• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସରିଗଲା ୩୨ ବର୍ଷର ଯାତ୍ରା । କାନ୍ଦୁଛନ୍ତି ଛାତ୍ରଛାତ୍ରୀ, କାନ୍ଦୁଛନ୍ତି ସହକର୍ମୀ । ବର୍ଷ ବର୍ଷ ଧରି ସ୍କୁଲକୁ ନିଜ ଘର ପରି ଗଢି ତୋଳିଥିବା ପ୍ରଧାନ ଶିକ୍ଷକ ଚାକିରିରୁ ଅବସର ଗ୍ରହଣ କରିଛନ୍ତି । ଯେଉଁ ସ୍କୁଲରୁ ଚାକିରି ଆରମ୍ଭ ହୋଇଥିଲା ସେହି ସ୍କୁଲରେ ହିଁ ଶେଷ ହେଉଛି । ସେହି ଛାତ୍ରବତ୍ସଳ ପ୍ରଧାନ ଶିକ୍ଷକ ଜଣକ ହେଲେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ବାଙ୍କିପାଲି ପଚାଂୟତ ହାଇସ୍କୁଲର ନବୀନ କୁମାର ପାଢୀ । ଆଜି ତାଙ୍କର ଚାକିରିର ଶେଷ ଦିନ । ଆଉ ପ୍ରିୟ ସାରଙ୍କୁ ଭଜନ କୀର୍ତ୍ତନ ଓ ଡିଜେର ତାଳେତାଳେ ବିରାଟ ଶୋଭାଯାତ୍ରା କରି ସାରଙ୍କୁ ବିଦାୟ ଦିଆଯାଇଛି ।

ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ବାଙ୍କିପାଲି ପଚାଂୟତ ହାଇସ୍କୁଲର ପ୍ରଧାନ ଶିକ୍ଷକ ନବୀନ କୁମାର ପାଢୀ । ଜଣେ ଛାତ୍ରବତ୍ସଳ ଶିକ୍ଷକ । ନବୀନ ସାରଙ୍କ ଇଂରାଜୀ ପାଠ ପଢାଇବାର ଶୈଳୀ ତଥା ଛାତ୍ରବତ୍ସଳ ସ୍ୱଭାବ ତାଙ୍କୁ ସ୍ଥାନୀୟ ଅଚଂଳରେ ଜଣେ ଆଦର୍ଶ ଶିକ୍ଷକ ଭାବେ ପରିଚିତ କରାଇଛି । ଘର ଭଳି  ହାଇସ୍କୁଲର ସମସ୍ତ ଦାୟିତ୍ୱ ତୁଳାଉଥିଲେ ସେ । ଆଉ ଏଇଥିପାଇଁ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ଗହଣରେ ଆଦୃତି ଲାଭ କରିପାରିଥିଲେ  । ନବୀନ ସାରଙ୍କ ଭଳି ବ୍ୟକ୍ତିତ୍ୱ ଆଜିର ସମାଜରେ ଖୁବ୍ କମ ହିଁ ଦେଖିବାକୁ ମିଳିଥାନ୍ତି, ଯେଉଁମାନେ ନିଜ ଜୀବନକୁ ବିଦ୍ୟାଳୟ, ଛାତ୍ରଛାତ୍ରୀ ଏବଂ ଶିକ୍ଷକତାରେ ନିୟୋଜିତ କରିଥାନ୍ତି । ଆଉ ଏବେ ଅବସର ନେଇଥିବାରୁ ଗାଁରେ କାନ୍ଦବୋବାଳି ପଡ଼ିଛି କହିଲେ ଚଳେ ।

କାରଣ ଗୋଟିଏ ସ୍କୁଲରେ ଦୀର୍ଘ ୩୨ ବର୍ଷ ଧରି ଶିକ୍ଷକତା କରୁଥିଲେ ନବୀନ ସାର । ୧୯୯୦ ମସିହାରେ ୨୮ ବର୍ଷ ବୟସରେ ଏଇ ସ୍କୁଲରେ ପ୍ରଧାନ ଶିକ୍ଷକ ଭାବେ ଦାୟିତ୍ୱ ନେବା ସହିତ ନିଜ ଜୀବନ ଆରମ୍ଭ କରିଥିଲେ । ଆଉ ଏବେ ୩୨ ବର୍ଷ ପରେ ଏହି ସ୍କୁଲରୁ ହିଁ ଅବସର ନେଇଛନ୍ତି । ଛାତ୍ରଛାତ୍ରୀଙ୍କ ଭଲ ପାଇବା ଆଉ ସ୍କୁଲ ପ୍ରତି ଥିବା ମୋହ ପାଇଁ ଆଜି ତାଙ୍କ ଆଖିରେ ଲୁହ ଆଣିଦେଇଛି ।

ତାଙ୍କ ପାଇଁ ବିଦ୍ୟାଳୟ ପରିସରରେ ଆଜି ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ପ୍ରତି ଘର ସମ୍ମୁଖରେ ଗରା ବସାଇବା ସହ ତାଙ୍କ ପାଦ ଧୋଇ ଦେଇଛନ୍ତି ଲୋକେ । କେବଳ ଏତିକି ନୁହେଁ ଉପଢ଼ୌକନ ଦେଇ ଭଜନ କୀର୍ତ୍ତନ ଓ ଡିଜେର ତାଳେତାଳେ ପୁରାତନ ଓ ବର୍ତମାନର ଛାତ୍ରଛାତ୍ରୀ ତଥା ଗ୍ରାମବାସୀମାନେ ନାଚଗୀତ କରି ସାରଙ୍କୁ ବିଦାୟ ଦେଇଥିଲେ ।

(ରିପୋର୍ଟ- ବିନିକା,ଦିଲ୍ଲୀପ କୁମାର ସାହୁ)