ସୁପ୍ରିମକୋର୍ଟଙ୍କ ତାଗିଦ୍ ପରେ ବି ଜିଦ୍‌ରେ ଅଟଳ ଓକିଲ

ସମୟ ସକାଳ ପ୍ରାୟ ୧୦ଟା ହେବ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ସୁରକ୍ଷା ବଳରେ କୋର୍ଟକୁ ଆସୁଥିଲେ ବିଚାରପତି । କିନ୍ତୁ ଓକିଲଙ୍କ ସମେତ ବିଭିନ୍ନ ସଂଗଠନ ସଦସ୍ୟ ସାଜିଥିଲେ ପ୍ରତିବନ୍ଧକ । ଆନ୍ଦୋଳନକାରୀଙ୍କୁ ବୁଝାଇଥିଲେ ଅତିରିକ୍ତ ଏସପି ଓ ଏସ୍‌ଡିପିଓ ।

Lawyers & Police

ହାଇକୋର୍ଟ ବେଞ୍ଚ ଦାବି ନେଇ ବର୍ଷ ବର୍ଷ ଧରି ଆନ୍ଦୋଳନ କରି ଆସୁଥିବା ଆଇନଜୀବୀ ନା ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶକୁ ମାନୁଛନ୍ତି ନା ତାଗିଦ୍‌କୁ ଭୟ କରୁଛନ୍ତି । ଲାଇସେନ୍ସ ସସ୍‌ପେଣ୍ତର ଚରମ ଆଭିମୁଖ୍ୟ ସତ୍ତ୍ୱେ ନିରବଚ୍ଛିନ୍ନ ଆନ୍ଦୋଳନ ଜାରି ରଖିଛନ୍ତି ସମ୍ବଲପୁର ଏବଂ ଗଞ୍ଜାମ ଓକିଲ ସଂଘ । ସ୍ଥିତି ଏପରି ହୋଇଛି ଯେ, ଆଜି ସମ୍ବଲପୁର ରେ ପୋଲିସକୁ ହସ୍ତକ୍ଷେପ କରିବାକୁ ପଡ଼ିଛି ଏବଂ ଠେଲାଠେଲି ଭିତରେ ଆନ୍ଦୋଳନ ସ୍ଥଳର ଟେଣ୍ଟ ଭୁଶୁଡ଼ି ପଡ଼ିଛି । ଯାହାକୁ ନେଇ ଆଜି ମୁହାଁମୁହିଁ ଆଇନଜୀବୀ ଏବଂ ପୋଲିସ । ସେପଟେ ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ ଜାରି ରଖିଥିବା ଗଞ୍ଜାମ ଓକିଲ ସଂଘ ବି ଆନ୍ଦୋଳନରୁ ଓହରିବାର ନାଁ ଧରୁନି ।

ଅଧିକ ପଢ଼ନ୍ତୁ: ଏଣିକି ଆନ୍ଦୋଳନ କଲେ ଲାଇସେନ୍ସ ତ ଯିବ ତା’ସାଙ୍ଗକୁ ବନ୍ଧା ବି ହେବେ: ସୁପ୍ରିମକୋର୍ଟ

ଆଇନ୍‌ଜୀବୀଙ୍କ ଆନ୍ଦୋଳନ ଉପରେ ପୋଲିସର ପ୍ରହାର । ମୁହାଁମୁହିଁ ଓକିଲ ବନାମ ପୋଲିସ । କେତେବେଳେ ପୋଲିସ ଫୋର୍ସକୁ ଠେଲି ଦେଉଛନ୍ତି ଆଇନଜୀବୀ ତ ଆଉ କେତେବେଳେ ଆଇନଜୀବୀଙ୍କୁ ଠେଲି ପକାଉଛନ୍ତି ପୋଲିସ କର୍ମଚାରୀ । ପୋଲିସ-ଓକିଲ ଲଢ଼େଇର କୁରୁକ୍ଷେତ୍ର ସାଜିଛି ସମ୍ବଲପୁର କଚେରୀ ଛକ ।

ସମୟ ସକାଳ ପ୍ରାୟ ୧୦ଟା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ସୁରକ୍ଷା ବଳରେ କୋର୍ଟକୁ ଆସୁଥିଲେ ବିଚାରପତି । କିନ୍ତୁ ଓକିଲଙ୍କ ସମେତ ବିଭିନ୍ନ ସଂଗଠନ ସଦସ୍ୟ ସାଜିଥିଲେ ପ୍ରତିବନ୍ଧକ । ଆନ୍ଦୋଳନକାରୀଙ୍କୁ ବୁଝାଇଥିଲେ ଅତିରିକ୍ତ ଏସପି ଓ ଏସ୍‌ଡିପିଓ । ଏହାରି ଭିତରେ ଆରମ୍ଭ ହୋଇଯାଇଥିଲା ଛକାପଞ୍ଝା । ଶେଷରେ ସ୍ଥିତି ଏମିତି ହେଲା ଯେ, କଚେରୀ ଛକରେ ପ୍ରାୟ ଘଣ୍ଟାଏ ଧରି ଏମିତି ଚାଲିଲା ଧସ୍ତାଧସ୍ତି, ଠେଲାପେଲା, ମୁହାଁମୁହିଁ ପରିସ୍ଥିତି । 

