• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ଭୁବନେଶ୍ବର ମହାତ୍ମାଗାନ୍ଧି ମାର୍ଗରେ ମହାସମାରୋହରେ ପାଳିତ ହୋଇଛି ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ । ରାଜ୍ୟପାଳ ହରିବାବୁ କମ୍ଭମପାଟି ଜାତୀୟ ପତାକା ଉତ୍ତୋଳନ କରିବା ସହ ପରେଡ ଅଭିବାଦନ ଗ୍ରହଣ କରିଥିଲେ। ଏ ଅବସରରେ ଆୟୋଜିତ ପରେଡ୍ ଏବଂ ଚିତ୍ତାକର୍ଷକ ଡେୟାରଡେଭିଲ ସୋ ଏବଂ ସ୍କେଟିଂ ସମସ୍ତଙ୍କୁ ବିମୋହିତ କରିଥିଲା। ଏହା ସହ କଳାକାରଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ପାରମ୍ପାରିକ ନୃତ୍ୟଗୀତ ସମସ୍ତଙ୍କ ମନ ଜିଣିଥିଲା । ପରିଶେଷରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଦ୍ବାରା ପ୍ରସ୍ତୁତ ପ୍ରଜ୍ଞାପନ ମେଢ ପ୍ରଦର୍ଶିତ ହୋଇଥିଲା ।

ଶିବ ତାଣ୍ଡବରେ କଂପିଲା ରାଜଧାନୀର ରାଜରାସ୍ତା । ପୌରାଣିକ ବେଶଭୂଷାକୁ, ପାଦରେ ସ୍କେଟିଂ । ରାଜ୍ୟପାଳଙ୍କ ସମ୍ମୁଖରେ ତାଣ୍ଡବ ନୃତ୍ୟ ପ୍ରଦର୍ଶନ କଲେ କୁନି କୁନି ପିଲା । ଆଜି ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ବେଳେ ଓଡ଼ିଶା ସ୍କେଟିଂ ଏକାଡେମୀ ପକ୍ଷରୁ ଚିତ୍ତାକର୍ଷକ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା । ଖାଲି ସେତିକି ନୁହେଁ ଏକାଡେମୀର କୁନି କୁନି ପିଲା ହାତରେ ତ୍ରିରଙ୍ଗା ଧରି ବିଭିନ୍ନ କଳାକୌଶଳ ମାଧ୍ୟମରେ ରାଜ୍ୟପାଳଙ୍କୁ ଅଭିବାଦନ ଜଣାଇଥିଲେ । ସେହିପରି ଏ ଅବସରରେ ଅନୁଷ୍ଠିତ ଡେୟାର ଡେଭିଲ ସୋ ଉପସ୍ଥିତ ଦର୍ଶକ ତଥା ଅତିଥିଙ୍କୁ ଚକିତ କରିଥିଲା । ବୁଲେଟରେ ଚାଳକଙ୍କ ସମେତ ଏକାଧିକ ସହଚାଳକ କଳାକୌଶଳ ପ୍ରଦର୍ଶନ କରିଥିଲେ । 

ଅଧିକ ପଢ଼ନ୍ତୁ: ବିଶ୍ୱ ଦେଖିଲା ଭାରତର ପରାକ୍ରମ, ପରଖିଲା ସେନାର ଶୌର୍ଯ୍ୟ

ଖାଲି ସ୍କେଟିଂ କି ଡେୟାର ଡେଭିଲ ଶୋ ନୁହେଁ, ବରଂ ସାଧାରଣତନ୍ତ୍ର ଦିବସରେ ଦେଖିବାକୁ ମିଳିଥିଲା ଓଡ଼ିଆ ଅସ୍ମିତାର ଝଲକ । ଓଡ଼ିଶାର ବିଭିନ୍ନ ଲୋକକଳାକୁ ଉତ୍ସବର ସ୍ଥାନୀତ କରାଯାଇଥିଲା । ପାରମ୍ପାରିକ ବାଦ୍ୟ, ଗୀତ ତଥା ନାଚରେ କମ୍ପି ଉଠିଥିଲା ଗାନ୍ଧୀ ମାର୍ଗ । ଘୋଡ଼ାନାଚ, ମୁଣ୍ଡାନାଚ, ଢେମସା ଓ ସମ୍ବଲପୁରର ବଜନିଆ ଆଦି ନୃତ୍ୟ ରାଜ୍ୟପାଳଙ୍କ ଆଗରେ ପ୍ରଦର୍ଶିତ କରିଥିଲେ କଳାକାର। 

କାର୍ଯ୍ୟକ୍ରମର ପରିଶେଷରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ପ୍ରଜ୍ଞାପନ ମେଢ ପ୍ରଦର୍ଶିତ ହୋଇଥିଲା । ପ୍ରଥମେ ମହିଳା ଓ ଶିଶୁ ବିକାଶ ବିଭାଗର ମେଢ ଗାନ୍ଧୀମାର୍ଗରେ ପରିକ୍ରମା କରିଥିଲା । ଯେଉଁଥିରେ ସରକାରଙ୍କ ଲୋକପ୍ରିୟ ଯୋଜନା ସୁଭଦ୍ରା ତଥା ମହିଳା ସଶକ୍ତିକରଣ ପାଇଁ ଉଦ୍ଦିଷ୍ଟ ଅନ୍ୟାନ ଯୋଜନାକୁ ସ୍ଥାନୀୟ କରାଯାଇଥିଲା । ତାପଛକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ବିଦ୍ୟାଳୟ ଓ ଗଣଶିକ୍ଷା, ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗ, ପରିବହନ ବିଭାଗ, ସ୍କିଲ ଇନ୍ ଓଡିଶା, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗର ପ୍ରଜ୍ଞାପନ ମେଢ ପରିକ୍ରମା କରିଥିଲା ।

ଅଧିକ ପଢ଼ନ୍ତୁ: ଲୋକସେବା ଭବନରେ ପୋଲିସ ସେବା ପଦକ ପ୍ରଦାନ; ୨୦୨୧ ମସିହା ପାଇଁ ୨୦ଜଣଙ୍କୁ ମିଳିଲା ପଦକ 

OTV is now on Whatsapp

Join and get latest news update delivered to you via whatsapp

Join Now