Advertisment

Future of Syria: ଅନିଶ୍ଚିତତା ଭିତରେ ସିରିଆର ଭାଗ୍ୟ: ଅନ୍ତ ହେଲା ୧୩ ବର୍ଷର ଗୃହଯୁଦ୍ଧ, ତଥାପି ଭବିଷ୍ୟତ ଅନ୍ଧାରରେ

ଅସଦ ଶାସନର ପତନ ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି, ଅସଦଙ୍କ ଶାସନ କାଳରେ ଦୀର୍ଘ ଦିନଧରି ଦୁର୍ଦ୍ଦଶା ଭୋଗୁଥିବା ସିରିଆବାସୀଙ୍କ ପାଇଁ ଏବେ ଏକ ଉନ୍ନତ ଭବିଷ୍ୟତ ଗଠନର ଐତିହାସିକ ସୁଯୋଗ ଆସିଛି । କିନ୍ତୁ ଏହା ବିପଦପୂର୍ଣ୍ଣ ଏବଂ ଅନିଶ୍ଚିତତାର ମୁହୂର୍ତ୍ତ ବୋଲି ମଧ୍ୟ ସେ ଚେତାବନୀ ଦେଇଛନ୍ତି । କ୍ଷମତା ଦଖଲ କରିଥିବା ସଂଗଠନର ଅତୀତକୁ ଦେଖି ସେ ଏପରି ମନ୍ତବ୍ୟ ଦେଇଛନ୍ତି ।

author-image
Minati Mishra
ଅଦ୍ୟତନ ହୋଇଛି
ଅନିଶ୍ଚିତତା ଭିତରେ ସିରିଆର ଭାଗ୍ୟ

ଅନିଶ୍ଚିତତା ଭିତରେ ସିରିଆର ଭାଗ୍ୟ

ଅଶାନ୍ତ ହୋଇପଡ଼ିଛି ସାରା ବିଶ୍ୱ । ଯୁଦ୍ଧ ବିଭୀଷିକାରେ ସନ୍ତ୍ରସ୍ତ ମଣିଷ । ଦୁଇ ବର୍ଷ କାଳ କୋଭିଡର ଅକାଳ ମଡକ ଦୁଃଖ ମନରୁ ଲିଭିନି,  ପୁଣି ଆରମ୍ଭ ହୋଇଯାଇଛି ମାନବକୃତ ନରସଂହାର । ଆଫଗାନିସ୍ତାନରେ  ତାଲିବାନୀମାନେ ଜବରଦସ୍ତ ଶାସନକ୍ଷମତା ନିଜ ହାତକୁ ନେବା, ବର୍ଷ ବର୍ଷ ଧରି ବୋମା,ମିସାଇଲ ମାଡରେ ୟୁକ୍ରେନ ଆଉ ଋଷ ମାଟି ବିଦୀର୍ଣ୍ଣ ହେବା,  ଶ୍ରୀଲଙ୍କାରେ ରାଷ୍ଟ୍ରପତି ଦେଶ ଛାଡ଼ିବା, ଇସ୍ରାଏଲ-ଲେବାନନ ଯୁଦ୍ଧରେ ହଜାର ହଜାର ନୀରିହ ଜୀବନ ଯିବା…ଏମିତି ଗୋଟିଏ  ଗୋଟିଏ ଘଟଣାକୁ ନେଇ ବିଶ୍ୱଶାନ୍ତି  ଯେମତି ବାଟବଣା ହୋଇ ଯାଇଛି । ପୁଣି ଏବେ ସିରିଆର ଗୃହ ଯୁଦ୍ଧ, ରାଷ୍ଟ୍ରପତି ବଶର ଅଲ ଅସଦ ଦେଶ ଛାଡି ପଳାଇବା, ବିଦ୍ରୋହୀ ଇସଲାମବାଦୀ ହୟାତ ତହରିର ଅଲ ଶାମ ହାତକୁ ଶାସନ କ୍ଷମତା ଯିବା ଘଟଣା ଭାବିବାକୁ ବାଧ୍ୟ କରୁଛି..ଧ୍ୱଂସମୁହାଁ ହେଉନି ତ ଏ ମାନବ ସମାଜ ? 

