• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପାର୍ବଣରେ ଟ୍ରାଫିକ୍ ଟେନ୍‌ସନ୍ । ପାର୍ବଣ ପୂର୍ବରୁ କମିଶନରେଟ ପୋଲିସ ପାଇଁ ଟ୍ରାଫିକ୍ ଚିନ୍ତା । ବିଭିନ୍ନ ସ୍ଥାନରେ ପାର୍କିଂ ବ୍ୟବସ୍ଥା ନଥିବାରୁ ବଢ଼ୁଛି ଚିନ୍ତା । ଅସମ୍ଭାଳ ଟ୍ରାଫିକ୍, ପାର୍ବଣ ଭିଡ ପରିଚାଳନାରେ ସାଜିବ କି ବାଧକ ? ନିଅଣ୍ଟିଆ ପାର୍କିଂ ଯୋଗୁଁ ସହରରେ ଉପୁଜିବ କି ଟ୍ରାଫିକ୍ ଜାମ୍ ସ୍ଥିତି ? ମେଢ଼ ବୁଲିବାକୁ ଯାଇ ଭିଡରେ ଫସି ଦହଗଂଜ ହେବେ କି ଶ୍ରଦ୍ଧାଳୁ ?

ଆଗକୁ ଦୁର୍ଗା ପୂଜା ଆସୁଥିବା ବେଳେ ପୂଜାରେ ଟ୍ରାଫିକ୍ ସ୍ଥିତିକୁ ନେଇ ଏବେଠୁ ଘାରିଲାଣି ଚିନ୍ତା । କୋଭିଡ୍ କଟକଣା କୋହଳ ପରେ ଅର୍ଥାତ ଦୁଇ ବର୍ଷ ପରେ ପୂଜା ହେଉଥିବାରୁ ଏଥର ଅଧିକ ଭିଡ଼ ହେବା ସମ୍ଭାବନା ରହିଛି । ପୂର୍ବ ବର୍ଷ ଅପେକ୍ଷା ଏଥର ଅଧିକ ଭିଡ଼ ଜମିବ ବୋଲି ଏବେଠୁ ଆଭାସ୍‌ ମିଳିଲାଣି । ତେବେ ରାଜଧାନୀ ର ଅଧିକାଂଶ ମଣ୍ଡପ ରାଜପଥ କଡ଼ରେ ଏବଂ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଥିବାରୁ ଭିଡ଼ ନିୟନ୍ତ୍ରଣ କରିବା କମିଶନରେଟ୍ ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ପାଲଟିବ ।

ରାଜଧାନୀରେ ବଢୁଥିବା ଟ୍ରାଫିକ୍ ସମସ୍ୟା, ପାର୍ବଣ ପୂର୍ବରୁ କମିଶନରେଟ ପୋଲିସ ପାଇଁ ଚିନ୍ତାର କାରଣ ପାଲଟିଛି । ଜନଗହଳିପୂର୍ଣ୍ଣ ଜାତୀୟ ରାଜପଥ କଡ଼ରେ ଥିବା ରସୁଲଗଡ ଦୁଗାପୂଜା ମଣ୍ଡପ ଦିଲ୍ଲୀର ଅକ୍ଷରଧାମ ମନ୍ଦିର ଆକୃତିରେ ଏଥର ତିଆରି ହେଉଛି ତୋରଣ । ମାତ୍ର ପାର୍କିଂ ବ୍ୟବସ୍ଥା ନଥିବାରୁ ଏଠାରେ ଭିଡ଼ ନିୟନ୍ତ୍ରଣ କରିବା ହେବ କାଠିକର ପାଠ ।

ଜାତୀୟ ରାଜପଥର ସର୍ଭିସ ରୋଡରେ ନିୟମିତ ଗାଡି ଚଳପ୍ରଚଳ କରିବା ଏବଂ ମଣ୍ଡପକୁ ଯିବା ଲାଗି ଶ୍ରଦ୍ଧାଳୁମାନେ ରାସ୍ତା ପାର ହେବାକୁ ଭିଡ଼ ଲଗାଇବା ଟ୍ରାଫିକ ସମସ୍ୟାକୁ ଦ୍ୱିଗୁଣିତ କରିବ । ଯାହାକୁ ନେଇ ଚିନ୍ତାରେ ପୂଜା ମଣ୍ଡପ କର୍ମକର୍ତ୍ତା ।

