ଗୋଟିଏ ମୁହୂର୍ତ୍ତର ତାଣ୍ଡବ । ଦୋହଲି ଯାଇଥିଲା ଦୁନିଆ। ସତେ ଯେମିତି ଏକ ଧାରୁଆ ଛୁରିରେ କେହି ଚିରି ଦେଲା ପୃଥିବୀର ବକ୍ଷ ! ଦୁଇ ଫାଳ ହୋଇ ଫାଟି ଯାଇଥିଲା ରାସ୍ତା । ଚାରିଆଡେ ଖାଲି ଦିଶୁଥିଲା ଧ୍ୱଂସସ୍ତୁପ, ଶୁଭୁଥିଲା କରୁଣ ଚିତ୍କାର । ମିଆଁମାର ଏବଂ ଥାଇଲାଣ୍ଡରେ ଶୁକ୍ରବାର ଭୟଙ୍କର ଭୂକମ୍ପ ହୃଦୟ ଥରାଇ ଦେବା ପରି ଥିଲା । ସତରେ ଖୁବ ଶକ୍ତିଶାଳୀ ଥିଲା ଏହି ଝଟକା । ରିକ୍ଟର ସ୍କେଲରେ ତୀବ୍ରତା ଥିଲା ୭.୭ ।
ଏପରି ଭୟଙ୍କର ସ୍ଥିତିରେ କୂଟନୀତି ବିଶେଷଜ୍ଞ ତଥା ସ୍ତମ୍ଭକାର ବ୍ରହ୍ମା ଚେଲାନୀ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆଣିଛନ୍ତି । ଏକ୍ସରେ ସେ କହିଛନ୍ତି, ମ୍ୟାମାଁରର ହିମାଳୟ ଭୂକମ୍ପ ବେଲ୍ଟ ନିକଟରେ ଚୀନର ସୁପର-ଡ୍ୟାମ ପ୍ରକଳ୍ପ ଏହି ଅଞ୍ଚଳର ଭୌଗଳିକ ଅସ୍ଥିରତାକୁ ବୃଦ୍ଧି କରିପାରେ । ଚେଲାନୀ ଏପରି ଆଶଙ୍କା ପ୍ରକାଶ କରିବା ପରେ ପ୍ରଶ୍ନ ଉଠିଛି, ପ୍ରକୃତରେ ଚୀନର ସୁପର-ଡ୍ୟାମ ପ୍ରକଳ୍ପ ଏହି ବିପର୍ଯ୍ୟୟ ପାଇଁ ଦାୟୀ ନୁହେଁ ତ ?
Also Read
ମିଆଁମାର ହିମାଳୟ ଭୂକମ୍ପ ବେଲ୍ଟ ଅଞ୍ଚଳରେ ରହିଛି । ଏଠାରେ ଭାରତୀୟ ପ୍ଲେଟ ଇଣ୍ଡୋଚାଇନା ଉପଦ୍ୱୀପ ନିକଟରେ ଧସୁଛି । ଏହି କ୍ଷେତ୍ରରେ ମିଆଁମାର ସାଗାଇଙ୍ଗ ଫଲ୍ଟ ରହିଛି ଯାହା ଭୂକମ୍ପ ପ୍ରବଣ ଇଲାକା ଭାବେ ପରିଚିତ । ବିଶେଷଜ୍ଞଙ୍କ କହିବା ଅନୁସାରେ, ଏହି ପ୍ରକାର ଭୂକମ୍ପ ଭାରତୀୟ ପ୍ଲେଟ ଧସିବା କାରଣରୁ ହୋଇଥାଏ । ଶୁକ୍ରବାର ହୋଇଥିବା ଭୂକମ୍ପ ଏହି ପ୍ରାକୃତିକ ପରିବର୍ତ୍ତନର ଫଳ ବୋଲି କୁହାଯାଇ ପାରିବ । ଏହାର କେନ୍ଦ୍ରସ୍ଥଳ ଭୂମିଠାରୁ ମାତ୍ର ୧୦ କିମି ତଳେ ଥିଲା । ଏହାର ଗଭୀରତା ଯୋଗୁ ଭୂକମ୍ପ ମିଆଁମାରରୁ ଥାଇଲାଣ୍ଡ ଏବଂ ଦକ୍ଷିଣ-ପଶ୍ଚିମ ଚୀନର ୟୁନାନ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା ।
