• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କଥାରେ ଅଛି ଦଇବ ଦଉଡ଼ି, ମଣିଷ ଗାଈ, ଯୁଆଡ଼େ ଟାଣଇ, ସିଆଡ଼େ ଯାଇ । ଦିନ କେଇଟା ଆଗରୁ ବାପାମାଆଙ୍କ ଅଲିଅଳି ସାଜିଥିବା ଦୁଇ କୁନି ଛୁଆ ଯେପରି ଦଇବର କ୍ରୁରତାର ଶିକାର ହୋଇଛନ୍ତି । ତାହା ଜାଣିଲେ ଆପଣଙ୍କ ଆଖିରୁ ବି ଲୁହ ଗଡ଼ି ଆସିବ । ମାତ୍ର ୧୦ ଦିନ ବ୍ୟବଧାନରେ ଉଭୟ ବାପ-ମାଆ ତାଙ୍କୁ ଛାଡ଼ି ଆରପାରିକୁ ଚାଲିଯାଇଛନ୍ତି । ଯାହାଫଳରେ ଦୁଇ କୁନି ଛୁଆ ଏବେ ସମ୍ପୂର୍ଣ୍ଣ ଅନାଥ ।

ଦୁଇ ହଳ ଆଖି, ଚାରିଆଡ଼େ ବଲବଲ କରି ଚାହୁଁଛନ୍ତି । ମନକୁ ମନ ବି ପଚାରୁଛନ୍ତି କାହିଁକି ଏ କୋଳାହଳ ? କାହିଁକି ଘର ଚାରିପାଖରେ ଲୋକଙ୍କ ଭିଡ଼ ? କୋକେଇରେ ବାପାଙ୍କୁ କୁଆଡେ ନେଇଯାଉଛନ୍ତି ? ହେଲେ ସେମାନେ ଜାଣିନାହାନ୍ତି ଯେ, ଦଇବ ସେମାନଙ୍କ ଭାଗ୍ୟରେ ଲେଖିଛି ବିଚିତ୍ର ନ୍ୟାୟ । ଦୁନିଆ କଣ ଜାଣିବା ଆଗରୁ ସେମାନେ ହୋଇଯାଇଛନ୍ତି ଅନାଥ ।

୧୦ ଦିନ ବ୍ୟବଧାନରେ ବାପା-ମାଆ ଦୁହେଁ ସାଜିଛନ୍ତି ପରପାରୀର ବାଟୋଇ । ଭଦ୍ରକ ବ୍ଲକ ବଣିଆ ପଞ୍ଚାୟତ ପେଡ଼ାସାହିର ଦୁଇ ଶିଶୁଙ୍କ ପ୍ରତି ଏଭଳି ନିଷ୍ଠୁର ହୋଇଛି ଦଇବ । ଗାଁ ଲୋକ ମିଳିମିଶି ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି । ଆଗକୁ ଶୁଦ୍ଧିକ୍ରିୟା ବି କରିବେ । ହେଲେ ଦୁଇ ଅନାଥ ଶିଶୁ ବଞ୍ଚିବେ କେମିତି ? ଖାଇବେ କଣ ? କିଏ ତାଙ୍କୁ ପାଳିବ ? କାହା ଛତ୍ରଛାୟା ତଳେ ରହିବେ ? ଏ କଥା କିଏ ବୁଝିବ ? 

ଗାଡ଼ି ଚଳାଇ ସଂସାରର ଗାଡ଼ିକୁ ଆଗକୁ ନେଇଥିଲେ ମୃତ ନରହରି ପେଡ଼ା । ସ୍ତ୍ରୀ ଇତିଶ୍ରୀ,୫ ବର୍ଷିୟା ଝିଅ ପ୍ରଭାତୀ ଓ ୨ ବର୍ଷର ପୁଅ ପ୍ରେମ୍‌ଙ୍କୁ ନେଇ ହସଖୁସିରେ କଟୁଥିଲା ଦିନ । ହଠାତ ନରହରି ଅସୁସ୍ଥ ହୋଇ ଶଯ୍ୟାଶାୟୀ ହୋଇଗଲେ । ସ୍ତ୍ରୀ ଇତିଶ୍ରୀ ସାଧ୍ୟ ମତେ ଭଦ୍ରକ ଓ କଟକ ମେଡିକାଲ ନେଇ ଚିକିତ୍ସା ବି କରାଇଥିଲେ । ହେଲେ ଆର୍ଥିକ ଅନଟନର ମାଡ଼ରେ ଅଧାରେ ରହିଯାଇଥିଲା ଚିକିତ୍ସା । ପରେ ମଧୁମେହ ଓ କିଡ୍‌ନୀ ରୋଗ ବି ମାଡ଼ି ବସିଥିଲା ନରହରିଙ୍କୁ ।

ସ୍ୱାମୀଙ୍କ କଷ୍ଟ ଦେଖିନପାରି ମନମାରୀ ଜିଉଁଥିବା ଇତିଶ୍ରୀଙ୍କୁ ବି ଗ୍ରାସିଥିଲା ଟିବି । ରୋଗ କଷ୍ଟ ସହନପାରି ଶେଷରେ ଅଗଷ୍ଟ ୨୪ରେ ସେ ଆଖି ବୁଜିଥିଲେ ।  ଆଉ ଶୁକ୍ରବାର ତାଙ୍କର ଦଶାହ କର୍ମ ଥିବାବେଳେ, ନରହରି ବୁଜିଥିଲେ ଆଖି ।

 

ଏଭଳି ପରିସ୍ଥିତିରେ ଦୁଇ ଅନାଥ ଶିଶୁ ଏବେ ବୃଦ୍ଧ ଜେଜବାପା କାର୍ତ୍ତିକ ପେଡାଙ୍କ ଭରସାରେ । ହେଲେ ବୟସର ଅପରାହ୍ନରେ ପହଞ୍ଚିଥିବା ଅବଶ ଶରୀର ଏହି କଅଁଳ କଢ଼ିଙ୍କୁ କେତେ ଦିନ ସାଥିରେ ନେଇ ଚାଲିପାରିବ । ସେପଟେ ଜିଲ୍ଲାପାଳ କହିଛନ୍ତି, ରେଡକ୍ରସରୁ ଆର୍ଥିକ ସହାୟତା ସହ ଦୁଇ ପିଲାଙ୍କ ପାଇଁ ଆଶ୍ରମ ସ୍କୁଲର ବ୍ୟବସ୍ଥା କରିବେ ।

(ରିପୋର୍ଟ:ପାର୍ଥସାରଥୀ ନାୟକ, ଭଦ୍ରକ)