• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ମହାପ୍ରଭୁ ଶ୍ରୀଜଗନ୍ନାଥ ଲୀଳାମୟ ଠାକୁର । ମହାପ୍ରଭୁଙ୍କର ବହୁ ପର୍ବପର୍ବାଣି ଅନୁଷ୍ଠିତ ହୁଏ । କୁହାଯାଇଛି– ‘ବାର ମାସରେ ତେର ପର୍ବ ।’  ଏହି ‘ତେର’ ସଂଖ୍ୟାଟି ବେଶ୍ ସାଙ୍କେତିକ । ଅବଶ୍ୟ ମହାପ୍ରଭୁଙ୍କର ଗୋଟିଏ ବର୍ଷ ମଧ୍ୟରେ ବାର ଗୋଟି ପ୍ରଧାନ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଏହାବ୍ୟତୀତ ଶ୍ରୀମନ୍ଦିରରେ ଅନେକ ପର୍ବପର୍ବାଣୀ, ଯାତ୍ରା, ଉପଯାତ୍ରା ପାଳିତ ହୁଏ । ବିଭିନ୍ନ ଯାନିଯାତ୍ରାର ଏକ ମହୋତ୍ସବ ପୀଠ ହେଉଛି ଶ୍ରୀମନ୍ଦିର । ମହାପ୍ରଭୁଙ୍କର ଦ୍ୱାଦଶଯାତ୍ରା ମଧ୍ୟରେ ଶୟନଯାତ୍ରା ଅନ୍ୟତମ । ଆଷାଢ଼ ମାସ ଶୁକ୍ଳ ପକ୍ଷ ଏକାଦଶୀ ତିଥିରେ ମହାପ୍ରଭୁଙ୍କର ଶୟନଯାତ୍ରା ପାଳିତ ହୁଏ ।

ଏହା ଭାଗବତରେ ଉଲ୍ଲେଖ ରହିଛି-

‘‘ଆଷାଢ଼େ ଶୁକ୍ଳ ପକ୍ଷେ ତୁ ଚୈକାଦଶ୍ୟାଂ ବିଶେଷତଃ ନିଶାୟାଂ ଚ ସ୍ଵପେତ୍ ବିଷ୍ଣୁ ଜନମଙ୍ଗଳ ହେତବେ ।’’

ଅର୍ଥାତ୍ ଆଷାଢ଼ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥି ରାତି ସମୟରେ ଜନମଙ୍ଗଳ ଉଦ୍ଦେଶ୍ୟରେ ବିଷ୍ଣୁ ଶୟନ ଯାଆନ୍ତି । ଆଷାଢ଼ ଶୁକ୍ଳ ଏକାଦଶୀ ହେଉଛି ‘ହରିଶୟନ’ ଏକାଦଶୀ । ଏହି ଦିନଠାରୁ କାର୍ତ୍ତିକ ଶୁକ୍ଳ ଏକାଦଶୀ ପର୍ଯ୍ୟନ୍ତ, ଚାରିମାସ ବ୍ୟାପୀ ଭଗବାନ ହରି ବା ଶ୍ରୀବିଷ୍ଣୁ ଶୟନ କରିଥାନ୍ତି । 

ହରି ଶୟନ ଏକାଦଶୀ ବିଷୟରେ ଜୈମିନୀ ଋଷି ଅନ୍ୟ ଋଷିମାନଙ୍କୁ କଥା ପ୍ରସଙ୍ଗରେ କହିଥିଲେ- କର୍କଟ ରାଶିରୁ ସୂର୍ଯ୍ୟଦେବ ଯିବା ସମୟରେ ଆଷାଢ ମାସର ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ମାସର ଶୁକ୍ଳପକ୍ଷ ଏକାଦଶୀ ପର୍ଯ୍ୟନ୍ତ, ବର୍ଷକ ମଧ୍ୟରେ ଏହି ଚାରିମାସ ଭଗବାନ ହରି ଶୋଇଥାନ୍ତି । ଏହି ହରିଶୟନ ଏକାଦଶୀର ମହତ୍ତ୍ଵ ଅନେକ ରହିଛି । ଯେଉଁ ବ୍ୟକ୍ତି, ମନୁଷ୍ୟ ଜନ୍ମକୁ ଧନ୍ୟ କରିବାକୁ ଚାହାଁନ୍ତି, ସେ ଅନ୍ୟାନ୍ୟ ସତ୍ କର୍ମ କରୁ କି ନକରୁ ପୁରୁଷୋତ୍ତମ କ୍ଷେତ୍ରରେ ଆଷାଢ ମାସର ଶୁକ୍ଳ ଏକାଦଶୀରେ ଭଗବାନଙ୍କ ଶୟନ ମହୋତ୍ସବ ପାଳନ କରିବା ଏକାନ୍ତ ଆବଶ୍ୟକ ।

