ବ୍ରାଜିଲର ରିଓ ଡେ ଜେନେରୋଠାରେ ଅନୁଷ୍ଠିତ ହୋଇଛି ସପ୍ତଦଶ ବ୍ରିକ୍ସ ସମ୍ମିଳନୀ । ଏହି ଦୁଇ ଦିନିଆ ବ୍ରିକ୍ସ ସମ୍ମିଳନୀରେ ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ସମ୍ପ୍ରତି ଆତଙ୍କବାଦୀ ଆକ୍ରମଣ ଉପରେ ଆଲୋଚନା କରିବା ସହ ଆତଙ୍କବାଦ ସମସ୍ୟା କେତେ ଗମ୍ଭୀର ସେ ନେଇ ଗୁରୁତ୍ୱାରୋପ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଅଧିକ ପଢ଼ନ୍ତୁ: ଆମେରିକା ଯାଇ ମାନବଚାଲାଣକାରୀଙ୍କ ହାବୁଡରେ ପଡିଲେ ଯୁବକ, ଜଙ୍ଗଲରେ ଥାର୍ଡ ଡିଗ୍ରୀ ନିର୍ଯାତନାର ଶିକାର
“ନିକଟରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ହେଉଛି ସମଗ୍ର ମାନବଜାତି ଉପରେ ଆକ୍ରମଣ । ଆତଙ୍କାବାଦ ମାନବତା ପାଇଁ ଏକ ବଡ ଚ୍ୟାଲେଞ୍ଜ । ଦୋମୁହାଁ ନୀତି ପାଇଁ କୌଣସି ସ୍ଥାନ ନାହିଁ । ଯଦି କୌଣସି ଦେଶ ପ୍ରତ୍ୟେକ୍ଷରେ ହେଉ କିମ୍ବା ପରୋକ୍ଷରେ ଆତଙ୍କବାଦକୁ ସମର୍ଥନ କରୁଛନ୍ତି ମାନେ, ସେମାନଙ୍କୁ ତାର ମୂଲ୍ୟ ଦେବାକୁ ପଡିବ । ଆତଙ୍କବାଦୀଙ୍କ ଉପରେ ପ୍ରତିବନ୍ଧକ ଲଗାଇବାରେ କୌଣସି ଦ୍ୱିଧା ରହିବା ଉଚିତ୍ ନୁହେଁ । ଆମେ ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଥିବା ଲୋକ ଓ ଆତଙ୍କବାଦ ସମର୍ଥକଙ୍କୁ ଗୋଟିଏ ଦୃଷ୍ଟିରେ ଦେଖି ପାରିବୁ ନାହିଁ । ବ୍ୟକ୍ତିଗତ ହେଉ କିମ୍ବା ରାଜନୈତିକ ଭାବେ ହେଉ, କୌଣସି କାରଣ ପାଇଁ ଆତଙ୍କବାଦକୁ ସମର୍ଥନ କରିବା ଉଚିତ୍ ନୁହେଁ । ଆତଙ୍କବାଦ ବିରୋଧରେ ବିଶ୍ୱସ୍ତରୀୟ କାର୍ଯ୍ୟାନୁଷ୍ଠାନ ନେବା ଦରକାର । ସବୁ ଦେଶ ନିର୍ଣ୍ଣାୟକ ନିଷ୍ପତ୍ତି ନେବା ଦରକାର । ପରିସ୍ଥିତି ଯାହା ବି ହେଉନା କାହିଁକି, ଶାନ୍ତିର ମାର୍ଗରେ ହିଁ ମାନବତା କଲ୍ୟାଣ ହୋଇପାରିବ” ବୋଲି ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଉଦବୋଧନରେ କହିଥିଲେ ।
Also Read
ଆତଙ୍କବାଦକୁ ବ୍ରିକ୍ସ ସଦସ୍ୟଙ୍କ କଡା ନିନ୍ଦା
ବ୍ରିକ୍ସ ସମ୍ମିଳନୀରେ ଆତଙ୍କବାଦୀ ଆକ୍ରମଣକୁ କଡା ନିନ୍ଦା କରିଛନ୍ତି ସଦସ୍ୟ ରାଷ୍ଟ୍ର । ଏ ନେଇ ଏକ ମିଳିତ ବିବୃତ୍ତି ଜାରି କରିଛନ୍ତି । ସଦସ୍ୟ ରାଷ୍ଟ୍ରର ନେତାମାନେ ସବୁ ପ୍ରକାର ଆତଙ୍କବାଦକୁ ବିରୋଧ କରନ୍ତି ବୋଲି ସ୍ପଷ୍ଟ କରିଛନ୍ତି । ଆତଙ୍କୀଙ୍କ ସୀମାପାର ଅନୁପ୍ରବେଶ, ପାଣ୍ଠି ଯୋଗାଣକୁ ନିନ୍ଦା କରିବା ସହ ସେମାନଙ୍କ ଆଡ୍ଡାକୁ ଧ୍ୱଂସ କରିବା ଆବଶ୍ୟକ ବୋଲି ଦର୍ଶାଇଛନ୍ତି । ଜାତିସଂଘ ଯେଉଁ ସବୁ ଆତଙ୍କବାଦୀ ଓ ଓ ଆତଙ୍କୀ ସଙ୍ଗଠନ ଉପରେ ନିଷେଧାଦେଶ ଲଗାଇଛି, ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍ । ଆତଙ୍କବାଦ କୌଣସି ଧର୍ମ, ଜାତି କିମ୍ବା ଦେଶ ସହିତ ଯୋଡା ଯିବା ଉଚିତ୍ ନୁହେଁ । ଯେଉଁମାନେ ଆତଙ୍କବାଦକୁ ସମର୍ଥନ କରୁଛନ୍ତି ଓ ଆତଙ୍କବାଦରେ ସାମିଲ ଅଛନ୍ତି, ସେମାନଙ୍କୁ ଦଣ୍ଡ ମିଳିବା ଉଚିତ୍ ବୋଲି ସଦସ୍ୟ ରାଷ୍ଟ୍ର କହିଛନ୍ତି ।
ଅଧିକ ପଢ଼ନ୍ତୁ: ସର୍ବସାଧାରଣରେ ନଜର ଆସିଲେ ଇରାନର ସୁପ୍ରିମ ଲିଡର ଅୟାତୁଲ୍ଲା ଖାମେନେଇ