• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ରାମ ନାମରେ କମ୍ପିଲା ଚାରି ଦିଗ । ସବୁଠି ରାମ ମୟ ପରିବେଶ । ପବିତ୍ର ଶ୍ରୀରାମ ନବମୀରେ ସାରା ଦେଶ ଉତ୍ସବ ମୁଖର। ଉପବାସ ଓ ବ୍ରତ କରି ମନ୍ଦିରରେ ପୂଜାର୍ଚ୍ଚନାରେ ମଗ୍ନ ଶ୍ରଦ୍ଧାଳୁ । ସେପଟେ ରାମ ନବମୀରେ ରାଜ୍ୟର ବିଭିନ୍ନ ସ୍ଥାନରେ ବାହାରିଛି ବିରାଟ  ଶୋଭାଯାତ୍ରା । ଯେଉଁଥିରେ ମର୍ଯ୍ୟାଦା ପୁରୁଷୋତ୍ତମଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହେବାକୁ ବାର୍ତ୍ତା ଦିଆଯାଇଛି ।

ଧର୍ମର ପ୍ରତୀକ, ଏକତାର ଆଦର୍ଶ, ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ । ପବିତ୍ର ରାମ ନବମୀରେ ରାମ ମୟ ଚତୁର୍ଦ୍ଦିଗ । ରାମ ନାମ ଧ୍ୱନିରେ କମ୍ପୁଛି ମନ୍ଦିର । ସବୁଠି ଶ୍ରଦ୍ଧେୟ ଶ୍ରୀରାମଙ୍କ ସ୍ମରଣ । ଦଶରଥ ନନ୍ଦନଙ୍କ ପୂଜାର୍ଚ୍ଚନାରେ ମଗ୍ନ ଭକ୍ତ।

ରାମ ନବମୀ ପାଇଁ ରାଜ୍ୟର ବିଭିନ୍ନ ମନ୍ଦିରରେ ହୋଇଛି ସ୍ୱତନ୍ତ୍ର ପ୍ରସ୍ତୁତି । କେଉଁଠି ୯ ଦିନିଆ ସଂକୀର୍ତ୍ତନ ତ କେଉଁଠି ୧୦୮ ରାମ ନାମ ଜପ । କଟକରୁ କୋରାପୁଟ, ଭୁବନେଶ୍ୱରରୁ ଭଦ୍ରକ, ସବୁଠି ଉତ୍ସାହର ସହ ପାଳନ ହେଉଛି ପବିତ୍ର ଶ୍ରୀରାମ ନବମୀ ।

ଅଧିକ ପଢ଼ନ୍ତୁ: କାହିଁକି ପାଳନ ହୁଏ ରାମନବମୀ, କ’ଣ ରହିଛି ଏହାର ମହତ୍ତ୍ୱ

ମନ୍ଦିର ମାଳିନୀ ସହର ଭୁବନେଶ୍ୱର ର ଆସ୍ଥାର କେନ୍ଦ୍ର ରାମ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ନାହିଁ ନଥିବା ଭିଡ । ଶ୍ରୀରାମଙ୍କ ଆଦର୍ଶରେ  ଅନୁପ୍ରାଣିତ ହୋଇ ସତ୍ୟ ପାଇଁ ଲଢେଇ କରିବାର ସତ ସାହସ, ପ୍ରେରଣା ଓ ଧୌର୍ଯ୍ୟର ଆଶିଷ ଲୋଡିଛି ଭକ୍ତ । 

ସେହିପରି ଚୈତ୍ର ଶୁକ୍ଳ ନବମୀ ତିଥିରେ ଭକ୍ତମୟ ରାଉରକେଲାର ହନୁମାନ ବାଟିକା । ଶ୍ରୀରାମଙ୍କ ଆରାଧନା ସହ ପୂଜା ପାଇଛନ୍ତି ତାଙ୍କ ପରମ ଭକ୍ତ ହନୁମାନ ।

ରାମନବମୀରେ କୋରାପୁଟ ଡୁମୁରୀପୁଟର ଶ୍ରୀରାମ ମନ୍ଦିରକୁ ଛୁଟିଥିଲା ଲକ୍ଷାଧିକ ଭକ୍ତଙ୍କ ସୁଅ । ମନ୍ଦିର ସମ୍ମୁଖରେ ଯୋଗମୁଦ୍ରାରେ ଆସୀନ ହନୁମାନଙ୍କ ମୂର୍ତ୍ତି ବି ସାଜିଥିଲା ମୁଖ୍ୟ ଆକର୍ଷଣ । 

ଶ୍ରୀରାମ ନବମୀରେ ଭଦ୍ରକ ରେ ବାହାରିଛି ବିଶାଳ ଶୋଭାଯାତ୍ରା । ନଗର ସଂକୀର୍ତ୍ତନରେ ସାମିଲ ହୋଇଛି ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ଶହେରୁ ଅଧିକ ମେଢ । ଜୟ ଶ୍ରୀରାମ ଧ୍ୱନିରେ ପ୍ରକମ୍ପିତ ହେଉଛି ପରିବେଶ । ଖୋର୍ଦ୍ଧାରେ ହଜାର ହଜାର ଶ୍ରଦ୍ଧାଳୁ ବିରାଟ ପଟୁଆରରେ ବାହାରି ସହର ପରିକ୍ରମା କରିଛନ୍ତି ।

ସେହିପରି ବାଲେଶ୍ୱର ରେ ବିଶାଳ, ଭବ୍ୟ ଶୋଭାଯାତ୍ରା ସହର ପରିକ୍ରମା କରି ପ୍ରଭୁ ଶ୍ରୀରାମଙ୍କ ଏକତା ଓ ଆଦର୍ଶର ବାର୍ତ୍ତା ଦେଇଛି । ଆଳି, ବଣାଇ, ନୟାଗଡ, ଦଶପଲ୍ଲାରେ କେଉଁଠି ଘଣ୍ଟ ଘଣ୍ଟା ଓ ସଂକୀର୍ତ୍ତନ ତ କେଉଁଠି ଡିଜେ ମାଧ୍ୟମରେ କମ୍ପିଥିଲା ଶ୍ରୀରାମଙ୍କ 
ବାଣୀ ।

ରାମ ନବମୀ ଅବସରରେ ଆଜିଠୁ ଆରମ୍ଭ ହୋଇଛି ଦଶପଲ୍ଲାର ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରା । କଳାକାରମାନେ ବ୍ରତ ଧାରଣ କରି ମୁକ୍ତାକାଶ ରଙ୍ଗମଞ୍ଚରେ ପରିବେଷଣ କରିବେ ରାମଲୀଳା । 

ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମି ଅଯୋଧ୍ୟାରେ ବେଶ ହର୍ଷ ଉଲ୍ଲାସର ସହ ଚାଲିଛି ରାମ ନବମୀ ଉତ୍ସବ । ଦେଶର ବିଭିନ୍ନ ପ୍ରାନ୍ତରୁ ସାଧୁ, ସନ୍ୟାସୀ, ଉପାସକ ଓ ଭକ୍ତ, ଶ୍ରୀରାମଙ୍କ ଦର୍ଶନ ଲାଗି ଏକତ୍ରିତ ହୋଇଛନ୍ତି । ସରଜୁ ନଦୀରେ ସ୍ନାନ କରି ସାରା ଦିନ ଉପବାସ ରହି ପୂଜାର୍ଚ୍ଚନା କରିଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ ।

ପବିତ୍ର ଶ୍ରୀରାମ ନବମୀରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଛି ରାମଜନ୍ମ ନୀତି । ଶ୍ରୀରାମଙ୍କ ଜନ୍ମ ଠାରୁ ଯଜ୍ଞ ରକ୍ଷା, ସୀତାବିବାହ ଓ ରାବଣ ବଦ୍ଧ ପର୍ଯ୍ୟନ୍ତ ରାମଲୀଳାର ସମସ୍ତ ନୀତି ପ୍ରତ୍ୟେକ ଦିନ ପାଳନ ହେବ ଶ୍ରୀମନ୍ଦିରରେ । ସାହି ସାହିରେ ଜମିଲା ପାରମ୍ପରିକ 
ସାହିଯାତ ।