Advertisment

ଆଜକୁ ଠିକ ଦୁଇ ସପ୍ତାହ ତଳେ ସିରିଆାରେ ବଶର ଅଲ ଅସଦଙ୍କ ଏକଛତ୍ରବାଦ ସରକାରର ଯେ ପତନ ହୋଇଯିବ କେହି କେବେ ଭାବି ନ ଥିଲେ। କିନ୍ତୁ ସିରିଆ  ବିଦ୍ରୋହୀଙ୍କ ବିକ୍ଷୋଭ ସବୁକିଛି ଓଲଟପାଲଟ କରିଦେଲା । ରବିବାର ବିଦ୍ରୋହୀ ଗୋଷ୍ଠୀ ଆଶ୍ଚର୍ଯ୍ୟଜନକ ଭାବେ ରାଷ୍ଟ୍ରପତି ଅସଦଙ୍କୁ  କ୍ଷମତାତ୍ୟୁତ କରିଥିଲେ । ସିରିଆରେ ଏକ ଯୁଗର ଅବସାନ ହେଲା ସତ କିନ୍ତୁ ରାଜନୈତିକ ଅସ୍ଥିରତା ଏବଂ ଅଶାନ୍ତି ଶେଷ ହୋଇନି । 

୫୩ ବର୍ଷ ଧରି ଚାଲିଥିଲା ଏକଛତ୍ରବାଦ ଶାସନ

୫୩ ବର୍ଷ ଧରି ଅସଦ ପରିବାର ସିରିଆରେ ଏକଛାତ୍ରବାଦ ଶାସନ କରୁଥିଲେ। ରାଷ୍ଟ୍ରପତି ବଶର ଅଲ ଅସଦ ୨୦୦୦ ମସିହାରେ ମାତ୍ର ୩୪ ବର୍ଷ ବୟସରେ ଶାସନ ମୁଖ୍ୟ ଦାୟିତ୍ୱ ନେଇଥିଲେ  । ତା ପୂର୍ବରୁ ବାପା ହାଫିଜ ଅଲ ଅସଦ ୧୯୭୦ ମସିହାର ସିରିଆର ଶାସନ ମୁଖ୍ୟ ଥିଲେ ।  ଏହି ସମୟରେ ଗଣହତ୍ୟା ନିର୍ଯାତନା, ନ୍ୟାୟବିହୀନ ହତ୍ୟା ଏବଂ ନିଜ ଲୋକଙ୍କ ଉପରେ ଅତ୍ୟାଚାରରେ ଲୋକେ ଅତିଷ୍ଠ ହୋଇପଡିଥିଲେ ।

Advertisment

୧୩ ବର୍ଷର ଗୃହଯୁଦ୍ଧରେ ଅତ୍ୟାଚାର ସୀମା ଲଂଘିଥିଲା

କହିବାକୁ ଗଲେ ଗତ ୧୩ ବର୍ଷ ଧରି ସିରିଆରେ ଗୃହଯୁଦ୍ଧ ଚାଲିଥିଲା । ଏହି ସମୟରେ ମାନବାଧିକାର ଉଲ୍ଲଂଘନ ସହ ସାଧାରଣ ନାଗରିକଙ୍କ ଉପରେ ନିର୍ମମ ଅତ୍ୟାଚାର ହୋଇଥିବା ଅଭିଯୋଗ ଆସିଛି।  ଅନାହାରକୁ ଯୁଦ୍ଧର ଅସ୍ତ୍ର ଭାବରେ ବ୍ୟବହାର କରିବା, ଜବରଦସ୍ତ ନିଖୋଜ ଏବଂ ହତ୍ୟା କରିବା, ସ୍କୁଲ ଏବଂ ଡାକ୍ତରଖାନା ଭଳି ବେସାମରିକ କୋଠା ଉପରେ ଜାଣିଶୁଣି ବୋମାମାଡ଼ କରାଯାଇଥିବା ଖବର ବି ସାମ୍ନାକୁ ଆସିଛି । ଅସଦଙ୍କ ସବୁଠାରୁ ଖରାପ ଅତ୍ୟାଚାର ମଧ୍ୟରେ ଥିଲା ୨୦୧୩ରେ ଘୋଟା ସହରରେ ସରିନ୍ ଗ୍ୟାସ୍ ଆକ୍ରମଣ । ଏଥିରେ ୧୪୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ଏବଂ ତତ୍କାଳୀନ ଜାତିସଂଘ ମହାସଚିବ ଏହାକୁ ଯୁଦ୍ଧ ଜନିତ ଅପରାଧ ବୋଲି ଆଖ୍ୟା ଦେଇଥିଲେ।

