/odishatv-khabar/media/post_attachments/uploadimage/library/16_9/16_9_0/Sambalpur_1698895178.jpg)
Sambalpur
ପ୍ରଥମେ ମଦ, ପରେ ଗଞ୍ଜେଇ ଓ କଫ ସିରଫ । ଏବେ ବ୍ରାଉନ ସୁଗାର କବଳରେ ସମ୍ବଲପୁର ସହର । ଗତ ୮ ମାସ ମଧ୍ୟରେ ସହରରେ ବ୍ରାଉନ ସୁଗାରର ଚେର ଲମ୍ବିବାରେ ଲାଗିଛି । ଏହାର ଶିକାର ହେଉଛନ୍ତି ଯୁବପିଢି । କୋଲକତା , ବାଲେଶ୍ୱର ଓ ଭଦ୍ରକ ଭଳି ଅଞ୍ଚଳରୁ ବ୍ରାଉନସୁଗାର ଆସି ସମ୍ବଲପୁରରେ ବେପାର ଚାଲୁଛି ।
ଆଲୁମିନିୟମ ଫଏଲ ମଧ୍ୟରେ ଛୋଟ ଛୋଟ ପୁଡ଼ିଆରେ ମିଳୁଛି ବ୍ରାଉନ ସୁଗାର । ବେଧଡ଼କ ଭାବେ ଚାଲିଛି ବେପାର । ନା ପୋଲିସର ଦୃଷ୍ଟି ଅଛି ନା ପ୍ରଶାସନର । ମାତ୍ର ୩୦୦ ଟଙ୍କା ଖର୍ଚ୍ଚ କଲେ ମିଳି ଯାଉଛି ଗୋଟେ ଗୋଟେ ପୁଡ଼ିଆ । ଆଜିର ଯୁବପିଢ଼ି ଏ ନିଶାରେ ଚୁର୍ ରହୁଛନ୍ତି । ଏଣୁ ବେପାର ମଧ୍ୟ ଭଲ ଚାଲିଛି । ଏଥିପ୍ରତି କାହାର ନିଘା ନାହିଁ ।
ଫେବ୍ରୁଆରୀରୁ ବର୍ତ୍ତମାନ ପର୍ଯ୍ୟନ୍ତ ସମ୍ବଲପୁର ସହରରେ ଅବକାରୀ ବିଭାଗ ୧୦୨ ଗ୍ରାମ ବ୍ରାଉନ ସୁଗାର ଜବତ କରି ସାରିଲାଣି । ଏ ମାମଲାରେ ୮ ଜଣଙ୍କୁ ମଧ୍ୟ ଗିରଫ କରିଛି । ଅନ୍ୟପଟେ ପୋଲିସ ମଧ୍ୟ ବ୍ରାଉନ ସୁଗାର ସହ କିଛି ବେପାରୀଙ୍କୁ ଗିରଫ କରିଛି । ଅନ୍ୟପଟେ ବ୍ରାଉନ ସୁଗାର ଖାଉଥିବା ଯୁବକ ବଖାଣିଛନ୍ତି ଛାତି ଥରା କାହାଣୀ । ନିଶା କବଳରେ ସେ ଏପରି ପଡ଼ିଥିଲେ ଯେ, ଶେଷରେ ଘରୁ ଚୋରି କରିବାକୁ ବାଧ୍ୟ ହେଲେ । କିଛିଦିନ ତଳେ ସେ ସୁଧାର ଗୃହରୁ ଭଲ ହୋଇ ଫେରିଛନ୍ତି ।
କେବେ ବନ୍ଦ ହେବ ଧଳା ଜହର ବେପାର? ପୋଲିସ ଏବଂ ପ୍ରଶାସନ ପାଖରେ ଏନେଇ ଖବର ଅଛି ତ ? ଦେଶର ଭବିଷ୍ୟତ ନିଶା କବଳରୁ କେବେ ମୁକୁଳିବ ? ଏମିତି ଅନେକ ପ୍ରଶ୍ନ ଉଠୁଛି । କିନ୍ତୁ ସମାଧାନ କେବେ ହେଉଛି ତାହା କେବଳ ଦେଖିବାକୁ ବାକି ରହିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)