• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଭିତରେ ଖାଉଛି ରୋଗ । ଉପରେ ମାରୁଛି ସରକାରୀ କ୍ରୁରତା । ବଞ୍ଚିବେ ନା ମରିବେ ଆଶା ଆଶଙ୍କାରେ ରାଜ୍ୟର ଶହ ଶହ କିଡନୀ  ରୋଗୀ । ଭଦ୍ରକ ଅସୁରାଳି କାଶୀମପୁରର ମଞ୍ଜୁଲତା ମହାନ୍ତିଙ୍କ ଘରେ କିଡନୀ ରୋଗରେ ପଡିଛି ଭେଣ୍ଡିଆ ପୁଅ । ମାଆର ମମତା ଏତେ ଯେ, ପୁଅର ଜୀବନ ବଞ୍ଚାଇବାକୁ ଦେଇ ଦେଲେ ନିଜର ଗୋଟିଏ କିଡନୀ ।

ମାଗିଯାଚି ସିନା କିଡନୀ ଟ୍ରାନ୍ସପ୍ଲାଣ୍ଟ ବି କରାଇଲେ, ହେଲେ ପୁଅର ସ୍ୱାସ୍ଥ୍ୟକୁ ନେଇ ଅହରହ ଶଙ୍କାରେ ମଜୁଲତା । କାହିଁକି ନା ଔଷଧ ପାଇଁ ମାସିକ ଦରକାର ୧୫ ହଜାର ଟଙ୍କା । ସରକାର ଦେଉଥିବା ମେଡିସିନ ନିମ୍ନମାନର ଜଣାପଡିବା ପରେ ମଞ୍ଜୁଲତାଙ୍କ ମନରେ ଡର କାଳେ, ପୁଅର କିଛି ହେଇଯିବ । ସେଇ ଭୟରେ ସରକାରୀ ଔଷଧ ଦେଉନାହାନ୍ତି ।

ଏଣେ ଔଷଧ ନଖାଇଲେ ବି ଦେହ ଖରାପ ହେବା ଆଶଙ୍କା । ତେଣୁ ଦେହରେ ବଳ ନଥିଲେ ବି ପୁଅର ଜୀବନ ବଞ୍ଚାଇବା ଆଶାରେ ସରକାରଙ୍କ ନିକଟରେ ଗୁହାରୀ କରିବାକୁ ଭୁବନେଶ୍ୱର ଛୁଟି ଆସିଛନ୍ତି ବୃଦ୍ଧା ମଞ୍ଜୁଲତା ।

ପୁରୀ କର୍ପୁର ହରିଚନ୍ଦନପୁରର ସନାତନ ବିଶ୍ୱାଳଙ୍କ ଦୁଃଖ ତ ତାଠୁ ବଳି । ୨୪ ବର୍ଷର ଯୁବକ ସନାତନ ପରିବାରକୁ ସାହାରା ହେବା କଥା ମାତ୍ର କିଡନୀ ରୋଗରେ ପଡ଼ି ଓଲଟା ପରିବାର ଉପରେ ବୋଝ ପାଲଟିଛନ୍ତି । ୨୦୧୯ରେ ତାଙ୍କର କିଡନୀ ଟ୍ରାନ୍ସପ୍ଲାଣ୍ଟ ହୋଇଥିଲା । ମାତ୍ର କଟକ ବଡ଼ ମେଡିକାଲରୁ ମିଳୁଥିବା ଔଷଧ କାମ କରୁନଥିବା କହିଛନ୍ତି ସନାତନ । ଦେହ ଖରାପ ହେବାରୁ ବାଧ୍ୟ ହୋଇ ବାହାରୁ ମେଡିସିନ୍ କିଣି ଖାଉଛନ୍ତି । ତେବେ ମାସିକ ୧୦ ହଜାର ଟଙ୍କାର ମେଡିସନ ଯୋଗାଇବାକୁ ପରିବାରର ସାମର୍ଥ୍ୟ ନଥିବାରୁ ଭବିଷ୍ୟତକୁ ନେଇ ସନ୍ଦିହାନ ସନାତନ ।