ବ୍ଲାକ୍ ହୋଲରେ ନିଖୋଜ ହେଉଥିଲେ ବିରୋଧୀ

ଅସଦଙ୍କ କୁଖ୍ୟାତ ଅଟକ କେନ୍ଦ୍ର ଥିଲା ବ୍ଲାକ୍ ହୋଲ୍ । ନାଁ ଶୁଣିଲେ ସିରିଆବାସୀଙ୍କ ଦେହ ଥରିଯାଏ । ଅସଦ ଯାହାକୁ  ନିଜର ବିରୋଧୀ ବୋଲି ଭାବନ୍ତି ସେମାନେ ଏହିଠାରେ ନିଖୋଜ ହୋଇଯାନ୍ତି । ଏହି ଗୃହଯୁଦ୍ଧ ସମୟରେ ଅନେକ ନରସଂହାର ହୋଇଛି ।  ୨୦୧୭ରେ ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲର ଏକ ରିପୋର୍ଟରେ କୁହାଯାଇଛି ଯେ ୨୦୧୧ରୁ ୨୦୧୫ ମଧ୍ୟରେ ସୟଦନାୟା ଜେଲରେ ୧୩ ହଜାର ଲୋକଙ୍କୁ ଫାଶୀ ଦିଆଯାଇଛି। ଅବଶ୍ୟ ଗତ କିଛି ବର୍ଷ ଧରି ଏହି ସଂଘର୍ଷ ସାମାନ୍ୟ ନିଷ୍କ୍ରିୟ ଥିଲା ।

ଯାହା ବି ହେଉ, ୧୩ ବର୍ଷର ଏହି ଗୃହ ଯୁଦ୍ଧ ଅନ୍ତ ଘଟିଥିଲା ଗତ ରବିବାର ଦିନ । ବିଦ୍ରୋହୀ ଲଢୁଆମାନେ ସରକାରୀ ଟେଲିଭିଜନରେ ଏକ ଭିଡିଓ ବିବୃତିରେ ରାଜଧାନୀ ଦମାସକସଙ୍କୁ "ମୁକ୍ତ" ଘୋଷଣା କରିଥିଲେ । ଅନ୍ୟପକ୍ଷେ  ରାଷ୍ଟ୍ରପତି ବସର ଅଲ-ଅସଦ ନିଜ ଜୀବନ ବଞ୍ଚାଇ ରୁଷିଆକୁ ପଳାଇ ଯାଇଥିବା ଜଣାଯାଇଛି । ଅସଦଙ୍କ ପରେ ଏବେ ସିରିଆର ପରବର୍ତ୍ତୀ ଅଧ୍ୟାୟକୁ ନେଇ ଦେଶର ଅନେକ ଲୋକ ଆଶାବାଦୀ ଅଛନ୍ତି।

କିଏ ଏହି ବିଦ୍ରୋହୀ ଗୋଷ୍ଠୀ ?  

ସିରିଆରେ ରାଷ୍ଟ୍ରପତି ଅସଦଙ୍କୁ କ୍ଷମତାଚ୍ୟୁତ କରିଥିବା ବିଦ୍ରୋହୀ ସଂଗଠନ ହେଉଛି ହୟାତ୍ ତାହିର ଅଲ୍ ଶାମ୍ (ଏଚଟିଏସ୍) । ଏହା ଏକ ଆତଙ୍କବାଦୀ ସଗଂଠନ ଭାବେ ପରିଚିତ ଥିଲା । ଏହା ଆତଙ୍କୀ ସଂଗଠନ ଅଲକାଇଦା ସହ ମିଶି କାମ କରୁଥିଲା । ୨୦୧୮ରେ ଆମେରିକା ଏହି ସଂଗଠନକୁ ଆତଙ୍କୀ ସଂଗଠନ ଭାବେ ଘୋଷଣା କରିଥିଲା । ଖାଲି  ଆମେରିକା ନୁହେଁ  ତୁର୍କୀ, ଜାତିସଂଘ ଏବଂ ଅନ୍ୟ କେତେକ ପାଶ୍ଚାତ୍ୟ ରାଷ୍ଟ୍ର ମଧ୍ୟ ଏହାକୁ ଆତଙ୍କୀ ସଂଗଠନ ଭାବେ ଘୋଷଣା କରିଥିଲେ । ଏପରକି ଏହାର ମୁଖ୍ୟ ଅର୍ଥାତ ଏହି ବିଦ୍ରୋହ ପଛର ମୁଖ୍ୟ ନାୟକ ଅବୁ ମହମ୍ମଦ ଅଲ ଜୁଲାନିଙ୍କ ଉପରେ ୧୦ ମିଲିୟନ ଡଲାର ପୁରସ୍କାର ଘୋଷଣ କରିଥିଲା ଆମେରିକା ।

୧୧ ଦିନର ବିଦ୍ରୋହରେ ବଦଳିଗଲା ସ୍ଥିତି

ସିରିଆରେ ଏହି ସଶସ୍ତ୍ର ବିଦ୍ରୋହୀ ଗୋଷ୍ଠୀ ଏଚଟିଏସ୍ ୧୧ ଦିନ ଧରି  ଆକ୍ରମଣ ଜାରି ରଖିଥିଲା । ୨୦୨୦ ଅସ୍ତ୍ରବିରତି ଚୁକ୍ତି ପରଠାରୁ ପ୍ରାୟତଃ ସ୍ଥିର ରହିଥିବା ସଂଘର୍ଷକୁ ଆହୁରି ତୀବ୍ର କରିଥିଲା। ନଭେମ୍ବର ୩୦ ତାରିଖରେ ଆଶ୍ଚର୍ଯ୍ୟଜନକ ଭାବେ ଆକ୍ରମଣ କରିଥିଲା ଏଚଟିଏସ୍ । ଗୋଟିଏ ଗୋଟିଏ କରି ପ୍ରମୁଖ ସହରକୁ ନିଜ କବ୍ଜାକୁ ନେବା ସହ ସିରିଆର ସର୍ବବୃହତ ସହର ଆଲେପ୍ପୋକୁ ନିଜ ନିୟନ୍ତ୍ରଣକୁ ନେଇଥିଲା।  ପରେ ପରେ ହମା ଓ ଶେଷରେ ରାଜଧାନୀ ଦମାସ୍କସକୁ ନିଜ ନିୟନ୍ତ୍ରଣକୁ ନେଇଥିଲା ।

ଭାଇରାଲ ହୋଇଥିବା କେତେକ ଭିଡିଓରେ ଦେଖିବାକୁ ମିଳିଛି,  ବିଦ୍ରାହୀମାନେ ଜେଲରୁ କଏଦୀମାନଙ୍କୁ ମୁକ୍ତ କରି ଦେଉଛନ୍ତି । ବିଦ୍ରୋହୀ ଏବଂ ସାଧାରଣ ନାଗରିକ ରାଷ୍ଟ୍ରପତି ଭବନରେ ଭଙ୍ଗାରୁଜା କରୁଛନ୍ତି ।  ରାଷ୍ଟ୍ରପତି ଅସଦଙ୍କ  ବିଳାସପୂର୍ଣ୍ଣ ଜୀବନଶୈଳୀ ଏବଂ ବଡ଼ କାର ରଖିବାରେ ସେ କେତେ ଆଗ୍ରହୀ ଥିଲେ ଏହି ଭିଡିଓରୁ ତାହା ସ୍ପଷ୍ଟ ଜଣାପଡଛି ।

