• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପ୍ରଶାସନ ନଶୁଣିବାରୁ ଶେଷରେ ନିଜ ପାଇଁ ନିଜେ ସମାଧାନର ବାଟ ବାହାର କଲେ ଗାଁ ଲୋକେ । ସେ ସମସ୍ୟା ଏମିତି ସେମିତି ନୁହେଁ, ଯାହା ବିଶାଳ ଆଉ ଅସମ୍ଭବ ମଧ୍ୟ । ହେଲେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ହଦଗଡ଼ ପଞ୍ଚାୟତର ୪ଟି ଗାଁ ଲୋକଙ୍କ ଏକତା ସେ ବିଶାଳ ଚ୍ୟାଲେଞ୍ଜକୁ ଗ୍ରହଣ କରି ନିଜ ହାତରେ ପାହାଡ଼ କାଟି ନିଜ ପାଇଁ ତିଆରି କରିଛନ୍ତି ୮ କିଲୋମିଟର ଲମ୍ବର ସବୁଦିନିଆ ରାସ୍ତା ।

ଅଧିକ ପଢ଼ନ୍ତୁ: ଶୁଣିଲାନି ପ୍ରଶାସନ; ନିଜେ ଚାନ୍ଦା ଆଦାୟ କରି ପୋଲ ତିଆରି କଲେ ଗାଁ ଲୋକ

ପ୍ରଶାସନର ନାସ୍ତିବାଣୀ ବନାମ ଗାଁ ଲୋକଙ୍କ ଏକତା । ଅସମ୍ଭବ ବ୍ୟାପାର ବନାମ ଦୃଢ଼ ମନୋବଳ। ନିଜ ପୂର୍ବ ପୂରୁଷ ଯେଉଁ କାମକୁ ସ୍ୱପ୍ନ ବୋଲି ଭାବୁଥିଲେ, ତାକୁ ସତ କରି ଦେଖାଇଛନ୍ତି ଆଜିକାର ପିଢ଼ି ।  କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ ହଦଗଡ଼ ପଞ୍ଚାୟତ ଅଞ୍ଚଳର ରତ୍ନମରା, ଝୁଣାବାରୀ, ଦଲକି ଓ ପୀତାନାଉଗାଁ ଭଳି ୪ଟି ଗାଁ ଲୋକେ ଏବେ ନିଜ ପାଇଁ ତିଆରି କରୁଛନ୍ତି ସବୁଦିନିଆ ସ୍ଥାୟୀ ରାସ୍ତା ।

ବଣ, ପାହାଡ଼ ଘେରା ଦୁର୍ଗମ ଅଞ୍ଚଳରେ ବାସ କରୁଥିବା ଏଠାକାର ଲୋକେ, କେବେ ଘରୁ ବାହାରିବାକୁ ଚିନ୍ତା କଲେ, ଏମାନଙ୍କ ପାଇଁ ମୁଖ୍ୟ ପ୍ରତିବନ୍ଧକ ସାଜୁଥିଲା ରାସ୍ତା । ଏଥିପାଇଁ ପଞ୍ଚାୟତ କାର୍ଯ୍ୟାଳୟରୁ ଜିଲ୍ଲାପାଳ ଅଫିସ ଯାଏଁ ଦୌଡ଼ି ଦୌଡ଼ି କିଛି ଲାଭ ହୋଇନଥିଲା । ତେଣୁ ଶେଷରେ ହତୋତ୍ସାହିତ ନହୋଇ ବରଂ ୪ଟି ଗାଁ ଲୋକେ ଏକାଠି ହୋଇଥିଲେ । ଆଉ ନିଜ ହାତରେ ପାହାଡ଼ ଚିରି ରାସ୍ତା ତିଆରିର ଦୁର୍ବାର ପ୍ରାୟାସ ଆରମ୍ଭ କରିଥିଲେ ।

ହଦଗଡ଼ ପଞ୍ଚାୟତ ମୁଖ୍ୟାଳୟକୁ ପହଞ୍ଚିବାକୁ ହେଲେ ୪ଟି ଗାଁ ଲୋକଙ୍କୁ ଦରକାର ଥିଲା ୮ କିଲୋମିଟର ପାହାଡ଼ କାଟି ରାସ୍ତା ତିଆରି କରିବାର ଅସମ୍ଭବ ଲକ୍ଷ୍ୟ । ତେବେ ସେ ଲକ୍ଷ୍ୟ ହାସଲ କରିବାକୁ ଏକ ନିଆରା ଉପାୟ ପାଞ୍ଚିଥିଲେ ଗାଁ ଲୋକେ । ଦୈନିକ କାମ କରିବା ବଦଳରେ ସପ୍ତାହକୁ କେବଳ ଗୋଟିଏ ଦିନ ସୋମବାର ହିଁ ରାସ୍ତା ତିଆରି କାମରେ ଲାଗି ଯାଆନ୍ତି ୪ ଗାଁର ଆବାଳ ବୃଦ୍ଧବନିତା । ଆଉ ବର୍ଷକ ତଳେ ଆରମ୍ଭ ହୋଇଥିବା ଏ ଅଭିଯାନ ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ । ଦୁର୍ଗମ ଜଙ୍ଗଲ ଓ ବିଶାଳ ପଥର ଖଣ୍ଡ କାଟି ରାସ୍ତା ନିର୍ମାଣ କରିବାର ଯେଉଁ ପ୍ରକ୍ରିୟା ପ୍ରଶାସନ ପାଇଁ କଷ୍ଟକର ବ୍ୟାପାର ଥିଲା ସେହି କାମକୁ ଏବେ ସମ୍ଭବ କରି ଦେଖାଇ ଦେଇଛି ଗାଁ ଲୋକଙ୍କ ଏକତା ।

ଏକତା ଓ ଇଚ୍ଛାଶକ୍ତି ବଳରେ ଯେ, ଦୁନିଆରେ କିଛି ବି ଅସମ୍ଭବ ନୁହେଁ, ସେ କଥାକୁ ପୁଣି ପ୍ରମାଣ କରି ଦେଖାଇଛନ୍ତି କେନ୍ଦୁଝର ହଦଗଡ଼ ପଞ୍ଚାୟତର ୪ଟି ଗାଁର ଲୋକେ ।

କେନ୍ଦୁଝର ହାଟଡିହିରୁ ମୁନା ସିଂଙ୍କ ରିପୋର୍ଟ, ଓଟିଭି ...