ଶ୍ରୀ ମନ୍ଦିରରେ ହରିଶୟନ

ଏହି ଏକାଦଶୀରେ ଶ୍ରୀଜୀଉଙ୍କର ବଡସିଂହାର ଭୋଗ ଲାଗି କରାଯାଏ । ମହାସ୍ନାନ ହେବାପରେ ଭଣ୍ଡାର ଘରୁ ଶୟନଠାକୁର ତିନିମୂର୍ତ୍ତି ତିନି ବାଡ଼କୁ ବିଜେ କରନ୍ତି । ବଡ଼ବାଡ଼ର ଶୟନଠାକୁର ହେଉଛନ୍ତି ବାସୁଦେବ । ମଝି ବାଡ଼ର ଠାକୁର ହେଉଛନ୍ତି ଭୁବନେଶ୍ଵରୀ । ମହାପ୍ରଭୁଙ୍କ ବାଡ଼ର ଶୟନଠାକୁର ହେଉଛନ୍ତି ନାରାୟଣ । ତିନିମୂର୍ତ୍ତି ଶୟନଠାକୁର ବିଜେ ପରେ ମହାସ୍ନାନ ବଢ଼େ । ଏହି ସମୟରେ ବଳଭଦ୍ର, ସୁଭଦ୍ରା, ଓ ଜଗନ୍ନାଥ ରଥ ଉପରେ ବିଜେ କରିଥା’ନ୍ତି ।

ସର୍ବାଙ୍ଗଲାଗି, ନୂଆ ପତନିଲାଗି, ମାଳଫୁଲଲାଗି ଶେଷ ହେବା ପରେ ପାଣି ପଡ଼ ଟେରା ବନ୍ଧାଯାଏ । ବଡ଼ସିଂହାର ଭୋଗ ବଢ଼େ । ଏହି ପୂଜା ଷୋଡ଼ଶ ଉପଚାର ବିଧିରେ ହୋଇଥାଏ । ଭୋଗପରେ କର୍ପୂର ଆଳତି ବଢ଼େ । ତା’ପରେ ତିନିଠାକୁର ହାତରେ ବିଜେ ହୋଇ ଭଣ୍ଡାରଘର ଦ୍ଵାର ନିକଟକୁ ଯାତ୍ରା କରନ୍ତି । ଶୟନ ଘରେ ପୂର୍ବରୁ ଶେଯ, ଉପାଧାନ ପ୍ରଭୃତି ପ୍ରସ୍ତୁତି ହୋଇ ରହିଥାଏ । ଠାକୁରମାନେ ଏଥିରେ ଶୟନ କରନ୍ତି । ଏହାପରେ ପ୍ରସାଦ ଲାଗି, ପୁଷ୍ପାଞ୍ଜଳି, କର୍ପୂରଆଳତି ଓ ବନ୍ଦାପନା କରାଯାଇ ଶୟନଘରଦ୍ଵାର ମଦନମୋହନଙ୍କ ମୁଦରେ ମୁଦ ଦିଆଯାଇ ବନ୍ଦ କରାଯାଏ । ଶୟନ ଯାତ୍ରା ଦର୍ଶନ କଲେ ବହୁ ପୁଣ୍ୟଫଳ ମିଳିଥାଏ  ବୋଲି ବିଶ୍ଵାସ ରହିଛି ।

ଏକାଦଶୀ ବ୍ରତ ପାଳନ  

ଆଷାଢ଼ ମାସ ଶୁକ୍ଳପକ୍ଷ ଏକାଦଶୀଠାରୁ କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀ ପର୍ଯ୍ୟନ୍ତ  ଉତ୍ତମ ରୂପେ ଧର୍ମ ଆଚରଣ କରିବା ଉଚିତ ବୋଲି ବିଚାର କରାଯାଇଥାଏ । ଯେଉଁ ମନୁଷ୍ୟ ଏହି ବ୍ରତ କରେ, ସେ ପରମଗତି ପ୍ରାପ୍ତ ହୁଏ । ଏଣୁ ଅତି ଯତ୍ନରେ ଏହି ଏକାଦଶୀ ବ୍ରତ କରିବା ଉଚିତ୍ । ଏକାଦଶୀ ରାତିରେ ମହାଦୀପ ଉଠିବା ସମୟରେ ଓ ବିଭିନ୍ନ ଆଳତି ସମୟରେ ଯଥାବିଧି ରୀତିରେ ଭାଗନେବେ । ଶେଷରେ ରାତି ଅନିଦ୍ରା ରହି ଦୀପ ଦାନ କରି ରାତି କଟାଇବେ । ପରଦିନ  ବ୍ରାହ୍ମଣମାନଙ୍କୁ ଯଥାଶକ୍ତି ଭୋଜନ କରାଇ ନୂଆ ଲୁଗା, ନଡିଆ ଦକ୍ଷିଣା ପ୍ରଭୃତି ଦାନ କରାଇ ନିଜେ ଦ୍ବାଦଶୀ ଯଥା ବିଧି ପାରାୟଣ କରିବେ । 

