/odishatv-khabar/media/post_attachments/uploadimage/library/16_9/16_9_0/IMAGE_1664633938.jpg)
dussehra puja in odisha
ହସୁଛି ଧରା। କାଶତଣ୍ଡୀ ଫୁଲରେ ସଜେଇ ହେଇଛି ପ୍ରକୃତି । ତା ସାଙ୍ଗକୁ ପୂଜା ମଣ୍ଡପରେ ଲାଗିଲାଣି ଭିଡ। ଆଲୋକ ତୋରଣରେ ହସୁଛି ରାସ୍ତାଘାଟ। ସୁନ୍ଦର ସୁନ୍ଦର ସୁଉଚ୍ଚ ତୋରଣ ଆଖି ଟାଣି ନେଉଛି। ସବୁଠି ଶୁଭୁଛି ମା’ଙ୍କ ଆଗମନୀର ଶଙ୍ଖଧ୍ୱନୀ। ଧରାପୃଷ୍ଠକୁ ଆସିଛନ୍ତି ମା‘। ଜଗଜ୍ଜନନୀ ମା’ ଦୁର୍ଗା।
ଦୁର୍ଗା ପୂଜା ଶକ୍ତି ଉପାସନାର ପର୍ବ। ଆଶ୍ୱିନ ଶୁକ୍ଲପକ୍ଷ ପ୍ରତିପଦାଠାରୁ ନବମୀ ପର୍ଯ୍ୟନ୍ତ ନବରାତ୍ର ପୂଜା ହୋଇଥାଏ। ଏହି ଶାରଦୀୟ ପୂଜାର ଶେଷ ଦିନଟିକୁ ଦଶହରା ବା ବିଜୟା ଦଶମୀ କୁହାଯାଏ। ତେବେ କେଉଁଠି ଷୋଳଦିନ, ନଅଦିନ ବା ତିନିଦିନ ଧରି ପାଳିତ ହୁଏ।
ଦୁଇବର୍ଷର କୋଭିଡ କଟକଣା ପରେ ଏଥର ପୂଜାକୁ ନେଇ ବେଶ ଉତ୍କଣ୍ଠା। ଏଥର ପୂଜାରେ ଯେମିତି କିଛି ଭୁଲତ୍ରୁଟି ନ ରହିବ ସେଥିପାଇଁ ପୂଜା କମିଟି ସଦସ୍ୟମାନେ ବି ଲାଗି ପଡ଼ିଛନ୍ତି । ଯେତେ ସାଜସଜ୍ଜା ହେଉ, ଯେତେ ଲାଇଟ ବାଜା ଲାଗୁ, ପୂଜାର ମୁଖ୍ୟ ଆକର୍ଷଣ ହେଉଛନ୍ତି ମା’। ମା’ଙ୍କ ମୂର୍ତ୍ତି। ସେ ଟଣା ଟଣା ଆଖି, ହସ ଝରି ପଡ଼ୁଥିବା ଓଠ, ଆଉ ମୁହଁରେ ଅନ୍ୟାୟକୁ ଶେଷ କରିପାରିଥିବାର ଆତ୍ମତୃପ୍ତିର ଝଲକ। ଏ ରୂପକୁ ଦେଖିଦେଲେ ଆଖି ଲାଗିଯାଏ। ସାରା ଓଡ଼ିଶାରେ ପାଳିତ ହୁଏ ଦୁର୍ଗାପୂଜା। ହେଲେ କଟକ ସହରରେ ଏହାର ବିଶେଷତ୍ୱ ଭିନ୍ନ। କାହିଁ କେଉଁ କାଳରୁ ଏଇ ସହରରେ ମା’ଙ୍କ ପୂଜା ହୋଇ ଆସୁଛି । ସବୁଠି ମା’। ହେଲେ ତାଙ୍କର ସଜବାଜ ଭିନ୍ନ, ପରମ୍ପରା଼ ବି ଭିନ୍ନ । ଏହାକୁ ନେଇ ଏଥରର ବିଶେଷ ଉପସ୍ଥାପନା।
