/odishatv-khabar/media/post_attachments/uploadimage/library/16_9/16_9_0/Israel_1747821343.jpg)
Israel
ଗାଜା ଉପରେ ଇସ୍ରାଏଲର ଆଟାକ । ଇସ୍ରାଏଲର ଏୟାରଷ୍ଟ୍ରାଇକରେ ପାଲେଷ୍ଟାଇନର ଗାଜାରେ ପ୍ରାୟ ୫୫ ଜଣଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ଅନ୍ତର୍ଜାତୀୟ ସଂଗଠନର ଚାପ ସତ୍ତ୍ବେ ଗାଜା ଉପରେ ଇସ୍ରାଏଲର ଆଟାକ ଜାରି ରହିଛି । ଗାଜାରେ ୨ଟି ଘର ଉପରେ ହୋଇଥିବା ଏହି ଆକ୍ରମଣରେ ଘର ଭିତରେ ଥିବା ୧୮ ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି ବିସ୍ଥାପିତମାନେ ରହୁଥିବା ଏକ ସ୍କୁଲ ଉପରେ ମଧ୍ୟ ଆକ୍ରମଣ ହୋଇଥିଲା ବୋଲି ସୂଚନା ମିଳିଛି ।
ଗତ ସୋମବାର ଦିନ ଆକ୍ରମଣ କରିବା ପୂର୍ବରୁ ଇସ୍ରାଏଲ ସେନା ପକ୍ଷରୁ ତୁରନ୍ତ ଦକ୍ଷିଣ ଗାଜାରେ ଥିବା ଖାନ ୟୁନିସ୍ ଅଞ୍ଚଳ ଛାଡି ଅନ୍ୟତ୍ର ଚାଲିଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ମଙ୍ଗଳବାର ଦିନ ଖାନ ୟୁନେସରେ ହୋଇଥିବା ଏହି ଆକ୍ରମଣ ଉତ୍ତର ଗାଜା ପର୍ଯ୍ୟନ୍ତ ବ୍ୟାପିଥିଲା । ଅଲ୍-ବାଲାହ, ନୁସରତ ଜାବାଇଲା ଏବଂ ଗାଜା-ସିଟିରେ ମଧ୍ୟ ଆକ୍ରମଣ ହୋଇଥିଲା ।
ଗାଜା ସିଟିରେ ଏହି ଆକ୍ରମଣରେ ପ୍ରଭାବିତ ହୋଇଥିବା ଲୋକମାନେ ସେମାନଙ୍କ ପ୍ରିୟଜନଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡିଥିବା ଅତ୍ୟନ୍ତ ହୃଦୟ ବିଦାରକ ଦୃଶ୍ୟ ସାମନାକୁ ଆସିଛି । ସୂଚନାଯୋଗ୍ୟ, ଗତ ୮ ଦିନ ମଧ୍ୟରେ ଗାଜା ଉପରେ ଇସ୍ରାଏଲର ଆକ୍ରମଣରେ ୫୦୦ରୁ ଉର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ଅଧିକ ପଢନ୍ତୁ: ଗାଜାକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆଣିବୁ- ନେତନ୍ୟାହୁ
୨୦୨୩ରୁ ପାଲେଷ୍ଟାଇନ ଉପରେ ଇସ୍ରାଏଲର କ୍ରମାଗତ ଭାବେ ଆଟାକ ଯୋଗୁଁ ଦେଶରେ ଆର୍ଥିକ ସ୍ଥିତି ଅତ୍ୟନ୍ତ ନିମ୍ନକୁ ଗତି କରୁଥିବା ବେଳେ ସାଧାରଣତଃ ଲୋକମାନଙ୍କ ପାଇଁ ଖାଦ୍ୟ ଖାଇବା ଓ ପିଇବା ପାଇଁ ମଧ୍ୟ ଅନେକ କଷ୍ଟସାଧ୍ୟ ହୋଇ ପଡିଛି । ଏଭଳି ସ୍ଥିତିରେ ଅନାହାର ମୃତ୍ୟୁ ସମ୍ଭାବନା ବଢିବାରେ ଲାଗିଛି । ଜାତିସଂଘ ପୂର୍ବରୁ କହିଥିଲା ଯେ, ଗାଜାରେ ଥିବା ଜନସଂଖ୍ୟାକୁ ଆଧାର କରି ଲୋକମାନଙ୍କ ଆବଶ୍ୟକତାକୁ ପୂରଣ କରିବା ପାଇଁ ପ୍ରତିଦିନ ପ୍ରାୟ ୫୦୦ ଟ୍ରକ ବିଶିଷ୍ଟ ଅତ୍ୟାବଶ୍ୟକ ସାମଗ୍ରୀ ଦରକାର । ଗାଜାରେ ମାନବୀୟ ସହାୟତା ଯୋଗାଇ ଦେବା ପାଇଁ ୧୦୦ରୁ ଅଧିକ ଟ୍ରକର ସାମଗ୍ରୀର ଯୋଗାଇବାକୁ ଇସ୍ରାଏଲ ଅନୁମତି ଦେଇଛି ବୋଲି ଜାତିସଂଘର ଏକ ମୁଖପାତ୍ର କହିଛନ୍ତି । ତେବେ ଖାଦ୍ୟାଭାବରୁ ଗାଜାରେ ପୁଷ୍ଟିହୀନତା ଦେଖାଦେଉଛି ।
ତେବେ ଇସ୍ରାଏଲ ଯଦି ଗାଜା ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ ନ କରେ, ତାହାଲେ ତା’ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବ୍ରିଟେନ, ଫାନ୍ସ ଓ କାନାଡା ପକ୍ଷରୁ ଚେତାବନୀ ଦିଆ ଯାଇଥିଲା । ଏହି ରାଷ୍ଟ୍ରନେତାଙ୍କ ଚେତାବନୀ ପରେ ଜବାବ ଦେଇ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଥିଲେ, ସମ୍ପୁର୍ଣ୍ଣ ଜିତ୍ ନ ହେବା ଯାଏଁ ଏହି ଆକ୍ରମଣ ଜାରି ରହିବ । ଅନ୍ୟପଟେ ସୂଚନା ମିଳିଛି ଯେ, ଇସ୍ରାଏଲ ସ୍ଥଳ ସେନାର ଆକ୍ରମଣ ଓ ବାୟୁ ସେନାର ଆକ୍ରମଣରେ ଗାଜା ସମ୍ପୂର୍ଣ୍ଣ ଧ୍ୱଂସ ହୋଇ ଯାଇଥିବା ବେଳେ ଆଜି ସୁଦ୍ଧା ୫୩,୦୦୦ରୁ ଉର୍ଦ୍ଧ୍ୱ ଲୋକଙ୍କ ପ୍ରାଣହାନୀ ହେଲାଣି । ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ସାଧାରଣ ନାଗରିକ । ବ୍ରିଟେନ ଇସ୍ରାଏଲ ସହିତ ମୁକ୍ତ ବାଣିଜ୍ୟ ଆଲୋଚନା ବନ୍ଦ କରିଥିବା ବେଳେ ଇସ୍ରାଏଲର ଆକ୍ରମଣ ଅତ୍ୟନ୍ତ ଭୟଙ୍କର ବୋଲି ବର୍ଣ୍ଣନା କରିଛି ।
ସୂଚନା ଯୋଗ୍ୟ, ୨୦୨୩ ଅକ୍ଟୋବର ୭ରୁ ହମାସ ଓ ଇସ୍ରାଏଲ ମଧ୍ୟରେ ଏହି ଯୁଦ୍ଧ ଚାଲିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)