• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଅବସର ପରେ ଶିକ୍ଷକଙ୍କୁ ବିଦାୟୀ କାଳୀନ ସମ୍ବର୍ଦ୍ଧନା ଉତ୍ସବରେ ଉପହାର ସୂରୁପ ଦିଆଗଲା ମୋଟରସାଇକେଲ, ସୁନା ମୁଦି ସାଙ୍ଗକୁ ପାଟ । ଅବସର କାଳୀନ ସମ୍ବର୍ଦ୍ଧନା ଦେବା ପାଇଁ ଏକତ୍ରୀତ ହୋଇଥିଲେ ଶହ ଶହ ପୁରାତନ ଛାତ୍ରଛାତ୍ରୀ । ଏଭଳି ଜଣେ ଆଦର୍ଶ ଶିକ୍ଷକ ହେଉଛନ୍ତି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ର ଶ୍ରୀରାଧାକୃଷ୍ଣ ବିଦ୍ୟାପୀଠର ଶିକ୍ଷକ ଅମୂଲ୍ୟ କୁମାର ପ୍ରଧାନ ।

ବିଦ୍ୟାଳୟ ୧୯୮୯ ମସିହାରେ ପ୍ରତିଷ୍ଠା ହେବା ଦିନଠାରୁ ସେ ଏହି ବିଦ୍ୟାଳୟରେ ଶିକ୍ଷକତା କରି ଆସୁଥିଲେ । ଶିକ୍ଷକତା ଭଳି ଏକ ପବିତ୍ର ବୃତ୍ତିରେ ଦୀର୍ଘ ୩୪ ବର୍ଷ କାଳ ଗୋଟିଏ ବିଦ୍ୟାଳୟରେ ରହି ସେ ନିଜ ଶିକ୍ଷକତା ଜୀବନରୁ ଅବସର ଗ୍ରହଣ କରିଛନ୍ତି । ନିଜ ଗାଁ ବିଦ୍ୟାଳୟ ବୋଲି ତାଙ୍କର ବିଦ୍ୟାଳୟ ପ୍ରତି ରହିଥିଲା ଅନେକ ଅବଦାନ । କେବଳ ଏତିକି ନୁହେଁ ପ୍ରାୟ ୨୦ ବର୍ଷ ପର୍ଯ୍ୟନ୍ତ ବିନା ପାରିଶ୍ରମିକରେ ସେ ଚାକିରୀ କରିଥିଲେ ।

ଅଧିକ ପଢ଼ନ୍ତୁ: ସାର୍‌ଙ୍କ ପାଇଁ ପିଲାଙ୍କ ଆଖିରେ ଲୁହ: ଅବସର ସମୟରେ ସଭିଙ୍କୁ କନ୍ଦାଇଲେ ପ୍ରଧାନ ଶିକ୍ଷକ

ନିଜ ଶିକ୍ଷକତା ଜୀବନ ଭିତରେ ସେ ପାଠ ପଢେଇଥିବା ଅନେକ ଛାତ୍ରଛାତ୍ରୀ ଆଜି ବହୁ ଉଚ୍ଚ ପଦବୀରେ ଅଧିଷ୍ଠିତ ହୋଇଛନ୍ତି । ଅମୂଲ୍ୟ ସାର ମୁଖ୍ୟତଃ ଇଂରାଜୀ ବିଷୟ ପିଲାଙ୍କୁ ପଢ଼ାନ୍ତି, ଆଉ ତା’ ସହ ସେ ଇତିହାସ ବି ପଢ଼ାନ୍ତି । ଶିକ୍ଷକତା ସହ ସେ ଜଣେ ସାହିତ୍ୟ ଅନୁରାଗୀ ମଣିଷ । ଅନେକ କବିତା ରଚନା କରିଛନ୍ତି ସେ । ନିଜ ଅଂଚଳର ଜଣେ ଜଣାଶୁଣା ସମାଜସେବୀ ଭାବେ ବି ବେଶ ପରିଚିତ ।