 

ଏପରିକି ଭୁଶୁଡ଼ି ଯାଇଥିଲା ଆନ୍ଦୋଳନସ୍ଥଳୀର ଅସ୍ଥାୟୀ ଟେଣ୍ଟ । ଯାହାକୁ ନେଇ ଆହୁରି କ୍ଷୁବ୍ଧ ହୋଇଥିଲେ ଆନ୍ଦୋଳନକାରୀ । ହାଇକୋର୍ଟ ବେଞ୍ଚ ଦାବି ନେଇ ପୂର୍ବରୁ ମାସର ଶେଷର ୩ଟି କାର୍ଯ୍ୟଦିବସରେ ଆନ୍ଦୋଳନ କରୁଥିଲା ସମ୍ବଲପୁର ଓକିଲ ସଂଘ । ତେବେ ଗତ ୨ ମାସ ହେବ ନାଗରିକ କ୍ରିୟାନୁଷ୍ଠାନ କମିଟି ବ୍ୟାନରରେ ପ୍ରତି ବୁଧବାର ଆନ୍ଦୋଳନ କରିଆସୁଛି । ଆଜି ଘଟଣାସ୍ଥଳରେ ସମ୍ବଲପୁର ବିଧାୟକ ତଥା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ବି ଉପସ୍ଥିତ ରହି ଆନ୍ଦୋଳନକୁ ସମର୍ଥନ ଜଣାଇଥିଲେ । ଓକିଲ ସଂଘ କହିଛି, ଆଗକୁ ବି ଏଭଳି ଲଢ଼େଇ ଜାରି ରହିିବ । 

ହାଇକୋର୍ଟ ବେଞ୍ଚ ଦାବିକୁ ନେଇ ଆଇନଜୀବୀଙ୍କ ଆନ୍ଦୋଳନ ସମ୍ବଲପୁର ସହ ଗଞ୍ଜାମ, କୋରାପୁଟ, କଳାହାଣ୍ଡି, ବଲାଙ୍ଗିର ଭଳି ଅନେକ ଜିଲ୍ଲାରେ ଜାରି ରହିଛି । କିଛି ସ୍ଥାନରେ କ୍ରିୟାନୁଷ୍ଠାନ କମିଟି ବ୍ୟାନରରେ ମାସର ଗୋଟିଏ-ଦୁଇ ଦିନ ଆନ୍ଦୋଳନ ହେଉଛି । ଏଭଳି ଆନ୍ଦୋଳନକୁ ଦେଖି, ଗତ ୨୮ ତାରିଖରେ ସୁପ୍ରିମକୋର୍ଟ ଆନ୍ଦୋଳନକାରୀ ଆଇନଜୀବୀଙ୍କ ଲାଇସେନ୍ସ ସସ୍‌ପେଣ୍ଡର ଚରମବାଣୀ ଶୁଣାଇଥିଲେ । ବାର୍ କାଉନ୍‌ସିଲ୍ ଅଫ୍ ଇଣ୍ଡିଆକୁ ଲାଇସେନ୍ସ ସସ୍‌ପେଣ୍ଡର ନିର୍ଦ୍ଦେଶ ବି ଦେଇଥିଲେ । 

କେବଳ ଏତିକି ନୁହେଁ, ଭୌଗୋଳିକ ଦୃଷ୍ଟିକୁ ଦେଖି ଓଡ଼ିଶା ଏତେବଡ଼ ରାଜ୍ୟ ବି ନୁହେଁ ଯେ, ହାଇକୋର୍ଟ ବେଞ୍ଚର ଆବଶ୍ୟକତା ରହିଛି । ତେଣୁ ଆନ୍ଦୋଳନ ଅନାବଶ୍ୟକ । ନ୍ୟାୟିକ ଅଧିକାରୀ ଓ ମହକିଲଙ୍କୁ ସୁରକ୍ଷା ଦିଅ ବୋଲି ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ ଦେଶର ସର୍ବୋଚ୍ଚ ଅଦାଲତ । ଆବଶ୍ୟକସ୍ଥଳେ ଆନ୍ଦୋଳନକାରୀଙ୍କୁ ଗିରଫ ପାଇଁ ବି କହିଥିଲେ । ଏହାସତ୍ତ୍ୱେ ଆନ୍ଦୋଳନ ଜାରି ରଖିଛନ୍ତି ଓକିଲ ସଂଘ । ଗଂଜାମ ଓକିଲ ସଂଘ କହିଛି, ଦାବି ପୁରଣ ନ ହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ । 

ଓକିଲଙ୍କ ଏଭଳି ନିରବଚ୍ଛିନ୍ନ ଆନ୍ଦୋଳନ ଭିତରେ ଆଗକୁ କି ପଦକ୍ଷେପ ନେବେ ସୁପ୍ରିମକୋର୍ଟ ? ଡିସେମ୍ବର ୧୨ରେ ହେବାକୁ ଥିବା ପରବର୍ତ୍ତୀ ଶୁଣାଣିକୁ ଏବେ ଅପେକ୍ଷା ।