• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Deviprasad Jena

ପୃଥିବୀକୁ ଫେରିବା ପୂର୍ବରୁ ମହାକାଶରେ ଖୁସିରେ ଝୁମିଲେ ସୁନିତା ୱିଲିୟମ। କାହାକୁ କୁଣ୍ଢାଇ ପକାଉଥିଲେ, କାହା ସହିତ ହାତ ମିଳାଉଥିଲେ । ୯ ମାସ ମହାକାଶରେ ଫସିରହିବା ପରେ, ମାଟିକୁ ଫେରିବା ପୂର୍ବର ଖୁସି ଆଜି ସ୍ପଷ୍ଟ ବାରି ହେଉଥିଲା ସୁନୀତା ୱିଲିୟମ୍ସଙ୍କ ମୁହଁରେ । ତାଙ୍କୁ ପୃଥିବୀକୁ ଫେରାଇ ଆଣିବା ପାଇଁ ଯାଇଥିବା ଡ୍ରାଗନ୍ ସ୍ପେଶକ୍ରାଫ୍ଟର ଡକିଂ ସଫଳ ହେବା ପରେ । କିଛି ଏଭଳି ଥିଲା ଇଣ୍ଟରନ୍ୟାସନାଲ ସ୍ପେଶ୍ ଷ୍ଟେସନ ଭିତରର ଦୃଶ୍ୟ ।

ପୃଥିବୀରୁ ଯାଇଥିବା ନୂଆ ୪ ମହାକାଶଚାରୀଙ୍କୁ ସ୍ବାଗତ କରିଥିଲେ ସୁନୀତା ଓ ତାଙ୍କ ସାଥି ଆଷ୍ଟ୍ରନଟ୍ ବୁଚ୍ ୱିଲମୋର । ପୃଥିବୀ ପୃଷ୍ଠରୁ ୪ଶହ କିଲୋମିଟର ଉପରେ ବୁଲୁଥିବା ଇଣ୍ଟରନ୍ୟାସନାଲ ସ୍ପେଶ୍ ଷ୍ଟେସନକୁ ଗତବର୍ଷ ଜୁନରେ ମାତ୍ର ୮ ଦିନ ପାଇଁ ଯାଇଥିଲେ ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା । ହେଲେ ତାଙ୍କ ମହାକାଶଯାନ ବୋଇଂ ଷ୍ଟାରଲାଇନରରେ ଯାନ୍ତ୍ରିକ ତ୍ରୁଟି ହେବାରୁ ୯ ମାସ ଫସି ରହିବାକୁ ପଡ଼ିଲା ସ୍ପେଶ୍ ଷ୍ଟେସନ ଭିତରେ ।

ତାଙ୍କୁ ପୃଥିବୀକୁ ଫେରାଇ ଆଣିବା ପାଇଁ ବାରମ୍ବାର ମିଶନ୍ ପ୍ଲାନ୍ ହେଉଥିଲା, ପୁଣି ସେସବୁ ସ୍ଥଗିତ ରହୁଥିଲା । ଯାହାକି ସଂପର୍କୀୟ ଓ ଶୁଭେଚ୍ଛୁଙ୍କ ମନରେ ଚିନ୍ତା ଓ ଆଶଙ୍କା ବଢ଼ାଇଥିଲା । ୯ ମାସି ଧରି ପଦ୍ମ ଘୁଞ୍ଚିବା ପରେ, ଶେଷରେ ଏବେ ଫିଟିଛି ଘରବାହୁଡ଼ା ବାଟ । ଆଜି ଦିନ ପ୍ରାୟ ୧୦ଟା ବେଳେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ପହଞ୍ଚିଛି ସ୍ପେଶ୍ ଏକ୍ସ କ୍ରୁ-ଟେନ୍ ମିଶନର ଡ୍ରାଗନ୍ ସ୍ପେଶକ୍ରାଫ୍ଟ । ଏଥିରେ ଆମେରିକା, ଜାପାନ ଓ ଋଷର ୪ ଜଣ ମହାକାଶଚାରୀ ସ୍ପେଶ ଷ୍ଟେସନକୁ ଯାଇଛନ୍ତି । ଏହା ସୁନୀତା ଓ ବୁଚଙ୍କ ସମେତ ମୋଟ ୪ ଜଣଙ୍କୁ ଧରି ପୃଥିବୀ ଫେରିବ ।

ଅଧିକ ପଢ଼ନ୍ତୁ: ପାକିସ୍ତାନରେ ଟ୍ରେନ ହାଇଜାକ୍: ମୁକ୍ତ ହେଲେ ୧୦୪ ପଣବନ୍ଦୀ

ଆସନ୍ତା ୧୯ ତାରିଖରେ ସୁନୀତା ଫ୍ଲୋରିଡ଼ା ତଟରେ ଓହ୍ଲାଇପାରନ୍ତି ବୋଲି ଆଶା କରାଯାଉଛି । ପୃଥିବୀକୁ ଫେରିବା ପରେ ମୁଁ ଏଠାକାର ସବୁକିଛି ମିସ୍ କରିବି ବୋଲି କହିଛନ୍ତି ସୁନୀତା । ୯ ମାସ ପରେ ଘରବାହୁଡ଼ା ସୁନୀତାଙ୍କୁ ମାନସିକ ଖୁସି ଦେଲେ ବି, ଶାରିରୀକ ଭାବେ ଯନ୍ତ୍ରଣାଦାୟକ ହୋଇପାରେ ।

