• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସୋମବାର ଦିନ ତଥା ଆସନ୍ତାକାଲି ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ପଦ ଓ ଗୋପନୀୟତାର ଶପଥ ନେବେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ । ତେବେ ରାଷ୍ଟ୍ରପତି ଭାବେ କଣ ରହିବ ତାଙ୍କର କ୍ଷମତା ଓ ଅଧିକାର ? କେଉଁ ସବୁ ସୁବିଧା ସୁଯୋଗ ମିଳିବ ନୂଆ ରାଷ୍ଟ୍ରପତିଙ୍କୁ ?

ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦିନକ ପରେ ଶପଥ ନେଉ ନେଉ ହେବେ ଦେଶର ନୂଆ ମୁଖିଆ, ବହୁ କ୍ଷମତାର ଅଧିକାରୀ । ରାଷ୍ଟ୍ରପତି ଭାବେ ସେ ହେବେ ଭାରତୀୟ ସୁରକ୍ଷା ବାହିନୀର କମାଣ୍ଡର-ଇନ୍-ଚିଫ୍ । ତାଙ୍କ ପାଖରେ ରହିବ କୌଣସି ଦୋଷୀ ସାବ୍ୟସ୍ତ ବ୍ୟକ୍ତିର ଦଣ୍ଡକୁ କ୍ଷମା କରିବା, କମାଇ ଦେବା ବା ବାତିଲ କରିବା, ଏମିତିକି ମୃତ୍ୟୁଦଣ୍ଡ ଉପରେ ନିଷ୍ପତ୍ତି ନେବାର ଅଧିକାର ରହିବ । ଭାରତର ପ୍ରଧାନମନ୍ତ୍ରୀ, ପ୍ରଧାନ ବିଚାରପତି, ହାଇକୋର୍ଟର ମୁଖ୍ୟ ବିଚାରପତି, ରାଜ୍ୟପାଳ, ନିର୍ବାଚନ କମିଶନରଙ୍କୁ ବି ରାଷ୍ଟ୍ରପତି ଭାବେ ନିଯୁକ୍ତି ଦେବେ ଦ୍ରୌପଦୀ ।

ଯୁଦ୍ଧ, ବାହ୍ୟ ଆକ୍ରମଣ କିମ୍ବା ସଶସ୍ତ୍ର ବିଦ୍ରୋହ ଭଳି ସ୍ଥିତିରେ ଦେଶରେ ଜରୁରୀକାଳୀନ ସ୍ଥିତି ଏବଂ କୌଣସି ରାଜ୍ୟରେ ଆର୍ଥିକ କିମ୍ବା ସାମ୍ବିଧାନିକ ସଂକଟ କ୍ଷେତ୍ରରେ ଜରୁରୀ ପରିସ୍ଥିତି ବି ଲାଗୁ କରିପାରିବେ । ସମସ୍ତ ଆନ୍ତର୍ଜାତିକ ବୁଝାମଣାପତ୍ର ଓ ଚୁକ୍ତି ରାଷ୍ଟ୍ରପତିଙ୍କ ନାଁରେ ହିଁ ହେବ ସଂସଦର ଉଭୟ ଗୃହରେ ପାରିତ କୌଣସି ବିଲ୍ ତାଙ୍କ ସ୍ୱୀକୃତି ପରେ ହିଁ ଆଇନରେ ପରିଣତ ହେବ । ଏମିତିକି ରାଷ୍ଟ୍ରପତି ଭାବେ ସେ ଚାହିଁଲେ, କୌଣସି ବିଲ୍କୁ କିଛି ସମୟ ପାଇଁ ଅଟକାଇ ରଖିପାରିବେ ବା ଏହା ଉପରେ ପୁନର୍ବିଚାର ଲାଗି ସଂସଦକୁ ଫେରାଇ ଦେଇପାରିବେ ।

