• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ମାନବିକତା ଦେଖାଇଲେ ୭୦ ବର୍ଷୀୟ ବୃଦ୍ଧ । ଅନାଥ ପିଲାଙ୍କୁ ସାହାଯ୍ୟର ହାତ ବଢ଼ାଇଲେ । ଏକାସାଙ୍ଗେ ବାପାମାଆଙ୍କୁ ହରାଇଥିବା ଶିଶୁଙ୍କ ମୁଖରେ ହସ ଆଣିବା ପାଇଁ ସୁଦୂର ଗଞ୍ଜାମରୁ ଲୁନା ଚଲାଇ ଭଦ୍ରକ ଆସି ପହଞ୍ଚିଲେ । ଗତ ୨ତାରିଖ ଦିନ ଭଦ୍ରକ ବଣିଆ ଗ୍ରାମର ସ୍ତ୍ରୀର ଶୁଦ୍ଧି କାର୍ଯ୍ୟ ଚାଲିଥିବାବେଳେ ସ୍ୱାମୀର ମୃତ୍ୟୁ ହେବା ଘଟଣା ଯାହା ସାରା ରାଜ୍ୟରେ ଏକ ଦୁଃଖ ଏବଂ ଆଲୋଡ଼ନ ସୃଷ୍ଟି କରିଥିଲା । ଏହି ଖବର ଯାହା ସମସ୍ତଙ୍କ ଆଖିରୁ ଲୁହ ଆଣିଦେଇଛି ।

ଗଣମାଧ୍ୟମ ଜରିଆରେ ଏହି ଘଟଣାକୁ ଦେଖିବା ପରେ ଗଞ୍ଜାମର ୭୦ବର୍ଷର ବୃଦ୍ଧ ମଧୁସୂଦନ ପାତ୍ର ଅନାଥଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି । ସବୁଠୁ ଆଶ୍ଚର୍ଯ୍ୟ କଥା ହେଲା ବୟସ୍କ ଜଣକ କାନକୁ କିଛି ଶୁଭୁ ନଥିବାବେଳେ ସୁଦୂର ଗଞ୍ଜାମରୁ ଲୁନା ଗାଡ଼ିରେ ଆସି ସହାୟତା କରିବା ପାଇଁ ପହଞ୍ଚିଥିଲେ ଭଦ୍ରକ ବଣିଆ ଗ୍ରାମରେ । ଚର୍ମ ଧୁଡୁ ଧୁଡୁ ଅବସ୍ଥାରେ ୩୫୦ କିମି ରାସ୍ତା ଅତିକ୍ରମ କରି ଦୁଇ ଦିନ ପରେ ଆଜି ଭଦ୍ରକ ବଣିଆରେ ପହଞ୍ଚିଥିଲେ । ଅନାଥ ଶିଶୁଙ୍କ ପରିବାର ଲୋକଙ୍କୁ ଭେଟି ସଞ୍ଚିଥିବା ୧୦ ହଜାର ଟଙ୍କାକୁ ଛୁଆଙ୍କ ହାତକୁ ବଢ଼ାଇ ଦେଇଥିଲେ ।

କାନକୁ ଶୁଭୁ ନଥିବା ଏବଂ ଠିକ୍ ସେ ଦେଖା ଯାଉନଥିବା ଜଣେ ବୃଦ୍ଧଙ୍କ ଏଭଳି ସାହସ ଯାହା ସମସ୍ତଙ୍କୁ ଚକିତ କରିଛି । ତେବେ ଏଭଳି ସାହାଯ୍ୟ ଏବଂ ସହାନୁଭୂତି ଯାହା ଆଜିର ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି।

ବାସ୍ତବରେ ୧୦ ଦିନ ତଳେ ଜଣଙ୍କ ଘର ସାମ୍ନାରୁ ଉଠିଥିଲା କୋକେଇ, ବାଉଁଶ ବନ୍ଧାଯାଇଥିଲା, କୋକେଇରେ ଶବ ବି ବନ୍ଧା ଯାଇଥିଲା । ଆଉ ଡାକ ପଡୁଥିଲା ରାମ ରାମ ସତ୍ୟ ହେ…ହରିନାମ ସତ୍ୟ ହେ । ମାଆକୁ ହରାଇ କାନ୍ଦି କାନ୍ଦି ଅସ୍ଥିର ହୋଇଯାଉଥିଲେ ପିଲା । ମାଆ ଚାଲିଯିବାର ଦୁଃଖ ମନରୁ ଯାଇନଥିଲା,ହେଲେ ଆଉ ଏକ ଦୁଃଖ ମାଡ଼ି ଆସିଲା । ୧୦ ଦିନ ଖିଅର ହେଉଥିଲେ ପରିବାର ଓ ବନ୍ଧୁ ପରିଜନ। ଆଉ ଏତିକି ବେଳେ ଘାଟ ମୁଣ୍ଡକୁ ଖବର ଗଲା,  ବାପାଙ୍କର ଦେହାନ୍ତ ହୋଇଗଲା। ଆଉ ଏ ଖବର ଶୁଣିବା ପରେ ଘାଟରୁ ଘରକୁ ଦୌଡିଥିଲେ ପିଲା, ପରିବାର ଓ ବନ୍ଧୁବାନ୍ଧବ।

୧୦ ଦିନ ତଳେ ମାଆକୁ ହରାଇଥିବା ପିଲା ପୁଣି ବାପାଙ୍କୁ ହରାଇବା କଷ୍ଟ ଯେ କେତେ ତାହାକୁ କେଉଁ ଶବ୍ଦରେ ଆମେ ବର୍ଣ୍ଣନା ବା କରିବୁ? ଯେଉଁ ବୟସରେ ବାପା-ମାଆଙ୍କ ସ୍ନେହ ଆଉ ଆଦରରେ ପିଲା ଦୁହେଁ ବଢିବା କଥା, ସେହି ସମୟରେ ଏତେ ବଡ଼ ଦୁନିଆରେ ପିଲାମାନେ ଅନାଥ ହୋଇଗଲେ ।

ରିପୋର୍ଟର- ପାର୍ଥସାରଥୀ ନାୟକ