କେବଳ ଏହି ଗୋଟିଏ ସ୍ଥାନ କାହିଁକି, ରାଜଧାନୀରେ ଚଳିତ ଥର ୧୭୮ରୁ ଅଧିକ ମେଢ ନିର୍ମାଣ ହେଉଛି । ଏଥିମଧ୍ୟରୁ ଅଧିକାଂଶ ରାଜପଥ ଉପରେ ଏବଂ ଜନଗହଳିପୂର୍ଣ୍ଣ ମାର୍କେଟ ଅଞ୍ଚଳରେ ହେଉଥିବାରୁ ଭିଡ ନିୟନ୍ତ୍ରଣ ଏକ ପ୍ରମୁଖ ସମସ୍ୟା ହେବାକୁ ଯାଉଛି । ସେହିଭଳି ଜାତୀୟ ରାଜପଥ କଡରେ ଥିବା ନୟାପଲ୍ଲୀ ଦୁର୍ଗାପୂଜା ମଣ୍ଡପ ସ୍ଥିତି ବି ସମାନ । ପାର୍କିଂ ସୁବିଧା ନଥିବାରୁ ଭିଡ଼ ନିୟନ୍ତ୍ରଣ ପାଇଁ ୨୦୦ ସ୍ୱେଚ୍ଛାସେବୀଙ୍କୁ ନିଯୋଜିତ କରିବାକୁ ଲକ୍ଷ୍ୟ ରଖିଛନ୍ତି ପୂଜା ମଣ୍ଡପ କର୍ତ୍ତୃପକ୍ଷ ।

ଅନ୍ୟପଟେ ରାଜଧାନୀର ସବୁଠୁ ଜନଗହଳିପୂର୍ଣ୍ଣ କଟକ-ପୁରୀ ରୋଡ ନିକଟରେ ଥିବା ଷ୍ଟେସନ ବଜାର ପୂଜା ମଣ୍ଡପ କଥା ତ ନକହିବା ଭଲ । ଏଠାରେ ଦଶହରା ସମୟରେ ଅସମ୍ଭାଳ ଭିଡ଼ ହେବାର ସମ୍ଭାବନା ରହିଛି ।

କୋଭିଡ୍ କଟକଣା କୋହଳ ହେବା ପରେ ଚଳିତ ବର୍ଷ ଧୁମ୍‌ଧାମ୍‌ରେ ଆୟୋଜିତ ହେବାକୁ ଯାଉଛି ପୂଜା । ପୂର୍ବ ବର୍ଷ ଅପେକ୍ଷା ଏଥର ଅଧିକରୁ ଅଧିକ ଭିଡ଼ ହେବା ସମ୍ଭାବନା ରହିଛି । ଏଭଳି ସ୍ଥିତିରେ ଭିଡ଼ ନିୟନ୍ତ୍ରଣ ପାଇଁ ବାଟ ନବାହାରିଲେ ସ୍ଥିତି ଅସମ୍ଭାଳ ହେବ ବୋଲି କହିଛନ୍ତି ରାଜଧାନୀ ବାସିନ୍ଦା । ଅନ୍ୟପଟେ ପୂଜାକୁ ନେଇ ସ୍ୱତନ୍ତ୍ର ଏସ୍ଓପି କରାଯାଉଛି । ମଣ୍ଡପରେ ଚଳିତ ବର୍ଷ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯିବ ବୋଲି ଟ୍ରାଫିକ୍ ଡିସିପି କହିଛନ୍ତି । ସେହିପରି ମଣ୍ଡପରେ ଥିବା ଭଲ୍ୟୁଣ୍ଟରମାନଙ୍କୁ ମଧ୍ୟ ଟ୍ରାଫିକ ନିୟନ୍ତ୍ରଣରେ ନିୟୋଜିତ କରାଯିବ ଏବଂ ଆବଶ୍ୟକ ପଡ଼ିଲେ ଟ୍ରାଫିକ୍ ଡାଇଭର୍ସନ୍ କରାଯିବ ବୋଲି ଟ୍ରାଫିକ୍ ଡିସିପି କହିଛନ୍ତି ।

(ରିପୋର୍ଟ- ଆଲୋକ ମହାନ୍ତି, ଭୁବନେଶ୍ୱର)