• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଫୁଟେ କି ଦୁଇ ଫୁଟ୍ ନୁହଁ, ପ୍ରାୟ ୮୦ ଫୁଟ ତଳେ ରହିଛି ଜୀବନ । ବୋରୱେଲ ଗାତରେ ଫସିଛି ୧୦ ବର୍ଷର ପୁଅ । ଭାବିଲେ ଆଶ୍ଚର୍ଯ୍ୟ ଲାଗୁଥାଇପାରେ, ଶୁଣିଲେ ବିଚଳିତ ବି କରୁଥାଇପାରେ । କିନ୍ତୁ ଘଟଣାଟି ସମ୍ପୂର୍ଣ୍ଣ ସତ । ଘଟଣା ଘଟିଛି ଛତିଶଗଡ଼ ରାଜ୍ୟର ଜାନଜଗିର-ଚାମ୍ପାର ମାଲଖାଦାରୁଆ ପୋଲିସ ଷ୍ଟେସନ ଅନ୍ତର୍ଗତ ପିରହ୍ରିଡ୍ ଗାଁରେ । ଗାଁର ଏକ ଶିଶୁ ଏକ ବୋରୱେଲ ଗର୍ତ୍ତରେ ଗତକାଲି ଠାରୁ ପଡ଼ିଯାଇଛି ।

ଶୁକ୍ରବାର ଦିନ ୪ଟା ବେଳେ ଘର ପଛ ପାଖରେ ଖେଳୁଥିଲା ବେଳେ ଘଟଣା ଘଟିଛି । ଯେତେବେଳେ ପରିବାର ସଦସ୍ୟ ପିଲାଟିକୁ ଖୋଜିବାକୁ ବାହାରକୁ ଯାଇଥିଲେ ଓ ପାଟି କରି ଡାକିବାରୁ ସେତେବେଳେ ଶିଶୁର ସ୍ୱର ଶୁଭିଥିଲା ଗର୍ତ୍ତ ଭିତରୁ । ତୁରନ୍ତ ପରିବାର ସଦସ୍ୟ ଏହା ଜାଣିପାରି ୧୧୨କୁ ଫୋନ କରି ସହାୟତା ମାଗିଥିଲେ । ଶିଶୁର ନାମ ହେଉଛି ରାହୁଲ ସାହୁ । ବର୍ତ୍ତମାନ ଶିଶୁ ଉଦ୍ଧାର କାର୍ଯ୍ୟରେ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ, ଏନଡିଆରଏଫ ଏବଂ ସ୍ୱାସ୍ଥ୍ୟ ବିଭାଗର ଟିମ୍ ନିୟୋଜିତ ଅଛନ୍ତି । ଘଟଣାସ୍ଥଳରେ ଆଇଜି, ଡିଜି, କଲେକ୍ଟର ଏସପିଙ୍କ ସମେତ ବରିଷ୍ଠ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

ଶିଶୁଟିକୁ ନିରାପଦରେ ବାହାରକୁ ଆଣିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସିସିଟିଭି ମାଧ୍ୟମରେ ଶିଶୁର କାର୍ଯ୍ୟକଳାପ ଉପରେ ନଜର ରଖାଯାଉଛି । ଶିଶୁ ପାଖକୁ କଦଳୀ, ଫଳ ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ପଠାଯାଇଛି । ଶିଶୁ ସହ ପରିବାର ସଦସ୍ୟଙ୍କ କଥାବାର୍ତ୍ତା ହେଉଛି । ତା ସହ ମେଡିକାଲ୍ ଟିମ୍ ନିୟୋଜିତ ହେବା ସହ ଅମ୍ଳଜାନ ସିଲିଣ୍ଡର ରଖି ପାଇପ୍ ମାଧ୍ୟମରେ ଅମ୍ଳଜାନ ଭିତରକୁ ପଠାଯାଉଛି । ଚାରିଆଡେ ବ୍ୟାରିକେଡିଂ ଏବଂ ରାତି ସାରା ଉଦ୍ଧାର ଚାଲିଥିବାରୁ ଆଲୋକୀକରଣ କରାଯାଇଛି । ବର୍ତ୍ତମାନ ଦିନରେ ଖରାରେ ତାପମାତ୍ରା ବଢୁଥିବା ବେଳେ ବିକଳ୍ପ ବ୍ୟବସ୍ଥା କରାଯାଉଛି ।

NDRF ଦ୍ୱାରା JCB ରୁ ପ୍ରାୟ ୬୦ ରୁ ୬୫ ଫୁଟ ଖୋଳିବା ଦ୍ୱାରା ଏକ ଟନେଲ ତିଆରି ହେବାପରେ ଫଶି ରହିଥିବା ଶିଶୁ ପାଖରେ ପହଞ୍ଚିବା ସମ୍ଭାବନା ରହିଛି । ଶିଶୁଟିର ବାପାଙ୍କ କହିବା କଥା, ବୋରେଓ୍ୱଲଟି ପ୍ରାୟ ୮୦ ଫୁଟ ଗଭୀର । ଯାହା ସେ ତାଙ୍କ ଘର ପଛରେ କ୍ଷେତରେ ଖୋଳିଥିଲେ । ତେବେ ପାଣି ବାହାରୁ ନ ଥିବାରୁ ଏହାକୁ ଖୋଲା ଛାଡ଼ିଦେଇଥିଲେ ।