Advertisment

Israel-Gaza Conflict Crisis: ଭୋକର ତାଣ୍ଡବ.. ନର୍କଯନ୍ତ୍ରଣା ଭୋଗୁଛନ୍ତି କୁନି କୁନି ପିଲା, କାହିଁକି ଯୋଗାଣ ବନ୍ଦ କରିଛି ଇସ୍ରାଏଲ ?

ଆକାଶରୁ ହେଉଛି ଗୁଳି ବର୍ଷା । ଲକ୍ଷ୍ୟ ଆତଙ୍କବାଦର ମୂଳୋତ୍ପାଟନ । ଯାହା କିଛି କରିବାକୁ ପଡୁଛି କରୁଛି ଏହି ଦେଶ । ଏବେ ଖାଦ୍ୟ ଯୋଗାଣ ବି ବନ୍ଦ କରିଦେଲା । ଖାଦ୍ୟାଭାବରୁ ଶୁଭିଲାଣି ବିକଟାଳ ଶବ୍ଦ ।

author-image
Pragyan Paramita Behera
ଅଦ୍ୟତନ ହୋଇଛି
Israel Attack

Israel Attack

ଆତଙ୍କବାଦର ମୂଳୋତ୍ପାଟନ ପାଇଁ ଆରମ୍ଭ ହୋଇଥିବା ଯୁଦ୍ଧରେ ବଳିପଡ଼ୁଛନ୍ତି ନିରୀହ ଲୋକ । ବଞ୍ଚି ଥାଉ ଥାଉ ନର୍କ ଯନ୍ତ୍ରଣା ଭୋଗୁଛନ୍ତି କୁନି କୁନି ଛୁଆ । ତୁହାକୁ ତୁହା ଆକ୍ରମଣ ସାଙ୍ଗକୁ ଚାରିଆଡ଼େ ଭୋକର ବିକଟାଳ ଶବ୍ଦ ଶୁଭୁଛି.. । ହମାସ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଇ ଗାଜା ଉପରେ ପ୍ରଚଣ୍ଡ ଆକ୍ରମଣ ଜାରି ରଖିଛି ଇସ୍ରାଏଲ । ଯୁଦ୍ଧ ବନ୍ଦ ପାଇଁ ଅନ୍ତର୍ଜାତୀୟ ସ୍ତରରୁ ଚାପ ସତ୍ତ୍ୱେ ଇସ୍ରାଏଲ୍ ଆକ୍ରମଣ ବଢ଼ାଇଛି। ହମାସର ବର୍ବର ଆକ୍ରମଣ ପରେ ଆରମ୍ଭ ହୋଇଥିବା ସଂଘର୍ଷ ଯୋଗୁଁ ଗାଜାର ସ୍ଥିତି ଏବେ ଭୟଙ୍କର । କ୍ରମାଗତ ଭାବେ ଆକାଶମାର୍ଗରୁ ବୋମାମାଡ଼ ଓ ସ୍ଥଳଭାଗରେ ଆକ୍ରମଣ ଯୋଗୁ ଗାଜା ଏକପ୍ରକାର ଧ୍ୱଂସସ୍ତୂପରେ ପରିଣତ ହେବାକୁ ବସିଲାଣି। ବହୁସଂଖ୍ୟାରେ ନିରୀହ ଲୋକଙ୍କ ଜୀବନ ଯାଉଛି।