ମିଆଁମାରରେ ଶକ୍ତିଶାଳୀ ଭୂକମ୍ପ ପ୍ରଥମ ନୁହେଁ
ମିଆଁମାରରେ ଏପରି ବଡ ଧରଣର ଭୂକମ୍ପ ପ୍ରଥମ ଥର ପାଇଁ ହୋଇନି । ଏହା ପୂର୍ବରୁ ଏକାଧିକବାର ବଡ ଧରଣର ଭୂକମ୍ପ ଏଠାରେ ଅନୁଭୂତ ହୋଇସାରିଛି । ଗଣମାଧ୍ୟମ ତଥ୍ୟରୁ ଜଣାଯାଏ, ୩୧ ଥର ୭ ଗ୍ରାଟିଚ୍ୟୁଡ ବା ତାଠାରୁ ଅଧିକ ତୀବ୍ରତା ବିଶିଷ୍ଟ ଭୂକମ୍ପ ଏଠାରେ ଅନୁଭୂତ ହୋଇସାରିଛି । ଏଠି କହିରଖିବୁ, ରିକ୍ଟର ସ୍କେଲରେ ୬ ତୀବ୍ରତା ବିଶିଷ୍ଟ ଭୂକମ୍ପକୁ ସାଧାରଣତଃ ବିପଦପୂର୍ଣ୍ଣ ବୋଲି ବିଚାର କରାଯାଏ । ୨୦୦୪ରେ କୋକୋ ଆଇଲାଣ୍ଡରେ ୯.୧ ଏବଂ ୯.୩ ଗ୍ରାଟିଚ୍ୟୁଡ ତୀବ୍ରତା ବିଶିଷ୍ଟ ଭୂକମ୍ପ ହୋଇଥିଲା ।
ଚୀନର ସୁପରଡ୍ୟାମ ପରିଯୋଜନା
ଏପରି ସ୍ଥିତିରେ ବ୍ରହ୍ମା ଚେଲାନୀ ମିଆଁମାରରେ ଚୀନର ସୁପର –ଡ୍ୟାମ ପ୍ରୋଜେକ୍ଟ ପ୍ରସଙ୍ଗ ଉଠାଇଛନ୍ତି । ଚୀନ ମିଆଁମାରରେ ଅନେକ ଭିତ୍ତିଭୂମି ପ୍ରକଳ୍ପ କାମ କରୁଛି । ଏଥିମଧ୍ୟରୁ ଗୋଟିଏ ହେଉଛି ବିବାଦୀୟ ମାୟିତ୍ସୋନ ଡ୍ୟାମ୍। ଏହି ଡ୍ୟାମ ଇରାବଜୀ ନଦୀ ଉପରେ କରାଯିବାର ପ୍ରସ୍ତାବ ରହିଛି । ହେଲେ କାମକୁ ୨୦୧୧ରୁ ସ୍ଥଗିତ ରଖାଯାଇଛି । ଚେଲାନୀଙ୍କ କହିବା ଅନୁଯାୟୀ, ଏପରି ବଡ ପ୍ରକଳ୍ପ ଭୂତାତ୍ତ୍ୱିକ ସନ୍ତୁଳନକୁ ପ୍ରଭାବିତ କରିପାରେ । ବୈଜ୍ଞାନିକ ଅନୁଧ୍ୟାନରୁ ଏକଥା ମଧ୍ୟ ଜାଣିବାକୁ ମିଳିଛି ଯେ, ବଡ ବଡ ବନ୍ଧର ଜଳାଶୟର ଓଜନ କେତେକ କ୍ଷେତ୍ରରେ ଛୋଟ ଛୋଟ ଭୂକମ୍ପ ସୃଷ୍ଟିର କାରଣ ହୋଇପାରେ । ତେବେ ପ୍ରଶ୍ନ ହେଉଛି, ଏହା କ’ଣ ୭.୭ ତୀବ୍ରତା ଥିବା ଭୂକମ୍ପର କାରଣ ହୋଇପାରେ ?
