/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747485327.jpg)
Nuclear Weapons
ପାକିସ୍ତାନ ହାତରେ କେତେ ସୁରକ୍ଷିତ ପରମାଣୁ ବୋମା ? ପାକିସ୍ତାନରେ ଥିବା ପରମାଣୁ ବୋମା ଆତଙ୍କବାଦୀ ସଂଗଠନଙ୍କ ହାତକୁ ଚାଲିଯିବନି ତ ? ଆତଙ୍କବାଦୀ ସଂଗଠନକୁ ପ୍ରୋତ୍ସାହନ ଯୋଗାଉଥିବା ପାକିସ୍ତାନର ପରମାଣୁ ଅସ୍ତ୍ର ବ୍ୟବହାରର ନୀତି ଠିକ ଅଛି ତ ? ଏଭଳି କିଛି ପ୍ରଶ୍ନ ଉଠାଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପାକିସ୍ତାନର ପରମାଣୁ ଅସ୍ତ୍ର ବିଶ୍ୱ ପାଇଁ ବିପଦ ଆଣିପାରେ ବୋଲି ଚେତାଇ ଦେଇଛନ୍ତି । ପାକିସ୍ତାନ ପାଖରେ ଥିବା ପରମାଣୁ ବୋମା ଯଦି ଆତଙ୍କବାଦୀ ସଂଗଠନ ହାତକୁ ଚାଲିଯାଏ ତେବେ ଏହାର ପରିଣାମ କ’ଣ ହେବ ବୋଲି ସେ ପ୍ରଶ୍ନ ଉଠାଇ ବିଶ୍ୱ ସମୁଦାୟର ଦୃଷ୍ଟି ଆକର୍ଷଣ କରିଛନ୍ତି ।
ଆତଙ୍କୀ ନିପାତ ପାଇଁ ଭାରତ ଅପରେସନ ସିନ୍ଦୁର ମାଧ୍ୟମରେ ଆକ୍ରମଣ ଜୋରଦାର କରିଥିବା ବେଳେ ଏହାର ମୁକାବିଲା କରିବା ପରିବର୍ତ୍ତେ ପରମାଣୁ ବୋମା ଆକ୍ରମଣର ଧମକ ଦେବା ପ୍ରମାଣ କରୁଛି ଯେ ଆତଙ୍କବାଦୀଙ୍କ ସୁରକ୍ଷା ପାଇଁ ପାକିସ୍ତାନ କେଉଁ ସ୍ତରକୁ ଯାଇପାରେ । ତେଣୁ ପାକିସ୍ତାନରେ ପରମାଣୁ ବୋମା ଆକ୍ରମଣର ଧମକକୁ ପ୍ରଧାନମନ୍ତ୍ରୀ କଡା ଭାଷାରେ ଜବାବ ଦେଇଥିଲେ । ଏଭଳି ବ୍ଲାକମେଲକୁ ଭାରତ ଖାତିର କରେନି ବୋଲି ସିଧା ସିଧା କହିଥିଲେ ।
ଅଧିକ ପଢନ୍ତୁ: କବୁଲ କଲା ପାକିସ୍ତାନ; ଅପରେସନ୍ ସିନ୍ଦୂରରେ ପାକ୍ରେ ହୋଇଛି ଭୟଙ୍କର କ୍ଷତି
ଭାରତ ପାକିସ୍ତାନ ଭିତରେ ଯୁଦ୍ଧ ଭଳି ପରିସ୍ଥିତି ଉପୁଜିଲେ, ସାଧାରଣତଃ ମନରେ ପ୍ରଶ୍ନ ଉଠେ ଦୁଇ ପରମାଣୁ ଶକ୍ତି ସମ୍ପନ୍ନ ଦେଶ, ପରମାଣୁ ଅସ୍ତ୍ର ବ୍ୟବହାର କରିବେନି ତ? ପରମାଣୁ ଅସ୍ତ୍ର ବ୍ୟବହାର ନେଇ ଭାରତର ନୀତି ରହିଛି । ଏହି ନୀତିର ମୁଖ୍ୟ ସିଦ୍ଧାନ୍ତ ହେଉଛି ପ୍ରଥମେ ବ୍ୟବହାର ନୁହେଁ ବା ନୋ ଫାଷ୍ଟ ୟୁଜ୍ । ଭାରତ ସ୍ପଷ୍ଟ କରିଛି ଯେ, ସେ କୌଣସି ଦେଶ ଉପରେ ପ୍ରଥମେ ପରମାଣୁ ଆକ୍ରମଣ କରିବ ନାହିଁ । ପ୍ରଥମେ ଅନ୍ୟ କୌଣସି ଦେଶ ପରମାଣୁ ଆକ୍ରମଣ କଲେ ହିଁ ଭାରତ ପରମାଣୁ ଅସ୍ତ୍ର ବ୍ୟବହାର କରିବ ।
