ଆଣ୍ଟିଲିଆ ବିଶ୍ୱର ସବୁଠାରୁ ମହଙ୍ଗା ଘର ମଧ୍ୟରୁ ଅନ୍ୟତମ । ଅଜସ୍ର ଅର୍ଥର ମାଲିକ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ ମୁକେଶ ଅମ୍ବାନୀ ପରିବାର ସହ ଏଠାରେ ରୁହନ୍ତି । ଆଣ୍ଟିଲିଆର ଭବ୍ୟତା ହେଉଛି ଏହାର ପରିଚୟ । ସବୁଠୁ ବଡ଼ ବିଶେଷତ୍ବ ହେଲା ଏହାର ଇଣ୍ଟେରିୟର । ୪,୦୦୦୦୦ ସ୍କୋୟାର ଫୁଟର ବିଳାସମୟ ବଙ୍ଗଳା ସାଉଥ୍ ମୁମ୍ବାଇର ଅଲଟାମାଉଣ୍ଟ ରୋଡରେ ରହିଛି । ପ୍ରାଚୁର୍ଯ୍ୟର ପାହାଡ଼ ଉପରେ ତିଆରି ହୋଇଥିବା ଆଣ୍ଟିଲିଆ କୌଣସି ରାଜଉଆସର ଠାରୁ କମ ନୁହେଁ । ୨୭ ମହଲା ବିଶିଷ୍ଟ ଏହି ନଭଶ୍ଚୁମ୍ବୀ ଅଟ୍ଟାଳିକା ପ୍ରାଚୁର୍ଯ୍ୟ ତଥା ଆଧୁନିକ ସ୍ଥପତିର ଏକ ପ୍ରତୀକ । ମୁକେଶଙ୍କ ଆଣ୍ଟିଲିଆ ପାଖାପାଖି ୧୫ହଜାର କୋଟି ଟଙ୍କାରେ ନିର୍ମିତ ହୋଇଛି ।
ଆଣ୍ଟିଲିଆର ଅବସ୍ଥାନ
Also Read
୪ ଲକ୍ଷ ବର୍ଗଫୁଟର ଘର କେବଳ ୬ ଜଣ ଲୋକ ରହିବା ପାଇଁ ତିଆରି ହୋଇଛି । ମୁମ୍ବାଇର ସବୁଠାରୁ ମହଙ୍ଗା ସ୍ଥାନର ମଧ୍ୟଭାଗରେ ରହିଛି । ଏହାର ଏକ ପ୍ରମୁଖ ବିଶେଷତ୍ୱ ହେଲା, ଏଠାରୁ ଆରବ ସାଗରକୁ ସିଧାସଳଖ ଦେଖିହୁଏ । ଅମ୍ବାନୀ ମହଲରର ଗ୍ରାଉଣ୍ଡ ଫ୍ଲୋରରେ ରହିଛି ବିଳାସପୁର୍ଣ୍ଣ କାର ପାର୍କିଂ ବ୍ୟବସ୍ଥା, ଯେଉଁଠି ଏକସଙ୍ଗରେ ୧୭୦ ଟି ଗାଡି ପାର୍କ କରାଯାଇପାରିବ । ଏହ ସହିତ ଏଠାରେ ରହିଛି କାର୍ ସର୍ଭିସ ଷ୍ଟେସନ, ଯେଉଁଠାରେ କେବଳ ଆମ୍ବାନୀ ପରିବାରର କାର ସର୍ଭିସ ହୋଇଥାଏ । ଆଣ୍ଟିଲିଆର ଛାତ ଉପରେ ୩ ଟି ହେଲିପ୍ୟାଡ ମଧ୍ୟ ରହିଛି ।
ଆଣ୍ଟିଲିଆ ନାମକରଣ ପଛର କାହାଣୀ
