• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ମେଡିକାଲ୍ କଲେଜ୍ ଖୋଲିବା କଥା ଘୋଷଣା କରୁଛନ୍ତି । ହେଲେ କେମିତି ଚାଲିଛି ନୂଆ କରି ଗଢି ଉଠୁଥିବା ଏସବୁ ମେଡିକାଲ୍ କଲେଜ୍ ? ସେଠାରେ ପାଠପଢ଼ାର ବାସ୍ତବତା କଣ ? ଏସବୁ ପ୍ରଶ୍ନର ଉତ୍ତର RTI ତଥ୍ୟରୁ ମିଳିଛି । ଭାତ ହାଣ୍ଡିରୁ ଗୋଟିଏ ଚିପିବା ଭଳି ନିକଟରେ ମେଡିକାଲ୍ କଲେଜ୍ ଘୋଷଣା ହୋଇଥିଲା ।

କେନ୍ଦୁଝର ମେଡିକାଲ୍ କଲେଜରେ ୮୦ ପ୍ରତିଶତରୁ ଅଧିକ ଷ୍ଟାଫ୍ ନିଯୁକ୍ତ ହୋଇନାହାନ୍ତି । ମାତ୍ର ୧୯ ଜଣ ଠିକା କର୍ମଚାରୀରେ ଚାଲିଛି ଏହି ମେଡିକାଲ୍ କଲେଜ୍ । ନିକଟରେ ମୁଖ୍ୟମନ୍ତ୍ରୀ କେନ୍ଦୁଝର ମେଡିକାଲ୍ କଲେଜର ଉଦଘାଟନ କରିଛନ୍ତି । ଶହେ MBBS ସିଟ୍ ବିଶିଷ୍ଟ ଏହି ମେଡିକାଲ କଲେଜ ପାଇଁ ବିରାଟ ମେଡିକାଲ ଓ କଲେଜ୍ କୋଠା ମଧ୍ୟ ନିର୍ମାଣ ହୋଇଛି ।

ଅଧିକ ପଢ଼ନ୍ତୁ:୧୫ ମାସରେ ହକି ଷ୍ଟାଡିୟମ୍ ଶେଷ, ଦୀର୍ଘ ବର୍ଷ ହେଲା ସରୁନି ମେଡିକାଲ କଲେଜ-ରିଂ ରୋଡ୍ କାମ

ହେଲେ ମେଡିକାଲ୍ କଲେଜର ବାସ୍ତବତା ବଖାଣୁଛି ସୂଚନା ଅଧିକାର ଆଇନ ବଳରେ ମିଳିଥିବା ଏହି ତଥ୍ୟ । RTI ତଥ୍ୟ କହୁଛି, ଏଯାଏଁ ୮୦ ପ୍ରତିଶତରୁ ଅଧିକ ଷ୍ଟାଫ୍‌ ନିଯୁକ୍ତି ହୋଇନାହାନ୍ତି । ଏପରିକି ମେଡିକାଲ କଲେଜର ସୁପରିଟେଣ୍ଡେଣ୍ଟ ମଧ୍ୟ ଠିକାରେ ନିଯୁକ୍ତି ପାଇଛନ୍ତି ।

ବିଭାଗ ୱାରି ଦେଖିଲେ କେନ୍ଦୁଝର ହସ୍ପିଟାଲ ଓ ମେଡିକାଲ୍ କଲେଜରେ ଏମରଜେନ୍ସି ମେଡିସିନରେ ୯ଟି ସିନିୟର ରେସିଡେଣ୍ଟ ପଦବି ଥିବା ବେଳେ ୯ଟି ଯାକ ପଦବୀ ଖାଲି ରହିଛି । ସେହିଭଳି ଜେନେରାଲ ମେଡିସିନ ବିଭାଗରେ ଜଣେ ମାତ୍ର ପ୍ରଫେସର ଠିକାରେ ନିଯୁକ୍ତି ପାଇଥିବା ବେଳେ ୩ଟି ଯାକ ଆସୋସିଏଟ ପ୍ରଫେସର ପଦ ଖାଲି ରହିଛି ।

୪ ସିନିୟର ରେସିଡେଣ୍ଟ ଡାକ୍ତର ପଦବିରୁ ବି ୩ଟି ଖାଲି ପଡିଛି । ଡାକ୍ତରୀ ପାଠ ପଢିବା ପାଇଁ ଆନାଟୋମି ବିଭାଗ ହେଉଛି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ହେଲେ ଏହି ବିଭାଗରେ ଜଣେ ମାତ୍ର ପ୍ରଫେସର ନିଯୁକ୍ତ ହୋଇଥିବା ବେଳେ ତାହା ବି ଠିକା । ମୋଟାମୋଟି ଭାବେ ଦେଖିଲେ ମୋଟ୍ ୧୯ ଜଣ ଠିକା କର୍ମଚାରୀଙ୍କୁ ନେଇ କେନ୍ଦୁଝର ଜିଲ୍ଲା ମେଡିକାଲକୁ ମେଡିକାଲ କଲେଜ ଭାବେ ଘୋଷଣା କରିଛନ୍ତି ରାଜ୍ୟ ସରକାର ।

ଖାଲି କେନ୍ଦୁଝର ମେଡିକାଲ କଲେଜ ନୁହେଁ ବାଲେଶ୍ୱରର ଫକୀର ମୋହନ ମେଡିକାଲ କଲେଜ, ବଲାଙ୍ଗୀରର ଭୀମ ଭୋଇ ମେଡିକାଲ କଲେଜ, ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ମଧ୍ୟ ସମାନ ସ୍ଥିତି । ଏଭଳି ସ୍ଥିତିରେ ଡାକ୍ତରୀ ଛାତ୍ରମାନେ କିଭଳି ଗୁଣାତ୍ମକ ଶିକ୍ଷା ପାଇବେ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସୂଚନା ଅଧିକାର କର୍ମୀ ଓ ଓମସାର ପୂର୍ବତନ ସଭାପତି ।

ସ୍ୱାସ୍ଥ୍ୟ ବିଭାଗର ଯୁକ୍ତି କିନ୍ତୁ ଅଜବ । ସ୍ୱାସ୍ଥ୍ୟ ସଚିବଙ୍କ କହିବା ଅନୁସାରେ ରାଜ୍ୟରେ ୭ଟି ମେଡିକାଲ କଲେଜ କାର୍ଯ୍ୟକ୍ଷମ ହୋଇଥିବା ବେଳେ ଆଉ ୪ଟି ପାଇଁ ପଦକ୍ଷେପ ନିଆଯାଉଛି । ଠିକା ଡାକ୍ତର ନିଯୁକ୍ତି ପୂରଣ ପାଇଁ ୩ ହଜାର ଡାକ୍ତର OPSC ଅଧିନରେ ଚୟନ କରାଯାଇଛି । ସେପ୍ଟେମ୍ବର ସୁଦ୍ଧା ନିଯୁକ୍ତି ପତ୍ର ଦିଆଯିବ । ଏହା ପରେ ଆଉ ୫ହଜାର ପଦବୀରେ ନିଯୁକ୍ତି ଦିଆଯିବାକୁ ଯୋଜନା କରାଯାଇଛି ।