Advertisment

ହକି ବିଶ୍ୱକପ୍‌ ପାଇଁ BMCର ଦମନଲୀଳା: ରାତିରେ ସୂଚନା ଦେଲେ, ସକାଳୁ ବୁଲିଲା ବୁଲ୍‌ଡୋଜର...

ରାଜଧାନୀ ଭୁବନେଶ୍ୱରରେ ଉଠା ଦୋକାନୀଙ୍କ ପାଇଁ କାଳ ହୋଇଛି ହକି ବିଶ୍ୱକପ୍‌। ବର୍ଷ ବର୍ଷର ବେଉସା ଆଉ ପେଟ ପାଟଣା ଉପରେ ପଡ଼ିଛି ଚଡ଼କ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Hockey World Cup 2023

Hockey World Cup: Demolition Drive In Bhubaneswar

ରାଜଧାନୀ ଭୁବନେଶ୍ୱର ରେ ଉଠା ଦୋକାନୀଙ୍କ ପାଇଁ କାଳ ହୋଇଛି ହକି ବିଶ୍ୱକପ୍‌। ବର୍ଷ ବର୍ଷର ବେଉସା ଆଉ ପେଟ ପାଟଣା ଉପରେ ପଡ଼ିଛି ଚଡ଼କ। ଏୟାରପୋର୍ଟରୁ ରଘୁନାଥପୁର, ହଂସପାଳରୁ ପାତ୍ରପଡ଼ା  ରାଜଧାନୀ ରାସ୍ତାକଡ଼ରେ ଗୋଟିଏ ବି ଉଠାଦୋକାନ ବର୍ତ୍ତିପାରୁନି ବିଏମ୍‌ସିର ବୁଲ୍‌ଡୋଜର ଆଗରୁ। ରାତିରେ କହି ସକାଳେ ଭାଙ୍ଗୁଛି BMC। ତେଣୁ ସମୟ ଅଭାବରୁ କ’ଣ କରିବେ କ’ଣ ନାହିଁ ତାହା ଲୋକମାନେ ଜାଣପାରୁ ନାହାନ୍ତି। 

Advertisment

ସତେ ଯେମିତି BMC ର ବୁଲ୍‌ଡୋଜର ଉଠା ଦୋକାନୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। ଆଉ ମାଟିରେ ମିଶିଛି ବର୍ଷ ବର୍ଷର ବେଉସା। ହକି ବିଶ୍ୱକପ୍‌ ପ୍ରସ୍ତୁତି ପାଇଁ ବିଏମ୍‌ସିର ଏଭଳି ଦମନଲୀଳା ଦେଖିବାକୁ ମିଳିଛି। ରାତିରେ ସୂଚନା ଦେଲେ ସକାଳୁ ବୁଲିଲା ବୁଲ୍‌ଡୋଜର। ଏତେ କମ୍‌ ସମୟ ଯେ କ’ଣ ସାଇତିବେ କ’ଣ ଛାଡିବେ ଜାଣି ପାରିଲେନି ରାସ୍ତାକଡ଼ ଦୋକାନୀ।ପଟିଆ ବିଗବଜାର ଛକ ଅଞ୍ଚଳର ଜୟନ୍ତୀ ପାତ୍ର, ୧୦ ବର୍ଷ ହେଲା ଟେଲର ଦୋକାନ କରି ପେଟ ପୋଷୁଥିଲେ। ଅନେକ ଥର ସ୍ଥାୟୀ ଦୋକାନ ପାଇଁ ଆବେଦନ କରିଛନ୍ତି, ହେଲେ ଦୋକାନ ମିଳିଲା ନାହିଁ। ଆଉ ଏବେ ହକି ବିଶ୍ୱକପ୍‌ ପାଇଁ ସେହି ଦୋକାନକୁ ବି ହରାଇଲେ। ଏମିତି ସ୍ଥିତି ଆଉ ଦୁର୍ଦ୍ଦଶା ରାଜଧାନୀ ରାସ୍ତାକଡ଼ରେ ଥିବା ହଜାର ହଜାର ଦୋକାନୀଙ୍କର। ଶିଖରଚଣ୍ଡୀ ନଗର ନିକଟରେ ଏକ ଚର୍ଚ୍ଚ ଭାଙ୍ଗିବା ବେଳେ  ଶ୍ରଦ୍ଧାଳୁ କାନ୍ଦି କାନ୍ଦି ବିଏମ୍‌ସିକୁ ବିରୋଧ କରିଥିଲେ। ହେଲେ ବିଏମ୍‌ସି ଶୁଣିବାକୁ ନାରାଜ। 