Advertisment

ଗାଜାରେ ମାନବୀୟ ସଙ୍କଟ ସବୁଠାରୁ ଭୟାବହ ପର୍ଯ୍ୟାୟରେ ପହଞ୍ଚିଛି। ଗାଜାକୁ ଖାଦ୍ୟ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ କରିଦେବା ସହ ବୋମାମାଡ଼କୁ ତୀବ୍ର କରିଛି ଇସ୍ରାଏଲ । ଖାଦ୍ୟ ସାମଗ୍ରୀ ଯୋଗାଣର ଅବରୋଧ ଯୋଗୁଁ ଗାଜା ଦୁର୍ଭିକ୍ଷ ଆଶଙ୍କାର ସମ୍ମୁଖୀନ ହେଉଛି ବୋଲି ମାନବିକ ସଂଗଠନଗୁଡ଼ିକ ଚେତାବନୀ ଦେଇଛନ୍ତି। ସାଧାରଣ ରୋଗର ଚିକିତ୍ସା ପାଇଁ ମଧ୍ୟ ଔଷଧ ନଥିବା କହିଛନ୍ତି ଡାକ୍ତର । ଗାଜାବାସୀ ଅତ୍ୟନ୍ତ ଦୟନୀୟ ସ୍ଥିତିରେ ରହିଛନ୍ତି । ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିବାରୁ ପାଲେଷ୍ଟିନୀୟମାନଙ୍କ ନିକଟରେ ସହାୟତା ପହଞ୍ଚୁନାହିଁ । ସେହିପରି ଉଦ୍ଧାରକାରୀ ଟିମ୍ ମଧ୍ୟ ଆବଶ୍ୟକ ସ୍ଥଳେ ପହଞ୍ଚପାରୁ ନାହାନ୍ତି ।

ଅନ୍ୟପକ୍ଷରେ ଆମେରିକା ଗାଜାରୁ ୧୦ ଲକ୍ଷ ପାଲେଷ୍ଟାଇନ ନାଗରିକଙ୍କୁ ଲିବିୟା ସ୍ଥାନାନ୍ତର କରିବାକୁ ଯୋଜନା ପ୍ରସ୍ତୁତ କରୁଥିବା ଖବର ସାମ୍ନାକୁ ଆସିଛି। ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଏଥିପାଇଁ ବଡ଼ ଯୋଜନା କରିଛନ୍ତି ଏବଂ ଖୁବଶୀଘ୍ର ଗାଜାବାସୀଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରାଯିବ ବୋଲି କୁହାଯାଉଛି। ପାଲେଷ୍ଟାଇନ ନାଗରିକଙ୍କୁ ଲିବିୟାକୁ ସ୍ଥାୟୀ ଭାବେ ସ୍ଥାନାନ୍ତର କରିବା ଯୋଜନା ନେଇ ବିଚାରବିମର୍ଶ ଚାଲିଥିବା ବେଳେ ଏଥିପାଇଁ ଲିବିୟାକୁ ବିଲିୟନ ଡଲାରର ଅଫର ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି।

Advertisment

ଗାଜାର ପରବର୍ତ୍ତୀ ସ୍ଥିତି କ'ଣ ?

ଇସ୍ରାଏଲର ଲଗାତାର ଆକ୍ରମଣରେ ଥରି ଉଠୁଛି ଗାଜା ଷ୍ଟ୍ରିପ । ଗାଜା ଉପରେ ଆହୁରି ବଡ଼ ଧରଣର ସ୍ଥଳ ଆକ୍ରମଣ କରିବାକୁ ଧମକ ଦେଉଛନ୍ତି ଇସ୍ରାଏଲୀ ନେତାମାନେ । ଅନ୍ୟପକ୍ଷରେ ଆମେରିକା ସମର୍ଥନରେ ଏକ ନୂତନ ସଂଗଠନ ସହିତ ମିଳିତ ଭାବରେ ଇସ୍ରାଏଲ ପ୍ରଭାବିତ ଲୋକଙ୍କୁ ସହାୟତା ପ୍ରଦାନ କରିବା ପାଇଁ ଏକ ନୂତନ ବ୍ୟବସ୍ଥା ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛି । କିନ୍ତୁ ଏହି ଯୋଜନା ଗାଜାର ଆବଶ୍ୟକତା ପୂରଣ କରିବ ନାହିଁ ଏବଂ ଏଥିରେ ଅନେକ କଟକଣା ରହିବ ବୋଲି କହିଛନ୍ତି ରିଲିଫ ସଂଗଠନର କର୍ମକର୍ତ୍ତା। ଏହି ଯୋଜନା କେବେ ଆରମ୍ଭ ହେବ ଏବଂ ଏହାର ଖର୍ଚ୍ଚ କିଏ ବହନ କରିବ ତାହା ମଧ୍ୟ ସ୍ପଷ୍ଟ ନୁହେଁ।

