୧୬୮ ମିଟର ବିଶିଷ୍ଟ ଏକ ବିଲ୍ଡଂ ଭଂଗାଯାଇଥିଲା ଯାହାକି ବିଶ୍ୱ ରେକର୍ଡ ।

ଟ୍ୱିନ୍ ଟାଓ୍ୱାର ଠାରୁ ମାତ୍ର ୮ ମିଟର ଦୂରରେ ଅନେକ ବିଲ୍ଡିଂ ରହିଛି । ୯ରୁ ୧୨ ମିଟର ମଧ୍ୟରେ ଅନ୍ୟ କୋଠା ଗୁଡିକ ରହିଛି ସେଥିପାଇଁ ଏହି ବିଲ୍ଡିଂକୁ ଭାଂଗିବା ଏକ ପ୍ରକାର ଚ୍ୟାଲେଂଜ୍ ଥିଲା । କାଳେ ବିଲ୍ଡିଂର ଧ୍ୱଂସାବଶେଷ ବାହାରି ଅନ୍ୟ ବିଲ୍ଡିଂକୁ କ୍ଷତି କରିପାରେ । ଏହାକୁ ଆଖିରେ ରଖି ଆଖପାଖରେ ଥିବା ବିଲ୍ଡଂଗୁଡିକ ଖାଲି କରାଯାଇଥିଲା । ଧୂଳିକୁ କମ କରିବାକୁ ଅନ୍ୟ ବିଲ୍ଡିଂ ଗୁଡିକୁ ପରଦାରେ ଘୋଡ଼ାଇ ଦିଆଯାଇଛି । ଦୁଇଟି ଟାୱାର୍‌ ଆଖପାଖର ୧୦୦ ମିଟର ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଥିଲା । ଏଥିସହ ପୂରା ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି ।

ଦୁଇ ବିଲ୍ଡିଂର ପିଲାର ଗୁଡିକରେ ପାଖାପାଖି ୭ ହଜାରରୁ ଅଧିକ କଣା କରାଯାଇଥିଲା । ଗୋଟିଏ ଗୋଟିଏ କଣାର ଲମ୍ବ ହେଉଛି ୨ମିଟର, ପାଖାପାଖି ୧୪ କିଲୋମିଟର ହୋଲ୍ କରାଯାଇଥିଲା । ଏଥିମଧ୍ୟରେ ୨୦ ହଜାର ସର୍କିଟ୍ ଲାଗିଥିଲା । ଯେତେବେଳେ ସ୍ୱିଚ୍ ମରାଗଲା ସେତେବେଳେ ସମସ୍ତ ପିଲାରରେ ବିସ୍ଫୋରଣ ଘଟିଲା । ବିସ୍ଫୋରଣ ପରେ ସିଧା ତଳକୁ ଖସିଲା ଟ୍ୱିନ ଟାଓ୍ୱାର ।