କ’ଣ କହେ ବିଜ୍ଞାନ ?
ଭୂକମ୍ପ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଜଳାଶୟ ପ୍ରେରିତ ଭୂକମ୍ପ ସାଧାରଣତଃ ୪ରୁ ୫ ତୀବ୍ରତା ମଧ୍ୟରେ ହୋଇଥାଏ । ୭.୭ ତୀବ୍ରତା ବିଶିଷ୍ଟ ବଡ ଧରଣର ଭୂକମ୍ପ ପାଇଁ ଟେକ୍ଟୋନିକ ପ୍ଲେଟ ଗୁଡିକର ଗଭୀର ହଲଚଲ ଦାୟୀ ହୋଇଥାଏ । ଏହା ମନୁଷ୍ୟକୃତ ପ୍ରକଳ୍ପ ଦ୍ୱାରା ପ୍ରଭାବିତ ହୋଇ ନ ଥାଏ । ଆମେରିକାର ଜିଓଲଜିକାଲ ସର୍ଭେ ମଧ୍ୟ ସ୍ପଷ୍ଟ କରିଛି ଯେ ଏହି ଭୂକମ୍ପ ଭାରତୀୟ ପ୍ଲେଟ ଧସିବା ଘଟଣା ସହ ଜଡିତ । ମାୟିତ୍ସୋନ ଡ୍ୟାମର ନିର୍ମାଣ କାମ ଏ ଯାଏ ଆରମ୍ଭ ହୋଇନାହିଁ । ଏଥିପାଇଁ ଏହାର ଜଳାଭଣ୍ଡାର ଉପରେ କୌଣସି ଚାପ ନାହିଁ । ତେଣୁ ଏହି ଭୂକମ୍ପକୁ ଚୀନର ପ୍ରକଳ୍ପ ସହ ଯୋଡିବା ବୈଜ୍ଞାନିକ ଦୃଷ୍ଟିକୋଣରୁ ଠିକ ନୁହେଁ ।
କ’ଣ କହିଛନ୍ତି ଚେଲାନୀ ?
ବ୍ରହ୍ମା ଚେଲାନୀ ଦୀର୍ଘ ଦିନ ଧରି ଚୀନର ବିସ୍ତାରବାଦୀ ଚିନ୍ତାଧାରାକୁ ସମାଲୋଚନା କରି ଆସୁଛନ୍ତି । ତାଙ୍କର କହିବା ଅନୁଯାୟୀ, ଚୀନର ପ୍ରକଳ୍ପ ବିଶେଷକରି ଦକ୍ଷିଣ ଏବଂ ଦକ୍ଷିଣପୂର୍ବ ଏସିଆରେ ପରିବେଶ, ଭୂତାତ୍ତ୍ୱିକ ସ୍ଥିରତା ପାଇଁ ବିପଦ ସୃଷ୍ଟି କରିବ । ଏହି ପରିପ୍ରେକ୍ଷୀରେ ତାଙ୍କର ଟୁଇଟ ଏକ ଚେତାବନୀ ହୋଇପାରେ ଯାହା ଭବିଷ୍ୟତରେ ଏପରି ପ୍ରକଳ୍ପଗୁଡିକ ସମ୍ବେଦନଶୀଳ ଅଞ୍ଚଳ ପାଇଁ ବିପଦ ସୃଷ୍ଟି କରିବାର ଆଶଙ୍କା ରହିଛି ।
ପୃଥିବୀର ସବୁଠାରୁ ଶକ୍ତିଶାଳୀ ଭୂକମ୍ପ
ପୃଥିବୀର ସବୁଠାରୁ ଶକ୍ତିଶାଳୀ ଭୂକମ୍ପ ହୋଇଥିଲା ୧୯୬୦ ମେ’ ୨୨ ତାରିଖରେ, ଚିଲିର ଭାଲଦିଭିୟାରେ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୯.