ଅଧିକ ପଢ଼ନ୍ତୁ: ‘ବାପା, ସତରେ କ’ଣ ମୁଁ ମରିଯିବି ’, କୁନି ଝିଅର ଏ ପ୍ରଶ୍ନର ଉତ୍ତର ଖୋଜୁଛି ଅସହାୟ ବାପା

'ଗାଜା ଠାରୁ ମୁହଁ ଫେରାଇ ନେଇଛି ବିଶ୍ୱ '

ଅକ୍ସଫାମର ଇସ୍ରାଏଲ ଏବଂ ପାଲେଷ୍ଟାଇନ କ୍ଷେତ୍ର ନୀତି ମୁଖ୍ୟ ବୁଶରା ଖାଲିଦ କହିଛନ୍ତି, ଗାଜା ଏବେ ସବୁଠାରୁ ଘାତକ ସମୟ ଦେଇ ଗତି କରୁଛନ୍ତି ଏବଂ ସବୁଠାରୁ ବିନାଶକାରୀ ପର୍ଯ୍ୟାୟ କହିଲେ ଚଳେ । ତଥାପି ବିଶ୍ୱ ଗାଜାବାସୀଙ୍କ ଉପରୁ ଆଖି ଫେରାଇ ନେଇଛି । ୧୯ ମାସର ଧ୍ୱଂସଲୀଳା ପରେ ମଧ୍ୟ ଗାଜାରେ ଆକ୍ରମଣ ଜାରି ରହିଛି । ଗାଜା ଏପରି ଏକ ସ୍ଥାନ ପାଲଟିଛି, ଯେଉଁଠାରେ ଅନ୍ତର୍ଜାତୀୟ ଆଇନ କାମ କରୁନି ଏବଂ ମାନବିକତା ହଜିଯାଇଛି। ସୂଚନାଯୋଗ୍ୟ ଇସ୍ରାଏଲ ମାର୍ଚ୍ଚ ମଧ୍ୟଭାଗରେ ଷଷ୍ଠ ସପ୍ତାହର ଅସ୍ତ୍ରବିରତି ଭଙ୍ଗ କରିଥିଲା ଏବଂ ଗାଜାରେ ପୁଣି ଆକ୍ରମଣ ଆରମ୍ଭ କରିଥିଲା।

୩ ଦିନରେ ୨୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ

ଗତ ୩ ଦିନରେ ଗାଜା ଉପରେ ଅନେକ ବଡ଼ ଆକ୍ରମଣ କରିଛି ଇସ୍ରାଏଲ୍ । ଶୁକ୍ରବାର ଇସ୍ରାଏଲୀ ବିମାନ ଆକ୍ରମଣରେ ୧୦୮ ଜଣଙ୍କର ମୃତ୍ୟୁ ହୋଇଛି । ୩ ଦିନରେ ଇସ୍ରାଏଲୀ ଆକ୍ରମଣ ଯୋଗୁଁ ୨୫୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଗତ ୨୪ ଘଣ୍ଟାରେ ଗାଜା ପଟ୍ଟିରେ ଥିବା ହମାସର ୧୫୦ରୁ ଅଧିକ ଆଡ୍ଡା ଉପରେ ଜୋରଦାର ଆକ୍ରମଣ ହୋଇଛି । ଇସ୍ରାଏଲର ଏହି ଆକ୍ରମଣ ଗତ ୧୫ ମାସ ମଧ୍ୟରେ ସବୁଠାରୁ ଭୟଙ୍କର ଆକ୍ରମଣ ମଧ୍ୟରୁ ଗୋଟିଏ । ଏହି ଆକ୍ରମଣ ସହିତ ଅନେକ ଦିନର ଶାନ୍ତି ପରେ ଗାଜାରେ ପୁଣି ରକ୍ତାକ୍ତ ଖେଳ ଆରମ୍ଭ ହୋଇଛି । ହମାସର ଅନ୍ତ ନଘଟିବା ପର୍ଯ୍ୟନ୍ତ ଏହି ଅପରେସନ ଜାରି ରହିବା ନେଇ ଇସ୍ରାଏଲ ସେନା ପକ୍ଷରୁ କୁହାଯାଇଛି ।

ଏହି ସଂଖ୍ୟା ପାଲେଷ୍ଟାଇନୀ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରଦାନ କରାଯାଇଛି, ଯାହା ହମାସ ସରକାରଙ୍କ ଅଧୀନରେ ଅଛି । ଲୋକମାନେ ତମ୍ବୁ ଭିତରେ ଶୋଇଥିବା ବେଳେ ରାତିରେ ପ୍ରାୟତଃ ଏହି ଆକ୍ରମଣଗୁଡ଼ିକ ହୁଏ । ଇସ୍ରାଏଲ ହସ୍ପିଟାଲ, ସ୍କୁଲ, ମେଡିକାଲ କ୍ଲିନିକ୍, ମସଜିଦ ଏବଂ ଏକ ଥାଇ ରେଷ୍ଟୁରାଣ୍ଟକୁ ଟାର୍ଗେଟ କରିଥିଲା, ଯାହା ବର୍ତ୍ତମାନ ଏକ ଆଶ୍ରୟସ୍ଥଳ ଥିଲା। ଗାଜାରେ ଥିବା ଏକମାତ୍ର କର୍କଟ ଚିକିତ୍ସା ହସ୍ପିଟାଲ, ୟୁରୋପୀୟ ହସ୍ପିଟାଲ (European Hospital) ମଧ୍ୟ ଆଉ କାର୍ଯ୍ୟକ୍ଷମ ନୁହେଁ।

'ଆମେ କେବଳ ଆତଙ୍କବାଦୀଙ୍କୁ ଟାର୍ଗେଟ କରୁଛୁ'

କେବଳ ଆତଙ୍କବାଦୀଙ୍କୁ ଟାର୍ଗେଟ କରାଯାଉଥିବା ଇସ୍ରାଏଲ ଦାବି କରିଛି । ଅନ୍ୟପଟେ ସାଧାରଣ ଲୋକଙ୍କୁ ହମାସ ଆତଙ୍କୀ ମାନବ ଢାଲ ଭାବରେ ବ୍ୟବହାର କରୁଥିବା ଅଭିଯୋଗ କରିଛି ଇସ୍ରାଏଲ ।

ଏପର୍ଯ୍ୟନ୍ତ ଗାଜାରେ ୫୩ ହଜାର ମୃତ

ୟୁନିସେଫର ଆକଳନ ଅନୁଯାୟୀ, ମାର୍ଚ୍ଚ ମାସର ଶେଷ ୧୦ ଦିନରେ ପ୍ରତିଦିନ ହାରାହାରି ୧୦୦ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି କିମ୍ବା ସେମାନେ ଆହତ ହୋଇଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଅକ୍ଟୋବର ୭, ୨୦୨୩ ରୁ ଏବେସୁଦ୍ଧା ପ୍ରାୟ ୫୩,୦୦୦ ଲୋକଙ୍କର ମୃତ୍ୟୁ ହୋଇଛି । ଅନ୍ୟପକ୍ଷରେ ୧୮ ମାର୍ଚ୍ଚରେ ଯୁଦ୍ଧବିରତି ଭଙ୍ଗ ହେବା ପରେ ପ୍ରାୟ ୩,୦୦୦ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି ।

ବଡ଼ ଆକ୍ରମଣ କରିବ ଇସ୍ରାଏଲ

ଇସ୍ରାଏଲ ଗାଜାରେ ତାର କାର୍ଯ୍ୟକଳାପକୁ ଧିମା କରିବା ପାଇଁ ଆଦୌ ପ୍ରସ୍ତୁତ ନୁହେଁ । ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏହି ସପ୍ତାହରେ ହମାସ ବିରୋଧରେ ଅଧିକ ଶକ୍ତି ପ୍ରୟୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ, ଯଦିଓ ବନ୍ଧକଙ୍କ ପରିବାର ତାଙ୍କୁ ଆପୋଷ ସମାଧାନ ପାଇଁ ଅନୁରୋଧ କରିଥିଲେ । ଗଣମାଧ୍ୟମ ସହିତ କଥାବାର୍ତ୍ତା କରିବାକୁ ଅଧିକାରପ୍ରାପ୍ତ ନଥିବା ଏବଂ ନାମ ଗୋପନ ରଖିବା ସର୍ତ୍ତରେ ଜଣେ ଇସ୍ରାଏଲୀ ଅଧିକାରୀ କହିଛନ୍ତି, ଶୁକ୍ରବାରର ଆକ୍ରମଣ ଏକ ବଡ଼ ଅଭିଯାନ ପାଇଁ ପ୍ରସ୍ତୁତି ହୋଇଥିଲା। ହମାସକୁ ଏକ ବାର୍ତ୍ତା ପଠାଇବା ଏହି ଆକ୍ରମଣର ଉଦ୍ଦେଶ୍ୟ ଥିଲା । ବନ୍ଧକମାନଙ୍କୁ ମୁକ୍ତ କରିବା ପାଇଁ ଚୁକ୍ତିନାମା ନହେଲେ, ଖୁବ୍ ଶୀଘ୍ର ଏକ ବଡ଼ ଆକ୍ରମଣ କରାଯିବ।

୭ ଅକ୍ଟୋବର ୨୦୨୩ରେ ଆରମ୍ଭ ହୋଇଥିଲା ଲଢ଼େଇ

ଏହି ଯୁଦ୍ଧ ୭ ଅକ୍ଟୋବର ୨୦୨୩ରେ ଆରମ୍ଭ ହୋଇଥିଲା, ଯେତେବେଳେ ହମାସ ନେତୃତ୍ୱରେ ଆତଙ୍କବାଦୀମାନେ ଇସ୍ରାଏଲ ଉପରେ ଆକ୍ରମଣ କରି ୧୨୦୦ ଲୋକଙ୍କୁ ହତ୍ୟା କରିଥିଲେ ଏବଂ ପ୍ରାୟ ୨୫୦ ଲୋକଙ୍କୁ ବନ୍ଧକ ରଖିଥିଲେ । ମୃତକଙ୍କ ମଧ୍ୟରେ ଅନେକ ପିଲା ମଧ୍ୟ ଥିଲେ । ହମାସ ଏବେ ବି ୫୮ ଜଣ ବନ୍ଧକଙ୍କୁ ରଖିଛି, ସେମାନଙ୍କ ମଧ୍ୟରୁ ୨୩ ଜଣ ଜୀବିତ ଥିବା ଆଶା କରାଯାଉଛି, ଯଦିଓ ଇସ୍ରାଏଲୀ ଅଧିକାରୀମାନେ ତିନି ଜଣଙ୍କ ସ୍ଥିତି ଉପରେ ଚିନ୍ତା ପ୍ରକାଶ କରିଛନ୍ତି। ହମାସ ଆକ୍ରମଣ ପରେ ଇସ୍ରାଏଲ ଏକ ବଡ଼ ଧରଣର ପ୍ରତିଶୋଧ ନେଇଥିଲା, ଯାହା ଗାଜାର ଅଧିକାଂଶ ଅଂଶକୁ ଧ୍ୱଂସାବଶେଷରେ ପରିଣତ କରିଥିଲା। ଗାଜାର ଲୋକମାନେ ବୋଧହୁଏ କେବେବି ୭ ଅକ୍ଟୋବର ୨୦୨୩ ଦିନଟିକୁ ଭୁଲିପାରିବେ ନାହିଁ।