ମିଲିଟାରୀ ଅପରେସନ କମାଣ୍ଡ

ସିରିଆର ବିଦ୍ରୋହୀ ମେଣ୍ଟ ହେଉଛି ଏକ ନୂତନ ସଂଗଠନ ଯାହାକୁ "ମିଲିଟାରୀ ଅପରେସନ କମାଣ୍ଡ" କୁହାଯାଏ । ଏହା ବିଭିନ୍ନ ଇସଲାମିକ ଏବଂ ମଧ୍ୟମବାଦୀ ଗୋଷ୍ଠୀକୁ ନେଇ ଗଠିତ ଯେଉଁମାନେ ମତଭେଦ ସତ୍ତ୍ୱେ ଅସଦ ଶାସନ, ଆଇଏସଆଇଏସ ଏବଂ ଇରାନ ସମର୍ଥିତ ମିଲିସିଆମାନଙ୍କ ବିରୋଧରେ ଲଢେଇ କରିବାକୁ ଏକଜୁଟ ହୋଇଛନ୍ତି । ଏହାର ନେତୃତ୍ୱ ନେଉଛନ୍ତି ଆତଙ୍କବାଦୀ ସଂଗଠନ ଏଚଟିଏସର ମୁଖ୍ୟ ଅବୁ ମହମ୍ମଦ ଅଲ୍-ଜୁଲାନି । ଏକଦା ଅଲ୍ କାଏଦା ସହ ଜଡ଼ିତ ଥିବା ଜୁଲାନି ଆଇଏସ୍ ଆଇଏସ୍ ନେତା ଅବୁ ବକର ଅଲ୍-ବାଗଦାଦିଙ୍କ ଛାତ୍ର ଥିଲେ । ତେବେ ୨୦୧୬ରେ ସେ ଅଲକାଏଦାଠାରୁ ଅଲଗା ହୋଇ ଅନ୍ୟ ସ୍ଥାନୀୟ ଗୋଷ୍ଠୀମାନଙ୍କ ସହିତ ମିଶି ସିରିଆ-କେନ୍ଦ୍ରୀତ ଶାସନ ବିରୋଧୀ ମୋର୍ଚ୍ଚା ଗଠନ କରିବାକୁ ଘୋଷଣା କରିଥିଲେ। ଯାହାର ନାମ ଥିଲା ଜାଭାତ୍ ଫତେହ ଅଲ୍-ଶାମ୍ (ଲେଭାଣ୍ଟର ବିଜୟ ପାଇଁ ଫ୍ରଣ୍ଟ) । ପରବର୍ତ୍ତୀ ସମୟରେ ଏହା ହୟାତ୍ ତହରିର୍ ଅଲ୍ ଶାମ୍ (ଏଚଟିଏସ୍) ବା ଅର୍ଗାନାଇଜେସନ୍ ଫର୍ ଦି ଲିବରେସନ୍ ଅଫ୍ ଦି ଲେଭାଣ୍ଟ୍ ରେ ପରିଣତ ହୋଇଥିଲା।

ପରେ ଅବଶ୍ୟ ଜୁଲାନି ନିଜକୁ ଜଣେ ରାଜନେତା ଭାବରେ ପ୍ରତିଷ୍ଠା କରାଇବା ପାଇଁ ପ୍ରୟାସ କରିଥିଲେ । କିନ୍ତୁ ସଂଖ୍ୟାଲଘୁ ଖ୍ରୀଷ୍ଟିଆନ ଏବଂ ଅନ୍ୟାନ୍ୟ ଧାର୍ମିକ ସମ୍ପ୍ରଦାୟର ଲୋକଙ୍କ ସମେତ ଲକ୍ଷ ଲକ୍ଷ ସିରିଆବାସୀ ଅଲକାଏଦା ଏବଂ ଆଇଏସଆଇଏସ୍ ଭଳି ଉଗ୍ରବାଦୀ ଗୋଷ୍ଠୀଙ୍କ ଦ୍ୱାରା ନିର୍ଯାତନାର ଶିକାର ହୋଇ ଆସିଛନ୍ତି। ତେଣୁ ସିରିଆର ଭାଗ୍ୟ ଏହି ସଂଗଠନ ହାତରେ ରହିଲେ ଏମାନଙ୍କ ଭାଗ୍ୟ କ’ଣ ହେବ ସେ ନେଇ ସେମାନେ ସନ୍ଦିହାନ ଅଛନ୍ତି । ପରବର୍ତ୍ତୀ ପର୍ଯ୍ୟାୟ ଏକ ନିଷ୍ଠୁର ଏକଛତ୍ରବାଦ ଦ୍ୱାରା ଛନ୍ଦି ହୋଇଥିବା ଲୋକଙ୍କ ପାଇଁ ଏକ ନୂଆ ସକାଳ ହେବ ନା ସାମ୍ପ୍ରଦାୟିକତା ଏକ ଭିନ୍ନ ପ୍ରକାରର ଏକଛତ୍ରବାଦ ଶାସନକୁ ପୁଣି ଆମନ୍ତ୍ରଣ କରିବ ତାହା ଦେଖିବାକୁ ବିଶେଷଜ୍ଞମାନେ ଅପେକ୍ଷା କରିଛନ୍ତି ।

