୧୯୪୮ ମସିହାରେ ଭାରତର ପ୍ରଥମ ମହାକାଶଚାରୀ ରାକେଶ ଶର୍ମା ମହାକାଶରୁ ନିଜ ଜନ୍ମମାଟି ଭାରତକୁ ଦେଖିବାର ସୁଯୋଗ ପାଇଥିଲେ । ପରେ ତାଙ୍କୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ହିନ୍ଦୀରେ ପଚରାଯାଇଥିବା ପ୍ରଶ୍ନ 'ମହାକାଶରୁ ଭାରତ କିପରି ଦେଖାଯାଏ?' ର ଉତ୍ତର ରାକେଶ ମହମ୍ମଦ ଇକବାଲଙ୍କ କବିତା "ସାରେ ଜାହାଁ ସେ ଆଚ୍ଛା"ର ଏକ ଧାଡି ମାଧ୍ୟମରେ ଅତି ସଂକ୍ଷେପରେ ଦେଇଥିଲେ ।
ଇତିମଧ୍ୟରେ ଏହି ଘଟଣାକୁ ଚାରି ଦଶନ୍ଧି ବିତିଯାଇଛି । ଭାରତ ସମୟ ସହିତ ତାଳ ଦେଇ ଅନେକ ଆଗକୁ ବଢିଛି । କିନ୍ତୁ, ଇତିହାସକୁ ପୁଣିଥରେ ତାଜା କରିଛି ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସଙ୍କ ଉତ୍ତର । ସୁନୀତା ୱିଲିୟମ୍ସ ଆନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS)ରେ ୨୮୬ ଦିନ ରହି ଫେରିଛନ୍ତି ।
Also Read
ସୁନୀତା ଏବଂ ତାଙ୍କ ସାଥୀ ବୁଚ୍ ୱିଲମୋର ମହାକାଶରୁ ଫେରିବା ପରେ ପ୍ରଥମଥର ପାଇଁ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏଥିରେ ସେ ମହାକାଶ ଷ୍ଟେସନରୁ ମହାକାଶଯାନକୁ ପୃଥିବୀକୁ ଫେରାଇ ଆଣିବା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଏଲନ ମସ୍କଙ୍କୁ ଧନ୍ୟବାଦ ଜଣାଇଥିଲେ ।
ତେବେ ଏହି ସାମ୍ବାଦିକ ସମ୍ମିଳନୀରେ ସୁନୀତାଙ୍କୁ ମଧ୍ୟ ରାକେଶଙ୍କୁ ପଚରାଯାଇଥିବା ପ୍ରଶ୍ନ ଜଣେ ସାମ୍ୱାଦିକଙ୍କ ଦ୍ୱାରା ପୁଣିଥରେ ପଚରାଯାଇଥିଲା । ଏହାର ଉତ୍ତରରେ ଭାରତକୁ ପ୍ରଶଂସା କରିଥିଲେ ସୁନୀତା। ସାମ୍ବାଦିକ ସମ୍ମିଳନୀରେ ସୁନୀତା କହିଛନ୍ତି, ଭାରତ ଏକ ସୁନ୍ଦର ରାଷ୍ଟ୍ର । ମହାକାଶରୁ ଭାରତର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରୁଥିଲି ।
ଅଧିକ ପଢ଼ନ୍ତୁ: ମିଆଁମାର ଭୂକମ୍ପ: ସତରେ କ’ଣ ଚୀନର ସୁପର-ଡ୍ୟାମ ପ୍ରକଳ୍ପ ଏହି ବିପର୍ଯ୍ୟୟ ପାଇଁ ଦାୟୀ ?
ମହାକାଶରେ ରହିବା ସମୟରେ ଅନେକ ଶାରୀରିକ ସମସ୍ୟା ଦେଖାଦେଇଥିଲା । ମହାକାଶରେ ଥିବାବେଳେ ଯେତେବେଳେ ବି ଭାରତ ଉପର ଦେଇ ଯାଉଥିଲି, ମହାକାଶରୁ ଭାରତର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରୁଥିଲି । ସେ ତାଙ୍କ ଉତ୍ତରରେ ଆହୁରି କହିଛନ୍ତି, ସେ ମହାକାଶରୁ ହିମାଳୟ ପାଦଦେଶ, ଜମ୍ମୁକାଶ୍ମୀର ଠାରୁ ଆରମ୍ଭ କରି ଗୁଜରାଟ, ମହାରାଷ୍ଟ୍ର ଭଳି ଅନେକ ସ୍ଥାନର ଫଟୋ ଉଠାଇଛନ୍ତି । ଏହାସହ ଇସ୍ରୋ ସହ ମିଶି କାମ କରିବାର ସୁଯୋଗ ମିଳିଲେ ନିଶ୍ଚିତଭାବେ କାମକରିବେ ବୋଲି କହିଛନ୍ତି ସୁନୀତା ।
ସୂଚନାଯୋଗ୍ୟ, ଗତ ବର୍ଷ ଜୁନ୍ ୫ ତାରିଖରେ ସୁନୀତା ୱିଲିୟମ୍ସ ଓ ବୁଚ୍ ୱିଲମୋର ବୋଇଂ ଷ୍ଟାର୍ ଲାଇନର୍ ମହାକାଶ ଯାନରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ପହଞ୍ଚିଥିଲେ । କିନ୍ତୁ, ମହାକାଶଯାନର ପ୍ରପଲ୍ସନ ସିଷ୍ଟମରେ ତ୍ରୁଟି ଓ ହିଲିୟମ ଗ୍ୟାସ୍ ଲିକ୍ ଯୋଗୁଁ ସେମାନଙ୍କ ପ୍ରତ୍ୟାବର୍ତ୍ତନ ବିଳମ୍ବ ହୋଇଥିଲା । ତେଣୁ ୮ ଦିନର ମିଶନ ବଦଳରେ ପ୍ରାୟ ୯ ମାସ ମହାକାଶରେ ଫସିରହିଥିଲେ ଉଭୟ ମହାକାଶଚାରୀ ।
ଶେଷରେ ସ୍ପେସ୍ ଏକ୍ସ କ୍ୟାପସୁଲରେ ପୃଥିବୀ ପୃଷ୍ଠକୁ ସୁରକ୍ଷିତ ଭାବେ ଫେରିଥିଲେ । ସେମାନଙ୍କ ସହିତ ଆଉ ଦୁଇ ମହାକାଶଚାରୀ ନିକ୍ ହେଗ୍ ଓ ଆଲେକଜାଣ୍ଡର ଗ୍ରିବୟୋଙ୍କି ମଧ୍ୟ ପୃଥିବୀକୁ ଫେରିଥିଲେ। ସୁନୀତା ଏବଂ ବୁଚ ୱିଲମୋର ମହାକାଶରେ ୨୮୬ ଦିନ ରହିଥିବାବେଳେ ଉଭୟଙ୍କୁ ଦେୟ ବାବଦରେ ମୋଟ ୧,୪୩୦ ଡଲାର ମିଳିଥିଲା ।
ଅନ୍ୟପଟେ ସୁନୀତାଙ୍କ ଫେରିବା ବାଟକୁ ଯେମିତି ଅନାଇ ବସିଥିଲା ଭାରତ । ଭାରତର ବିଭିନ୍ନ ସ୍ଥାନରେ ସୁନୀତାଙ୍କ ପାଇଁ ପୂଜାର୍ଚ୍ଚନା କରାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁନୀତାଙ୍କୁ ଭାରତ ଆସିବାକୁ ଚିଠିଲେଖି ଆମନ୍ତ୍ରଣ ମଧ୍ୟ କରିଥିଲେ ।