• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପାକିସ୍ତାନରେ ଜଳପ୍ରଳୟ । ପଡୋଶୀ ଦେଶର ଏକ ତୃତୀୟାଂଶ ଭାଗ ପାଣିରେ ବୁଡ଼ିଛି । ଜୁନରୁ ଏ ପର୍ଯ୍ୟନ୍ତ ହଜାରେ ଲୋକଙ୍କ ମୃତ୍ୟୁ ହେଲାଣି । କୋଟି କୋଟି ଲୋକ ପ୍ରଭାବିତ ହୋଇଛନ୍ତି । ଯୁଆଡ଼େ ଦେଖିବ ଖାଲି ପାଣି । ପରିସ୍ଥିତି ଏପରି ଯେ, ହେଲିକପ୍ଟର ଓହ୍ଲାଇବାକୁ ଶୁଖିଲା ଜାଗା ମିଳୁନି । ୩୦ ବର୍ଷ ଭିତରେ ପାକିସ୍ତାନର ଏ ବର୍ଷ ସବୁଠାରୁ ଅଧିକ ବର୍ଷା ହୋଇଛି । ଫଳରେ ଯେଉଁ ବନ୍ୟା ହୋଇଛି, ତାହା ପୂରା ଦେଶରେ ରଚାଇଛି ଧ୍ୱଂସଲୀଳା । ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ସିନ୍ଧ ଓ ବଲୁଚିସ୍ତାନ । ଏହି ବନ୍ୟାରେ ପାକିସ୍ତାନର ୧୦ ବିଲିୟନ ଡଲାରର ସଂପତ୍ତି ନଷ୍ଟ ହୋଇଥିବାର ଆକଳନ କରାଯାଇଛି ।

ପାକିସ୍ତାନର ପାଣିପାଗ ବିଭାଗ ମନ୍ତ୍ରୀ ସେରି ରେହମାନ କହିଛନ୍ତି, କେତେକ ଜିଲ୍ଲା ତ ଲାଗୁଛି ପୁରା ମହାସାଗର ଭଳି । ଏହି ବନ୍ୟାରେ ୩ କୋଟିରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ଲାଗିଛି ନୌସେନା । ବନ୍ୟା ପ୍ରଭାବ ଯୋଗୁଁ ସେଠାରେ ଦରଦାମ ଆକାଶଛୁଆଁ ହୋଇଛି । ଅତ୍ୟାବଶ୍ୟକ ସାମଗ୍ରୀର ଦାମ୍ ଏତେ ବଢ଼ିଛି ଯେ ତାହା ଲୋକଙ୍କ କ୍ରୟଶକ୍ତି ବାହାରକୁ ଚାଲି ଯାଇଛି । ଲକ୍ଷ ଲକ୍ଷ ହେକ୍ଟର କପା ଚାଷ ନଷ୍ଟ ହୋଇଥିବାରୁ ଏହା ପାକିସ୍ତାନର ଆର୍ଥିକ ସ୍ଥିତିକୁ ପ୍ରଭାବିତ କରିପାରେ ।

କିଛି ଦିନ ପୂର୍ବରୁ ପାକ୍‌ ସରକାର ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ । NDMA ତଥ୍ୟ ଅନୁଯାୟୀ, ଅଗଷ୍ଟରେ ପାକିସ୍ତାନରେ ୧୬୬.୮ ମିମି ବର୍ଷା ହୋଇଥିଲା, ଯାହା ବର୍ତ୍ତମାନ ତୁଳନାରେ ହାରାହାରି ୪୮ ମିମି ଅଧିକ । ଚଳିତ ମୌସୁମୀରେ ବର୍ଷା ଯୋଗୁଁ ସର୍ବାଧିକ ପ୍ରଭାବିତ ଅଞ୍ଚଳ ସିନ୍ଧ ଏବଂ ବଲୁଚିସ୍ତାନ ଯଥାକ୍ରମେ ୭୮୪ ପ୍ରତିଶତ ଏବଂ ୪୯୬ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଛି ।