/odishatv-khabar/media/post_attachments/uploadimage/library/16_9/16_9_0/pollution_1741684966.jpg)
pollution
ମଙ୍ଗଳବାର ବିଶ୍ବର ସବୁଠାରୁ ଅଧିକ ପ୍ରଦୂଷିତ ସହର ଗୁଡିକର ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ୨୦ ସହର ମଧ୍ୟରୁ ଭାରତର ୧୩ଟି ସହର ସ୍ଥାନ ପାଇଛନ୍ତି। ସ୍ବିଜରଲାଣ୍ଡର କମ୍ପାନୀ ଆଇକ୍ୟୁ ଏୟାର ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ତାଲିକା ଅନୁସାରେ ଆସାମର ବିର୍ନିହାଟ ଏକ ନମ୍ବର ସ୍ଥାନରେ ରହିଛି। ତେବେ ଦିଲ୍ଲୀ ବିଶ୍ବର ସବୁଠାରୁ ଅଧିକ ପ୍ରଦୂଷିତ ରାଜଧାନୀ ଭାବେ ରେକର୍ଡ କରିଛି। ତେବେ ୨୦୨୪ ତୁଳନାରେ ଭାରତରେ ପ୍ରଦୂଷଣର ମାତ୍ରା ହ୍ରାସ ପାଇଛି। ୨୦୨୩ରେ ଭାରତ ପ୍ରଦୂଷିତ ରାଷ୍ଟ୍ର ମାନଙ୍କ ମଧ୍ୟରେ ୩ ନମ୍ବର ସ୍ଥାନରେ ରହିଥିବା ବେଳେ ବର୍ତ୍ତମାନ ୨ଟି ସ୍ଥାନ ଉପରକୁ ଉଠିଛି। ଭାରତରେ ପ୍ରଦୂଷଣ ସାମାନ୍ୟ ହ୍ରାସ ପାଇଥିଲେ ମଧ୍ୟ ଦେଶ ସବୁଠାରୁ ଅଧିକ ପ୍ରଦୂଷିତ ରାଷ୍ଟ୍ର ତାଲିକାରେ ପଞ୍ଚମ ସ୍ଥାନରେ ରହିଛି।
ପିଏମ ୨.୫ କନସେଣ୍ଟ୍ରେସନ ପାର୍ଟିକିଲରେ ୭ ପ୍ରତିଶତ ହ୍ରାସ ଘଟିଛି। ପ୍ରତି କ୍ୟୁବିକ ମିଟରରେ ୫୦.୬ ମାଇକ୍ରୋଗ୍ରାମ ପିଏମ ୨.୫ କନସେଣ୍ଟ୍ରେସନ ପାର୍ଟିକିଲ ରହିଥିବା ବେଳେ ୨୦୨୩ରେ ଏହି ସଂଖ୍ୟା ୫୪.୪ ରହିଥିଲା। ପ୍ରଦୂଷଣରେ ହ୍ରାସ ଘଟିଥିଲେ ମଧ୍ୟ ବିଶ୍ବର ୧୦ ପ୍ରଦୂଷିତ ସହରରୁ ୬ଟି ସହର ଭାରତର ରହିଛି । ଦିଲ୍ଲୀରେ ପିଏମ ୨.୫ କନସେଣ୍ଟ୍ରେସନ ପାର୍ଟିକିଲ ସ୍ତରରେ ସାମାନ୍ୟ ହ୍ରାସ ଘଟିଛି। ୨୦୨୩ରେ ଏହି ସଂଖ୍ୟା ୯୨.୭ ରହିଥିବା ବେଳେ ଚଳିତ ବର୍ଷ ଏହା ୯୧.୬ରେ ପହଞ୍ଚିଛି।
ଅଧିକ ପଢ଼ନ୍ତୁ: ଜାଗୃତିଙ୍କ ହାତରେ ଅନୁଭବଙ୍କ ମୁଦି; ଏହି ତାରିଖରେ ପଡ଼ିବ ହାତଗଣ୍ଠି!