୫ । ସବୁଠାରୁ ବଡ କଥା ହେଲେ ଏହା ପାଖାପାଖି ୧୦ ମିନିଟ କାଳ ଝଟକା ଦେଇଥିଲା । ସାଧାରଣତଃ ଭୂକମ୍ପ କିଛି ସେକେଣ୍ଡ କିମ୍ବା ଏକରୁ ଦୁଇ ମିନିଟ ଯାଏ ଅନୁଭୂତ ହୋଇଥାଏ । ହେଲେ ଏତେ ଅଧିକ ତୀବ୍ରତାର ଭୂକମ୍ପ ତାହା ପୁଣି ୧୦ ମିନିଟ କାଳ ଅନୁଭୂତ ହେବା ପରେ ଯେମିତି ପ୍ରଳୟ ସୃଷ୍ଟି ହୋଇଥିଲା । ଏତେ ଅଧିକ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଆଉ କେବେ ଆସି ନାହିଁ । ଭାଲଦିଭିୟା ସମୁଦ୍ର ଉପକୂଳରେ ଅବସ୍ଥିତ । ଭୂକମ୍ପ ପ୍ରଭାବରେ ସୁନାମୀ ମଧ୍ୟ ଆସିଥିଲା । ଭୂକମ୍ପ ଏବଂ ସୁନାମୀରେ ସବୁକିଛି ଧ୍ୱସ୍ତ ବିଧ୍ୱସ୍ତ ହୋଇ ଯାଇଥିଲା । ଏହାକୁ ଆଜି ବି ’ଦ ଗ୍ରେଟ ଚିଲିୟନ ଭୂକମ୍ପ’ ବୋଲି କୁହାଯାଏ । ଏହାର ପ୍ରଭାବ ଦକ୍ଷିଣ ଚିଲିରୁ ଆରମ୍ଭ କରି ହବାଇ, ଜାପାନ, ଫିଲିପାଇନ୍ସ, ନ୍ୟୁଜଲାଣ୍ଡ ଏବଂ ଅଷ୍ଟ୍ରେ ଲିଆ ଯାଏ ବ୍ୟାପିଥିଲା । ମୃତ୍ୟୁ ସଂଖ୍ୟା ସଠିକ ଜଣା ନ ଥିଲେ ମଧ୍ୟ ବିଭିନ୍ନ ସଂସ୍ଥା ଭିନ୍ନ ଭିନ୍ନ ସଂଖ୍ୟା କହୁଥିଲେ । ଏହି ରିପୋର୍ଟ ଅନୁସାରେ ମୃତ୍ୟୁ ସଂଖ୍ୟା ଏକ ହଜାରରୁ ୬ ହଜାରର ମଧ୍ୟରେ ଥିଲା ବୋଲି କୁହାଯାଏ ।
ଏତେ ବଡ ଭୂକମ୍ପ କାହିଁକି ହୁଏ ?
ବୈଜ୍ଞାନିକ ତଥ୍ୟ ଅନୁଯାୟୀ, ପୃଥିବୀର ଆକାର ଏହାର ଫଲ୍ଟର ଦୀର୍ଘତା ଉପରେ ନିର୍ଭର କରିଥାଏ । ଯଦି ଫଲ୍ଟ ଲାଇନ ଲମ୍ବା ହେବ ତେବେ ଭୂକମ୍ପ ତୀବ୍ରତା ଅଧିକ ରହିବ । ଫଲ୍ଟ ଭୂପୃଷ୍ଠର ଏକ ବ୍ରେକ ଯାହା ପୃଥିବୀ ପୃଷ୍ଠର ନିମ୍ନ ଭାଗରେ ଥାଏ ଏବଂ ପୃଥିବୀର ଉପରେ ଭାଗରେ ଥିବା କ୍ରଷ୍ଟ ସହିତ ଘଷି ହେଉଥାଏ । ଉଭୟ ପରସ୍ପର ଉପରେ ରହିଥାନ୍ତି । ତେଣୁ ଏହି ଫଲ୍ଟ ଏତେ ବଡ ନ ଥିବାରୁ ଫୃଥିବୀ ଉପରେ କେବେ ବି ୧୦ ତୀବ୍ରତା ବିଶିଷ୍ଟ ଭୂକମ୍ପ ଆସିନାହିଁ । ଚିଲିରେ ଯେଉଁ ୯.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଆସିଥିଲା ତାହାର ଫଲ୍ଟ ଲାଇନ ୧୦୦୦ ମାଇଲ ଥିଲା ।
କାହିଁକି ଆସେ ଭୂକମ୍ପ ?