ଅଧିକ ପଢ଼ନ୍ତୁ: ଏଥର ବି କ’ଣ ହେରଫେର୍‌ ! ମିଳିଲାନି ଟିକେଟ, କାଉଣ୍ଟର ଖୋଲିବା ପୂର୍ବରୁ ସୋଲ୍ଡ ଆଉଟ୍

Advertisment

ଅନ୍ୟପକ୍ଷେ, ବିଶ୍ୱକପ୍‌ ପାଇଁ ବିଡିଏ ଆଉ ବିଏମ୍‌ସିର ଯେମିତି ନିଦ ହଜି ଯାଇଛି। ସକାଳୁ ପାଦରେ ଚାଲି ଚାଲି ବୁଲୁଛନ୍ତି ବିଏମ୍‌ସି କମିଶନର ଓ ବିଡିଏ ଉପାଧ୍ୟକ୍ଷ ବଲବନ୍ତ ସିଂ। ଗତକାଲି ଆଚାର୍ଯ୍ୟ ବିହାରରୁ ଏଜି ଛକ ପୁଣି ଏଜି ଛକରୁ କଳ୍ପନା ପର୍ଯ୍ୟନ୍ତ ଚାଲି ଚାଲି ବୁଲି ସମୀକ୍ଷା କରିଥିଲେ। ବିଶେଷ କରି ଭିତ୍ତିଭୂମି, ସ୍ୱଚ୍ଛତା, ରାସ୍ତା ସମସ୍ୟା, ଟ୍ରାଫିକ, ପାର୍କିଂ, ଉଠା ଦୋକାନ ସବୁ ଦେଖିଥିଲେ। ଯେଉଁଠି ବି ସମସ୍ୟା ଦେଖୁଥିଲେ ସଙ୍ଗେସଙ୍ଗେ ମରାମତି ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଓମ୍‌ଫେଡ୍ ଷ୍ଟଲ ଗୁଡିକୁ ଚେତାବନୀ ଦେଇଛନ୍ତି କମିଶନର।  ନିଜ ଷ୍ଟଲର ୫ ମିଟର ପଯର୍ୟନ୍ତ ସ୍ୱଚ୍ଛତା ଏବଂ ଓଦା ଆଉ ଶୁଖିଲା ଅଳିଆ ଅଲଗା ଅଲଗା କରି ନଦେଲେ ୫ ହଜାର ଜରିମାନା ହେବ ବୋଲି ଚେତାବନୀ ଦେଇଛନ୍ତି।  ସେହିପରି ଓମ୍‌ଫେଡ୍‌ ଷ୍ଟଲ୍‌ରେ ଗୁଟ୍‌ଖା କିମ୍ଭା ସିଗାରେଟ୍‌ ରଖିଲେ ଚଢାଉ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି BMC କମିଶନର କହିଛନ୍ତି। 

ହାତରେ ଆଉ ମାତ୍ର ୧୫ ଦିନ ଥିବବେଳେ ଭୁବନେଶ୍ୱରକୁ କେତେ ସ୍ୱଚ୍ଛ ‌ଆଉ କେତେ ସୁନ୍ଦର କରିପାରୁଛି ପ୍ରଶାସନ ତା’ ଉପରେ ସମସ୍ତଙ୍କ ନଜର ରହିଛି।

(ରିପୋର୍ଟ-ସୌମ୍ୟ ରଞ୍ଜନ ସାହୁ, ଭୁବନେଶ୍ୱର)

Street Vendors Hockey World Cup Odisha Street Vendor Hockey World Cup 2023 BMC
Advertisment
Advertisment