• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁଶୁଡ଼ି ପଡ଼ୁଛି ଅଟ୍ଟାଳିକା, ଭାସି ଯାଉଛି ପୋଲ । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ପଡ଼ୋଶୀ ପାକିସ୍ତାନରେ । ଅବିଶ୍ରାନ୍ତ ବର୍ଷା ଜନିତ ପ୍ରଳୟଙ୍କରୀ ବନ୍ୟା, ଗ୍ରାସ କରିଛି ସମଗ୍ର ପାକିସ୍ତାନକୁ । ପଞ୍ଜାବ ଓ ସିନ୍ଧ୍ ପ୍ରଦେଶର ଦକ୍ଷିଣାଞ୍ଚଳ, ଖାଇବର ପଖତୁନଖ୍ୱା, ବେଲୋଚିସ୍ତାନ ଏବଂ ଗିଲଗିଟ୍ ବଲ୍‌ଚିସ୍ତାନ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି । ଦେଶର ଏକ ତୃତୀୟାଂଶ ଅଞ୍ଚଳ ପାଣିରେ ବୁଡି ରହିଥିବା କହିଛନ୍ତି ପାକିସ୍ତାନର ପରିବେଶ ମନ୍ତ୍ରୀ ସେରୀ ରେହମାନ୍ ।

୧୫୦ ଜିଲ୍ଲା ମଧ୍ୟରୁ ୧୧୦ ଜିଲ୍ଲାରେ ସ୍ଥିତି ଅତି ସଂଗୀନ । ବନ୍ୟା ଯୋଗୁଁ ୧୧ ଶହରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ତେବେ ଉଦ୍‌ବେଗର ବିଷୟ ହେଉଛି ଏମାନଙ୍କର ଏକ ତୃତୀୟାଂଶ ହେଉଛନ୍ତି ଛୋଟ ପିଲା । ସେହିପରି ପ୍ରାୟ ୨ ହଜାର ଲୋକ ଆହତ ହୋଇଛନ୍ତି । ଦେଶର ସମସ୍ତ ୫ଟି ପ୍ରଦେଶର ସାଢେ ୩ କୋଟିରୁ ଅଧିକ ଲୋକ, ଅର୍ଥାତ୍ ପ୍ରତି ୭ ଜଣରୁ ଜଣେ ପାକିସ୍ତାନୀ ବନ୍ୟାର ପ୍ରଚଣ୍ଡ କୋପର ଶିକାର ହୋଇଛନ୍ତି ।

ଯୁଆଡ଼େ ଚାହିଁଲେ ଖାଲି ପାଣି ଆଉ ପାଣି । ସମୁଦ୍ର କେଉଁଠି, ସ୍ଥଳଭାଗ କେଉଁଠି ଠଉରେଇବା ମୁସ୍କିଲ । ଏମିତିକି ସ୍ଥଳଭାଗ ଦିଶୁନଥିବାରୁ ଉଦ୍ଧାର ଓ ରିଲିଫ କାମରେ ନିୟୋଜିତ ହେଲିକପ୍ଟର ବି ଅବତରଣ କରିପାରୁନାହିଁ । ସ୍ୱାତ୍ ବନ୍ୟାରେ ଖାଇବର ପଖତୁନ୍‌ଖ୍ୱା ପ୍ରଦେଶ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଏଠିକାର ଚର୍ସଦା ଜିଲ୍ଲାର ପ୍ରାୟ ୨ ଲକ୍ଷ ଏବଂ ନୌସେରାର ଦେଢ ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ତେବେ ଅଧିକାଂଶ ଲୋକ ଇସଲାମାବାଦ୍-ପେଶାଓ୍ୱର ରାଜପଥରେ ଆଶ୍ରୟ ନେଇଛନ୍ତି । ସମଗ୍ର ପାକିସ୍ତାନରେ ୧୦ ଲକ୍ଷରୁ ଅଧିକ ଘର ବନ୍ୟା ପାଣିରେ ଧୋଇ ଯାଇଛି । ତେଣୁ ଖୋଲା ଆକାଶ ତଳେ ଦିନ କାଟିବା ବ୍ୟତୀତ ଲୋକଙ୍କ ପାଖରେ ଚାରା ନାହିଁ । 

ପାକିସ୍ତାନ ସ୍ଥଳ, ବାୟୁ ଓ ନୌସେନାକୁ ରିଲିଫ ଓ ଉଦ୍ଧାର କାମରେ ନିୟୋଜିତ କରାଯାଇଛି । ତେବେ ଏଥିରେ ବାଧକ ସାଜିଛି ଅବିଶ୍ରାନ୍ତ ବର୍ଷା । ଖାଦ୍ୟ ଓ ପିଇବା ପାଣିର ଅଭାବ, ସ୍ଥିତିକୁ ଉତ୍କଟ କରିଛି । ପ୍ରଧାନମନ୍ତ୍ରୀ ଶେହବାଜ୍ ସରିଫ ଓ ବୈଦେଶିକ ମନ୍ତ୍ରୀ ବିଲାଓ୍ୱଲ ଭୁଟ୍ଟୋ ବନ୍ୟା ପୀଡ଼ିତଙ୍କୁ ଭେଟିବା ସହ, ସରକାର ସେମାନଙ୍କ ସହାୟତା ଲାଗି ସବୁ ପ୍ରକାର ଉଦ୍ୟମ କରୁଥିବା ଆଶ୍ୱାସନା ଦେଇଛନ୍ତି ।

ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ମଧ୍ୟ ବନ୍ୟା ପୀଡ଼ିତଙ୍କ ଥଇଥାନ ଲାଗି ଅର୍ଥ ଯୋଗାଡ଼ରେ ଲାଗିଛନ୍ତି । ତେଣେ ଆମେରିକା, ବ୍ରିଟ୍ରେନ୍, ୟୁରୋପୀୟ ଓ ଆରବ ଦେଶ ସମୂହ ପାକିସ୍ତାନକୁ ସହାୟତାର ହାତ ବଢାଇଛନ୍ତି । ପାକିସ୍ତାନରେ ଜନଜୀବନ ହାନିକୁ ନେଇ ପୋପ୍ ଫ୍ରାନସିସ୍ ଗଭୀର ଦୁଖ ପ୍ରକାଶ କରିଥିବା ବେଳେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।