ଆମର ପୃଥିବୀରେ ମୁଖ୍ୟତଃ ୪ଟି ସ୍ତର ରହିଛି । ଇନର କୋର, ଆଉଟର କୋର, ମେଣ୍ଟଲ ଏବଂ କ୍ରଷ୍ଟ । କ୍ରଷ୍ଟ ଏବଂ ମେଣ୍ଟଲର ବାହ୍ୟ ସ୍ତରକୁ ଲିଥୋସ୍ପିୟର କହନ୍ତି । ଏହା ୫୦ କିଲୋମିଟର ଘନତ୍ୱ ବିଶିଷ୍ଟ ସ୍ତର ଯାହା ବିଭିନ୍ନ ବର୍ଗରେ ବିଭକ୍ତ ହୋଇଥାଏ । ଏହାକୁ ଟ୍ୟେକ୍ଟୋନିକ ପ୍ଲେଟ କୁହାଯାଏ । ଏହି ଟେକ୍ଟୋନିକ ପ୍ଲେଟ ନିଜ ନିଜ ସ୍ଥାନରେ ହଲଚଲ ହେଉଥାନ୍ତି । ଯେତେବେଳଳେ ଏହି ହଲଚଲ ଅଧିକ ହୋଇଥାଏ ସେତେବେଳେ ଭୂକମ୍ପ ଅନୁଭୂତ ହୋଇଥାଏ । ଏହି ପ୍ଲେଟଗୁଡିକ ହୋରାଇଜେଣ୍ଟ ଏବଂ ଭର୍ଟିକାଲ ଲାଇନରେ ନିଜ ସ୍ଥାନରୁ ଘୁଞ୍ଚ ଯାଇଥାନ୍ତି । ଘୁଞ୍ଚିବା ପରେ ସେମାନେ ନିଜ ପାଇଁ ଏକ ଜାଗା ଖୋଜିଥାନ୍ତି । ଏହି ସମୟରେ ଗୋଟିଏ ପ୍ଲେଟ ଅନ୍ୟ ପ୍ଲେଟର ତଳକୁ ଆସିଯାଏ ।
ଭୂକମ୍ପର ପୂର୍ବାନୁମାନ କରିପାରନ୍ତି କି ଜୀବଜନ୍ତୁ ?
କୁହାଯାଏ ଜୀବଜନ୍ତୁମାନେ ଭୂକମ୍ପର ପୂର୍ବାନୁମାନ କରିପାରନ୍ତି । ଖ୍ରୀଷ୍ଟପୂର୍ବ ୩୭୩ରେ ଗ୍ରୀକରେ ଆସିଥିବା ଭୂକମ୍ପ ପ୍ରସଙ୍ଗରେ ଏ ନେଇ ଉଲ୍ଲେଖ ରହିଛି । ଏଥିରୁ ଜଣାଯାଇଛି, ସେ ସମୟରେ ଭୂକମ୍ପ ଆସିବାର କିଛିଦିନ ପୂର୍ବରୁ ମୂଷା, ପୋକଜୋକ, ସାପ ଇତ୍ୟାଦି ନିଜ ଗାତରୁ ବାହାରି ସୁରକ୍ଷିତ ସ୍ଥାନକୁ ଚାଲି ଆସିଥିଲେ । ଏହି ଉଲ୍ଲେଖରୁ ଆହୁରି ଜଣାଯାଇଥିଲା, ଭୂକମ୍ପ ଆସିବାର କିଛି ସମୟ ପୂର୍ବରୁ ଜୀବଜନ୍ତୁ, ମାଛ, ପକ୍ଷୀ, ସରୀସୃପ ଏବଂ ପୋକଜୋଗ ଅଜବ ବ୍ୟବହାର କରିଥାନ୍ତି । ବୈଜ୍ଞାନିକମାନେ ଚୀନ ଏବଂ ଜାପାନରେ ମଧ୍ୟ ଏପରି ଘଟଣାର ଅଧ୍ୟୟନ କରିଛନ୍ତି ।