ଗାଜାରେ ୭୫ ଦିନ ପାଇଁ ଯୋଗାଣ ବନ୍ଦ

ଏବେ ୭୫ ଦିନ ପାଇଁ ଗାଜାକୁ ଖାଦ୍ୟ, ପାଣି ଏବଂ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ଯୋଗାଣ ବନ୍ଦ କରିଦେଇଛି ଇସ୍ରାଏଲ । ଜାତିସଂଘ ତଥ୍ୟ ଅନୁଯାୟୀ, ଗାଜାର ଅଧିକାଂଶ ଲୋକ ଦୁଇ ଓଳି ଦୁଇ ମୁଠା ପେଟପୂରା ଖାଦ୍ୟ ଖାଇପାରୁ ନାହାନ୍ତି। ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ପକ୍ଷରୁ କୁହାଯାଇଛି, ଲୋକଙ୍କ ପାଖରେ ଥିବା ଖାଦ୍ୟ ସରି ସରି ଆସିଲାଣି । ପନିପରିବା ଏବଂ ମାଂସ ଉପଲବ୍ଧ ନାହିଁ କିମ୍ବା ଏତେ ମହଙ୍ଗା ଯେ ଲୋକମାନେ ସେଗୁଡ଼ିକୁ କିଣି ପାରିବେ ନାହିଁ। ଘଣ୍ଟା ଘଣ୍ଟା ଧାଡ଼ିରେ ଠିଆ ହେବା ପରେ ଲୋକମାନେ କିଛି ଚାଉଳ ପାଇପାରୁଛନ୍ତି। ଇସ୍ରାଏଲ ଅବରୋଧ ନହଟାଇଲେ ଗାଜାରେ ଦୁର୍ଭିକ୍ଷ ଆରମ୍ଭ ହେବ ବୋଲି ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ।

ଇସ୍ରାଏଲ କାହିଁକି ଯୋଗାଣ ବନ୍ଦ କରିଛି?

ସମନ୍ୱିତ ଖାଦ୍ୟ ସୁରକ୍ଷା ପର୍ଯ୍ୟାୟ ବର୍ଗୀକରଣ ଅନୁଯାୟୀ, ଗାଜାରେ ପ୍ରାୟ ୫୦୦,୦୦୦ ଲୋକ ଭୀଷଣ କ୍ଷୁଧାରେ ସମ୍ମୁଖୀନ ହେଉଛନ୍ତି ଏବଂ ଅନ୍ୟ ୧୦ ଲକ୍ଷ ପେଟପୂରା ଖାଇବାକୁ ପାଉନାହାନ୍ତି । ଏବେ ପ୍ରଶ୍ନ ଉଠୁଛି ଯେ ଇସ୍ରାଏଲ ଗାଜାକୁ ଯାଉଥିବା ସହାୟତା କାହିଁକି ବନ୍ଦ କରିଦେଇଛି? ହମାସ ଆତଙ୍କବାଦୀମାନେ ଗାଜା ଲୋକଙ୍କୁ ଦିଆଯାଉଥିବା ସହାୟତାକୁ ଲୁଟ କରନ୍ତି ଏବଂ ଏହିପରି ନିଜକୁ ଶକ୍ତିଶାଳୀ କରୁଛନ୍ତି କହି ଇସ୍ରାଏଲ ଯୋଗାଣ ବନ୍ଦ କରିଦେଇଛି। ଗାଜାର ଲୋକମାନଙ୍କୁ ଏକ ନୂତନ ଉପାୟରେ ସାହାଯ୍ୟ କରିବା ସପକ୍ଷରେ ଇସ୍ରାଏଲ । ହେଲେ କେତେଦୂର ସେହି ଯୋଜନା ଫଳପ୍ରଦ ହେବ ଓ ଲୋକଙ୍କ ପାଖରେ ଖାଦ୍ୟ ପହଞ୍ଚିବ ସେଥିପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଅଧିକ ପଢ଼ନ୍ତୁ: ପାକିସ୍ତାନ ଟାର୍ଗେଟରେ ଥିଲା ସ୍ୱର୍ଣ୍ଣ ମନ୍ଦିର, ଆତଙ୍କୀସ୍ତାନର ମନ୍ଦ ଉଦ୍ଦେଶ୍ୟକୁ ପଣ୍ଡ କରିଥିଲା ଭାରତୀୟ ସେନା

Attack Israel Israel Army
Advertisment
Advertisment