ଓଡ଼ିଶାରେ ଦୁର୍ଗାପୂଜା ପରମ୍ପରା ପ୍ରଥମେ ଆରମ୍ଭ ହୋଇଥିଲା କଟକରୁ। ଐତିହାସିକ ଉଦାହରଣରୁ ଜାଣିବାକୁ ମିଳେ ଯେ ଚୈତନ୍ୟ ମହାପ୍ରଭୁ ପ୍ରାୟ ୪୦୦ ବର୍ଷ ପୂର୍ବେ କଟକରେ ଏହି ପୂଜା ଆରମ୍ଭ କରିଥିଲେ। ଚୈତନ୍ୟଦେବ ନଦିଆଠାରୁ ବାହାରି ବାଟରେ ରହି ରହି ଆସୁଥିଲେ। କଟକ ରହଣି କାଳରେ ସେ ସ୍ଥାନୀୟ ବିନୋଦବିହାରୀ ପୀଠରେ ରହି ୧୫୦୪ ମସିହାରେ ପ୍ରଥମେ ମା’ଙ୍କ ଘଟପୂଜା ଆରମ୍ଭ କରିଥିଲେ। ସେବେଠାରୁ ବାଲୁବଜାରରେ ହୋଇ ଆସୁଛି ଦୁର୍ଗାପୂଜା।
ଏହାପରେ ଅନେକ ସ୍ଥାନରେ ଆରମ୍ଭ ହୋଇଛି ମା’ଙ୍କ ଆରାଧନା। ହେଲେ ସବୁଠି ମା’ଙ୍କ ପୂଜା ବଙ୍ଗୀୟ ଢାଞ୍ଚାରେ ହେଉଛି। ମା’ଙ୍କ ମୁର୍ତ୍ତି ଗଢିବା ପାଇଁ ସବୁ ପୂଜାକମିଟି ପୁରୀ ଘାଟ ଦେବୀଗଡାରୁ ମାଟି ଆଣିଥାନ୍ତି। କଟକ ରେ ସବୁଠି ମା’ଙ୍କ ମୂର୍ତ୍ତି ଶାନ୍ତ। ସବୁଠି ମା’ଙ୍କ ରଙ୍ଗ ହଳଦିଆ। ସବୁଠି ମା’ଙ୍କ ଉଚ୍ଚତା ୭ ଫୁଟ। ଦଶଭୂଜା ମା’ଙ୍କ ହାତରେ ଶଙ୍ଖ, ଚକ୍ର, ଗଦାପଦ୍ମ, ସର୍ପ, ଖଡ୍ଗ, ତ୍ରିଶୁଳ, ଧନୁତୀର ଏବଂ ଯଷ୍ଟି ଶୋଭାପାଏ। ସବୁ ମଣ୍ଡପରେ ମା’ଙ୍କ ପାର୍ଶ୍ୱଦେବତା ଭାବେ ଲକ୍ଷ୍ମୀ,ସରସ୍ୱତୀ, କାର୍ତ୍ତିକ, ଗଣେଶ ଥାଆନ୍ତି।
ବାଲୁ ବଜାର
ବାଲୁ ବଜାରର ପୂଜା ବିଧି ଟିକେ ନିଆରା। ମା’ଙ୍କ ମୁର୍ତ୍ତି ତିଆରି କରିବା ପାଇଁ ସବୁ ପୂଜା କମିଟି ପକ୍ଷରୁ କଲିକତାରୁ କାରିଗର ମଗାଇଥାନ୍ତି। ହେଲେ ବାଲୁବଜାରରେ ମା’ଙ୍କୁ ନିତ୍ୟ ପୂଜା କରୁଥିବା ପୂଜକମାନେ ହିଁ ମୂର୍ତ୍ତି ଗଢିଥାନ୍ତି। ଏଠି ମା’ଙ୍କ ମୂର୍ତ୍ତିର ରଙ୍ଗ ତପ୍ତ କାଞ୍ଚନ ବା ତରଳ ସୁନା ପରି ହଳଦିଆ। କୁହାଯାଏ କଟକର ସବୁଠାରୁ ସୁନ୍ଦର ମୂର୍ତ୍ତି ବାଲୁ ବଜାରର ମୂର୍ତ୍ତି। ଦଶଭୂଜା ମା’ଙ୍କର ସବୁ ଆୟୁଧ ସମାନ ହେଲେ ଏଠି ମା’ଙ୍କ ମୁଖ୍ୟ ଅସ୍ତ୍ର ତ୍ରୀଶୂଳ ନୁହେଁ ଖଡ୍ଗ। ସବୁ ମଣ୍ଡପରେ ପାର୍ଶ୍ୱଦେବ କାର୍ତ୍ତିକ, ଗଣେଶ ଠିଆ ହୋଇଥିବା