• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ ରେକର୍ଡ । ୧୫ ମାସରେ ରାଉରକେଲା ରେ ଛିଡ଼ା ହୋଇଛି ଏହି ଓ୍ୱାର୍ଲଡ୍ କ୍ଲାସ୍ ଷ୍ଟାଡିୟମ୍ । କମ୍ ସମୟ ମଧ୍ୟରେ ଏଭଳି ଏକ ବିଶ୍ୱସ୍ତରୀୟ ଷ୍ଟାଡିୟମ୍ ତିଆରି କରି ବାଃ ବାଃ ଗୋଟାଉଛନ୍ତି ନବୀନ ସରକାର । ଯାହା ସମ୍ଭବ ହୋଇଛି ପ୍ରଶାସନିକ କଳର ତତ୍ପରତା ଯୋଗୁଁ । କିନ୍ତୁ ଏଇଠି ପ୍ରଶ୍ନ ଉଠୁଛି ଯେଉଁ ତତ୍ପରତା ହକି ପାଇଁ ରହିଛି, ସେହି ତତ୍ପରତା ସୁନ୍ଦରଗଡ଼ ଜିଲ୍ଲା ରେ ଅନ୍ୟ ଭିତ୍ତିଭୂମି ନିର୍ମାଣ ବେଳେ କୁଆଡେ ଯାଉଛି ?

ସରକାରୀ ଉଦାସୀନତାର ମାଳ ମାଳ ଉଦାହରଣ ଭିତରୁ ଗୋଟିଏ ହେଲା କୁଆଁରମୁଣ୍ଡା ମେଡିକାଲ କଲେଜ୍ ୨୦୦୩ରେ ସୁନ୍ଦରଗଡ଼ କୁଆଁରମୁଣ୍ଡାଠାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ନିଜେ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ଜମି ଚିହ୍ନଟ ମଧ୍ୟ ହୋଇଥିଲା । କିନ୍ତୁ ୟା ଭିତରେ ସେହି ଜମି ଏବେ ଏକ  ଘରୋଇ କମ୍ପାନି ହାତରେ । ପ୍ରକଳ୍ପର ଅଗ୍ରଗତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସାଧାରଣ ଲୋକେ ।

ସେହିପରି ୨୦୧୪ ନିର୍ବାଚନ ପୁର୍ବରୁ ମୁଖ୍ୟମନ୍ତ୍ରୀ ରାଉରକେଲା ଗସ୍ତ ସମୟରେ କୋଏଲ୍ ନଦୀ ଉପରେ ବ୍ୟାରେଜ୍ ଓ ରିଙ୍ଗ୍ ରୋଡ୍ ପାଇଁ ଘୋଷଣା କରିଥିଲେ । ଏହି ଘୋଷଣାକୁ ବି ୯ ବର୍ଷ ବିତିଲାଣି ରିଂ ରୋଡ୍ ଏବେ ଖାଲି ଫଳକରେ । ସେପଟେ ବ୍ୟାରେଜ କାମ ୧୦ ବର୍ଷ ଭିତରେ ସେମିତି ଆଖିଦୃଶିଆ ଅଗ୍ରଗତି ହୋଇନି । ଯାହାକୁ ନେଇ ସାଧାରଣରେ ଅନେକ ପ୍ରଶ୍ନ ଉଠୁଛି ।

ଅଧିକ ପଢ଼ନ୍ତୁ: ବିର୍ସା ଷ୍ଟାଡିୟମ୍ ନିର୍ମାଣରେ ଖର୍ଚ୍ଚ ହୋଇଛି କେତେ ଟଙ୍କା ?

ପୂର୍ବରୁ ଘୋଷଣା ହୋଇଥିବା ଏପରି ଅନେକ ଯୋଜନାକୁ ନେଇ ତେଜିଛି ରାଜନୀତି । ୧୫ ମାସରେ ଯଦି ଷ୍ଟାଡିୟମ ନିର୍ମାଣ ହୋଇପାରୁଛି ତେବେ ଦୀର୍ଘ ଦିନରୁ ପଡିରହିଥିବା ମେଡିକାଲ୍ କଲେଜ ପ୍ରତିଶ୍ରୁତି କଥା କଣ ହେଲା ବୋଲି ପ୍ରଶ୍ନ କରିଛି ବିଜେପି । ବ୍ୟାରେଜ୍ ଓ ରିଂ ରୋଡ୍ କଥା ମଧ୍ୟ ସରକାର ଘୋଷଣା କରିଥିଲେ କିନ୍ତୁ ହେଲା ନାହିଁ । କାମ ନକରି ଲୋକଙ୍କୁ ମିଛ କହୁଥିବା ଅଭିଯୋଗ କରିଛି ବିଜେପି । ଜବାବରେ ବିଜେଡି କହିଛି ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ଼ ଜିଲ୍ଲାକୁ ଅନେକ କିଛି ଦେଇଛନ୍ତି । କୋଏଲ୍ ବ୍ୟାରେଜ କାମ ଆରମ୍ଭ ହୋଇଥିବା ବେଳେ ଖୁବ ଶୀଘ୍ର ଏହା ଶେଷ ହେବ ।

ରାଉରକେଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ବିଭିନ୍ନ ପ୍ରତିଶ୍ରୁତି ବର୍ଷ ବର୍ଷ ଧରି ପୂରଣ ହେଉନଥିବାରୁ ସମାଜସେବୀ ମୁକ୍ତିକାନ୍ତ ବିଶ୍ୱାଳ କିଛି ଦିନ ତଳେ ଭୁବନେଶ୍ୱର ଆସି ପ୍ରତିବାଦ କରିଥିଲେ । ନବୀନ ନିବାସ ନିକଟରେ ଏକ ହୋର୍ଡିଂ ଉପରେ ଚଢ଼ିଯାଇ ଆତ୍ମଦାହ କରିବାକୁ ଉଦ୍ୟମ କରିଥିଲେ ମୁକ୍ତିକାନ୍ତ ।