ଆସନ୍ତୁ ଜାଣିବା, ପୃଥିବୀକୁ ଫେରିବା ପରେ କେଉଁ ସବୁ ସମସ୍ୟା ଭୋଗିପାରନ୍ତି ୬୦ ବର୍ଷୀୟା ସୁନୀତା । କୁହାଯାଉଛି- ମାଟିରେ ପାଦ ଥାପିବା ପରେ ସେ ହଠାତ୍ ଚାଲି ପାରିବେ ନାହିଁ । ତାଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଷ୍ଟ୍ରେଚରରେ ନେବାକୁ ପଡ଼ିବ । କାରଣ, ମହାକାଶର ମାଇକ୍ରୋ ଗ୍ରାଭିଟିରେ ମାସ ମାସ ଧରି ଭାସମାନ ଅବସ୍ଥାରେ ଚଳପ୍ରଚଳ କରୁଥିଲେ ସୁନୀତା ।

ପୃଥିବୀର ଚୁମ୍ବକୀୟ ଶକ୍ତି ସେଠାରେ ଖୁବ୍ କ୍ଷୀଣ ଥିବାରୁ ଶରୀର ଓଜନ ଅନୁଭବ କରିପାରୁନଥିଲେ । ହେଲେ ଭୂପୃଷ୍ଠର ନିକଟତର ହେଲେ ତାଙ୍କୁ ନିଜ ଓଜନ ଅଚାନକ ବହୁଗୁଣ ବଢ଼ିଯିବା ଭଳି ଅନୁଭବ ହେବ । ମାଟିରେ ଚାଲିବା ପାଇଁ ବଳ ଓ ସନ୍ତୁଳନ ଜୁଟାଇବାକୁ ତାଙ୍କୁ ବେଶ୍ କିଛି ସପ୍ତାହ ସମୟ ଲାଗିବ । ମହାକାଶରେ ଅଧିକ ଦିନ ରହିଲେ ହାଡ଼ ଓ ମାଂସପେଶୀ ଦୁର୍ବଳ ହୋଇଯାଏ । ପାଦତଳ ମୋଟା ଚମଡ଼ା ଉଭେଇ ଯାଏ । ଯାହାକୁ 'ବେବି ଫିଟ୍' କୁହାଯାଏ । ତେଣୁ ପୃଥିବୀକୁ ଫେରିବା ପରେ ସୁନୀତା ଓ ବୁଚ୍‌ଙ୍କୁ ୬ ସପ୍ତାହ ପାଇଁ ରିହାବିଲିଟେସନ୍ ପିରିୟଡ୍ କାଟିବାକୁ ପଡ଼ିବ। ଏହି ସମୟରେ ସେମାନଙ୍କ ହାଡ଼ ଓ ମାଂସପେଶୀ ମଜବୁତ କରିବାକୁ ସ୍ବତନ୍ତ୍ର ବ୍ୟାୟାମ ଓ ଖାଦ୍ୟ ପ୍ରଣାଳୀ ଅନୁସରଣ କରିବାକୁ ପଡ଼ିବ ।

ମହାକାଶରେ ସୌର ବିକିରଣର କୁପ୍ରଭାବ ଭୃପୃଷ୍ଠ ତୁଳନାରେ ଖୁବ୍ ଅଧିକ ରହୁଥିବାରୁ କର୍କଟ ଓ ଅନ୍ୟ ସ୍ନାୟବିକ ସମସ୍ୟାର ମଧ୍ୟ ଆଶଙ୍କା ଥାଏ । ଅତି ଦ୍ରୁତ ଗତିରେ ମହାକାଶରୁ ଭୂପୃଷ୍ଠରେ ଅବତରଣ ଯୋଗୁଁ ମୁଣ୍ଡ ବୁଲାଇବା ଓ ବାନ୍ତି ହେବା ଭଳି ସମସ୍ୟା ମଧ୍ୟ ଭୋଗିଥାନ୍ତି ମହାକାଶଚାରୀ । ଆଉ ଏକ ରୋଚକ କଥା ହେଉଛି, ମହାକାଶରେ ପୂର୍ବ ଯୋଜନା ଅପେକ୍ଷା ଅଧିକ ଦିନ ରହିଥିବାରୁ, ସୁନୀତାଙ୍କୁ ଓଭର୍ ଟାଇମ୍ ଡ୍ୟୁଟି ବାବଦରେ ଦୈନିକ ମାତ୍ର ୩୪୭ ଟଙ୍କା ଅତିରିକ୍ତ ଭତ୍ତା ମିଳିବ । ତାଙ୍କୁ ମୋଟ୍ ୨୮୭ ଦିନ ପାଇଁ ମିଳିପାରେ ୧୧ଶହ ୪୮ ଡଲାର୍ ବା ପ୍ରାୟ ୧ ଲକ୍ଷ ଟଙ୍କା ।

ଅଧିକ ପଢ଼ନ୍ତୁ: ପାକିସ୍ତାନ ଟ୍ରେନ ହାଇଜାକ: ସବୁ ଆତଙ୍କୀ ନିପାତ

OTV is now on Whatsapp

Join and get latest news update delivered to you via whatsapp

Join Now