ଗୋଟେପଟେ କାର୍ଯ୍ୟାନୁଷ୍ଠାନ ଚେତାବନୀ, ଅନ୍ୟପଟେ ଜିିଦରେ ଅଟଳ ଓକିଲ ସଂଘ। ସମ୍ବଲପୁର ସମେତ ରାଜ୍ୟ ର ୫ଟି ଓକିଲ ସଂଘ ଆନ୍ଦୋଳନକୁ ନେଇ ମୁହାଁମୁହିଁ ରାଜ୍ୟ ବାର କାଉନସିଲ ଓ ଆଞ୍ଚଳିକ ଓକିଲ ସଂଘ। ସମ୍ବଲପୁର ରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ଦାବିରେ ସମ୍ବଲପୁର ଓକିଲ ସଂଘ ଏବଂ ଅନ୍ୟାନ୍ୟ ଦାବି ନେଇ ରାଜ୍ୟର ଆଉ ୪ଟି ବାର ସଂଘ ଦୀର୍ଘ ଦିନ ଧରି ଆନ୍ଦୋଳନକୁ ଓହ୍ଲାଇଛନ୍ତିି। ଫଳରେ ଦୈନନ୍ଦିନର ନ୍ୟାୟିକ ଅଧିକାରରୁ ବଞ୍ଚିତ ହେଉଛନ୍ତି ସାଧାରଣ ଲୋକେ। ଓକିଲଙ୍କ ଏ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ପ୍ରଥମେ ସୁପ୍ରିମକୋର୍ଟ ଙ୍କ ନିର୍ଦ୍ଦେଶ ଓ ପରେ ବାର କାଉନସିଲ ଅଫ୍ ଇଣ୍ଡିଆ ଓ ରାଜ୍ୟ ଆଇନଜୀବୀ ପରିଷଦର ଚେତାବନୀ ପରେ ବି ନଛୋଡ଼ବନ୍ଦା ଆନ୍ଦୋଳନରତ ଓକିଲ।
ତେବେ ବାର କାଉନସିଲର ବାରମ୍ବାର ଚେତାବନୀ ପରେ କଟକ ବଡ଼ମ୍ବା, ଖୋର୍ଦ୍ଧା ଟାଙ୍ଗି, ଅନୁଗୁଳର ତାଳଚେର ଓ ପାଲଲହଡ଼ା ବାର ଆସୋସିଏସନ୍ ଆନ୍ଦୋଳନରୁ ଓହରିବାକୁ ଏକପ୍ରକାର ନିଷ୍ପତ୍ତି ନେଇଥିଲେ ବି କାର୍ଯ୍ୟାନୁଷ୍ଠାନ ଧମକ ସତ୍ତ୍ୱେ ସେବା ନିବୃତ୍ତ ନିଷ୍ପତ୍ତିରେ କାଏମ୍ ରହିଛି ସମ୍ବଲପୁର ଓକିଲ ସଂଘ।
ଏହା ପୂର୍ବରୁ ନଭେମ୍ବର ୧୬ ସୁଦ୍ଧା ଓକିଲମାନେ ଆନ୍ଦୋଳନ ପ୍ରତ୍ୟାହାର ନକଲେ ବାର କାଉନ୍ସିଲ ଅଫ ଇଣ୍ଡିଆରୁ ସଂପୃକ୍ତ ଓକିଲଙ୍କ ଲାଇସେନ୍ସ ସସପେଣ୍ଡ କରାଯିବ ବୋଲି କଡ଼ା ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ। ଏହି ମାମଲାରେ ସୁପ୍ରିମକୋର୍ଟ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ, ବାର୍ କାଉନସିଲ୍ ଅଫ ଓଡ଼ିଶା ଏବଂ ଓଡ଼ିଶାର ସମସ୍ତ ଜିଲ୍ଲାର ବାର୍ ଆସୋସିଏସନ୍କୁ ବ୍ୟକ୍ତିଗତ ଭାବରେ ସୁପ୍ରିମକୋର୍ଟରେ ହାଜର ହେବାକୁ ନିର୍ଦେଶ ଦେଇଥିଲେ।