ଏହା ବ୍ୟତୀତ ନିଯୋଗ ସେବକମାନଙ୍କ ପରାମର୍ଶ କ୍ରମେ ବନ୍ଦାପନା ଓ ଚଳନ୍ତି ପ୍ରତିମାଙ୍କ ବିମାନରେ ବେଢା ପ୍ରଭୃତି ଯେଉଁ ବ୍ରତରେ ଯାହା ସମାପନ କରିବା କଥା ତାହା ନିଶ୍ଚିତ ଭାବେ କରିବେ । କାରଣ ଏହି ଦ୍ବାଦଶ ଯାତ୍ରା ବିଧିରେ ଭାବ ଓ ଭକ୍ତି ପ୍ରଧାନ ଏବଂ ଶ୍ରୀ ମନ୍ଦିରର ପ୍ରଚଳିତ ନିୟମ ହିଁ ମାନି ଚଳିବାକୁ ହେବ । ଏକାଦଶୀ ଓ ଦ୍ବାଦଶୀ ପରେ ଓ ରଥରେ ଠାକୁରଙ୍କ ସୁନାବେଶ ଦର୍ଶନ ଯାହା ଗୁଣ୍ଡିଚା ଯାତ୍ରାର ଏକ ଅଙ୍ଗ । ତାକୁ ବି ପାଳନ କରି, ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ଶ୍ରୀକ୍ଷେତ୍ରରେ ରହି ଅଧରପଣା ପହଣ୍ଡି ପ୍ରଭୃତି ବିଭିନ୍ନ କାର୍ଯ୍ୟକ୍ରମ ଦର୍ଶନ କରି ଓ ଶ୍ରୀମନ୍ଦିର ଅବଢ଼ା ସେବନ କରି ଦ୍ବାଦଶ ଯାତ୍ରାର ହରି ଶୟନ ଏକାଦଶୀ ଓ ଗୁଣ୍ଡିଚା ଯାତ୍ରାର ବିଧି ସମାପନ କରିବେ । 

ଏହି ବ୍ରତ କରୁଥିବା ମନୁଷ୍ୟର ପୁଣ୍ୟର ଗଣନା କରିବାକୁ ସ୍ୱୟଂ ଚତୁର୍ମୁଖ ବ୍ରହ୍ମା ମଧ୍ୟ ଅସମର୍ଥ । ଏହି ବ୍ରତ ପ୍ରଦାନକାରୀ ସର୍ବପାପହାରୀ ଉତ୍ତମ ଏକାଦଶୀ । ଯିଏ ଏହି ବ୍ରତ ପାଳନ କରେ, ସେ  ବିଷ୍ଣୁଙ୍କର ଅତି ପ୍ରିୟ ହୋଇ ରହେ । ଏହି ସମୟରେ ଦୀପଦାନ, ପଳାଶ ପତ୍ରରେ ଭୋଜନ ଏବଂ ବ୍ରତ କରି ଚତୁର୍ମାସ ଅତିବାହିତ କରିବା ଉଚିତ । ଚତୁର୍ମାସରେ ଭଗବାନ ବିଷ୍ଣୁ ଶୋଇ ରହନ୍ତି, ଏଥିପାଇଁ ମନୁଷ୍ୟ ଭୂମିରେ ଶୋଇବା ଉଚିତ ।  ଯିଏ ଏହି ଚତୁର୍ମାସରେ ବ୍ରହ୍ମଚର୍ଯ୍ୟ ପାଳନ କରେ, ସେ ପରମଗତି ପ୍ରାପ୍ତ ହୁଏ । ଏକାଦଶୀ ବ୍ରତଦ୍ୱାରା ହିଁ ମନୁଷ୍ୟ ସବୁ ପାପରୁ ମୁକ୍ତ ହୋଇଯାଏ । 

ଅଧିକ ପଢନ୍ତୁ: ଯୁଦ୍ଧ କ୍ଷେତ୍ରରୁ ଭୟାତୁର ଯୁବରାଜଙ୍କ ପଳାୟନର ପ୍ରୟାସ କଥା