ନିଜ ଆଦର୍ଶ ଶିକ୍ଷକଙ୍କୁ ଅବସର ବେଳେ ନିଆରା ଢଙ୍ଗରେ ବିଦାୟ ଦେବା ପାଇଁ ପ୍ରଥମେ କିଛି ପୁରାତନ ଛାତ୍ର ପ୍ରସ୍ତୁତି ଆରମ୍ଭ କରିଥିଲେ । ଚାହୁଁ ଚାହୁଁ ଏଥିରେ ୩୪ ବର୍ଷ ତଳର ଛାତ୍ରଛାତ୍ରୀ ମାନେ ବି ଯୋଡି ହୋଇ ଏଭଳି ଏକ ସମ୍ବର୍ଦ୍ଧନା ଉତ୍ସବ କରିବା ପାଇଁ ଯୋଜନା ପ୍ରସ୍ତୁତ କଲେ । ଶେଷରେ ରବିବାର ଦିନ ତମାମ ଏରେଣ୍ଡ୍ର ଗ୍ରାମର ଶ୍ରୀରାଧାକୃଷ୍ଣ ବିଦ୍ୟାପୀଠ ପରିସର.. ସତେ ଯେମିତି କିଛି ପର୍ବପର୍ବାଣୀ କି ଯାତ୍ରା ଭଳି ମନେ ହେଉଥିଲା ।

ଅମୂଲ୍ୟ ସାରଙ୍କୁ ବିଦାୟ ଜଣେଇବା ପାଇଁ ନୂଆ ଓ ପୁରୁଣା ପିଲା ଏକତ୍ରୀତ ହୋଇଥିଲେ । ବ୍ୟାଣ୍ଡ ବାଜା ସହିତ ସାରଙ୍କୁ ଗ୍ରାମ୍ୟ ପରିକ୍ରମା କରାଯାଇ ସାରଙ୍କୁ ଉପହାର ସ୍ୱରୂପ ଏକ ମୋଟର ବାଇକ,ଗୋଟିଏ ସୁନା ମୁଦି,ଗୋଟିଏ ଏସି ଓ ବହୁ ମୂଲ୍ୟବାନ ସାମଗ୍ରୀ ପ୍ରଦାନ କରି ଭବ୍ୟ ବିଦାୟ ଦେଇଥିଲେ । ଶିକ୍ଷକ ଅମୂଲ୍ୟ ମଧ୍ୟ ବିଦ୍ୟାଳୟ ପାଇଁ କିଛି କରିବା ନେଇ ଘୋଷଣା କରିଥିଲେ। ସେ ନବମ ଏବଂ ଦଶମର ଟପର ଛାତ୍ରଛାତ୍ରୀଙ୍କୁ ପାଞ୍ଚ ହଜାର ଟଙ୍କା ବଞ୍ଚିଥିବା ପର୍ଯ୍ୟନ୍ତ ପ୍ରଦାନ କରିବେ । ଅବସର ପରେ ବ୍ଲକଗ୍ରାଣ୍ଟ ଶିକ୍ଷକ ଅମୂଲ୍ୟ ସାର୍‌ ପେନସନ ପାଇବେ ନାହିଁ । କିନ୍ତୁ ବିଦ୍ୟାଳୟ ପ୍ରତି ନିଜର ଆନ୍ତରିକତା ଯୋଗୁଁ କରିଛନ୍ତି ଏଭଳି ଘୋଷଣା ।

ଅଧିକ ପଢ଼ନ୍ତୁ: ପ୍ରିୟ ଶିକ୍ଷକଙ୍କ ଚାକିରିର ଶେଷ ଦିନ : କାନ୍ଦୁଛନ୍ତି ଛାତ୍ରଛାତ୍ରୀ, କାନ୍ଦୁଛନ୍ତି ସହକର୍ମୀ

ତେବେ ଅବସରକାଳୀନ ସଭାରେ ବହୁ ପୁରାତନ ଛାତ୍ର ଆଖିରୁ ଲୁହ ଗଡାଇ ନିଜ ପ୍ରିୟ ଅମୂଲ୍ୟ ସାରଙ୍କ ସ୍ମୃତି ରୋମନ୍ଥନ କରିଛନ୍ତି । କଥାରେ ଅଛି"ଗୁରୁଙ୍କୁ ନମଣିବ ନର,ଗୁରୁ ହିଁ ସାକ୍ଷାତ ଈଶ୍ୱର" । ଗୁରୁଙ୍କୁ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କ ସ୍ଥାନ ଦିଆଯାଇଛି । ଗତକାଲି ଏରେଣ୍ଡ୍ର ବିଦ୍ୟାଳୟରେ ଜଣେ ଗୁରୁଙ୍କୁ ଠାକୁରଙ୍କ ଭଳି ପୂଜାର୍ଚ୍ଚନା କରି ଏଭଳି ନିଆରା ବିଦାୟ ଦେବା ସବୁଦିନ ପାଇଁ ଗୁରୁ-ଶିଷ୍ୟ ସମ୍ପର୍କରେ ଏକ ସ୍ୱର୍ଣ୍ଣିମ ଅଧ୍ୟ।ୟ ହୋଇ ରହିଥିବ ଏଥିରେ ସନ୍ଦେହ ନାହିଁ ।