/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748071256.jpg)
India slams Pakistan
ଜାତିସଂଘ ସୁରକ୍ଷା ପରିଷଦରେ ପାକିସ୍ତାନକୁ ଶକ୍ତ ଚାପୁଡା ମାରିଛି ଭାରତ । ଜାତିସଂଘରେ ପାକିସ୍ତାନର ଅସଲ ମୁଖା ଖୋଲିଛି ଭାରତ । ସାଧାରଣ ନାଗରିକଙ୍କ ସୁରକ୍ଷା ସମ୍ପର୍କିତ ଆଲୋଚନାରେ ପାକିସ୍ତାନର ଭାଗିଦାରୀତାକୁ କଡା ସମାଲୋଚନା କରିଛି ଭାରତ । ଆତଙ୍କବାଦୀ ଓ ସାଧାରଣ ନାଗରିକଙ୍କ ମଧ୍ୟରେ ପାର୍ଥକ୍ୟ ବୁଝି ପାରୁନଥିବା ରାଷ୍ଟ୍ର ନାଗରିକଙ୍କ ସୁରକ୍ଷା ବିଷୟରେ କହିବାର ଅଧିକାର ନାହିଁ ବୋଲି ଜାତିସଂଘରେ କହିଛନ୍ତି ଭାରତର ସ୍ଥାୟୀ ପ୍ରତିନିଧି ହରିଶ ପୁରୀ । ‘ସାମରିକ ସଂଘର୍ଷରେ ସାଧାରଣ ନାଗରିକଙ୍କ ସୁରକ୍ଷା’କୁ ନେଇ ଚାଲୁଥିବା ବିତର୍କରେ ଭାରତକୁ ପ୍ରତିନିଧିତ୍ୱ କରୁଥିଲେ ଆମ୍ବାସଡର ହରିଶ ପୁରୀ ।
ଏହି ବିତର୍କ ସମ୍ମିଳନୀରେ ଭାଗ ନେଇଥିବା ପାକିସ୍ତାନକୁ କଡା ସମାଲୋଚନା କରି ହରିଶ କହିଛନ୍ତି, ‘‘ଭାରତ ବହୁ ବର୍ଷ ଧରି ପାକିସ୍ତାନ ସମର୍ଥିତ ଆତଙ୍କବାଦୀଙ୍କ ଆକ୍ରମଣର ଶିକାର ହେଉଛି । ନିକଟରେ ପାକିସ୍ତାନ ସେନା ଭାରତର ସୀମାନ୍ତବର୍ତ୍ତୀ ଗାଁ ଗୁଡିକୁ ଟାର୍ଗେଟ କରି ଆକ୍ରମଣ କରିଥିଲା । ଯେଉଁଥିରେ ୨୦ରୁ ଉର୍ଦ୍ଧ୍ୱ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ୮୦ରୁ ଉର୍ଦ୍ଧ୍ୱ ଆହତ ହୋଇଥିଲେ । ଏପରିକି ଧାର୍ମିକସ୍ଥଳୀ ଉପରକୁ ଜାଣିଶୁଣି ଟାର୍ଗେଟ କରାଯାଇଥିଲା । ଏଥିରେ ବହୁ ମନ୍ଦିର ଓ ଗୁରୁଦ୍ୱାର କ୍ଷତିଗ୍ରସ୍ତ ହୋଇଥିଲା । ତେଣୁ ଏଭଳି ରାଷ୍ଟ୍ର ସାଧାରଣ ନାଗରିକଙ୍କ ସୁରକ୍ଷା ସମ୍ପର୍କିତ ଆଲୋଚନାରେ ଭାଗ ନେବା ଅନ୍ତଜାର୍ତୀୟ ସମୁଦାୟ ପ୍ରତି ଅସମ୍ମାନ ।’’
ଅଧିକ ପଢ଼ନ୍ତୁ: ଧନୀ ହେଉଛି ଦେଶ : ଭାରତରେ କମୁଛି ଗରିବଙ୍କ ସଂଖ୍ୟା
‘‘ମୁମ୍ବାଇରେ ୨୬/୧୧ ଆକ୍ରମଣଠାରୁ ଆରମ୍ଭ କରି ଗତ ଏପ୍ରିଲ ୨୨ର ପହଲଗାମ ଆତଙ୍କବାଦୀ ଆକ୍ରମଣ ପର୍ଯ୍ୟନ୍ତ ସବୁଠି ନୀରିହ ଲୋକଙ୍କ ହତ୍ୟା ହୋଇଛି । ପାକିସ୍ତାନ ଆତଙ୍କବାଦର ଶିକାର ହୋଇଥିବା ପ୍ରତ୍ୟେକ ବ୍ୟକ୍ତି ହେଉଛନ୍ତି ସାଧାରଣ ନାଗରିକ । ଏହି ଆକ୍ରମଣ ଆମ ସମୃଦ୍ଧି, ପ୍ରଗତି ଓ ଧୈର୍ଯ୍ୟ ଉପରେ ହେଉଛି । ଆମେ ନିକଟରେ ଦେଖିଛୁ, ଅପରେସନ ସିନ୍ଦୂରରେ ନିପାତ ହୋଇଥିବା ଆତଙ୍କବାଦୀଙ୍କ ଶେଷକୃତ୍ୟରେ ସାମିଲ ହୋଇଥିଲେ ପାକିସ୍ତାନର ବରିଷ୍ଠ ସରକାରୀ ଅଧିକାରୀ, ପୋଲିସ ଓ ମିଲିଟାରୀ ଫୋର୍ସ । ଯେଉଁ ରାଷ୍ଟ୍ର ଆତଙ୍କବାଦ ଓ ସାଧାରଣ ନାଗରିକଙ୍କ ମଧ୍ୟରେ ପାର୍ଥକ୍ୟ ଜାଣି ପାରୁନାହିଁ, ତା’ର ଲୋକଙ୍କ ସୁରକ୍ଷାକୁ ନେଇ କହିବାର କୌଣସି ଅଧିକାର ନାହିଁ’’ ବୋଲି ହରିଶ ପୁରୀ କହିଛନ୍ତି ।
ଅଧିକ ପଢ଼ନ୍ତୁ: ପଛରେ ପଡ଼ିଲା ଚୀନ୍ ! ଭାରତ ଏବେ ବିଶ୍ୱର ସର୍ବାଧିକ ଜନବହୁଳ ଦେଶ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)