ଏହା ହେଉଛି ଭାରତର ରାଷ୍ଟ୍ରପତିଙ୍କ ଭିଟୋ କ୍ଷମତା, ଯାହାକି ବିଶ୍ୱର କୌଣସି ଗଣତାନ୍ତ୍ରିକ ରାଷ୍ଟ୍ର ପାଖରେ ନାହିଁ । ଏହାଛଡ଼ା ଯଦି ଲୋକସଭା ନିର୍ବାଚନରେ କୌଣସି ଦଳକୁ ସ୍ପଷ୍ଟ ବହୁମତ ମିଳି ନ ଥାଏ, ଏଭଳି କ୍ଷେତ୍ରରେ ରାଷ୍ଟ୍ରପତି ନିଜ ବିବେକ ଅନୁସାରେ କୌଣସି ଦଳକୁ ସରକାର ଗଠନ ଲାଗି ଆମନ୍ତ୍ରଣ କରିପାରିବେ ।

ଶପଥ ନେବା ପରେ ଦେଶର ପ୍ରଥମ ନାଗରିକ ଭାବେ ଦ୍ରୌପଦୀଙ୍କୁ ମିଳିବ ବହୁ ସୁବିଧା ସୁଯୋଗ ମାସିକ ପାଖାପାଖି ୫ ଲକ୍ଷ ଟଙ୍କାର ଟିକସ ମୁକ୍ତ ବେତନ, ବିଭିନ୍ନ ପ୍ରକାର ଭତ୍ତା । ଦୁନିଆର କୌଣସି ବି ସ୍ଥାନକୁ ମାଗଣା ଯାତ୍ରାର ସୁବିଧା । ରହିବା ପାଇଁ ରାଇସିନା ହିଲରେ ୨ ଲକ୍ଷ ବର୍ଗଫୁଟ ଅଞ୍ଚଳ ପରିବ୍ୟାପ୍ତ ୩୪୦ ରୁମ୍ ବିଶିଷ୍ଟ ରାଷ୍ଟ୍ରପତି ଭବନ, ଯାହାର ଦେଖାଶୁଣା କରିବାକୁ ହରଦମ୍ ଲାଗି ରହିବେ ୨ଶହ କର୍ମଚାରୀ ।

ଅବକାଶ ନେବାକୁ ଚାହିଁଲେ ରହିଛି ହାଇଦ୍ରାବାଦ୍ର ରାଷ୍ଟ୍ରପତି ନିଲୟମ ଓ ସିମଲାର ରିଟ୍ରିଟ୍ ବିଲ୍ଡିଂ ନାମକ ଦୁଇଟି ଶାନ୍ଦାର୍ ହଲିଡେ୍ ରିଟ୍ରିଟ୍ । ଏଥିସହ ଯାତାୟତ ପାଇଁ ରହିଛି କଷ୍ଟମାଇଜ୍ଡ ମର୍ସିଡିଜ୍ ବେଞ୍ଜ ଏସ୍ ୬୦୦ । କେବଳ ସେତିକି ନୁହେଁ ଅବସର ପରେ ରାଷ୍ଟ୍ରପତିଙ୍କୁ ମାସିକ ଦେଢ଼ ଲକ୍ଷ ଟଙ୍କା ପେନସସନ୍ ଓ କର୍ମଚାରୀଙ୍କ ଖର୍ଚ୍ଚ ନିମନ୍ତେ ଅତିରିକ୍ତ ୬୦ ହଜାର ଟଙ୍କା, ରହିବା ପାଇଁ ଟାଇପ୍ ଏଇଟ୍ ବାସଗୃହ, ଜୀବନ ସାରା ମାଗଣା ମେଡିକାଲ ସେବା ଏବଂ ଜଣେ ସହଯୋଗୀଙ୍କ ସହ ଟ୍ରେନ୍ ଓ ବିମାନରେ ମାଗଣାରେ ଯାତ୍ରାର ବି ସୁବିଧା ମିଳିବ । ସ୍ୱାଧୀନତାର ୭୫ ବର୍ଷ ପରେ ଜଣେ ଆବାସୀ ମହିଳା ତଥା ଓଡ଼ିଆ ରାଷ୍ଟ୍ରମୁଖ୍ୟ ହେବେ ଦ୍ରୌପଦୀ ମୁର୍ମୁ ଆଉ ତାଙ୍କ ନାଁରେ ଚାଲିବ ଭାରତ ଶାସନ ।