ଏହି ନୀତି ଭାରତର ରକ୍ଷାତ୍ମକ ଓ ଦାୟିତ୍ୱପୂର୍ଣ୍ଣ ଛବିକୁ ପ୍ରତିଫଳିତ କରେ । ବିଶେଷଜ୍ଞଙ୍କ ମତରେ ଭାରତ ଏହି ନୀତିର ସମୟାନୁସାରେ ସମୀକ୍ଷା କରୁଛି, ଖାସକରି ପାକିସ୍ତାନର ଫାର୍ଷ୍ଟ ୟୁଜ୍ ନୀତି ଓ ଆଞ୍ଚଳିକ ବିପଦକୁ ଦୃଷ୍ଟିରେ ରଖି ଏହା ଉପରେ ସମୀକ୍ଷା କରାଯାଉଛି । ପାକିସ୍ତାନ ଉପରେ କୌଣସି ଆକ୍ରମଣ ହୁଏ, ପାକିସ୍ତାନ ପରମାଣୁ ଆକ୍ରମଣର ଧମକ ଦେଇଥାଏ । ବିଶେଷଜ୍ଞ କୁହନ୍ତି ଯେ, ପାକିସ୍ତାନ ପରମାଣୁ ଅସ୍ତ୍ର ଧମକ ଦେବାର କାରଣ ଭାରତର ସାମରିକ ଶକ୍ତି ଆଗରେ ପାକିସ୍ତାନ ମୁକାବିଲା କରିପାରୁ ନାହିଁ। ବିପଦ ସମୟରେ ପ୍ରଥମେ ପରମାଣୁ ଅସ୍ତ୍ର ବ୍ୟବହାର କରିବା ପାକିସ୍ତାନର ନୀତି ଏବେ ପ୍ରଶ୍ନବାଚୀ ହୋଇଛି ।
ଭାରତ ଓ ପାକିସ୍ତାନ ପାଖରେ କେତେ ପରମାଣୁ ଅସ୍ତ୍ର ଅଛି । ଏହାର କୌଣସି ଆନୁଷ୍ଠାନିକ ତଥ୍ୟ ନାହିଁ। ତଥାପି, ଷ୍ଟକହୋମ ଇଣ୍ଟରନ୍ୟାସନାଲ ପିସ୍ ରିସର୍ଚ ଇନଷ୍ଟିଟ୍ୟୁଟ ଏବଂ ଆମେରିକାନ ଫେଡେରେସନ ଅଫ ସାଇଣ୍ଟିଷ୍ଟସ୍ ପରମାଣୁ ଅସ୍ତ୍ରର ସଂଖ୍ୟାର ଆକଳନ କରିଥାନ୍ତି । ୨୦୨୪ ଆକଳନ ଅନୁଯାୟୀ, ଭାରତ ପାଖରେ ୧୭୨ଟି ଏବଂ ପାକିସ୍ତାନ ପାଖରେ ୧୭୦ଟି ପରମାଣୁ ଅସ୍ତ୍ର ଅଛି । ଆମେରିକାନ ଫେଡେରେସନ ଅଫ ସାଇଣ୍ଟିଷ୍ଟସର ଆକଳନ ଆନୁସାରେ ଭାରତ ପାଖରେ ୧୮୦ଟି ଏବଂ ପାକିସ୍ତାନ ପାଖରେ ୧୭୦ଟି ପରମାଣୁ ଅସ୍ତ୍ର ଥାଇପାରେ।
ପରମାଣୁ ଅସ୍ତ୍ର କାହା ପାଖରେ କେତେ ଅଛି ସଂଖ୍ୟା ଗୁରୁତ୍ୱ ରଖେ ନାହିଁ । ଏହାର ଅଳ୍ପ ସ୍ଂଖ୍ୟକ ବ୍ୟବହାର ବିପୁଳ ଧ୍ୱଂସଲୀଳା ଘଟାଇଥାଏ । ଚୀନ ପାଖରେ ସର୍ବାଧିକ ପରମାଣୁ ଅସ୍ତ୍ର ଥିବା ମଧ୍ୟ କୁହାଯାଏ । ପରମାଣୁ ବୋମା ବ୍ୟବହାର ନେଇ ପାକିସ୍ତାନର ଧମକକୁ ଭାରତ ଜେସାକୁ ତେସା ନୀତି ଆପଣେଇବ ବୋଲି ପରୋକ୍ଷରେ ଚେତାଇଦେଇଛି । ହେଲେ ଅତଙ୍କବାଦୀ ପୋଷୁଥିବା ରାଷ୍ଟ୍ର ହାତରେ ପରମାଣୁ ବୋମା ରହିବା ବିଶ୍ବ ସମୁଦାୟ ପାଇଁ ବିପଦ ନିଶ୍ଚୟ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)