/odishatv-khabar/media/post_attachments/uploadimage/library/16_9/16_9_0/IMAGE_1663214770.jpg)
Masood Azhar
ଧରାପଡ଼ିଗଲା ପାକିସ୍ତାନର ମିଛ ସଫେଇ । ଏଫ୍ଏଟିଏଫର ଗ୍ରେ ଲିଷ୍ଟରୁ ବର୍ତ୍ତିବା ଲାଗି କୁଖ୍ୟାତ ଆତଙ୍କବାଦୀ ମାସୁଦ ଆଝାରକୁ ନେଇ ପାକିସ୍ତାନ ର ମିଛ ଧରାପଡ଼ିଯାଇଛି । ମାସୁଦ ଆଝାର ଆଫଗାନିସ୍ତାନ ନୁହେଁ, ପାକିସ୍ତାନରେ ହିଁ ଥାଇପାରେ ବୋଲି ଆଫଗାନିସ୍ତାନର ତାଲିବାନ ସରକାର ସ୍ପଷ୍ଟ କରିଛି । ପ୍ରମାଣ ଏବଂ କାଗଜପତ୍ର ନ ଥିବା ଏଭଳି ଅଭିଯୋଗରୁ ନିବୃତ୍ତ ରହିବାକୁ ଚେତାଇ ମଧ୍ୟ ଦେଇଛି ।
ମାସୁଦ ଭଳି କୁଖ୍ୟାତ ଆତଙ୍କବାଦୀଙ୍କୁ ସୁରକ୍ଷା ଦେଉଥିବା ଦୃଷ୍ଟିରୁ ପାକିସ୍ତାନକୁ ଗ୍ରେ ଲିଷ୍ଟରେ ରଖିବା ଲାଗି ଏଫ୍ଏଟିଏଫ୍ ଚେତାବନୀ ଦେଇଥିଲା । ଗ୍ରେ ଲିଷ୍ଟରେ ରହିବା ବା ଆତଙ୍କବାଦୀଙ୍କୁ ସୁରକ୍ଷା ଦେଉଥିବା ଦଷ୍ଟିରୁ ଅନ୍ତର୍ଜାତୀୟ ଆର୍ଥିକ ସହାୟତା ବନ୍ଦ ହେବା ଆଶଙ୍କା ଥିଲା । ଏଣୁ ଏଥିରୁ ବର୍ତ୍ତିବା ଲାଗି ମାସୁଦ ଆଝାରକୁ ଗିରଫ କରିବା ଲାଗି ଆଫଗାନିସ୍ତାନକୁ ଚିଠି ଲେଖିଥିଲା । ଏହାସହ କହିଥିଲା ଯେ, ତାଲିବାନ ଶାସନ ଆସିବା ପରେ ମାସୁଦ ଆଫଗାନିସ୍ତାନକୁ ଚାଲିଯାଇଛି । ସେ ନଙ୍ଗରହାର ଓ କନହାର ଅଞ୍ଚଳରେ ରହୁଛି । ଏଣୁ ତାକୁ ଗିରଫ କରି ହସ୍ତାନ୍ତର କରିବାକୁ ପାକିସ୍ତାନ ଏ ଚିଠିରେ ଲେଖିଥିଲା ।
ତେବେ ଗତକାଲି ତାଲିବାନ ସରକାର ଏହାକୁ ଖଣ୍ଡନ କରିଛନ୍ତି । ତାଲିବାନ ସରକାରଙ୍କ ମୁଖପାତ୍ର ଜବିଉଲ୍ଲା ମୁଜାହିଦ୍ କହିଛନ୍ତି, ଜୈସ ଇ ମହମ୍ମଦର ମୁଖ୍ୟ ମାସୁଦ୍ ଆଝାର ଆଫଗାନିସ୍ତାନରେ ନାହିଁ ବରଂ ପାକିସ୍ତାନରେ ଥାଇପାରେ । ତେବେ ଏଭଳି ଆରୋପ କାବୁଲ ଓ ଇସଲାମାବାଦ ମଧ୍ୟରେ ସଂପର୍କ ନଷ୍ଟ କରିବା ଆଶଙ୍କା ରହିଛି ବୋଲି ତାଲିବାନ ସରକାର କହିଛନ୍ତି ।
ସୂଚନାଯୋଗ୍ୟ ଭାରତ ରେ ସଂସଦ ଭବନ ଆକ୍ରମଣ ଠାରୁ ଆରମ୍ଭ କରି ମୁମ୍ବାଇ ବିସ୍ଫୋରଣ, ପଠାନକୋଟ ଓ ପୁଲୱାମା ଭଳି ଏକାଧିକ ଆତଙ୍କୀ ହମଲାରେ ମାସୁଦର ହାତ ଥିବାର ପ୍ରମାଣ ପୂର୍ବରୁ ପାକିସ୍ତାନକୁ ଦେଇ ସାରିଛି ଭାରତ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)