ଭାରତର ୧୩ଟି ସହର ବିଶ୍ବର ୨୦ ପ୍ରଦୂଷିତ ସହର ମଧ୍ୟରେ ରହିଛି। ବିର୍ନିହାଟ, ଦିଲ୍ଲୀ, ମୁଲ୍ଲାନପୁର, ଫରିଦାବାଦ, ଲୋନି, ନୂଆଦିଲ୍ଲୀ, ଗୁରୁଗ୍ରାମ, ଗଙ୍ଗାନଗର, ଗ୍ରେଟର ନୋଇଡା, ଭିୱାଡି, ମୁଜାଫରନଗର, ହନୁମାନଗଡ ଓ ନୋଇଡା ଏହି ତାଲିକାରେ ସାମିଲ ଅଛନ୍ତି। ଭାରତର ୩୫ ପ୍ରତିଶତ ସହରରେ ପିଏମ ୨.୫ କନସେଣ୍ଟ୍ରେସନ ପାର୍ଟିକିଲ ସ୍ତର ଧାର୍ଯ୍ୟ ମାନଠାରୁ ୧୦ ଗୁଣ ଅଧିକ ରହିଛି । ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଧାର୍ଯ୍ୟ ମାନକ ଅନୁଯାୟୀ ଏହା ୫ ରହିବା ଉଚିତ।
ଭାରତରେ ବାୟୁ ପ୍ରଦୂଷଣ ଏକ ଭୟଙ୍କର ସମସ୍ୟା ଭାବେ ଉଭା ହୋଇଛି। ବାୟୁ ପ୍ରଦୂଷଣ କାରଣରୁ ଆୟୁଷରେ ପ୍ରାୟ ୫.୨ ବର୍ଷ ହ୍ରାସ ଦେଖିବାକୁ ମିଳିଛି। ଲାନ୍ସେଟ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ୨୦୦୯-୧୯ ମଧ୍ୟରେ ଭାରତରେ ପ୍ରାୟ ୧୫ ଲକ୍ଷ ବାୟୁ ପ୍ରଦୂଷଣ ଜନିତ ମୃତ୍ୟୁ ହୋଇଛି। ଭାରତରେ ବାୟୁ ପ୍ରଦୂଷଣ ସାମାନ୍ୟ ହ୍ରାସ ପାଇଥିବା ବେଳେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଆହୁରି ହ୍ରାସ ପାଇ ପାରିବ ବୋଲି କହିଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ବୈଜ୍ଞାନିକ ତଥା ସ୍ସାସ୍ଥ୍ୟ ମନ୍ତ୍ରାଳୟ ପରାମର୍ଶଦାତା ସୌମ୍ୟା ସ୍ବାମୀନାଥନ।
ପି ଏମ୍ ୨.୫ ଫୁସଫୁସ ଏବଂ ହୃଦୟ ଉଭୟ ପାଇଁ କ୍ଷତିକାରକ ବା ପ୍ରାଣଘାତକ ମଧ୍ୟ ହୋଇପାରେ। ଏହା ଦ୍ବାରା ନିମୋନିଆ, ଫୁସଫୁସର ସ°କ୍ରମଣ, ଫୁସଫୁସ କର୍କଟ, ହୃଦରୋଗ ଏବଂ ମସ୍ତିଷ୍କରେ ରକ୍ତସ୍ରାବର ଆଶଙ୍କା ଖୁବ୍ ବେଶି ବଢିଯାଏ। ଏହି ସବୁ ସମସ୍ୟା ବଢିଯାଏ ତଥା ନିମୋନିଆ, ଫୁସଫୁସର ସ°କ୍ରମଣ ଆଦି କାରଣରୁ ହସ୍ପିଟାଲରେ ଦାଖଲ ହେବା ବଢିଯାଏ। ରକ୍ତରେ ପ୍ରବେଶ କରି ରକ୍ତନଳୀର ପ୍ରିମ୍ୟାଚ୍ୟୋର୍ ଏଜି° ଏବଂ ଷ୍ଟେନୋସିସ୍ କରାଏ (ରକ୍ତନଳୀ ସ°କୀର୍ଣ୍ଣ ହେବା), ହୃଦରୋଗ ଏବଂ ହାମୋରେଜିକ୍ ଷ୍ଟ୍ରୋକର ଆଶଙ୍କା ମଧ୍ୟ ବଢିଯାଏ। ଛୋଟ ପିଲାଙ୍କ କ୍ଷେତ୍ରରେ ମଧ୍ୟ ଶ୍ବାସ ଜନିତ ସମସ୍ୟା ଦେଖାଯାଏ।
ପି ଏମ୍ ୨.୫ କ’ଣ : ପି ଏମ୍ ବା ପାର୍ଟିକୁଲେଟ୍ ମ୍ୟାଟର୍ କେବଳ ଗୋଟିଏ ପ୍ରଦୂଷଣକାରୀ ତତ୍ତ୍ୱ ନୁହେଁ, ଏହା ଅନେକ ଗୁଡିଏ ରାସାୟନିକ ଦ୍ରବ୍ୟ, କଠିନ ଏବଂ ଏରୋସଲ୍ ପଦାର୍ଥର ସମ୍ମିଶ୍ରଣ, ଶୁଖିଲା କଠିନ କଣିକା (କାଠ, କୋଇଲା, ପଥର କ୍ରସି°, ସିମେଣ୍ଟ କାମରୁ ସୃଷ୍ଟି), କ୍ଷୁଦ୍ର ତରଳ ପଦାର୍ଥ କଣିକା, ତରଳ ଆବରଣ ଯୁକ୍ତ କଠିନ ପଦାର୍ଥ କଣିକା, ଏ ସବୁର ସମ୍ମିଶ୍ରିତ କମ୍ପ୍ଲେକ୍ସ ପ୍ରଦୂଷଣକାରୀ ତତ୍ତ୍ୱ। ପାର୍ଟିକୁଲେଟ୍ ମ୍ୟାଟର ଯାହାର ଆୟତନ ୨.୫ ମାଇକ୍ରୋମିଟର ଠାରୁ ଛୋଟ ତାକୁ ପି ଏମ୍ ୨.୫ କୁହାଯାଏ (ମାନବ କେଶର ମୋଟେଇ ୫୦-୭୦ ମାଇକ୍ରୋମିଟର)। ପି ଏମ୍୧୦ (ପାର୍ଟିକୁଲେଟ୍ ମ୍ୟାଟର ଯାହାର ଆୟତନ ୧୦ ମାଇକ୍ରୋମିଟର ଠାରୁ ଛୋଟ)।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)