ମୁମ୍ୱାଇରେ ରାସ୍ତାଘାଟ ଓ ଜଳ ନିଷ୍କାସନ ବ୍ୟବସ୍ଥା ତାଙ୍କୁ ଭଲ ଲାଗିଲାନି । ଘର ପାଖ ଅଣଓସାରିଆ ରାସ୍ତା ଦେଖି ସେ ବ୍ୟତିବ୍ୟସ୍ତ ହୋଇଯାଇଥିଲେ । ବିଳାସପୂର୍ଣ୍ଣ ଘର ଓ ଆନୁଷଙ୍ଗିକ ଭିତ୍ତିଭୂମିକୁ ଆଖି ଆଗରେ ରଖି ସେ ତିଆରି କଲେ ୨୫ ହଜାର ବର୍ଗଫୁଟର ପେଣ୍ଟହାଉସ୍ । ଏହି ବ୍ୟକ୍ତିଜଣକ ହେଉଛନ୍ତି ଭାରତର ବିଶିଷ୍ଟ ରିଅଲ୍ ଇଷ୍ଟେଟ ବ୍ୟବସାୟୀ ନିରଞ୍ଜନ ହୀରାନନ୍ଦାନୀ । ଏହି ପେଣ୍ଟହାଉସରେ ସେ ଏବେ ରହୁଛନ୍ତି ।
ଗଣମାଧ୍ୟମକୁ ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ଏହି ପେଣ୍ଟହାଉସରେ ସବୁ ପ୍ରକାରର ଅତ୍ୟାଧୁନିକ ସୁବିଧା ରହିଛି । ମୁମ୍ୱାଇ ସହରର ମଧ୍ୟଭାଗରେ ଅବସ୍ଥିତ ତାଙ୍କର ଏହି ନିଆରା ବାସଭବନର ଡିଜାଇନ୍ ମଧ୍ୟ ବହୁତ ସୁନ୍ଦର ହୋଇଛି । ଯେଉଁ ମୁମ୍ୱାଇ ସହରରେ ଲୋକମାନଙ୍କ ରହିବା ପାଇଁ ଜାଗାର ଅଭାବ ରହିଛି, ସେହି ସହରରେ ନିରଞ୍ଜନଙ୍କର ରହିଛି ପ୍ରଶସ୍ତ ଓ ବିରାଟ ପେଣ୍ଟହାଉସ୍ । ତାଙ୍କର ଦୃଢ଼ ଇଛାଶକ୍ତି ପାଇଁ ଏହା ସମ୍ଭବ ହୋଇପାରିଛି ବୋଲି ନିରଞ୍ଜନ ହୀରାନନ୍ଦାନୀ କହିଛନ୍ତି । ବିଳାସପୂର୍ଣ୍ଣ ଜୀବନ ପାଇଁ କେହି କେହି ଏହି ପେଣ୍ଟହାଉସର ଉଦାହରଣ ଦେଉଛନ୍ତି ।
Also Read
ସାକ୍ଷାତକାରରେ ହିରନନ୍ଦାନୀ ସାମନା କରିଥିବା ବିଭିନ୍ନ ଚ୍ୟାଲେଞ୍ଜ ବିଷୟରେ ମଧ୍ୟ କହିଛନ୍ତି । ସେତେବେଳେ ମୁମ୍ୱାଇର ଆନୁଷଙ୍ଗିକ ଭିତ୍ତିଭୂମି ଏତେଟା ଭଲ ନଥିଲା ବୋଲି ସେ କହିଛନ୍ତି ।
ଏହି ଦୁର୍ବଳ ଭିତ୍ତିଭୂମି ତାଙ୍କୁ ପୋୱାଇରେ ହିରନନ୍ଦାନୀ ଗାର୍ଡେନସର ବିକାଶ ପାଇଁ ପ୍ରେରଣା ଯୋଗାଇଥିଲା ବୋଲି ସେ କହିଛନ୍ତି । ପଡିଆ ପଡିଥିବା ଖୋଲା ଜାଗାକୁ ସେ ଏକ ସୁନ୍ଦର ଟାଉନସିପରେ ପରିଣତ କରିଥିଲେ । ଏହା ମଧ୍ୟରେ ଭଲ ରାସ୍ତା, ଜଳ ନିଷ୍କାସନ ପାଇଁ ଭଲ ଡ୍ରେନେଜ୍ ବ୍ୟବସ୍ଥା ଓ ପର୍ଯ୍ୟାପ୍ତ ସବୁଜିମା ରହିଛି ।
ଅଧିକ ପଢ଼ନ୍ତୁ: ଏବେ ବି ବାପଅଜା ଅମଳର ଘରେ ରୁହନ୍ତି ୧୭,୦୦୦ କୋଟିର ମାଲିକ ଆନନ୍ଦ ମହିନ୍ଦ୍ରା
