• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭାରତ ହାତରେ G-20ର ଅଧ୍ୟକ୍ଷ ପଦ । ଆଜି ବାଲିରେ G-20 ସମ୍ମିଳନୀ ଶେଷ ହୋଇଛି । ଏହା ପରେ ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ୱିଡୋଡୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ G-20ର ଅଧ୍ୟକ୍ଷତା ହସ୍ତାନ୍ତର କରିଛନ୍ତି । ଡିସେମ୍ବର ୧ ତାରିଖରୁ ବିଧିବଦ୍ଧ ଭାବେ ଭାରତ ଏହି ଅଧ୍ୟକ୍ଷ ପଦ ଗ୍ରହଣ କରିବ ।  ଆସନ୍ତା ବର୍ଷ ଭାରତର ଜୟପୁରରେ ହେବ G-20 ସମ୍ମିଳନୀ ।

ବାଲିରେ ହୋଇଥିବା ଦୁଇ ଦିନିଆ ସମ୍ମିଳନୀ ଶେଷ ହେବା ପରେ ଜି-୨୦ ଘୋଷଣାନାମାରେ କୁହାଯାଇଛି, ବର୍ତ୍ତମାନ ଯୁଦ୍ଧର ସମୟ ନୁହେଁ । ୟୁକ୍ରେନ ଯୁଦ୍ଧ ଶେଷ କରିବା ସପକ୍ଷରେ ମତ ଦେଇଛନ୍ତି ସମସ୍ତ ସଦସ୍ୟ ଦେଶ । ଆଣବିକ ଅସ୍ତ୍ର ପ୍ରୟୋଗ ବା ଏହାର ଭୟ ଦେଖାଇବା ଆଦୌ ଗ୍ରହଣୀୟ ନୁହେଁ । ସମସ୍ତ ବିବାଦର ସମାଧାନ ଶାନ୍ତି ଆଲୋଚନା ମାଧ୍ୟମରେ ହେବା ଉଚିତ । ରୁଷିଆ-ୟୁକ୍ରେନ ଯୁଦ୍ଧ ଅଷ୍ଟମ ମାସରେ ପହଞ୍ଚିଥିବାରୁ ଏହାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି । ଯୁଦ୍ଧ ଯୋଗୁଁ ବିଭିନ୍ନ ସଂକଟ ଦେଖାଦେଲାଣି । ଆଗରୁ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ୟୁକ୍ରେନ ଯୁଦ୍ଧ ଶେଷ କରିବାକୁ ଆହ୍ୱାନ ଦେଇଥିଲେ । ବର୍ତ୍ତମାନ ଯୁଦ୍ଧର ସମୟ ନୁହେଁ ବୋଲି ସେ ରୁଷିଆର ରାଷ୍ଟ୍ରପତି ପୁଟିନଙ୍କୁ କହିଥିଲେ ।

ଅଧିକ ପଢ଼ନ୍ତୁ: ବାଲିରେ କଟକ ବାଲିଯାତ୍ରା ବିଷୟରେ ଗୁରୁତ୍ୱପୂର୍ଣ୍ଣ କଥା କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଶୁଣନ୍ତୁ..

ଜି-୨୦ ଶିଖର ସମ୍ମିଳନୀ ପାଇଁ ମୋଦି, ଭାରତରେ ଏହାର ଲୋଗ ଓ ୱେବସାଇଟ ଲଞ୍ଚ କରିଥିଲେ । ଭାରତ ବର୍ଷକ ପାଇଁ ଜି-୨୦ର ଅଧ୍ୟକ୍ଷ ପଦରେ ରହିବ । ଏହି ଅବଧି ୨୦୨୨ ଡିସେମ୍ବର ୧ରୁ ଆରମ୍ଭ ହେବ । ଏହାପୂର୍ବରୁ ଆସନ୍ତା ଜି-୨୦ ଶିଖର ସମ୍ମିଳନୀର ଥିମ ‘ବିକାଶ ପାଇଁ ତଥ୍ୟ’ ରହିବ ବୋଲି ମୋଦି ସମସ୍ତଙ୍କୁ ସୂଚନା ଦେଇଛନ୍ତି । ମୋଦି କହିଥିଲେ, ଡିଜିଟାଲ ବିପ୍ଳବ ଆମ ଯୁଗର ସବୁଠାରୁ ବଡ଼ ପରିବର୍ତ୍ତନ । ଉପଯୁକ୍ତ ଡିଜିଟାଲ ଟେକ୍ନୋଲଜି ଦୀର୍ଘ ଦଶନ୍ଧି ଧରି ଦାରଦ୍ର୍ୟ ଦୂରିକରଣରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ।

ଅନ୍ୟପଟେ ଗତକାଲି ବାଲିରେ ବାଲିଯାତ୍ରା କଥା କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜି-୨୦ ସମ୍ମଳନୀରେ ଯୋଗ ଦେବାକୁ ଇଣ୍ଡୋନେସିଆର ବାଲି ଯାଇଥିବା ପ୍ରଧାନମନ୍ତ୍ରୀ ସେଠାରେ କଟକ ବାଲିଯାତ୍ରା କଥା ଉଲ୍ଲେଖ କରିଥିଲେ । ବାଲିରେ ଭାରତୀୟ କମ୍ୟୁନିଟିକୁ ସମ୍ବୋଧନ କରି ବାଲିଯାତ୍ରା କଥା ମନେ ପକାଇଥିଲେ । ଏଠାରୁ ୧୫ ଶହ କିମି ଦୂର କଟକରେ ବାଲିଯାତ୍ରା ମହୋତ୍ସବ ଚାଲିଛି ବୋଲି ମୋଦି କହିଥିଲେ । ଭାରତ-ଇଣ୍ଡୋନେସିଆ ବାଣିଜ୍ୟିକ ସଂପର୍କ ସ୍ମୃତିରେ ଏହି ବାଲିଯାତ୍ରା ଅନୁଷ୍ଠିତ ହେଉଥିବା କଥା କହିଥିଲେ । ବାଲିଯାତ୍ରା ହଜାରେ ବର୍ଷ ତଳର ଦୁଇ ଦେଶର ବାଣିଜ୍ୟିକ ସଂପର୍କ । ନେଟ୍‌ରେ ବାଲିଯାତ୍ରା ଫଟୋ ଦେଖି ଏଠିକା ଲୋକ ଗର୍ବିତ ଓ ଖୁସିହେବେ କହିଥିଲେ ।