ମୁକେଶ ଅମ୍ବାନୀଙ୍କ ଘରର ନାମ ଆଣ୍ଟିଲିଆ ରଖିବା ପଛରେ କାରଣ ରହିଛି । କୁହାଯାଏ ଆଟଲାଣ୍ଟିକ ମହାସାଗରର ଏକ ପୌରାଣିକ ଦ୍ବୀପ ଆଣ୍ଟେ-ଲା ନାମରେ ମୁକେଶଙ୍କ ଘରର ନାମ ରଖାଯାଇଛି, ଯାହା ୧୫ ଶତାଦ୍ଦୀରେ ଆବିଷ୍କୃତ ହୋଇଥିଲା । ଆଣ୍ଟିଲିଆ ପର୍ତ୍ତୁଗାଲ ଶବ୍ଦ ଆଣ୍ଟେ-ଲା ଶବ୍ଦରୁ ନିଆଯାଇଛି । ଯାହାର ଅର୍ଥ ‘ଫୋର ଆଇଲ୍ୟାଣ୍ଡ‘,‘ଆଇଲ୍ୟାଣ୍ଡ ଅଫ ଦ ଅଦର’ ଓ ‘ଅପୋଜିଟ ଅଫ ଆଇଲ୍ୟାଣ୍ଡ’ ହୋଇଥାଏ । ପୌରାଣିକ ରହସ୍ୟ ସହ ଜଡ଼ିତ ଏହି ଘରର ଗଠନ ଡିଜାଇନରେ ପ୍ରତିଫଳିତ କରେ । ଏହାର ଡିଜାଇନରେ ସୂର୍ଯ୍ୟ, ପଦ୍ମ, ମୂଲ୍ୟବାନ ପଥର, ମୋତିର ତତ୍ୱକୁ ସାମିଲ କରାଯାଇଛି । ଏହାର ପ୍ରତ୍ୟେକ ରୂପାଙ୍କନ ଆଧ୍ୟାତ୍ମିକ, ସମୃଦ୍ଧି ଓ ପ୍ରାଚୁର୍ଯ୍ୟର ପ୍ରତୀକ ।
ନିର୍ମାଣ ଓ ଚମତ୍କାର ଡିଜାଇନ
୨୦୦୬ରୁ ଆରମ୍ଭ ହୋଇ ୨୦୧୦ରେ ଆଣ୍ଟିଲିଆର ନିର୍ମାଣ ଶେଷ ହୋଇଥିଲା । ଏହି ଘରର ବାସ୍ତୁର ଦିଶା ନିର୍ଣ୍ଣୟ କରିଛନ୍ତି ଚିକାଗୋର ଏକ ଆର୍କିଟେକଚର ଫାର୍ମ ପର୍କିନ୍ସ ଏବଂ ୱେଲ । ହିର୍ସ ବେଡନର ଆସୋସିଏଟ ଦ୍ୱାରା ଇଣ୍ଟେରିୟର ଡିଜାଇନ କରାଯାଇଛି । ପ୍ରତି ମହଲାର ସ୍ୱତନ୍ତ୍ର ଥିମ ରହିଛି, ଯାହା ଭିନ୍ନ ଭିନ୍ନ ସାମଗ୍ରୀ ସହ ପ୍ରତ୍ୟେକ ସ୍ତରରେ ବ୍ୟକ୍ତିଗତ ବାତାବରଣ ସୃଷ୍ଟିକରେ । ଏହାସହ ଏହି ଘରେ ଗୋଟିଏ ମନ୍ଦିର ଓ ଅନେକ ଦେବାଦେବୀଙ୍କ ଷ୍ଟାଚ୍ୟୁ ମଧ୍ୟ ରହିଛି ।
ଆଣ୍ଟିଲିଆ ନିର୍ମାଣ ପରେ ଦେଶ ଓ ଦେଶ ବାହାରେ ଲୋକେ ଖୁବ ଚର୍ଚ୍ଚା କରିଥିଲେ। ଏମିତି କି ଅମ୍ବାନୀଙ୍କ ମହଲକୁ ଦେଖିବା ପାଇଁ ଘର ସାମ୍ନାରେ ଲୋକଙ୍କ ଭିଡ଼ ଜମୁଥିଲା । ଏବେ ବି ଅନେକ ଲୋକ ଆଣ୍ଟିଲିଆକୁ ଦେଖିବା ପାଇଁ ଭିଡ଼ ଜମାଇଥାଆନ୍ତି।
ସମସ୍ତ ସୁବିଧା ଉପଲବ୍ଧ
୪୯ ବେଡରୁମ ବିଶିଷ୍ଟ ଏହି ଘରର ୨ ଟି ଫ୍ଲୋରରେ ସୁଇମିଂ ପୁଲ, ଜିମ, ଡାନ୍ସ ଷ୍ଟୁଡିଓ, ଯୋଗଶାଳା ରହିଛି । ଏହାର ଉପର ମହଲାରେ ଏକ ସ୍ପା ସେଲୁନ ଓ ମସାଜ ରୁମ ମଧ୍ୟ ରହିଛି । ମନୋରଞ୍ଜନ ପାଇଁ ଏକ ସିନେମା ହଲ୍ ରହିଛି, ଯେଉଁଠି ୫୦ ଲୋକ ଏକା ସମୟରେ ବସି ଫିଲ୍ମ ଦେଖିପାରିବେ । ଏହି ଘରେ ଏକ ୱିଣ୍ଟର ୱଣ୍ଡରଲ୍ୟାଣ୍ଡ ମଧ୍ୟ ରହିଛି, ଯେଉଁଠି ସ୍ନୋ-ଫଲ ପାଇଁ ମଧ୍ୟ ବ୍ୟବସ୍ଥା ରହିଛି । କେବଳ ଏତିକି ନୁହେଁ ଆଣ୍ଟିଲିଆରେ ଅଛି ଏକ ଆଇସକ୍ରିମ ପାର୍ଲର । ଯିବାଆସିବା ପାଇଁ ୯ଟି ଲିଫ୍ଟ ଲାଗିଛି। ଅମ୍ବାନୀଙ୍କ ପରିବାର ଲୋକେ ଅଲଗା ଅଲଗା ଲିଫ୍ଟ ବ୍ୟବହାର କରନ୍ତି।
ଘର ତଥା ଘର ଲୋକଙ୍କ ଦେଖାରଖା କରିବା ପାଇଁ ମୋଟ ୬୦୦ କର୍ମଚାରୀ ଅଛନ୍ତି । ସେଫ, କ୍ଲିନର, ଡ୍ରାଇଭର, ସିକ୍ୟୁରିଟି ଷ୍ଟାଫ ଓ ପ୍ଲମ୍ବର ସାମିଲ ଅଛନ୍ତି । ଏମାନଙ୍କ ରହିବା ପାଇଁ ଆଣ୍ଟିଲିଆରେ ଗୋଟିଏ ଫ୍ଲୋର ରହିଛି ।
ଆଣ୍ଟିଲିଆର ମୂଲ୍ୟ
ଆଣ୍ଟିଲିଆର ଆନୁମାନିକ ମୂଲ୍ୟ ୧୫,୦୦୦ କୋଟି । ଏତେ ବିଳାସପୂର୍ଣ୍ଣ ସତ୍ତ୍ୱେ ଆଣ୍ଟିଲିଆ ସ୍ଥିରତାର ପ୍ରତୀକ ମଧ୍ୟ । ଏହି ଆବାସର ଉର୍ଜା ବ୍ୟବହାରକୁ ହ୍ରାସ କରିବା ପାଇଁ ସୌର ପ୍ୟାନେଲ ରହିଛି ଏବଂ ପରିବେଶକୁ ଖାପଖୁଆଇଲା ଭଳି ଏହାର ଡିଜାଇନ ରହିଛି । ଏହାର ନିର୍ମାଣ ଏବଂ ଡିଜାଇନରେ ଅତ୍ୟାଧୁନିକ ଜ୍ଞାନକୌଶଳ ଏବଂ ଭୂକମ୍ପ ସ୍ଥିରତା ସାମିଲ ରହିଛି, ଯାହା ଉଭୟ ବିଳାସପୂର୍ଣ୍ଣ ଏବଂ ସ୍ଥାୟିତ୍ୱକୁ ସୁନିଶ୍ଚିତ କରେ ।