ଦୃଢ଼ ଇଚ୍ଛାଶକ୍ତି ଓ ମନୋବଳ ଆଗରେ ବୟସ ହୋଇପାରେନି ବାଧକ । ଏକଥା ପ୍ରମାଣିତ କରିଛନ୍ତି ୮୪ ବର୍ଷୀୟ ଅବସରପ୍ରାପ୍ତ ନ୍ୟୁକ୍ଲିୟର ସାଇଣ୍ଟିଷ୍ଟ ଗିରୀଶ ମୋହନ ଗୁପ୍ତା । ୮୪ ବର୍ଷ ବୟସରେ MBA ଡିଗ୍ରୀ ହାସଲ କରିଛନ୍ତି ମୋହନ ଗୁପ୍ତା । ତାହା ପୁଣି ଖ୍ୟାତି ସମ୍ପନ୍ନ ଶିକ୍ଷାନୁଷ୍ଠାନ IIM ସମ୍ୱଲପୁରରୁ । ଆସନ୍ତୁ ଜାଣିବା କିଏ ସେହି ପ୍ରେରଣାଦାୟକ ବ୍ୟକ୍ତି...
ଦିଲ୍ଲୀର ଅବସରପ୍ରାପ୍ତ ନ୍ୟୁକ୍ଲିୟର ସାଇଣ୍ଟିଷ୍ଟ ଗିରୀଶ ମୋହନ ଗୁପ୍ତା ସମ୍ୱଲପୁର IIM ସମାବର୍ତ୍ତନ ଉତ୍ସବରେ ବିଜନେସ୍ ଆଡମିନିଷ୍ଟ୍ରେସନରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ଆଗକୁ ମଧ୍ୟ ପିଏଚଡି କରିବାକୁ ଲକ୍ଷ୍ୟ ରଖିଛନ୍ତି । IIMରୁ ଯୁବ ପ୍ରତିଭା ଡିଗ୍ରୀ ସାର୍ଟିଫିକେଟ ନେବା ବେଳେ ସେ ବାରିହୋଇ ପଡୁଥିଲେ ।
Also Read
ମଞ୍ଚରେ ଉପସ୍ଥିତ ଲୋକଙ୍କ ଆଖି ତାଙ୍କ ଉପରେ ହିଁ ଲାଖି ଯାଇଥିଲା । ବୟସର ଅପରାହ୍ନରେ ଜଣେ ବୃଦ୍ଧ ବ୍ୟକ୍ତି କ'ଣ ପାଠ ପଢୁଛନ୍ତି? ଏ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରିଥିଲା । ଗିରୀଶ ମୋହନ କେବଳ ଯେ ୮୪ ବର୍ଷ ବୟସରେ ଏମବିଏ ଡିଗ୍ରୀ ହାସଲ କଲେ ତାହା ନୁହେଁ । ସେ ଏହା ପୂର୍ବରୁ ନ୍ୟୁକ୍ଲିୟର ସାଇଣ୍ଟିଷ୍ଟ ଭାବେ ଅନେକ ଗୁଡିଏ କାର୍ଯ୍ୟ ମଧ୍ୟ କରିଛନ୍ତି । ସେ ମୁମ୍ବାଇର ଭାବା ଆଣବିକ ଗବେଷଣା କେନ୍ଦ୍ରରେ ବୈଜ୍ଞାନିକ ଭାବେ ଦୀର୍ଘ ବର୍ଷ କାମ କରିଛନ୍ତି ।
ଅଧିକ ପଢ଼ନ୍ତୁ: ବାରିକ୍ ସାର୍ଙ୍କ ଯବାନ ତିଆରି କାରଖାନା, ପାଦ ପଡ଼ିଲେ ଚାକିରି ଥୁଆ !
ଏହା ପୂର୍ବରୁ ଦୁଇ ଦୁଇଟି ବିଷୟରେ ପିଏଚଡି ହାସଲ କରିଛନ୍ତି । ତଥାପି ତାଙ୍କ ମନରେ ରହିଛି ନୂଆ ଜାଣିବାର ଇଚ୍ଛା ଆଉ ପାଠ ପଢିବାର ନିଶା । ସମ୍ୱଲପୁର ଆଇଆଇଏମ ୱାର୍କିଂ ପ୍ରଫେସନାଲଙ୍କ ପାଇଁ ଏମବିଏ ପାଠ୍ୟକ୍ରମର ସୁଯୋଗ ଦେଉଥିବା ଶୁଣିବା ପରେ ତତକ୍ଷଣାତ ନାମ ଲେଖାଇ ଦେଇଥିଲେ ।
ଆଇଆଇଏମର ଏହି ବ୍ରାଞ୍ଚ ଦିଲ୍ଲୀରେ ଥିଲା । ଦିଲ୍ଲୀରେ ହିଁ ଗିରୀଶ ଗୁପ୍ତାଙ୍କ ଘର ଥିବାରୁ ତାଙ୍କୁ ସେଠାରେ କ୍ଲାସ୍ କରିବା ସୁବିଧା ହୋଇଥିଲା । ବୟସ ହୋଇଗଲାଣି ବୋଲି କେବଳ ଯେ ଆଡମିସନ କରି ଘରେ ରହିଯିବେ ବୋଲି ଭାବିନଥିଲେ । ୯୫ ପ୍ରତିଶତ ଆଟେଣ୍ଡାନସ୍ ସହ ସବୁ କ୍ଲାସରେ ଉପସ୍ଥିତ ରହୁଥିଲେ ।
ଶେଷରେ ଏମବିଏ ପାଠ୍ୟକ୍ରମରେ ଭଲ ଗ୍ରେଡ୍ ରଖି ପାସ୍ ହୋଇଛନ୍ତି । ଏ ସଫଳତା ପରେ ଗିରୀଶ କହିଛନ୍ତି, ଶିକ୍ଷା ଆହରଣର କୌଣସି ନିର୍ଦ୍ଦିଷ୍ଟ ବୟସ ନଥାଏ । ସେହିପରି ଆଗ୍ରହ ଥିଲେ ବୟସ କେବେ ବାଧକ ସାଜି ପାରେନି । ଆଜି ବି ସେ ନିଜକୁ ଯୁବକ ଭାବନ୍ତି, ବାୟୋଲୋଜିକାଲି ସେ ଏବେ ୬୨, ଆଉ କେଶ କଳା କରିଦେଲେ ୫୦ ବୋଲି କହିଛନ୍ତି । ବିନା ଚଷମାରେ ବି ସେ ଛୋଟ ଛୋଟ ଅକ୍ଷରକୁ ବିନା ସମସ୍ୟାରେ ପଢି ପାରୁଛନ୍ତି । ବୟସ ଗଡିଗଲା ମୁଁ ଆଉ କଣ କରିପାରିବି ? ମୋ ସ୍ୱପ୍ନ ସ୍ୱପ୍ନରେ ହିଁ ରହିଗଲା ଭାବୁଥିବା ଯୁବପିଢିଙ୍କ ପାଇଁ ଗିରୀଶ ମୋହନ ପ୍ରେରଣା ସାଜିଛନ୍ତି ।
ଅଧିକ ପଢ଼ନ୍ତୁ: ଅନନ୍ୟ ପ୍ରେମ, ସ୍ୱାମୀଙ୍କ ସିଲିକନ ପ୍ରତିମୂର୍ତ୍ତି ସ୍ଥାପନ କରି କଲେ ପ୍ରାଣ ପ୍ରତିଷ୍ଠା
- Reported by:
- SANJAY JENA