ବେଳେ ବାଲୁବଜାର ମଣ୍ଡପରେ ଏମାନଙ୍କ ବସିଥିବା ମୂର୍ତ୍ତି ଦେଖିବାକୁ ମିଳେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଠାରେ କାରିଗର ପ୍ରାକୃତିକ ରଙ୍ଗ ଦେଇ ମା’ଙ୍କ ମୂର୍ତ୍ତି ନିର୍ମାଣ କରିଥାନ୍ତି। ଦଶହରା ଦିନ ଏଠାରେ ୩୦୦୦ ଲୋକଙ୍କ ପାଇଁ ମାଗଣା ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥାଏ।
ଚୌଧୁରୀ ବଜାର
ଏହାପରେ ଯିବା ଚୌଧୁରୀ ବଜାର। କୁହାଯାଏ ୧୮୭୨ ମସିହାରୁ ଏଠାରେ ମା’ଙ୍କ ପୂଜା ହୋଇ ଆସୁଛି। ଚୌଧୁରୀ ବଜାର ବ୍ୟବସାୟୀଙ୍କ ପେଣ୍ଠସ୍ଥଳୀ ହୋଇଥିବାରୁ ପ୍ରଥମ ଚାନ୍ଦିମେଢ ହୋଇଥିଲା। ଏଠାରେ ମଧ୍ୟ ମା’ଙ୍କ ମୂର୍ତ୍ତି ଖୁବ୍ କମନୀୟ। ବିଭିନ୍ନ ପ୍ରକାର ଆଧୁନିକ ରଙ୍ଗ ଦେଇ ଖୁବ୍ ସୁନ୍ଦର କରି ସଜେଇଥାନ୍ତି ମା’ଙ୍କ ମୂର୍ତ୍ତିକୁ।
ଅଲିଶା ବଜାର
ଅଲିଶା ବଜାର ପୂଜା ମଣ୍ଡପରେ ମା’ଙ୍କ ପୂଜା ବୈଷ୍ଣବ ରୀତିନୀତି ଅନୁସାରେ ହୋଇଥାଏ। ପ୍ରଥମେ ୧୯୧୫ ମସିହାରେ ଏକ ଚାଳଘରେ ଆରମ୍ଭ ହୋଇଥିଲା ମା’ଙ୍କ ପୂଜା। ହେଲେ ଏବେ ସୁନ୍ଦର ବେଶ, ସୁଦୃଶ୍ୟ ମଣ୍ଡପ, ସୁସଜ୍ଜିତ ତୋରଣ ମଧ୍ୟରେ ପୂଜା ପାଉଛନ୍ତି ମା’। ସେହିପରି ଖାନନଗରରେ ୧୯୫୨ ମସିହାରେ ଆରମ୍ଭ ହୋଇଥିଲା ପୂଜା। ପୂଜାକମିଟି ପକ୍ଷରୁ ପ୍ରଥମେ ପଞ୍ଚମୁଖୀ ମହାଦେବଙ୍କୁ ପୂଜା କରାଯାଉଥିଲା। ପରେ ୧୯୬୨ରେ ମା’ଙ୍କ ଆରାଧନା କରାଯାଇଥିଲା।
ଚାନ୍ଦିନୀଚୌକ
ଚାନ୍ଦିନୀଚୌକ ହେଉଛି କଟକର ତୃତୀୟ ଦୁର୍ଗାପୂଜା ମଣ୍ଡପ। ୧୯୧୮ ମସିହାରୁ ଏଠାରେ ମା’ଙ୍କ ପୂଜା ହୋଇ ଆସୁଛି। ସେଥିପାଇଁ ଏଠି ମା’ଙ୍କୁ ସାନ ଭଉଣୀ ବୋଲି କୁହାଯାଏ। ବାଲୁବଜାରର ମା’ଙ୍କ ମୁହଁ ଏବଂ ଚାନ୍ଦିନୀଚୌକ ମା’ଙ୍କ ମୁହଁରେ ଅନେକ ସାମଞ୍ଜସ୍ୟ ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)