ପୂର୍ବରୁ ସେ ଅନ୍ଧେରୀର ଲୋଖଣ୍ଡୱାଲା କଂପ୍ଲେକ୍ସରେ ରହୁଥିଲେ । ସେଠାରେ ସେ ୧୧ଟି ବିଲଡିଂ ନିର୍ମାଣ କରିଥିଲେ । କିନ୍ତୁ ଯେତେବେଳେ ସେ ବିଲଡିଂ ବାହାରକୁ ଚାହୁଁଥିଲେ, ତାଙ୍କୁ ଭଲ ଲାଗୁନଥିଲା ବୋଲି ସେ କହିଛନ୍ତି । କାରଣ ରାସ୍ତା ଖରାପ ଥିଲା, ବର୍ଷା ଜଳ ନିଷ୍କାସନ ପାଇଁ କିଛି ବି ବ୍ୟବସ୍ଥା ନଥିଲା । ସେଠାରେ ଘର ବାହାରେ ଷ୍ଟ୍ରୀଟ୍ ଲାଇଟ୍ ନଥିଲା କି ପାନୀୟ ଜଳ ସୁବିଧା ନଥିଲା । ସେ କହିଛନ୍ତି, ଦିନେ ମୋତେ ଲାଗିଲା ମୁଁ କିଛି କରିବି । ରାସ୍ତା ମୁଁ ତିଆରି କରିବି ଓ ସବୁ କିଛି ମୋ ଦ୍ୱାରା ତିଆରି ହେବ । ମୁଁ ଯେତେବେଳେ ଏମିତି କିଛି କରିବା କଥା କହିଲି, ଘର ଲୋକ ବି ମୋତେ ପାଗଳ ହୋଇଯାଇଛି ବୋଲି କହିଲେ । କିନ୍ତୁ ସ୍ୱପ୍ନ ପୂରଣ କଲି ।
ପେଣ୍ଟହାଉସର ଦୃଶ୍ୟ ଆକର୍ଷଣୀୟ । ଉଭୟ ପୋୱାଇ ଓ ବିହାର ହ୍ରଦର ଦୃଶ୍ୟ ମଧ୍ୟ ଚିତ୍ତାକର୍ଷକ । ଏହା ମୁମ୍ୱାଇ ସହରରେ ଅନନ୍ୟ ବୋଲି କହିଛନ୍ତି ହୀରାନନ୍ଦାନୀ । ଏହି ଅଞ୍ଚଳର ତାପମାତ୍ରା ସହରର ତାପମାତ୍ରା ଠାରୁ ସବୁବେଳେ ୨ ଡିଗ୍ରୀ ସେଲସିଅସ୍ କମ୍ ରହିଥାଏ । ଏହାର ଭଲ ଅର୍ବାନ ପ୍ଲାନିଂ ଓ ବୃକ୍ଷରାଜିରେ ଭରପୁର ଥିବାରୁ ଏହା ସମ୍ଭବ ହୋଇପାରିଛି ବୋଲି ସେ କହିଛନ୍ତି ।
ଜଣେ କେମିତି ଘର କିଣିବ ଓ କେତେ ଟଙ୍କା ଖର୍ଚ୍ଚ କରିବ ବୋଲି ପଚରାଯିବାରୁ ସେ କହିଛନ୍ତି ଯେ, ଯିଏ ବି ଘର କିଣୁଛନ୍ତି ସେ କେବଳ ରହିବା କଥା ଭାବନ୍ତୁନି । ଭବିଷ୍ୟତକୁ ନିରାପଦ ରଖିବା ଓ ପୁଞ୍ଜି ବିନିଯୋଗ କଥା ଭାବନ୍ତୁ । ଯେଉଁଠି ବି ଘର କିଣ, ନିରାପତ୍ତା ଓ ସୁରକ୍ଷା ଉପରେ ଗୁରୁତ୍ୱ ଦିଅ ବୋଲି ସେ କହିଛନ୍ତି । କେତେ ଇଏମଆଇ ଓ ଡାଉନ ପେମେଣ୍ଟ ଦେଇପାରିବ, ସେ ସଂପର୍କରେ ଏକ ମାସିକ ପେମେଣ୍ଟ ପ୍ଲାନ କରିବାକୁ ସେ ପରାମର୍ଶ ଦେଇଛନ୍ତି ।
ସେ ପୁଣି କହିଛନ୍ତି, ଘରର ମୂଲ୍ୟ ଯଦି ଜଣେ ବ୍ୟକ୍ତିଙ୍କ ୫ ବର୍ଷର ଆୟ ସହ ସମାନ, ତେବେ ସେ ଘର କିଣିବା ଉଚିତ । କାରଣ ସେ ୨୦ ବର୍ଷରେ ଋଣ ପରିଶୋଧ କରି ଦେଇପାରିବେ । ଯଦି ଜଣେ କୋଟିଏ ଟଙ୍କାରେ ଗୋଟିଏ ଘର କିଣୁଛନ୍ତି, ତାଙ୍କର ବାର୍ଷିକ ଆୟ ୨୦ ଲକ୍ଷ ଟଙ୍କା ହୋଇଥିବା ଦରକାର ।