• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

କାଠ ବାଉଁଶ ହଣା ଚାଲିଛି, ବଡବଡ କିଳା ପୋତା ଚାଲିଛି । ଆଉ ଧାଡି ଧାଡି ପିରିଖ କଣ୍ଟା ବାଡା ବି ଯାଉଛି । ଏ ସବୁ ଦେଖିଲେ ଯିଏନାହିଁ ସିଏ କହିବ ବୋଧହୁଏ ସେଠାରେ କିଛି ନିର୍ମାଣକାମ ଚାଲିଛି । ନିଜ ଯିବାଆସିବା ପାଇଁ ଏକାଠି ହୋଇ ପୋଲ ତିଆରି କରୁଛନ୍ତି ଗାଁ ଲୋକେ । ତେଣୁ ଏମିତି ଦୃଶ୍ୟ ଦେଖିବାକୁ ମିଳିବା ସ୍ୱାଭାବିକ କଥା ।

ନଡିଆ ଫଟାଇ ପୂଜାର୍ଚ୍ଚନା ହେଲା । ଆଉ ନାଲି ଫିତା କାଟି ପୋଲର ଉଦଘାଟନ ବଡ ଆଡମ୍ବର ସହାକାରେ ହେଲା । ଗୁରୁତ୍ୱପୂର୍ଣ୍ଣ କଥା ହେଲା ପୋଲର ଶୁଭ ଉଦଘାଟନ କରୁଛନ୍ତି ସରପଞ୍ଚ । ଏଠି ପ୍ରଶ୍ନ ଆସୁଥିବ ଆଜିକାଲି ପଡିଆଟିଏ ବି ଉଦଘାଟନ ହେଲେ ବଡବଡ ନେତାଏ ଆସୁଛନ୍ତି । ହେଲେ ନଈ ଉପରେ ଏତେ ବଡ ବ୍ରିଜ୍‌ର ଉଦଘାଟନ ସରପଂଚ କେମିତି କରିଦେଲେ ?

ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା କଲନରା ବ୍ଲକ୍ ଏମାଲିଗୁଡ଼ା ପାଖରେ ଥିବା ନାଗାବଳୀ ନଇ ଉପରେ । ବାରମ୍ବାର କହିବା ପରେ ବି ସ୍ଥାୟୀ ପୋଲଟିଏ ନିର୍ମାଣ କରିପାରିଲା ନାହିଁ ପ୍ରଶାସନ । ପୋଲ ନଥିବାରୁ ନଈ ଆରପଟକୁ କାମରେ ଗଲେ ୩୫ କିମି ବାଟ ବୁଲି ଯିବାକୁ ପଡେ । ତେଣୁ ପୋଲଟିଏ ନିର୍ମାଣ ପାଇଁ ବାରମ୍ବାର ଦାବି ହୋଇଥିଲା । କିନ୍ତୁ ଚୁପ୍‌ ରହିଥିଲା ପ୍ରଶାସନ । ପ୍ରଶାସନର ପାରିବା ପଣିଆକୁ ବୁଝିପାରିଥିଲେ ଲୋକେ। ସେଥିଲାଗି ନିଜେ ଚାନ୍ଦା କରି ତିଆରି କଲେ କାଠ ପୋଲ। ଯାହା ଉପରେ ପ୍ରତିଦିନ ୩ରୁ ୪ ହଜାର ଲୋକ ଯାଉଛନ୍ତି । ଖାଲି ଯାଉନାହାନ୍ତି ବରଂ ଯେଉଁଠି ୩୫ କିମି ବାଟ ଯିବାକୁ ପଡୁଥିଲା ସେଇଠି ଏବେ ଯିବାକୁ ପଡୁଛି ମାତ୍ର ୫ କିମି ରାସ୍ତା।

୨୦୧୭ ମସିହାରୁ ବର୍ଷାରେ ନାଗାବଳୀ ଉପରୁ ଭାସିଆଇଥିଲା ପୋଲ। ଯାହାଦ୍ୱାରା ନାହିଁନଥିବା ଅସୁବିଧାର ସାମ୍ନା କରୁଥିଲେ ଲୋକେ । ବାରମ୍ବାର ଦାବି ପରେ ୨୦୧୯ ମସିହାରେ ଗ୍ରାମ୍ୟ-ଉନ୍ନୟନ ବିଭାଗ ପକ୍ଷରୁ ୧୩ କୋଟି ଟଙ୍କା ବ୍ୟୟରେ ପୋଲ ନିର୍ମାଣ ପାଇଁ ଅନୁମତି ମିଳିଲା । କାମ ବି ଆରମ୍ଭ ହେଲା । କିନ୍ତୁ ବଡ ଆଶ୍ଚର୍ଯ୍ୟର କଥା, ଏହାରି ଭିତରେ ୪ ବର୍ଷ ବିତିଯାଇଥିଲେ ବି ଦୁଇଟି ପିଲର ଛଡ଼ା ଆଉ କିଛି ହୋଇନି ।

କିଛିଦିନର ନିରବତା ପରେ ପୁଣି ପୋଲ କାମ କରୁଛନ୍ତି ଠିକାଦାର । ହେଲେ କାମ ଯେମିତି ହେଉଛି ତାହା କେତେଦିନରେ ସରିବ ସେନେଇ କାହା ପାଖରେ କିଛି ସ୍ପଷ୍ଟ ସୂଚନା ନାହିଁ । ତେଣୁ ବର୍ଷାଦିନ ପୂର୍ବରୁ ନିଜସ୍ୱ ଉଦ୍ୟମରେ ପୋଲ ନିର୍ମାଣ କରିଛନ୍ତି ଗାଁ ଲୋକେ । ଝାଳବୁହା ପରିଶ୍ରମ ଓ ଗାଁ ଲୋକଙ୍କ ଟଙ୍କାରେ ପୋଲ ତିଆରି ହୋଇଥିବାରୁ ଏହାର ଉଦଘାଟନ କରିଛନ୍ତି ସରପଂଚ ।  ବିଳମ୍ବ ଓ ମନ୍ଥର ଗତିରେ ବ୍ରିଜ କାମ ହେଉଥିବା କଥାକୁ କିନ୍ତୁ ସ୍ୱୀକାର କରିଛନ୍ତି ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀଯନ୍ତ୍ରୀ । କହିଛନ୍ତି, ଚଳିତବର୍ଷ ଶେଷ ସୁଦ୍ଧା ବ୍ରିଜ୍‌ କାମ ସରିବ ।