Advertisment

ଏଥର କାର୍ତ୍ତିକ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ: କେତେବେଳେ ଡ଼ଙ୍ଗାଭସା, କହିଲେ ଜ୍ୟୋତିର୍ବିଦ

ପୁରୀ ମୁକ୍ତି ମଣ୍ଡପ ଅନୁମୋଦିତ ରାଧାରମଣ ପ୍ରେସ ପଂଜିକାରେ ନଭେମ୍ବର ୮ ର ଚନ୍ଦ୍ରଗ୍ରହଣ ସଂପର୍କିତ ତଥ୍ୟ ଭୁଲ ଅଛି।

author-image
Chandan Shishu
ଅଦ୍ୟତନ ହୋଇଛି
Lunar Eclipse 2022

Karttik Purnnima

ନଭେମ୍ବର ୮ ତାରିଖ କାର୍ତ୍ତିକ ପୂର୍ଣ୍ଣିମାରେ ହେବ ଚନ୍ଦ୍ର ଗ୍ରହଣ। ଅପରାହ୍ନ ୨ଟା ୩୮ ମିନିଟ ୧୪ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରୁଥିବା ବେଳେ ସର୍ବମୋକ୍ଷ ହେବ ସଂଧ୍ୟା ୬ଟା ୧୮ ମିନିଟ ୪୭ ସେକେଣ୍ଡରେ। ଏହି ଦିନ ଶ୍ରୀମନ୍ଦିରର ନୀତିକାନ୍ତିକୁ ନେଇ ଦେଖାଦେଇଛି ଦ୍ୱନ୍ଦ୍ୱ। ଶ୍ରୀମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତି ଅନୁସାରେ ୭ ତାରିଖ ରାତି ୧୨ଟା ୧୦ରେ ଦ୍ୱାରଫିଟା ହୋଇ ମଙ୍ଗଳଆଳତି, ମଇଲମ, ତପଡ଼ଲାଗି, ଅବକାଶ ଆଦି ସମସ୍ତ ନୀତିକାନ୍ତି କରାଯାଇ ଭୋର୍ ୫ଟାରେ ଉଠିବ ଭୋଗ ମଣ୍ଡପ। ଶ୍ରୀମନ୍ଦିର ପ୍ରଶାସନ ଅନୁସାରେ ସକାଳ ୮ଟା ୨୯ରୁ ଅନ୍ନଭୋଜନ, ପାକ, ଦେବ ନୀତି ନିଷେଧ। କିନ୍ତୁ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡକ୍ଟର ନରେଶ ଚନ୍ଦ୍ର ଦାଶଙ୍କ ମତରେ ଅପରାହ୍ଣ ୨ଟା ୩୮ ମିନିଟ୍ ୧୪ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରୁଥିବାରୁ ଏହାର ୯ ଘଣ୍ଟା ପୂର୍ବରୁ ଅର୍ଥାତ ସକାଳ ୫ଟା ୫୪ ମିନିଟ୍ ୫୩ ସେକେଣ୍ଡରୁ ଅନ୍ନଭୋଜନ, ପାକ କର୍ମ ଓ ଦେବନୀତି ନିଷେଧ ସଂଶୋଧିତ ପାଞ୍ଜିରେ ଏହା ଲେଖା ଅଛି।

Advertisment

ଅଧିକ ପଢ଼ନ୍ତୁ: କାର୍ତ୍ତିକ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ; କିଭଳି ହେବ ପାକ ତ୍ୟାଗ ଓ ଦେବନୀତି ? ଜାଣନ୍ତୁ..

ପ୍ରଥମେ ଏଠାରେ ପ୍ରିଣ୍ଟିଂ ଭୁଲ୍ ଥିଲା ପରେ ତାକୁ ସଂଶୋଧନ କରାଯାଇଛି। ଏହି ସଂଶୋଧିତ ଅଂଶ ବୋଧହୁଏ ଶ୍ରୀମନ୍ଦିର ପ୍ରଶାସନର ନଜରରେ ଆସିନଥିବାରୁ ଏହି ଦ୍ବନ୍ଦ୍ୱ ଉପୁଜି ଥାଇପାରେ। ସେପଟେ ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର କହିଛନ୍ତି, ନଭେମ୍ବର ୧ କିମ୍ବା ୨ ତାରିଖରେ ନୀତି ସବକମିଟି ଓ ଛତିଶାନିଯୋଗ ବୈଠକ ହେବାର ଅଛି। ସେହି ବୈଠକରେ ଏହା ଉପରେ ଆଲୋଚନା ହୋଇ ନୀତି ନିର୍ଘଣ୍ଟ ବଦଳିପାରେ।

Advertisment

ସେପଟେ ପାରଳାଖେମୁଣ୍ଡି ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ପଣ୍ଡିତ ସୁଦର୍ଶନ ତ୍ରିପାଠୀ ମଧ୍ୟ କହିଛନ୍ତି, ପୁରୀ ମୁକ୍ତି ମଣ୍ଡପ ଅନୁମୋଦିତ ରାଧାରମଣ ପ୍ରେସ ପଂଜିକାରେ ନଭେମ୍ବର ୮ ର ଚନ୍ଦ୍ରଗ୍ରହଣ ସଂପର୍କିତ ତଥ୍ୟ ଭୁଲ ଅଛି। ଏଥିରେ ସକାଳ ୮ଟା ୨୯ ମିନିଟ ପରଠୁ ପାକତ୍ୟାଗ, ଦେବନୀତି ନିଷେଧ ବୋଲି ଦର୍ଶଯାଇଛି। କିନ୍ତୁ ଅନ୍ୟାନ୍ୟ ପଞ୍ଜିକା ଅନୁସାରେ ଚତୁର୍ଥ ପ୍ରହର ପରେ ଏସବୁ ନିଷେଧ। ରାଧାରମଣ ପ୍ରେସ ପଂଜିକାର ତ୍ରୁଟିକୁ ସଂଶୋଧନ କରିବା ପାଇଁ ଚନ୍ଦ୍ରଗ୍ରହଣର ନିୟମ ଉଲ୍ଲେଖ କରି ଶ୍ରୀମନ୍ଦିର ମୁକ୍ତି ମଣ୍ଡପକୁ ଚିଠି ଲେଖିଛନ୍ତି ପଣ୍ଡିତ ସୁଦର୍ଶନ ତ୍ରିପାଠୀ। 

ଚନ୍ଦ୍ରଗ୍ରହଣ ଯୋଗୁ ସୂର୍ଯ୍ୟୋଦୟ ପରେ ଦେବନୀତି ନିଷେଧ ଥିବାରୁ ସୂର୍ଯ୍ୟ ଉଦୟ ପୂର୍ବରୁ ଡଙ୍ଗା ଭସାଇବାକୁ ପରାମର୍ଶ ଦେଇଛନ୍ତି ଜ୍ୟୋତିର୍ବିଦ୍। କାର୍ତ୍ତିକ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ସୁନା ବେଶ ହୋଇଥାଏ। ଭକ୍ତମାନେ ଏହି ବେଶ ଦର୍ଶନ କରିବାର ସୁଯୋଗ ପାଇବେ ବୋଲି ସେବାୟତଙ୍କ ପକ୍ଷରୁ କୁହାଯାଇଛି।

(ପାରଳାଖେମୁଣ୍ଡିରୁ ଆଦର୍ଶ ଦାସ, ପୁରୀରୁ ମଧୁସୂଦନ ମିଶ୍ରଙ୍କ ରିପୋର୍ଟ)      

Kartik Purnima Lunar Eclipse
Advertisment
Advertisment