ଉନ୍ନତ ଭବିଷ୍ୟତ ଗଠନର ଐତିହାସିକ ସୁଯୋଗ -ବାଇଡେନ

ଅସଦ ଶାସନର ପତନ ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି, ଅସଦଙ୍କ ଶାସନ କାଳରେ ଦୀର୍ଘ ଦିନଧରି ଦୁର୍ଦ୍ଦଶା ଭୋଗୁଥିବା ସିରିଆବାସୀଙ୍କ ପାଇଁ ଏବେ ଏକ ଉନ୍ନତ ଭବିଷ୍ୟତ ଗଠନର ଐତିହାସିକ ସୁଯୋଗ ଆସିଛି । କିନ୍ତୁ ଏହା ବିପଦପୂର୍ଣ୍ଣ ଏବଂ ଅନିଶ୍ଚିତତାର ମୁହୂର୍ତ୍ତ ବୋଲି ମଧ୍ୟ ସେ ଚେତାବନୀ ଦେଇଛନ୍ତି । କ୍ଷମତା ଦଖଲ କରିଥିବା ସଂଗଠନର ଅତୀତକୁ ଦେଖି ସେ ଏପରି ମନ୍ତବ୍ୟ ଦେଇଛନ୍ତି ।

'ସମଗ୍ର ଇସଲାମିକ ରାଷ୍ଟ୍ର'ର ବିଜୟ-ଜୁଲାନି

ଏହି ବିଦ୍ରୋହ ପରେ ପ୍ରଥମ ଥର ପାଇଁ ସାର୍ବଜନୀନ ବକ୍ତବ୍ୟ ରଖିଛନ୍ତି ଜୁଲାନି । ଏହି ବିଜୟକୁ ସେ 'ସମଗ୍ର ଇସଲାମିକ ରାଷ୍ଟ୍ର'ର ବିଜୟ ବୋଲି ଘୋଷଣା କରିଛନ୍ତି। ସେ କହିଛନ୍ତି ‘ଏହି ମୁହୂର୍ତ୍ତ ପାଇଁ ମୋ ହୃଦୟ ଚାହୁଁଥିଲା । ସିରିଆରେ ଏମିତି କୌଣସି ପରିବାର ନାହିଁ, ଯାହାକୁ ଯୁଦ୍ଧ ସ୍ପର୍ଶ କରିନାହିଁ।‘ ବିଦ୍ରୋହୀମାନେ ଦମାସ୍କସ୍ ଦଖଲ କରିବା ପରେ ରେକର୍ଡ କରାଯାଇଥିବା ଏକ ବାର୍ତ୍ତାରେ ବିଦାୟୀ ପ୍ରଧାନମନ୍ତ୍ରୀ ବିଦ୍ରୋହୀମାନଙ୍କୁ ସହଯୋଗ କରିବା ଏବଂ ସରକାରୀ କାର୍ଯ୍ୟକୁ ସୁରୁଖୁରୁରେ ଏବଂ ଶୃଙ୍ଖଳିତ ଭାବେ ପରିବର୍ତ୍ତନ କରିବାକୁ ସମର୍ଥନ କରିବା ପାଇଁ ସମସ୍ତଙ୍କୁ ନିବେଦନ କରିଛନ୍ତି ।

ରୁଷିଆରେ ରାଜନୈତି ଶରଣ ନେଲେ ଗାଦିଚ୍ୟୁତ ଅସଦ

ରାଜଧାନୀ ଦମାସ୍କସକୁ ମାଡି ଆସିବା ପୂର୍ବରୁ ଦେଶ ଛାଡି ପଳାଇଥିଲେ ରାଷ୍ଟ୍ରପତି ଅସଦ । ଏକ ବିମାନରେ ସେ ନିଜ ପରିବାର ସହ ରୁଷ ପଳାଇଥିଲେ । ରୁଷ ଅସଦ ଓ ତାଙ୍କ ପରିବାରକୁ ରାଜେନୖତିକ ଶରଣ ଦେଇଥିବା ବି ସ୍ୱୀକାର କରିଛି ।

Attack Civilians Syrian Government
Advertisment
Advertisment