ପ୍ରେମକୁ ନେଇ ପ୍ରତ୍ୟେକ ଭାଷା ଏବଂ ସାହିତ୍ୟରେ ଅନେକ କାହାଣୀ ରହିଛି । ଲୈଲା-ମଜନୁ ଏବଂ ରୋମିଓ-ଜୁଲିଏଟ ପରି ଅନେକ ପ୍ରେମୀ ଯୁଗଳଙ୍କ କାହାଣୀ ସମସ୍ତଙ୍କ ମନକୁ ଛୁଇଁଛି । ଯେଉଁମାନେ ପ୍ରେମର ନାମକୁ ଅମର କରିଛନ୍ତି । କିନ୍ତୁ, ଆଜି ଆମେ ଆପଣଙ୍କୁ ଭାରତର ଏପରି ଏକ ଗାଁ ବିଷୟରେ କହିବୁ, ଯେଉଁଠାରେ ପ୍ରେମୀଯୁଗଳ ଘରୁ ଲୁଚିକି ଆସିବା ପରେ ଆଶ୍ରୟ ନିଅନ୍ତି ଏହି ଗାଁର ଲୋକମାନେ ପ୍ରେମୀ ଯୁଗଳଙ୍କୁ ଆଶ୍ରୟ ଦିଅନ୍ତି ।
ଏପର୍ଯ୍ୟନ୍ତ ଭାରତରେ ପ୍ରେମ ବିବାହକୁ କିଛି ଲୋକ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି । କେବଳ ଏତିକି ନୁହେଁ, ଅନେକ ଲୋକ ଏହାକୁ ଖରାପ ଦୃଷ୍ଟିରେ ମଧ୍ୟ ଦେଖିଥାନ୍ତି । ଅନ୍ୟ ଧର୍ମର କିମ୍ବା ଅନ୍ୟ ଜାତିର ବ୍ୟକ୍ତିଙ୍କୁ ବିବାହ କଲେ ବେଳେ ବେଳେ ଅନେକ ସମସ୍ୟା ସୃଷ୍ଟି ହୋଇଯାଏ । ଏହିପରି ବିବାହକୁ ଅନେକ ସମୟରେ ସାମାଜିକ ପ୍ରତିବନ୍ଧକର ସାମ୍ନା କରିବାକୁ ପଡିଥାଏ । କିନ୍ତୁ ପ୍ରେମ ବିବାହ ଦୁନିଆର ଅନେକ ଦେଶରେ ସାଧାରଣ ଘଟଣା ପାଲଟିଗଲାଣି । କିନ୍ତୁ ବୟସ ହେଲା ପରେ ପ୍ରେମ ବିବାହ ଭାରତରେ ସମ୍ପୂର୍ଣ୍ଣ ରୂପେ ଆଇନତଃ ଗ୍ରହଣୀୟ ।
Also Read
ତେବେ ଭାରତରେ ପ୍ରେମ ବିବାହର ଧାରା ଆରମ୍ଭ ହୋଇସାରିଛି । କିନ୍ତୁ ଅନେକ ସମୟରେ ପରିବାର ସଦସ୍ୟ ପ୍ରେମ ବିବାହକୁ ବିରୋଧ କରିଥା'ନ୍ତି । ଏଭଳି ପରିସ୍ଥିତିରେ ପରସ୍ପରକୁ ଭଲ ପାଉଥିବା ପ୍ରେମୀ ଯୁଗଳ ଘରୁ ପଳାଇ ବିବାହ କରନ୍ତି । ଘରୁ ପଳାଇବା ପରେ ସେମାନେ ଏକ ସୁରକ୍ଷିତ ସ୍ଥାନ ଖୋଜିଥା'ନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ସ୍ଥାନ ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ପ୍ରେମିକପ୍ରେମିକାଙ୍କୁ ଆଶ୍ରୟ ଦିଅନ୍ତି ଲୋକେ ।
ଭାରତରେ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ପ୍ରେମୀ ଯୁଗଳଙ୍କୁ ଆଶ୍ରୟ ଦିଆଯାଏ । ଏହି ସ୍ଥାନ ହେଉଛି ହିମାଚଳ ପ୍ରଦେଶର କୁଲୁ ଜିଲ୍ଲାରେ ଅବସ୍ଥିତ ଶାଙ୍ଗଚୁଲ ମହାଦେବ ମନ୍ଦିର । ଦେଶର ବିଭିନ୍ନ ସ୍ଥାନରୁ ପ୍ରେମପକ୍ଷୀମାନେ ଏହି ମନ୍ଦିରକୁ ଆସନ୍ତି। ସେମାନଙ୍କୁ ଏଠାରେ ମୁଣ୍ଡ ଗୁଞ୍ଜିବା ପାଇଁ ଘର ଦିଆଯିବା ସହ ଖାଦ୍ୟପାନୀୟର ମଧ୍ୟ ବ୍ୟବସ୍ଥା କରାଯାଏ ।
ଏହି ଗାଁର ଲୋକମାନଙ୍କର ବିଶ୍ୱାସ ରହିଛି, ଯଦି ସେମାନେ ପ୍ରେମୀ ଯୁଗଳଙ୍କୁ ଆଶ୍ରୟ ଦେବେନାହିଁ । ତେବେ ଭଗବାନ ସେମାନଙ୍କ ଉପରେ ରାଗିଯିବେ । ବିଶ୍ୱାସ ଅନୁଯାୟୀ ପାଣ୍ଡବମାନେ ଏହି ଗାଁକୁ ଆଶ୍ରୟ ନେବାକୁ ଆସିଥିଲେ । ତା’ପରେ ଲୋକମାନେ ତାଙ୍କୁ ଏହି ମନ୍ଦିରରେ ଲୁଚାଇ ଦେଇଥିଲେ । ଯେତେବେଳେ ସେମାନଙ୍କୁ ଖୋଜିଖୋଜି କରି କୌରବମାନେ ସେଠାରେ ପହଞ୍ଚିଲେ ଶାଙ୍ଗଚୁଲା ମହାଦେବ ପାଣ୍ଡବମାନଙ୍କୁ ରକ୍ଷା କରିଥିଲେ । ମହାଦେବ କହିଥିଲେ ଯେ, ଯିଏ ତାଙ୍କର ଶରଣକୁ ଆସେ, ସେ ତାଙ୍କୁ ସୁରକ୍ଷା ଦେବେ ।
ଏହି ବିଶ୍ୱାସ ଆଧାରରେ ଆଜି ମଧ୍ୟ ଏଠାରେ ଆଶ୍ରୟ ନେଉଥିବା ଲୋକମାନେ ସୁରକ୍ଷିତ ଅଛନ୍ତି । ଏହି ପରମ୍ପରା ବର୍ଷ ବର୍ଷ ଧରି ଚାଲିଆସୁଛି । ପ୍ରତ୍ୟେକ ପ୍ରେମୀ ଯୁଗଳଙ୍କ ପାଇଁ ଏଠାରେ ଖାଦ୍ୟ ଏବଂ ରହିବା ବ୍ୟବସ୍ଥା କରାଯାଇଥାଏ । ଏହି ଗାଁରେ ପୋଲିସର ପ୍ରବେଶ ନିଷେଧ ରହିଛି । ଏଥିସହ ଗାଁରେ କୌଣସି ଅସ୍ତ୍ରଶସ୍ତ୍ର ପରିବହନ ମଧ୍ୟ ନିଷେଧ ।