• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ହକିପ୍ରେମୀଙ୍କ ମଧ୍ୟରେ ନିରାଶା । ନୂଆ ବର୍ଷ ଆରମ୍ଭରୁ ଓଡ଼ିଶାରେ ହେବାକୁ ଯାଉଛି ବିଶ୍ୱକପ୍ ହକି । ହେଲେ ହକି ଫ୍ୟାନ୍‌ଙ୍କୁ କିନ୍ତୁ ମିଳୁନି ଟିକଟ । ଘଣ୍ଟା ଘଣ୍ଟା ଧରି ଲମ୍ବା ଲାଇନରେ ଛିଡ଼ା ହୋଇ ନିରାଶ ହୋଇଛନ୍ତି ଶହ ଶହ ଟିକେଟ୍ ଆଶାୟୀ । ଆଜି ଉଭୟ ଭୁବନେଶ୍ୱର ଏବଂ ରାଉରକେଲା ରେ ଅଫଲାଇନ୍ ଟିକେଟ୍ ବିକ୍ରି ହେବାର ଥିବାବେଳେ ଲୋକେ ଭୋରରୁ ଲାଇନ୍ ଲଗାଇଥିଲେ । ଦିନ ୧୧ଟାରେ ଟିକେଟ୍ ବିକ୍ରି ହୋଇଥିଲା ହେଲେ କଳିଙ୍ଗ ଷ୍ଟାଡିୟମ୍‌ରେ ଜାନୁଆରୀ ୧୯ରେ ୱେଲ୍ସ ଓ ଭାରତ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ଲାଗି ମିଳିଲାନି ଟିକେଟ୍ ବରଂ ୧୩ ଏବଂ ୧୪ ତାରିଖରେ ହେବାକୁ ଥିବା ବିଦେଶୀ ମ୍ୟାଚର ଟିକେଟ୍ ଧରି ନିରାଶ ହୋଇ ଫେରିଛନ୍ତି ଅନେକ ।

ଖାଲି ସେତିକି ନୁହେଁ, କ୍ୱାର୍ଟର ଫାଇନାଲ, ସେମିଫାଇନାଲ ଓ ଫାଇନାଲ ମ୍ୟାଚ୍ ଟିକଟ୍ ମଧ୍ୟ ଆଜି ବିକ୍ରି କରାଯାଇନଥିଲା । ଏପରିକି ଫାଇନାଲ୍, ସେମିଫାଇନାଲ୍ ଓ କ୍ୱାର୍ଟର ଫାଇନାଲ୍ ଓ ୧୯ ତାରିଖ ମ୍ୟାଚ୍ ପାଇଁ ଯେଉଁମାନେ ଅନ୍ଲାଇନ୍‌ରେ ଟିକଟ୍ କରିଥିଲେ ସେମାନଙ୍କୁ ମଧ୍ୟ ଆଜି କାଉଣ୍ଟରରେ ଟିକଟ୍ ଦିଆଯାଇନଥିଲା କି ଏ ସଂପର୍କରେ ପୂର୍ବରୁ ସୂଚନା ଦିଆଯାଇନଥିଲା । ଏମିତି ଅବ୍ୟବସ୍ଥା ଭିତରେ ଅଫଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ ହୋଇଥିବା ବେଳେ ଅସନ୍ତୋଷ ପ୍ରକାଶ କରିଛନ୍ତି ହକି ପ୍ରେମୀ ।

ଅଧିକ ପଢ଼ନ୍ତୁ: ହକି ଫିଭର୍: ପୂଜା ମଣ୍ଡପରେ ଲାଗିବ ଏଲ୍ଇଡି ସ୍କ୍ରିନ, ଖେଳାଳିଙ୍କ କଟଆଉଟ୍

ହକିର ଏନ୍ତୁଡ଼ି ଶାଳ କହୁଯାଉଥିବା ସୁନ୍ଦରଗଡ଼ ରାଉରକେଲାରେ ମଧ୍ୟ ସମାନ ଅବସ୍ଥା । ୨୦ ହଜାର କ୍ଷମତା ବିଶିଷ୍ଟ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍‌ର ୨ ନମ୍ବର ଏବଂ ୬ ନମ୍ବର ଗେଟ୍ ଆଗରେ ଆଜି ଲାଗିଥିଲା ଲମ୍ବା ଲାଇନ । ନିର୍ଦ୍ଧାରିତ ସମୟଠାରୁ ପ୍ରାୟ ଦେଢ଼ ଘଣ୍ଟା ବିଳମ୍ବରେ ଟିକେଟ୍ ବିକ୍ରି ଆରମ୍ଭ ହୋଇଥିବା ବେଳେ ସମସ୍ତଙ୍କୁ ମିଳି ନଥିଲା ଟିକେଟ୍ । ରାଉରକେଲାରେ ଜାନୁୟାରୀ ୧୩ ଏବଂ ୧୫ରେ ଭାରତର ମ୍ୟାଚ୍ ରହିଛି । ୧୩ ତାରିଖ ମ୍ୟାଚ୍ ପାଇଁ ହାତ ଗଣତି କିଛି ଲୋକଙ୍କୁ ଟିକଟ୍ ବିକ୍ରି ହେବା ପରେ ତାହା ଶେଷ ହୋଇଯାଇଥିଲା । ସେହିପରି ୧୫ ତାରିଖ ମ୍ୟାଚ୍ ଟିକଟ୍ ମଧ୍ୟ ଅଳ୍ପ ସମୟ ମଧ୍ୟରେ ସୋଲ୍ଡ ଆଉଟ୍ ଘୋଷଣା କରାଯାଇଥିଲା ।

ଅନ୍ୟପକ୍ଷରେ ଆଜି ମୁଖ୍ୟ ସଚିବ ହକି ଷ୍ଟାଡିୟମ ପ୍ରସ୍ତୁତି ତଦାରଖ ପାଇଁ ରାଉରକେଲା ଯାଇଥିବା ବେଳେ ଟିକେଟ୍ ସମସ୍ୟାକୁ ନେଇ କହିଛନ୍ତି ଅନଲାଇନ୍‌ରେ ଟିକେଟ୍ ସରିଯାଇଥିବାରୁ ଅଫଲାଇନରେ ଟିକେଟ୍ ମିଳୁନି । ହେଲେ ଉଭୟ ଅନଲାଇନ୍- ଅଫଲାଇନ୍‌ରେ କେତେ ଲେଖାଏଁ ଟିକେଟ୍ ବିକ୍ରି ପାଇଁ ରଖାଯାଇଥିଲା ସେ ଉତ୍ତର କେହି ଦେବାକୁ ପ୍ରସ୍ତୁତ ନାହାନ୍ତି ।

୨୦୧୮ ହକି ବିଶ୍ୱକପ୍ ବେଳେ ମଧ୍ୟ ଟିକେଟ୍ ବିକ୍ରିକୁ ନେଇ ଅଶାନ୍ତି ସୃଷ୍ଟି ହୋଇଥିଲା । ଘଣ୍ଟା ଘଣ୍ଟାର ଅପେକ୍ଷା ପରେ ବି ଟିକଟ୍ ନମିଳିବା ଓ ଟିକଟ ଉପଲବ୍ଧତା ନେଇ ସଠିକ୍ ସୂଚନା ଦିଆଯାଉନଥିବାରୁ ଅନେକ ପ୍ରଶ୍ନ ଛି଼ଡା ହୋଇଛି ।