କିଡନୀ ରୋଗୀଙ୍କୁ ସରକାର ଦେଉଥିବା ଔଷଧ ନିମ୍ନମାନର ବୋଲି ଜଣାପଡିିଥିଲା । ଏମିତିକି ଏହି ଔଷଧ ଖାଇ ୨୦ରୁ ଅଧିକ କିଡନୀ ରୋଗୀଙ୍କ ଜୀବନ ବି ଯାଇଥିବା ଅଭିଯୋଗ ହୋଇଛି । ସାଂଘାତିକ କଥା ହେଉଛି, ଏହି ମେଡିସିନ୍ ଉତ୍ପାଦନ କରୁଥିବା ଚଣ୍ଡିଗଡ଼ କଂପାନୀକୁ ସ୍ଥାନୀୟ ପ୍ରଶାସନ କଳା ତାଲିକାଭୁକ୍ତ ବି କରିଛି । ଆଉ ଏହାର ପ୍ରମାଣ ମଧ୍ୟ ଦେଖିବାକୁ ମିଳିଛି । ଏହାସତ୍ତ୍ୱେ ବି ସଂପୃକ୍ତ କଂପାନିଠୁ କାହିଁକି ମେଡିସିନ୍ କିଣୁଛନ୍ତି ସରକାର । ସେ ଉତ୍ତର କାହା ପାଖରେ ନାହିଁ ।

ଅନ୍ୟପକ୍ଷରେ ଔଷଧ ନିମ୍ନମାନର ବୋଲି ସରକାର ପୂର୍ବରୁ ସ୍ୱୀକାର କରିଥିଲେ ମଧ୍ୟ ରୋଗୀଙ୍କ ଜୀବନ ସହ କାହିଁକି ଖେଳୁଛନ୍ତି । ତାହା ବି ବୁଝାପଡୁନି । କଂପାନୀଠାରୁ ମୋଟା ଅଙ୍କର କିକ୍‌ବ୍ୟାକ୍ ଖାଇ ସରକାରୀ ଅଧିକାରୀ ରୋଗୀଙ୍କୁ ମୃତ୍ୟୁ ମୁହଁକୁ ଠେଲି ଦେଉନାହାନ୍ତି ତ ? ତାକୁ ନେଇ ଉଠିଛି ପ୍ରଶ୍ନ । ଅନ୍ୟପକ୍ଷରେ ସରକାର ଦେଉଥିବା ମେଡିସିନ୍ ଓଡ଼ିଶାର ଅନ୍ୟ କେଉଁଠି ବି ଉପଲବ୍ଧ ନାହିଁ ବୋଲି କହିଛନ୍ତି ବିଶେଷଜ୍ଞ ।

୩ ମାସରୁ ଅଧିକ କାଳ ଲୋୟର ପିଏମ୍‌ଜି ଧାରଣାରେ ବସିବା ପରେ ଗତ ମାସରେ ସରକାର ଭଲ ମେଡିସିନ୍ ଯୋଗାଇ ଦେଇଥିଲେ । ମାତ୍ର ଏ ମାସରେ ପୁଣି ସେଇ ଔଷଧ ଦେଇଛନ୍ତି । ଯାହାକୁ ନେଇ ରୋଗୀଙ୍କ ସଂପର୍କୀୟ ପୁଣି ଧାରଣାରେ ବସିଛନ୍ତି । 

ଆଜି ସ୍ୱାସ୍ଥ୍ୟ ବିଭାଗ ଆନ୍ଦୋଳନକାରୀଙ୍କୁ ଆଲୋଚନା ପାଇଁ ଡାକିଥିଲେ ମଧ୍ୟ ହାତ ଟେକି ଦେଇଛି । ଅନ୍ୟପକ୍ଷରେ ଆମେ ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା ସମ୍ଭବ ହେଇପାରିନାହିଁ ।

(ରିପୋର୍ଟ- ଭୁବନେଶ୍ୱରରୁ ସୌମ୍ୟ ରଞ୍ଜନ ସାହୁ)